STORYMIRROR

Aravinda Das

Others

3  

Aravinda Das

Others

ପ୍ରେମିକାର ବଡ଼ ଭଉଣୀ

ପ୍ରେମିକାର ବଡ଼ ଭଉଣୀ

6 mins
14.5K


ଗୀତା ଅପାଙ୍କ ପ୍ରଶ୍ନର ଉତ୍ତର ଖୋଜୁଥିଲା ଅମରେଶ।

ସ୍କୁଲ ପଢିଲା ବେଳେ,ଗୀତା ଅପାଙ୍କୁ ସମସ୍ତେ ଡରୁଥିଲେ।ଅମରେଶ ବି ଡରୁଥିଲା।

ଗୀତା ଅପା ,ମିତୁ ଠାରୁ ଚାରି ବର୍ଷ ଓ ଅମରେଶ ଠାରୁ ତିନି ବର୍ଷ ବୟସରେ ବଡ଼ ଥିଲେ।ସ୍ଵଭାବରେ ଗମ୍ଭୀର,ଅନୁଶାସନ ପ୍ରିୟ ଓ ବଦରାଗୀ।ଇଷତ ଶ୍ୟାମଳ ବର୍ଣ୍ଣର ଗୀତା ଅପାଙ୍କ କଟିଙ୍ଗ କିନ୍ତୁ ବହୁତ ସୁନ୍ଦର ଥିଲା।ହିନ୍ଦୀ ତାରକା ନୂତନ,ବୈଜୟନ୍ତୀମାଲାଙ୍କ ଭଳି ଦୁଇ ପଟେ ଦୁଇଟା ବେଣୀ କରି,ତାକୁ ମୋଡି କାନ ପଛପଟକୁ ରିବନରେ ବାନ୍ଧିଲେ ଭାରୀ ମାନେ ଗୀତା ଅପାଙ୍କୁ।

" ଗୀତା ଅପା,ପୁରୁଣା କଳା ଧଳା ଫିଲ୍ମର ହିରୋଇନ ଭଳି ଦିଶନ୍ତି ନା ?"ଅମରେଶ ଚୁପ୍ କିନା ପଚାରିଥିଲା ଥରେ ମିତୁ କୁ।

" ଅପା ଚଷମା ଲଗାଉଛି ବୋଲି ଏମିତି କହୁଛୁକି ? ଆଧୁନିକ ଫେସନକୁ ଭାରି ଘୃଣା ଅପା'ର।ସେଇ ପୁରୁଣା ଢଙ୍ଗ ଯିବିନି ତା'ର।ତୁ କଣ ଅପାକୁ ଲାଇନ ମାରୁଛୁ କି ?ରହ କହିଦେବି ତୁ କଣ କହୁଥିଲୁ।"

"କହିଦେ, ମୁଁ ଡରିନି ତୋ ଅପାକୁ।"

ଦୁଇଦିନ ପରେ ଗୀତା ଅପା କେନାଲ ବନ୍ଧରେ ଅମରେଶର ସାଇକେଲ ଅଟକାଇ ପଚାରିଥିଲା,"ହଇରେ,ମୁଁ ପୁରୁଣା ହିରୋଇନ ଭଳି ଦିଶୁଛି ?ମଉସାଙ୍କୁ କହିବି ?"ଅମରେଶଙ୍କ ବାପା ସ୍କୁଲ ହେଡମାଷ୍ଟର ଥିଲେ।

ଭୟରେ ଥରିଉଠିଥିଲା ଅମରେଶ ।କଣ ହେଲା କେଜାଣି ଚର ଚର କରି ପେଣ୍ଟରେ ମୁତି ଦେଇଥିଲା ।ତା ଅବସ୍ଥା ଦେଖି ଫେଁ ଫେଁ କରି ହସି ଦେଇଥିଲେ ଗୀତା ଅପା ।

ମିତୁ ସେଇଥିପାଇଁ ବୋଧେ ଅମରେଶକୁ ଚିଡାଉଥିଲା।ଡରୁଆ, ଛେରୁଆ।

ନାକଅଗରେ ହିଁ ଯେମିତି ରାଗରୁଷା ଅଭିମାନ ସବୁ ସଜେଇ ବସିଥାନ୍ତି ଅମରେଶ'ର।ଟିକେ କଥାରେ ରୁଷି ଯାଇ କଟି କରିଦିଏ ମିତୁ ସାଙ୍ଗରେ।

