Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyabati Swain

Others

3  

Satyabati Swain

Others

ପରୀକ୍ଷିତ

ପରୀକ୍ଷିତ

4 mins
267



ଆମେ ଦି ଜଣ ସାଙ୍ଗ ସିମିଳି ହୁଡାକୁ ଯାଉଥିଲୁ । ସେଠି ଗୋଟେ ଭଲ ଆଶ୍ରମ ହୋଇଛି । ବିଲ ମଝିରେ ଗୋଟିଏ ଦଣ୍ଡା । ସେଇ ବିରାଟ ଦଣ୍ଡା ଉପରେ ଆଶ୍ରମଟି ଠିଆ । ସେଠି ବଡ଼ ମିଠା ତିନ୍ତୁଳି ଗଛଟିଏ ଅଛି । ଆଉ ମଧ୍ୟ କୂଅ ପାଣି ସେଠି ପଇଡ଼ ପାଣି ପରି ଲାଗେ । ଆଶ୍ରମର ବାବା ମଜାଳିଆ ପୁରାଣ କଥା କୁହନ୍ତି । ଆମେ ବେଳେବେଳେ ସେଇ ତିନ୍ତୁଳି , ପାଣି ଓ କଥା ଶୁଣିବା ଲୋଭରେ ସେଠିକୁ ଯାଉ । 


ଦିନେ ଖରାବେଳେ ମୁଁ ଓ ମୋ ସାଙ୍ଗ ସୁନୁ ଯାଇ ସିମିଳି ହୁଡା ଆଶ୍ରମରେ ପହଞ୍ଚିଲୁ । ବାବା ଆମକୁ ଦେଖି କହିଲେ ହଁ ମୁଁ ଜାଣିଥିଲି ଆଜି ରବିବାର ତୁମେ ଆସିବ । 


ନିଅ କେତେ ତିନ୍ତୁଳି ଝଡିଥିଲା ଖାଇବ । 


ଆଉ ଗପ କହିବ ନାହିଁ !


ହଁ ଯେ କିଏ ଜଣେ ମଲା ସାପ ମାରିକି ପକାଇ ଦେଇଛି ପଛ ପଟେ । ସେଇଟିକୁ ମୁଁ ଗାତ ଖୋଲି ପୋତି ଦିଏ । ନଲେ ଗନ୍ଧ ହେବ । 


ଆମେ କେଡେ ବଡ଼ ସାପ ଦେଖି ଛାନିଆ ହୋଇଗଲୁ । 


ସେଦିନ ବାବା ସେଇ ସାପ ବିଷୟରେ ଗପଟିଏ କହିଲେ । 


ଜାଣିଲ ପିଲେ ପୁରାଣରେ କାଳର ବିଭାଜନ ସତ୍ୟ,ତ୍ରେତୟା,ଦ୍ଵାପର ଓ କଳି ରୂପରେ କରାଯାଇଛି । 


ପାଣ୍ଡବଙ୍କ ବଂଶଧର ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତ ଜଣେ ପୂଣ୍ୟବନ୍ତ ରାଜା ଥିଲେ । ସେ ଜଣେ ସୁଶାସକ । ଉପଯୁକ୍ତ ବଂଶଧର ପାଣ୍ଡଵଙ୍କର । ତାଙ୍କରି ଶାସନ ଦ୍ଵାପର ଶେଷ ଓ କଳିଯୁଗ ଆରମ୍ଭରେ ଥିଲା । 


ଦିନକର କଥା । ରାଜା ପରୀକ୍ଷିତ ଥରେ ଦିଗ୍ ବିଜୟ କରିବାକୁ ବାହାରିଥିଲେ । ସେ ଯିବା ବାଟରେ ଅତି ଭୟାନକ ଦୃଶ୍ୟଟିଏ ଦେଖିଲେ । ରାଜବେଶଧାରୀ ଜଣେ ଅତି ଭୟଙ୍କର ବ୍ୟକ୍ତି ଠେଙ୍ଗା ଦ୍ୱାରା ଗୋଟିଏ ଗାଈ ଓ ଗୋଟିଏ ଧଳା ରଙ୍ଗର ଷଣ୍ଢକୁ ନିର୍ଦ୍ଦୟ ଭାବେ ପିଟୁଥିଲା । ଗାଇଟି ଦୁଃଖରେ କାନ୍ଦୁଥିଲା ଓ ଷଣ୍ଢଟି ଗୋଟିଏ ଗୋଡ଼ରେ ଠିଆ ହୋଇ ଭୟରେ ଥରୁଥିଲା । 


ରାଜା ଅତ୍ୟନ୍ତ ଦୁଃଖିତ ହୋଇ ପଚାରିଲେ ହେ ନିଷ୍ଠୁର ବ୍ୟକ୍ତି ତୁମେ କିଏ? କାହିଁକି ଏମାନଙ୍କୁ ଏପରି ନିର୍ମମଭାବେ ପିଟୁଛ । ଏମାନଙ୍କ ଭୁଲ କଣ?


ନିଷ୍ଠୁର ମଣିଷଟି କହିଲା ମୁଁ କଳି । ଏ ଗାଈ ହେଉଛି ପୃଥିବୀ ଓ ଏ ଷଣ୍ଢ ହେଉଛି ଧର୍ମ । 


ରାଜା ସଂଗେ ସଂଗେ ତାଙ୍କ ଖଣ୍ଡାରେ ଦୁଷ୍ଟ କଳି ମୁଣ୍ଡ କାଟିବାକୁ ବସିଲେ । 


କଳି ରାଜାଙ୍କ ଗୋଡ଼ ଧରି କହିଲା, ମୋର କିଛି ଦୋଷ ନାହିଁ । ସୃଷ୍ଟି ଗଢ଼ା ହେବା ବେଳେ ମୋ ପାଇଁ ସମୟ ନିର୍ଦ୍ଦିଷ୍ଟ ହୋଇଛି । ଦ୍ଵାପର ଯୁଗ ଶେଷ ହୋଇଛି । ଏବେ ମୋ ରାଜୁତି । ମୋ ସମୟରେ ପୃଥିବୀ ଓ ଧର୍ମ ଏପରି କଷ୍ଟ ଭୋଗିବେ । ଏହା ବିଧି ନିର୍ଦ୍ଦିଷ୍ଟ । ମୋତେ ନ ମାରି ମୁଁ କେଉଁଠି ରହିବି ସେ ବ୍ୟବସ୍ଥା କର । 


ରାଜା କହିଲେ ଠିକ୍ ଅଛି ତୁମେ ଯେତେ ସବୁ ଅଧର୍ମ ଓ ମିଥ୍ୟା ସ୍ଥାନ ଅଛି ଯେପରିକି ଦ୍ୟୁତକ୍ରୀଡ଼ା,ମଦ୍ୟପାନ

,କାମିନୀ ଓ ଯେଉଁଠାରେ ପ୍ରାଣୀ ମାନଙ୍କୁ ମରା ଯାଉଥିବ ସେହି ସ୍ଥାନରେ ରହିବ । 


ମାତ୍ର ଏଇ ଚାରିଟି ସ୍ଥାନ!ମୋତେ ରହିବାକୁ ଆଉ ଗୋଟିଏ ସ୍ଥାନ ଦିଅ ରାଜା । 


ରାଜା କହିଲେ, ସୁନା ଥିବା ସ୍ଥାନରେ ତୁମେ ରହିବ । 


ରାଜା ଖୁସି କଳି ତାଙ୍କ ବଶତା ସ୍ୱୀକାର କଲେ । 


କଳି ଖୁସି ହୋଇଗଲା ରାଜା ମୋତେ ସୁନା ସ୍ଥାନ ଦେଇଛନ୍ତି । ରାଜାଙ୍କ ମୁକୁଟ ସୁନାରେ ତିଆରି । ମୁଁ ରାଜାଙ୍କ ମୁଣ୍ଡ ଉପରେ ବସି ତାଙ୍କୁ ନିଜ ଅଧିନ କରିନେବି । 


ଏଣୁ ରାଜା ମୁଣ୍ଡରେ ମୁକୁଟ ଥିବାରୁ କଳି ରାଜାଙ୍କ ମୁଣ୍ଡ ଉପରେ ରହିଲା । 


ଯୁଗଦ୍ୱାରା ପ୍ରାଣୀ ପ୍ରଭାବିତ ହୁଏ । କଳି ରେ ମଣିଷ ହିତାହିତ ଜ୍ଞାନ,ଧର୍ମ, ବିବେକ ଭୁଲିଯାଏ । ଅହଂ ଓ ରାଗ ତାର ସ୍ୱଭାଵ ହୁଏ । ଅନ୍ୟାୟ ଅଧର୍ମ କରିବାକୁ ମଣିଷ ପଛାଏ ନାହିଁ । 


ଏହାପରେ ଦିନେ ରାଜା ବଣକୁ ଶିକାର କରିବାକୁ ଯାଇଥିଲେ । ରାଜାମାନଙ୍କ ମୃଗୟାବିନୋଦ ଏକ ପ୍ରକାର ଆନନ୍ଦ ପ୍ରଦାନ କାରୀ ମାର୍ଗ ଥିଲା । 


