ପରିକ୍ରମା
ପରିକ୍ରମା
ପାୟଲ ଓ ଟୁବି କିଏ କାହାର ପରିପୂରକ କହି ହେବନି କିନ୍ତୁ ସୂର୍ଯ୍ୟଙ୍କ ଚାରି ପାଖେ ପୃଥିବୀ ଘୁରି ବୁଲିବା ପରି ଟୁବି ସର୍ବଦା ପାୟଲ ର ପାଖେ ପାଖେ ଥାଏ l ପାୟଲ ପରି ସ୍ବନାମଧନ୍ୟ ଔପନ୍ୟାସିକା ର ଅଜସ୍ର ଟଙ୍କା ଓ ପୁରସ୍କାର ର ଚାହିଦା ପୂରଣ ହୋଇଯାଏ ହେଲେ ଅନେକ ପ୍ରତିଶୃତି ଚିରଦିନ ଅପୂରଣୀୟ ହୋଇ ରହିଥାଏ l ଗୋଟିଏ ଆଜନ୍ମ ଛୋଟେଇ ଛୋଟେଇ ଚାଲୁଥିବା ଝିଅ ସହ ଘର ବସାଇବା ଓ ଗଳ୍ପ କବିତା ପଢି ପ୍ରଶଂସା କରିବା ଦୁଇଟି ସମ୍ପୂର୍ଣ୍ଣ ରୂପେ ଅଲଗା ଅଲଗା ବିଷୟବସ୍ତୁ l
-- ତୁମ ଲେଖନୀ ମୁନ ରୁ ତ ଖାଲି ମହୁ ଝରୁଛି ପାୟଲ l ତୁମକୁ ଯିଏ ବାହା ହେବ ସେ ନିଶ୍ଚୟ ଭାଗ୍ୟବାନ ହୋଇଥିବ l
--ତୁମେ... ହେବ... ?
--ମୁଁ ? ମାନେ… ହଁ ମୁଁ ବି ସେଇ ଭାଗ୍ୟବାନ ଙ୍କ ଭିତରେ ଗଣା ହେବାକୁ ଚାହୁଁଥିଲି ଯେ...କିନ୍ତୁ ମୋ ଘର ଲୋକ... l
ବୁଝି ଯାଏ ପାୟଲ l ଜୀବନ ଟା ଗଳ୍ପ କିମ୍ବା ଉପନ୍ୟାସ ନୁହଁ l ଲେଖକ ର ରଚନା ପାଠକ କୁ ସ୍ବପ୍ନର ଝିଲମିଲ ଦୁନିଆ କୁ ନେଇଯାଏ ଓ ଖୁବ ବୁଲାଇ ବୁଲାଇ ଆଣି ଏଇ ମାଟି ଉପରେ ପୁଣି କଚାଡି ଦିଏ ଯୋଉଠି ପୁଣି ଦରକାର ପଡେ ଖାଦ୍ୟ ପାନୀୟ ଟଙ୍କା ପଇସା ସନ୍ତାନ ସନ୍ତତି ଗାଡି ଘୋଡା l
--ତୁମ ପାଖେ ଥିଲେ ସ୍ୱର୍ଗ ସୁଖ ଭଳି ଲାଗେ ପାୟଲ l ସାରା ଦିନ ର ଶ୍ରମ ଭାର ଲାଘବ ହୋଇଯାଉଛି l ଛାଡି ଯିବାକୁ ମନ ହେଉନାହିଁ l
--ଆସିବ ନା ପୁଣିଥରେ ?