"ତୁ ଏମିତି ଝିଅପିଲାଙ୍କ ପରି କଣ ରୁଷୁଛୁ ?ସତ କଥା କହିଲେ ତୋର ରାଗ ବାହାରି ପଡୁଛି।ହଉ ବାବା ମୋର ଭୁଲ ହୋଇଗଲା।ତୁ ଗୀତା ଅପାକୁ ଡରୁନୁ।ବାସ୍; ଏବେ ମିଟି କରିଦେ।ମୁଁ ଆମ ବାଡି ପାଚିଲା ପିଜୁଳି ଆଣିଛି ,ତୋରି ପାଇଁ।"

ମିତୁ କଥା ଶୁଣି ଥୋଡି ଲମ୍ବାଇ ମୁହଁ ଫୁଲାଇଥିବା ଅମରେଶ,କଣେଇ କରି ଚାହିଁଥିଲା ମିତୁ ହାତକୁ।ପାଚିଲା ପିଜୁଳି ଦେଖିଦେଇ ସବୁ ରାଗ ଅଭିମାନ କ୍ଷଣକେ ପାଣିଫୋଟକା ଭଳି ମିଳାଇଯାଇଥିଲା।ମିଟି କରିଦେଇ ଖେଳରେ ମାତିଗଲେ।

ସବୁଦିନ ଦୁହେଁ ଖେଳରେ ମାତିଯାଆନ୍ତି।

ଅମରେଶ ରାଜକୁମାର ଓ ମିତୁ ରାଜକୁମାରୀ।ପ୍ରଧାନ ଘର ରସାନନ୍ଦ ଘୋଡା ହୁଏ ଓ ମକରା ହୁଏ ସେନାପତି।ଲତା ଓ ସେବତୀ ସଖୀ ହୁଅନ୍ତି।ଅନ୍ୟ ଝିଅ ମାନେ ଦାବି କରନ୍ତି ରାଜକୁମାରୀ ହେବାପାଇଁ।ହେଲେ ନାଟକ ଓ ଯାତ୍ରା ଡ଼ାଇଲଗକୁ ପେଶାଦାର ଅଭିନେତାଙ୍କ ଭଳି ମୁଖସ୍ଥ କରି ଗଳଗାଳ କରି କହୁଥିବା ଅମରେଶ'ର କେବଳ ଅଧିକାର ଥିଲା ରାଜକୁମାରୀ ବାଛିବାର।ଆଉ ସବୁଦିନ ମିତୁ ହେଉଥିଲା ରାଜକୁମାରୀ।ପିଲାବେଳେ ସବୁଦିନ ଖେଳରେ ଖେଳରେ ମିଛିମିଛିକା ବାହାହେଉଥିବା ଅମରେଶ କଲେଜ ପଢାପରେ ମିଲିଟାରୀ ଚାକିରୀ ପାଇଁ ଆପ୍ଲାଇ କଲା ସମୟରେ ମିତୁ'କୁ ପଚାରିଥିଲା,"ତୁ ମୋତେ ସତରେ ଭଲପାଉ ?ବାହାହେବୁ ମୋତେ ?"

ସେଦିନ ନଈ ପଠାରେ ଟିକେ ଆଶ୍ଚର୍ଯ୍ୟ ହୋଇ ବୁଲିପଡ଼ି ମିତୁ ଅନେଇଥିଲା ଅମରେଶକୁ।ଆଖି ମିଟି ମିଟି କରି ପଚାରିଥିଲା, "ଏଇନା ? ଯୌତୁକ ନେଇ ନା ଦେଇ ?ସାହାସ ଅଛି ତୋର, ଗୀତା ଅପା ସାମ୍ନାରେ ମୋ ହାତ ମାଗିବାକୁ?ଅପା ବାହାଘର ପରେ ମୋ ବାହାଘର।ତା ଛଡ଼ା ଚାକିରୀ ଏପର୍ଯ୍ୟନ୍ତ କରିନୁ।ଅପା ପଚାରିଲେ ପୁଣି ଯଦି ସେଦିନ ଭଳିଆ...."ଖେଁ। ଖେଁ ହୋଇ ହସୁଥିଲା ମିତୁ।

