ପ୍ରେତାତ୍ମାର ଡାକରା
ପ୍ରେତାତ୍ମାର ଡାକରା
ବିଭିନ୍ନ ପ୍ରକାରର ଅତୃପ୍ତ ଆତ୍ମା ଯଥା:-ବ୍ରହ୍ମରାକ୍ଷସ, ସୈତାନ, ଲଙ୍ଗୁଡା, ଭୁତ, ପିଶାଚ, ପ୍ରେତ, ଡାହାଣୀ,ଚିର୍ଗୁଣୀ, ପିତାଶୁଣୀ ଇତ୍ୟାଦି ଆମ ବାୟୁମଣ୍ଡଳରେ ଅବିରତ ଘୁରି ବୁଲୁଛନ୍ତି l ସେମାନେ ସର୍ବଦା ଅଦୃଶ୍ୟ ରହିଥାନ୍ତି l ମଧ୍ୟରାତ୍ରି ପରେ କିମ୍ବା ଉଦୁଉଦିଆ ଖରାବେଳେ ପ୍ରାୟ ସେମାନେ ମଣିଷମାନଙ୍କୁ ଦେଖା ଦିଅନ୍ତି l
ଯଦି କୌଣସି ଅବିବାହିତ ବ୍ରାହ୍ମଣ ଯୁବକ ଅକାଳରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କର ଜୀବତ୍ମା ବ୍ରହ୍ମରାକ୍ଷସ ରୂପ ଧାରଣ କରିଥାନ୍ତି l ସେହି ପ୍ରେତାତ୍ମା ଅତି ଶକ୍ତିଶାଳୀ ଥିବାରୁ ଲୋକମାନଙ୍କ ଭୀଷଣ ଭୟର କାରଣ ହୁଅନ୍ତି l
ପ୍ରାୟ 1942 ମସିହା ଘଟଣା l ମୋର ସ୍ୱର୍ଗତ ପିତା ଦେବେନ୍ଦ୍ର ନାଥ ପଣ୍ଡା କଟକ ପ୍ୟାରୀମୋହନ ଏକାଡେମୀ ସ୍କୁଲର ନବମ ଶ୍ରେଣୀର ଛାତ୍ର ଥିଲେ ଏବଂ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ l ରାତିରେ ଦଣ୍ଡପାଣି ନାମକ ଜଣେ ଘରୋଇ ଶିକ୍ଷକ ତାଙ୍କୁ ପାଠ ପଢ଼ାଉଥିଲେ l
ସେଦିନ ଦୋଳ ପୂର୍ଣ୍ଣମୀ ଥିଲା l ଆମର ଭିଟା ମାଟି ଚାରିବାଟିଆ ନିକଟସ୍ଥ ଆଗ୍ରାହଟ ଗ୍ରାମର ଗ୍ରାମବାସୀ ଦୋଳ ଯାତ୍ରା ପାଇଁ ଆନନ୍ଦ ବିଭୋର ହୋଇ ପଡ଼ିଥିଲେ l ସେଦିନ ସକାଳେ ବାପାଙ୍କର ମଝିଆଁ କକେଇ ସ୍ୱର୍ଗତ ଫକୀର ମୋହନ ପଣ୍ଡା ମଣିନାଗେଶ୍ଵର ମନ୍ଦିର ପାଖ ବାଉଁଶ ପୋଖରୀକୁ ଗାଧୋଇ ଯାଇଥିଲେ l ଫାଇଲେରିଆ ଯୋଗୁଁ ଦୁଇ ଗୋଡ଼ ଗୋଦରା l ପୋଖରୀ ଭିତରେ ଠିଆ ହୋଇଥିବା ଜଣେ ଲୋକକୁ ପଦ୍ମ ଫୁଲ ତୋଳି ଆଣି ଦେବାକୁ କହିଲେ l ମାତ୍ର ସେ ମନା କଲାରୁ ନିଜେ ପାଣିରେ ପଶି ପଦ୍ମ ଫୁଲ ତୋଳିଲେ l ହଠାତ ପଦ୍ମନାଡ଼ ଗୁଡ଼େଇ ହୋଇ ଯିବାରୁ ପହଁରି ପହଁରି କୂଳକୁ ଆସିପାରିଲେନି l ଗଭୀର ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କଲେ l