--ନହେଲେ ରହି ପାରିବି କି ? ନିଶ୍ଚୟ ଆସିବି l ପ୍ରତିଶୃତି ଦେଇ ଚାଲିଯାଏ ପ୍ରେମିକଟି ଯିଏକି ପାୟଲ ର ଲେଖାଟିଏ କୋଉଠି ପଢି ତା ପ୍ରେମ ରେ ପଡି ଯାଇ ଥାଏ l
ବଡ଼ବଡ଼ିଆ ପାଠକଟିଏ ଏ ସି ରୁମ ରେ ବସି ପାୟଲ ର ଉପନ୍ୟାସ କୁ ତର୍ଜମା କଲା ବେଳେ ଗଳି ମୁଣ୍ଡ ର ପାନ ଦୋକାନୀଟି ଡହ ଡହ ଖରାବେଳେ ଉପନ୍ୟାସ ର ନାୟିକା ସହ ସ୍ବପ୍ନର ଦୁନିଆରେ ରେ ଅହରହ ବିଚରଣ କରୁଥାଏ l ପିଲାରୁ ବୁଢ଼ା ପର୍ଯ୍ୟନ୍ତ ପାୟଲ ର ଗଳ୍ପ ଉପନ୍ୟାସ ର ମୋହରେ ସଭିଏଁ ଆକ୍ତାମାକ୍ତା l ମାତ୍ର ପାୟଲର ନିଜ ଜୀବନର କାହାଣୀ କୁ କେବଳ ଜଣେ ହିଁ ପଢ଼ିପାରିଛି l ତା ନିଜ କାହାଣୀ ର ଆଜିଯାଏଁ ଜଣେ ହିଁ ପାଠିକା ଏବଂ ସେ ହେଲା ତା କାମବାଲୀ ଟୁବି l
ସ୍ବପ୍ନ ରାଇଜ ରୁ ବାହାରି ଆସିଲେ ଘରଟିଏ ଦରକାର ପଡେ ଯୋଉ ଘରେ ପହଞ୍ଚିଲେ ପତ୍ନୀଟିଏ ରାନ୍ଧିବାଢି ଜଗି ବସିଥିବ l ଉଚ୍ଚକୋଟୀର ଲେଖା କୁ ଅକୁଣ୍ଠିତ ପ୍ରଶଂସା କଲାପରେ ଚାଲିଯାଆନ୍ତି ସଭିଏଁ ବାଟ ଭାଙ୍ଗି ନିଜ ନିଜ ରାସ୍ତାରେ l ଯେଉଁ କେତେଜଣ ଲେଖିକା ସହିତ ଆଉ କିଛିବାଟ ଆଗେଇ ଯାଆନ୍ତି ଲେଖା ଆଳ ରେ କିଛି ପ୍ରେମ ର ଆଦାନ ପ୍ରଦାନ ବି ହୋଇଯାଏ l ସେଇଠୁ ବିବାହ ଘର ସଂସାର ପରି କେତୋଟି ଶବ୍ଦ ର ଅଙ୍କୁରୋଦଗମ ହୁଏ ଓ ପରେ ପରେ ଲେଖିକା ର ଶାରୀରିକ ଅକ୍ଷମତା ଯୋଗୁଁ ପ୍ରେମ ର ଜୁଆରରେ ଭଟ୍ଟା ପଡ଼ିଯାଏ l
ହେଲେ ବି କାହାର ପ୍ରତୀକ୍ଷା କରିବାକୁ ଭଲ ଲାଗେ l କାହାକୁ ମନେ ପକାଇବାକୁ ଭଲ ଲାଗେ ଓ କାହାକୁ ଟିକେ ପ୍ରେମ କରିବାକୁ ମନ ହୁଏ ପାୟଲ କୁ l ଦିନଯାକର ଭଙ୍ଗା ମନ ଓ ମୁହଁ ଫେରାଇ ଚାଲି ଯାଇଥିବା ପ୍ରତିଶୃତି ମାନ ରାତ୍ରି ର ଅନ୍ଧକାର ରେ ଆଗ୍ନେୟଗିରି ର ଲାଭା ହୋଇ ବୋହିଯାଆନ୍ତି ଆଖିର କେଉଁ ଏକ ନିଭୃତ କୋଣରୁ ଯାହାର ମୁକ ସାକ୍ଷୀ ଥାଏ ଏଇ କାମବାଲୀ ଟୁବି l ସକାଳୁ କିନ୍ତୁ ସବୁ ଠିକଠାକ l ପାୟଲ ର ପଢାଘରେ କାଗଜ ଫଡ ଫଡ ହେଇ ସୂଚାଇ ଦିଏ ଯେ ପାୟଲ ସହିତ ଉପନ୍ୟାସ ର ଚରିତ୍ର ମାନେ ମଧ୍ୟ ସକାଳୁ ଜୀବନ୍ୟାସ ପାଇ ସାରିଲେଣି l ତା ସାଙ୍ଗକୁ ରୋଷେଇ ଘରେ ଟୁବିର ବାସନ ଟୁଙ୍ଗ ଟାଙ୍ଗ ଶବ୍ଦ ବି ଜଣାଇ ଦିଏ ଯେ ଗତ ରାତି ରେ କିଛି ଅସୁବିଧା ହୋଇ ନଥିଲା କି ହେବ ନାହିଁ l ଯାହା ଯେମିତି ଚାଲିବା କଥା ସେମିତି ଚାଲିଛି l ପୃଥିବୀ ନ ଘୁରିଲେ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ବନ୍ଦ ହୋଇଗଲା ପରି ଟୁବି ନଥିଲେ ପାୟଲ ର ଘଟଣା ବହୁଳ ଜୀବନ ର ହିସାବ କିତାବ କିଏ ରଖିଥାନ୍ତା ଅବା ? ପାୟଲ ର ଲେଖା ସିନା ସଭିଏଁ ପଢ଼ନ୍ତି ପାୟଲ କୁ ଟୁବି ବ୍ୟତୀତ ଆଉ ପଢ଼ିଛି କିଏ ? କିନ୍ତୁ ଦିନେ ଏଇ ପୃଥିବୀ ଟି ହଠାତ ଘୁରିବା ବନ୍ଦ କରିଦେଲା l ପାୟଲ ର ଅପର୍ଯ୍ୟାପ୍ତ ଧନ ସମ୍ପତ୍ତି ସହ ତାଳ ଦେଇ ତାର ଅସୁମାରୀ ଲୁହ ର ମୁକ ସାକ୍ଷୀ କାମବାଲୀ ଟୁବି ହଠାତ ଦିନେ କହିଲା- ଦିଦି ମୋର କଣ ଗୋଟେ ହୋଇ ଯାଇଛି l ମୋତେ ଡାକ୍ତର ଦେଖାଅ l ଦେଖିଲା ବେଳକୁ ପିଠି ର ଛୋଟିଆ ଘାଆ ଟିଏ କେତେଦିନ ଲଗାତାର ଯନ୍ତ୍ରଣା ଦେଇ କ୍ରମଶଃ ବଡ଼ ଆକାର ଧାରଣ କରିଛି l ଅନେକ ଉପଚାର ପରେ ଭଲ ନହେବାରୁ ବାୟୋପସି କରି ଦେଖାଗଲା ଟୁବି ଦୁରାରୋଗ୍ୟ କର୍କଟ ବ୍ୟାଧି ର ଶିକାର ହୋଇଛି lନିସ୍ତବ୍ଦ ହୋଇଗଲା ପାୟଲର ଦୁନିଆ l ଲୁହ ଗୁଡାକ ଏବେ ଆଉ ବୋହିଯାଉ ନାହିଁ l ପାୟଲ ଏତେ ଗୁଡ଼ାଏ ଲାଭାକୁ ନିଜ ଭିତରେ ସମ୍ଭାଳି ରଖିବ କିପରି ? ଟୁବି ବିନା ସୁପ୍ତ ଆଗ୍ନେୟଗିରି କେତେ ଦିନ ଯାଏଁ ସୁପ୍ତ ହୋଇ ରହିବ ? ଟୁବି କହିଲା
--ଦିଦି ! ଯିବି ତ ଯିବି l ଏବେ ଆଉ କିଛି ହେଇ ପାରିବ ନାହିଁ l ଆଉ କୌଣସି ଟ୍ରିଟମେଣ୍ଟ ବି କରିବି ନାହିଁ l ବହୁତ କଷ୍ଟ ହେଉଛି ଦିଦି l କିଛି ଦିନ ଶାନ୍ତିରେ ରହିବି l