ପାଖକୁ ଆସି ନିଜ ଛାତିରେ ଖୁବ ଜୋରରେ ଭିଡିଧରିଥିଲା ମିତୁ କୁ ଅମରେଶ।ଆଉ ତାପରେ ଗୋଟେ ଚୁମ୍ବନ।ମିତୁ ହତମ୍ଭବ ହୋଇଯାଇଥିଲା।ଅମରେଶ ମୁଣ୍ଡରେ ଯେମିତି ଭୁତ ସଵାର ହୋଇଯାଇଥିଲା। ପାଗଳଙ୍କ ଭଳି ଚୁମି ଯାଉଥିଲା ମିତୁର ଗାଲ,ହାତ,କପାଳ ଆଉ ଅନ୍ୟ ସମ୍ବେଦନଶୀଳ ସ୍ଥାନକୁ।ମିତୁ ର ଦେହ ହାତ ଅବଶ ହୋଇଯାଉଥିଲା।ଏକ ମଧୁର ସ୍ବର ଯେମିତି ସଂଚରି ଯାଉଥିଲା ବାୟୁମଣ୍ଡଳରେ।ନଈ ପଠା'ର ଅମରୀ ବୁଦା ପାଖ ବାଲି ଉପରେ ଅମରେଶ ଶୁଆଇ ଦେଉଥିଲା ମିତୁକୁ।

ହାଠାତ୍ ମିତୁ ଛାଟି ପିଟି ହୋଇ ଅମରେଶ ଆଖିରେ ମୁଠାଏ ବାଲି ଫୋପାଡ଼ି ନିଜକୁ ମୁକୁଳାଇ ଦୌଡ଼ି ଚାଲିଯାଇଥିଲା ।

ଅମରେଶ ପରଦିନ ଅନେକ କ୍ଷମା ମାଗିଥିଲା।ହେଲେ ଉଁ ଚୁଁ କିଛି କହି ନଥିଲା ମିତୁ।

ଗୀତା ଅପା ପାଖ ଗାଁ କଲେଜ ରେ ଲେକ୍ଚର ଭାବେ ଜଏନ କରିଥିଲେ।ଅମରେଶ କୁ ଦେଖି କହିଥିଲେ, "ମୋତେ ଟିକେ କଲେଜରେ ଛାଡି ଦେବୁ ?"

ଆଗରୁ ନିଜ ସାଇକେଲ ଓ ମଟର ସାଇକେଲରେ ଅନେକ ଥର ଗୀତା ଅପାଙ୍କୁ ଲିଫ୍ଟ ଦେଇଛି ଅମରେଶ।କାହିଁକି କେଜାଣି ଗୀତା ଅପାଙ୍କୁ ପଛରେ ବସାଇଲା ବେଳେ ଟିକେ ସଙ୍କୋଚବୋଧ କରେ ଅମରେଶ।

ଗୀତା ଅପା କିନ୍ତୁ ଆଜିକାଲି ଭାରି ମେଳାପୀ ଓ ସହଜ ହୋଇଗଲେଣି।ସାଙ୍ଗ ଭଳି ବାଟରେ ଗପସପ ହୁଅନ୍ତି।ବାଆଁରେଇ ହୋଇ ମିତୁ ଓ ଅମରେଶ ର ସମ୍ବନ୍ଧ ବିଷୟରେ ଉଖୁରେଇ ହୁଅନ୍ତି।ନିଜ ବାହାଘର ପ୍ରସ୍ତାବ କେମିତି ଭାଙ୍ଗିଗଲା, କେଉଁ ପୁଅ ତାଙ୍କୁ କିଭଳି ନାକଚ କଲା ସବୁ ଗପନ୍ତି ପ୍ରାଞ୍ଜଳ ଭାବେ।