ଦିନେ ରାଜା ପରୀକ୍ଷିତ ମୁଗୟା ନିମିତ୍ତ ବଣକୁ ଯାଇଥିଲେ । ବଣରେ ବୁଲି ବୁଲି ତାଙ୍କୁ ଅତ୍ୟଧିକ ଶୋଷ ହେଲା । ଶୋଷରେ ତଣ୍ଠି ଶୁଖିଗଲା ପରି ଲାଗିଲା । ସେ ପାଣି ଖୋଜି ଖୋଜି ଆସି ଗୋଟିଏ ଆଶ୍ରମରେ ପହଞ୍ଚିଲେ । ଶମୀକ ନାମକଜଣେ ଋଷି ସେଠି ଧ୍ୟାନ ମଗ୍ନ ଥିଲେ । ଶୋଷରେ ଅଧୀର ହୋଇ ରାଜା ଋଷିଙ୍କୁ ମୁନ୍ଦେ ପାଣି ମାଗିଲେ । ହେଲେ ଧ୍ୟାନସ୍ଥ ଋଷି ସମାଧିସ୍ଥ ଥିଲେ । ଯେଉଁଥିପାଇଁ ସେ ରାଜାଙ୍କ କଥା ଶୁଣି ପାରିଲେ ନାହିଁ । 


ପାଣି ବିନା ରାଜାଙ୍କ ପ୍ରାଣ ଛଟପଟ ହେଉଥାଏ । ଋଷି ତାଙ୍କ କଥା ନ ଶୁଣିବାରୁ ସେ ଭୀଷଣ ରାଗିଗଲେ । କଳି ପ୍ରଭାବରୁ ତାଙ୍କ ମନରେ କ୍ରୋଧ ଓ ଅହଂ ଦୁଇଟିଯାକ ସୃଷ୍ଟି ହେଲା । 'ମୁଁ ରାଜା ,ମୋତେ ଦେଖୁ ଦେଖୁ ସମସ୍ତେ ସମ୍ମାନ କରନ୍ତି,ମାତ୍ର ସାମାନ୍ୟ ଋଷି ଜଣେ ମୋତେ ଅବଜ୍ଞା କରୁଛନ୍ତି । ଦେଶର ରାଜା ପାଣି ମାଗୁଛନ୍ତି,ଶୁଣି ନ ଶୁଣିଲା ପରି ହେଉଛନ୍ତି ! "


ଏପରି ରାଜା ଶୋଷରେ ଅଧୀର ଓ କଳି କବଳିତ ହୋଇ ଖୁବ୍ ରାଗିଗଲେ । ପାଖରେ ପଡିଥିବା ମଲା ସାପଟିଏ ଋଷିଙ୍କ ବେକରେ ଳମ୍ବେଇ ଦେଇ ଆସିଲେ । ଯେଉଁ ରାଜା କଳିର ଦୁର୍ଗୁଣକୁ ବିନାଶ କରିବାକୁ ଚାହୁଁଥିଲେ ସେ ନିଜେ କଳି ପ୍ରଭାଵରେ ପ୍ରଭାବିତ ହୋଇ ଦୁଷ୍କର୍ମ କଲେ । 


ମଲା ସାପ ଗଳେଇ ଦେଲେ ଋଷିଙ୍କ ବେକରେ! ଆମେ ଦୁହେଁ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ । 


ହଁ ମଲା ସାପ । 


ମାତ୍ର ରାଜା ମହଲକୁ ଯାଇ ଯେତେବେଳେ ମୁକୁଟ ମୁଣ୍ଡରୁ ଓହ୍ଲେଇ ଦେଲେ ,ଅନୁଭବ କଲେ ଯେ ସେ

 କେତେବଡ଼ ଭୁଲ କରି ଦେଇ ଆସିଲେ!


ଏଣେ ଶମୀକ ଋଷିଙ୍କ ପୁଅ ଶୃଙ୍ଗୀ ବନରୁ ଫେରି ତାଙ୍କ ଧ୍ୟାନସ୍ଥ ବାପାଙ୍କ ଗଳାରେ ମଲା ସାପ ଦେଖି ପ୍ରଚଣ୍ଡ କ୍ରୋଧରେ ଅନ୍ଧ ହୋଇ ଅଭିଶାପ ଦେଲେ, "ଯେ ମୋ ବାପାଙ୍କ ଗଳାରେ ମଲା ସାପ ଳମ୍ବେଇ ଏପରି ଘୃଣ୍ୟ କାମ କରିଛି ସାତ ଦିନ ଭିତରେ ସେ ତକ୍ଷକ ଦଂଶନରେ ମରିବେ" । 