ପାୟଲ ଦେଖିଲା ତାକୁ ବୁଝାଇବା ନିରର୍ଥକ l କାରଣ ସେ ସବୁ କଥା ଜାଣିଛି l କିନ୍ତୁ କେମୋ ଦେଲେ ହୁଏତ ଆଉ କେତେଦିନ ରହି ଯାଇପାରେ l ଟୁବି ଏବେ କୌଣସି ଘର କାମ କରୁନାହିଁ l ଖାଲି ବସି ବସି ଖାଉଛି l ତା ପାଇଁ ରାଜକୀୟ ସୁଖ ର ଅବସର l କ୍ୟାନ୍ସର ହେଇନି ଯେ ତା ପାଇଁ ଗୋଟିଏ ହିଲ ଷ୍ଟେସନ ରେ ଛୁଟି କଟାଇଲା ଭଳି ମୌକା ମିଳିଯାଇଛି l ପାୟଲ ର ଅଭାବ କଣ l ଟୁବି ର ସେବା ପାଇଁ ବି ଲୋକ ଖଞ୍ଜି ଦେଇଛି l ଟୁବି ଜୀବନ ରେ ଯାହା ଯାହା ପାଇ ନଥିଲା ଏବେ ସେଇ ସବୁ ପାଇବାକୁ ଚାହୁଁଛି l ଯାହା କରି ନଥିଲା କରିବାକୁ ଚାହୁଁଛି ଏବେ l
--ଦିଦି ! ମୋ ପାଇଁ ହଳେ ଜିନ୍ସ ଟି-ସାର୍ଟ ଆଣି ଦିଅନ୍ତନି ? କେବେ ପିନ୍ଧି ନାହିଁ l କେମିତି ଦିଶିବ କେଜାଣି ?
--ଦିଦି ମଲରେ ସେଇ ଯୋଉ ସିଡ଼ିଟା ଯାହା ମନକୁ ମନ ଚାଲୁଥାଏ କଣ ଟି ସେଇଟା ?
--ଏସ୍କାଲେଟର କହନ୍ତି ତାକୁ l
--ହଁ ସେଥିରେ ଚଢି ନାହିଁ l ଠିଆ ହେଲେ ସିଏ ତାର ଉପରକୁ ନେଇ ଯିବ l ଟିକେ ଆଜି ଯିବା ନା ? ଟୁବି ଭାବେ ହଁ କ୍ୟାନ୍ସର ହେଲା ତ କଣ ହେଲା l କେବେ ହେଲେ ତ ମରିବି ନା l ସବୁ ପାଇସାରିଲେ ଯାଇ ଯୋଉ କଥା l ଆଗେ ଅପୂର୍ଣ୍ଣ ଆଶା ଗୁଡିକ ଚରିତାର୍ଥ କରିବାକୁ ପଡିବ l ଦିନେ ନା ଦିନେ ତ ମରିବା l ହେଲେ ସେ ଯେଉଁ କେମୋ….ନର୍କ ଯନ୍ତ୍ରଣା ଦିଏ l
କୌଣସି ମତେ ରାଜି କରାଇ କେମୋ ଦେଲା ପରେ ମଧ୍ୟ ଭଲ ନହେବାରୁ ପାୟଲ ଟୁବି କୁ ନେଇ ବାହାରିଥିଲା ସୁଦୂର ମୁମ୍ବାଇ ର ଏକ ନାମୀ ହସ୍ପିଟାଲ କୁ l
ମୁମ୍ବାଇ ଯିବା ପୂର୍ବ ଦିନ ଟୁବି କହିଲା
--ଦିଦି ! ଆମେ ଟ୍ରେନ ରେ ଯିବାନି ଉଡ଼ାଜାହାଜ ରେ ଯିବା ହେଲା ? ମୁଁ କେବେ ଉଡ଼ାଜାହାଜ ରେ ବସିନାହିଁ l ଆଉ ବା କେତେଦିନ ମୋର ବାକି ଥିବ l ମୋର ଛୋଟିଆ ଶେଷ ଇଛା ଟି ପୂରଣ କରିବନି ଦିଦି ?
--ହଁ ଲୋ ହଁ ! ଆମେ ଫ୍ଲାଇଟ ରେ ହିଁ ଯିବା l ପାୟଲ ଆଶ୍ୱାସନା ଦେଇ କହେ l ଟୁବି ର ସବୁ ଇଛା ପୂରଣ କରୁ କରୁ ଲୁହ ଗୁଡିକ ଜମାଟ ବାନ୍ଧିବାରେ ଲାଗିଲାଣି l କେବେ ବୋହିଯିବ କେଜାଣି !!