ଏକ ଚମତ୍କାର ଘଟଣା ଠିକ ସେହି ଦିନ ରାତିରେ ଘଟିଲା l ରାତି 9ଟା l ବାପା ହଷ୍ଟେଲରେ ପାଠ ପଢ଼ୁ ଥିଲେ l ହଠାତ ଫାଟକ ବାହାରେ ଜଣେ କେହି ଉଚ୍ଚ ସ୍ୱରରେ, "ଦେବ!ଦେବ! ଶୁଣି ଯା l ଆ ମୋ କାନ୍ଧରେ ବସ l ଆଜି ଆମ ଗାଁ ଯାତ୍ରା l ସାଙ୍ଗ ହୋଇ ଗାଁକୁ ଯିବା l" ବାପା ନିଜ ଫକୀର କକେଇଙ୍କ କଣ୍ଠ ସ୍ୱର ଜାଣି ପାରିଲେ ଏବଂ ପାଠ ଛାଡ଼ି କବାଟ ଖୋଲି ବାହାରକୁ ଚାହିଁ ଦେଖିଲେ ଯେ ଏକ ଧୋବ ଫର ଫର ଫକୀର କକେଇ ରୂପୀ ମଣିଷ ଠିଆ ହୋଇଥିଲା l ବାପା ସେଇ ଧଳା ମୂର୍ତ୍ତି ପାଖକୁ ଯିବାକୁ ଉଦ୍ୟତ ହେଲା ବେଳେ ଦଣ୍ଡପାଣି ସାର ତାଙ୍କୁ ଘର ଭିତରକୁ ଭିଡି ଆଣି କହିଲେ, "ଆରେ ତୁ ଜାଣି ପାରୁନୁ ସେ ଗୋଟାଏ ଭୁତ l ମଣିଷ ପରି ଜଣା ପଡ଼ିଲେ ବି ସେ ମଣିଷ ନୁହେଁ l" ତାପରେ ବାପା ରୁମ ଭିତରକୁ ଫେରି ଆସିଲେ l ପ୍ରାୟ ତିନି ଦିନ ପରେ ବାପାଙ୍କ ଦଣ୍ଡପାଣି ସାର ରାତିରେ ଶୋଇ ଥିବା ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଲା l
ପ୍ରକାଶ ଥାଉକି ବାପାଙ୍କ କକେଇ ଫକୀର ପଣ୍ଡା ଅବିବାହିତ ଯୁବକ ଥିଲେ ଓ ମୋ ବାପାଙ୍କୁ ସେ ଆଶାତୀତ ଭଲ ପାଉଥିଲେ l ସେଇ କକେଇ-ପୁତୁରାଙ୍କ ଏକ ଅନାବିଳ ପ୍ରେମ କାହାଣୀ ତତ୍କାଳୀନ ଅଗ୍ରା ହାଟ ତଥା ଆଖ ପାଖ ଗ୍ରାମବାସୀଙ୍କୁ ଚମତ୍କୃତ କରି ପାରିଥିଲା l ବାପା ଗାଁରେ ଥିଲାବେଳେ ପ୍ରତିଦିନ ବାଉଁଶ ପୋଖରୀକୁ ଗାଧୋଇ ଗଲା ବେଳେ ସେ ବାପାଙ୍କୁ ନିଜ କାନ୍ଧରେ ବସାଇ ନେଇ ଠିଆ ପହଁରାରେ ପୋଖରୀ ମଝିକୁ ଯାଇ ପଦ୍ମଫୁଲ ତୋଳୁ ଥିଲେ l ବାପାଙ୍କୁ ଗାଧେଇ ଦେଇ ସାରି ମଣିନାଗେଶ୍ଵର ଶିବଲିଙ୍ଗ ଉପରେ ଦଶ ବାରଟି ଫୁଲ ଚଢ଼ାଉ ଥିଲେ l ସେତେବେଳେ ଲୋକମାନଙ୍କ ବିଶ୍ୱାସ--ଦଣ୍ଡପାଣି ସାରଙ୍କ ମୃତ୍ୟୁର କାରଣ ଫକୀର ପଣ୍ଡାଙ୍କ ପ୍ରେତାତ୍ମା "ବ୍ରହ୍ମରାକ୍ଷସ"ହୋଇପାରେ l