ଋଷିଙ୍କ ଧ୍ୟାନ ଭାଙ୍ଗିଲା ପରେ ସବୁ କଥା ଶୁଣି ପୁଅ ଶୃଙ୍ଗୀକୁ ବହୁତ ଧିକ୍କାର କଲେ । ଜଣେ ପୁଣ୍ୟବନ୍ତ ରାଜା କଳିର ଅଧିନ ହୋଇ ଭୁଲ କଲେ ବୋଲି ତାଙ୍କୁ ଏପରି ଅଭିଶାପ ଦେବା ଜଣେ ଋଷିଙ୍କ ପକ୍ଷେ ଅନୁଚିତ । 


ମାତ୍ର ବାକ୍ୟ ବାଣ ଅଭିଶାପ ରୂପରେ ପାଟିରୁ ବାହାରି ସାରିଛି । ଆଉ କିଛି ଉପାୟ ନଥିଲା । ନିଜେ ଋଷି ଯାଇ ଏପରି ଏକ ଦୁଃଖଦ ସମ୍ବାଦ ରାଜାଙ୍କୁ ଜଣାଇଲେ । 


ରାଜା ପରୀକ୍ଷିତ ଏକଥା ଶୁଣି ଭାବିଲେ ଆଉ ମାତ୍ର ସାତ ଦିନ ସମୟ ତାଙ୍କ ହାତରେ । ଏହାକୁ ସଦୁପଯୋଗ ନିଶ୍ଚୟ କରିବେ । କଣ କଲେ ମୃତ୍ୟୁ ଭୟ ତାଙ୍କୁ ଗ୍ରାସ କରିବ ନାହିଁ ଭାବିଲେ । ତାପରେ ସେ ଗଙ୍ଗା ନଦୀ କୂଳକୁ ଯାଇ ଶୁକ ମୁନୀ ଙ୍କ ଠାରୁ ଭାଗବତ କଥା ମୃତ ଶୁଣି ମୁକ୍ତି ପାଇଥିଲେ । 


ସାତ ଦିନ ସମାପ୍ତ ହେବାକୁ ଆଉ କିଛି କ୍ଷଣ ବାକି ଅଛି ତକ୍ଷତ ଚାରିଆଡେ ରାଜାଙ୍କ ପହରା ଭେଦି ଯାଇ ପାରୁ ନଥିଲା । ସମସ୍ତେ ଖୁସି ଆମ ରାଜା ବଂଚିଗଲେ । ମାତ୍ର ତକ୍ଷକ ଛଦ୍ମବେଶରେ ଗୋଟିଏ ପୋକ ହୋଇ ପୂଜା ଡାଳାରେ ପୂଜା ଫୁଲ ଭିତରେ ରାଜାଙ୍କ ପାଖକୁ ଗଲା । ରାଜା ଯେତେବେଳେ ଫୁଲଟିକୁ ମଥାରେ ଛୁଆଁଇ ପୂଜା ଅର୍ଘ୍ୟ ଦେବାକୁ ବାହାରିଲେ,ସେଇଠି ତକ୍ଷକ ତାଙ୍କୁ ଦଂଶିଲା । 


ଓଃ ଏମିତି ମଲେ ରାଜା ପରୀକ୍ଷିତ!!ଆମେ ପୁରା ଡରି ଯାଇ କହିଲୁ । 


ସିମିଳି ବାବା କହିଲେ ହଁ । କାଳ ଅତ୍ୟନ୍ତ ଶକ୍ତିଶାଳୀ । ତା କବଳରୁ କାହାରି ରକ୍ଷା ନାହିଁ । 


ଆମେ ଦି ଜଣ ସେଦିନ ପରୀକ୍ଷିତ ଓ ସାପ କଥା ଭାବି ଭାବି ଘରକୁ ଫେରିଲୁ । 


ରାତି ଅଧରେ ମୁଁ ଚିଲେଇଲି ସାପ ସାପ ମୋତେ କାମୁଡି ଦେବ । ମା ସେଦିନ ମୋତେ ହଲେଇ ଦେଇ କହିଲା

,ଆରେ 'ବେଦ୍ 'କାହିଁକି ଏମିତି ଚିଲଉଛୁ । 


ତାପର ଦିନ ଗରୁଡ଼ ଠାକୁରଙ୍କୁ ମା ଚୁଆ ନେଇ ଗାଧେଇ ଦେଲା ମୋ ସ୍ୱପ୍ନ କଥା ଭାବି । 



(ଶୁଣି ମନେ ରଖିଥିବା କଥା ଉପରେ ପର୍ଯ୍ୟବେସିତ)




Rate this content
Log in