ଫ୍ଲାଇଟ ରେ ବସି ଟୁବି କହେ
--ଦିଦି ମ ଟିକିଏ କଫି ପିଇଲେ ହୁଅନ୍ତାନି ?
--ନା ନା ମୋଟେ ନୁହଁ l ଡକ୍ଟର ତୋତେ କଫି ପିଇବା ପାଇଁ ମନା କରିଛନ୍ତି l
--ଛାଡ଼ ମ ଦିଦି l କେତେ ଦିନ କୁ ଏତେ ଡର ଯେ l ଜୋର ଜବରଦସ୍ତି ରେ କଫି ପିଏ l
ପାୟଲ ଭାବେ ଯାହା ଖର୍ଚ୍ଚ ହେବ ହେଉ ଟୁବି ଆଉ କେତେଦିନ ବଞ୍ଚିରହୁ l ନହେଲେ ପାୟଲ ର ନିଜ ଜୀବନ କାହାଣୀ ର ପାଠକ କିଏ ହେବ l କିନ୍ତୁ ଟୁବି ର ମନ ଯାଇ ଅନ୍ୟ ଆଡେ l ମୁମ୍ବାଇ ରେ ପହଞ୍ଚି କହେ
--ଦିଦି ଏଇଠି ବଲିଉଡ ହିରୋ ମାନେ ରହନ୍ତି ପରା ? କାଶ ଆମ ଆଖିରେ ପଡିଥାନ୍ତେ ଯଦି ନା l ଦିଦି ଦିଦି ଶାହରୁଖ ର ବଙ୍ଗଳା ଦେଖିବାକୁ ଗଲେ ହୁଅନ୍ତାନି ?
--ଟୁବି ! ତୋତେ ମୁଁ ଟ୍ରିଟମେଣ୍ଟ ପାଇଁ ଏଠିକି ଆଣିଛି l ବୁଲିବାକୁ
ନୁହଁ l
--ହଁ ମ ଦିଦି l ଏ ଅସାଧ୍ୟ ରୋଗ କେତେ ଟ୍ରିଟମେଣ୍ଟ ରେ ବି କୋଉ ଭଲ ହୁଏ ଯେ ?
--ସବୁ ସେଇ ଭଗବାନଙ୍କ ଉପରେ ଛାଡି ଦେଇଛି ଲୋ l ପାୟଲ ର କଣ୍ଠରୋଧ ହୋଇଯାଏ l ଟୁବି ବିନା ଦୁନିଆ ରେ ପାୟଲ କେମିତି ଜିଇଁବ ? ପାୟଲ ର ଲେଖା ସିନା ପଢିବାକୁ ପାଠକ ଅଛନ୍ତି କିନ୍ତୁ ଖୋଦ ପାୟଲ କୁ ଟୁବି ବ୍ୟତୀତ କିଏ ପଢି ପାରିଛି l
ମୁମ୍ବାଇ ର ହସ୍ପିଟାଲ ରେ ପହଞ୍ଚୁ ପହଞ୍ଚୁ ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଗଲା l ଟଙ୍କା ପାଇଁ ଚିନ୍ତା ନାହିଁ ପାୟଲ ପାଖେ ଅସୁମାରୀ ଧନ ସମ୍ପତ୍ତି l ହେଲେ ପାୟଲ ଜୀବନ କୁ ଆଜିଯାଏଁ ପଢି ଚାଲିଥିବା ପାଠିକା ଟି ଚାଲିଗଲେ ପାୟଲ ବଞ୍ଚି ପାରିବ ନାହିଁ l ଲେଖିବା ତ ଦୂର ର କଥା କାନ୍ଦି ବି ପାରିବ ନାହିଁ l ସତେ ଯେପରି ମିନିଟ ଓ ସେକେଣ୍ଡ କଣ୍ଟାର ତାଳମେଳ l କେହି କାହାରିକୁ ଅପେକ୍ଷା କରନ୍ତି ନାହିଁ l ଯିଏ ଯାହାର ରାସ୍ତାରେ ଚାଲି ଥାଆନ୍ତି କିନ୍ତୁ କେହି କାହାରିକୁ ଛାଡି ପଳାନ୍ତି ନାହିଁ l ରିପୋର୍ଟ ଆସିବାକୁ ଥିଲା l ସେଇ ନିର୍ଦ୍ଧାରିତ ଦିନଟି ଆଜି ଆସିଛି l ରୋଗ ଠାରୁ ରିପୋର୍ଟ କୁ ନେଇ ବେଶୀ ଡର l କିନ୍ତୁ ଟୁବି କୁ କ୍ୟାନ୍ସର ବୋଲି ରିପୋର୍ଟ ତ ମିଳି ସାରିଛି l ମୁମ୍ବାଇ ହସ୍ପିଟାଲରେ ସେଇ ସବୁ ଟେଷ୍ଟ ଆଉଥରେ ହେଲା ଓ ତା ପରେ ସେମାନେ ବି ପୁଣି ସେଇ କଥା ସବୁ ଦୋହରାଇବେ ଯେ ତୁମ କୁ ଏମିତି ଏକ ରୋଗ ହୋଇଛି ଯାହା କୁ ହେଲେ ତୁମେ ବଞ୍ଚିବ ନାହିଁ ବେଶିଦିନ l ଯେତେ ଦିନ ରହିବ ମରି ମରି କି ଜିଇଁବ lସେଇ ମୁହୂର୍ତ୍ତ ଟି ଆସିଗଲା l ରିପୋର୍ଟ ମଧ୍ୟ ମିଳିଗଲା l ଡାକ୍ତରଙ୍କ ପାଖେ ରିପୋର୍ଟ ଟି ଅଛି l ଡକ୍ଟର ପାୟଲ ଓ ଟୁବି କୁ ଡକାଇଲେ l ନୂଆ କଥା ତ କିଛି କହିବେ ନାହିଁ l ଉଭୟେ ଯାହା ଜାଣିବା କଥା ଯଥେଷ୍ଟ ଆଗରୁ ଜାଣି ସାରିଛନ୍ତି l ଯାହା ଜାଣିଛନ୍ତି ସେଇ କଥାର ପୁନରାବୃତ୍ତି ଏବଂ ଆହୁରି କେତେଗୁଣ ଅଶାନ୍ତି ଓ କ୍ଳେଶ l ଡକ୍ଟର ଆରମ୍ଭ କଲେ
--ମିସ ପାୟଲ ! ଆପଣଙ୍କ ବାନ୍ଧବୀଙ୍କୁ କ୍ୟାନ୍ସର ହୋଇନାହିଁ... l ବ୍ଲଡ଼ ସୁଗର ବହୁତ ଅଧିକା ହୋଇ ଯାଇଥିବାରୁ ତାଙ୍କର ପିଠି ରେ ହୋଇଥିବା ଘା ଟି ଶୁଖି ପାରୁନାହିଁ l ଆମେ ଇନସୁଲିନ ଦେଇ ସୁଗର କମାଇବା ପାଇଁ ଚେଷ୍ଟା କରୁଛୁ ଯଦ୍ଦ୍ୱାରା ତାହା ଘା ଶୁଖିବାରେ ବି ସାହାଯ୍ୟ କରିବ l
ଟୁବି କିଛି ବୁଝି ପାରୁ ନଥିଲା l ଗୋଟିଏ ରୋଗ ବଦଳରେ ଆଉ ଗୋଟିଏ ହେଲା l ସେଇଟା ପୁଣି କଣ ? ଆଉ ପାୟଲ ତାର ଅପେକ୍ଷାର ଅନ୍ତ ହୋଇଥିଲା l ଟୁବି ଆଉ ସେ ସେ ଆଉ ଟୁବି l ଏଣିକି ନା ଆଉ କାହାକୁ ପ୍ରତୀକ୍ଷା ନା ଆଉ କାହାର ପ୍ରତିଶୃତି କୁ ଅପେକ୍ଷା l ଦୁନିଆ ଯାଏ ଭାଡ଼ ମେଁ l ପାୟଲ ଓ ଟୁବି ନିଜ ନିଜ କକ୍ଷ ରୁ ଆଉ ବିଚ୍ୟୁତ ହେବେ ନାହିଁ l