ଅମରେଶ ବି ମନେ ମନେ ଆଶ୍ଚର୍ଯ୍ୟ ହୁଏ ଗୀତା ଅପାଙ୍କ ଏଇ ପ୍ରଗଲ୍ଭତା ରେ।ବାଟରେ ହାଠାତ୍ ବର୍ଷା ହେଲା ବୋଲି ଗୋଟେ ଗଛମୂଳେ ଆଶ୍ରୟ ନେଲେ ଦୁହେଁ।

ବର୍ଷାରେ ଗୀତଆପାଙ୍କ ସିଫନ୍ ଶାଢ଼ୀଟା ଦେହରେ ଲାଗିଯାଇଥାଏ।ଅମରେଶର ମନେପଡୁଥିଲା ଚାନ୍ଦନୀ ସିନେମାରେ ଶ୍ରୀଦେବୀଙ୍କ ସେଇ ସିଫନ୍ ଶାଢ଼ୀ ପିନ୍ଧା ଗୀତ।

"ତେରେ ମେରେ ହୋଠୋ ମେଁ ...

ହାଠାତ୍ ଗୀତା ଅପାଙ୍କ ସ୍ୱରରେ ଚମକିପଡି ଭାବନାରାଜ୍ୟରୁ ଫେରି ଆସିଲା ଅମରେଶ।

"ତୋ ଉପରେ ମୋର ଭାରି ବିଶ୍ବାସ ବୋଲି ସବୁ କଥା ତୋତେ କହୁଛି। ମିତୁକୁ ଜମା କହିବୁନି।ସେ ଭାବୁଛି ମୁଁ କାଳେ ପୁଅଙ୍କୁ ଖୁଣୁଛି ଓ ବାଛୁଛି ।ସେଇଥିପାଇଁ ସବୁ ପ୍ରସ୍ତାବ କାଳେ ଭାଙ୍ଗିଯାଉଛି।ମୋ କଲେଜ ର ଜଣେ ସାଙ୍ଗ କହୁଥିଲା, ମ୍ୟାଡମ ଆପଣ ନିଜେ ଠିକ୍ କରି, ଅର୍ଥାତ୍ ପ୍ରେମକରି ବାହାହୋଇଯାଉନାହାନ୍ତି ?ତୁ କାହାକୁ ପ୍ରେମ କରିଛୁ ଅମରେଶ ?ତୋର ଓ ମିତୁ ର କିଛି ଚକ୍କର ଅଛି କିରେ ?ମିତୁ ପଚାରିଲେ କହେ,ସେ ଡରୁଆ ଟାକୁ କିଏ ବାହାହେବ ?"

ଅମରେଶ କୁ ଇଛାହେଉଥିଲା ବର୍ତ୍ତମାନ ଦୌଡିଯାଇ ମିତୁ ଗାଲକୁ ଢୋ ଢୋ କରି ଚଟକଣା କଷି ଦେବାକୁ।ପୁଣି ମାନେପଡ଼ିଗଲା ଗଲାକାଲି ନଈ ପଠା କଥା ଓ ଆଜି ତାର ଭୁଲ ମାଗିବା କଥା।ମନେମନେ ଚିନ୍ତା କଲା, ସତରେ ସେ କଣ ଡରୁଆ ?

ମିତୁକୁ ଯଦି ସେ ପ୍ରେମ କରୁଛି, ତେବେ ତା ଉପରେ ହକ ଜମାଇବା କଣ ଅପରାଧ ?କାଲି କାହିଁକି ସେ ଛାଡିଦେଲା ମିତୁକୁ ?ଝିଅ ମାନେ କାଳେ ଉପରମନରେ ସବୁ ମନା କରନ୍ତି।ହେଲେ ଭିତରେ ଭିତରେ ...

ହାଠାତ୍ ଜୋରରେ ଚଡ଼ଚଡ଼ି ମାରିଲା।ଗୋଟେ ନୁହେଁ ,ତିନିଟା, ଲାଗ୍ ଲାଗ୍।ଗୀତା ଅପା ଡରିଯାଇ କୁଣ୍ଢାଇ ପକାଇଲେ ଅମରେଶକୁ।ଅମରେଶକୁ ଲାଗିଲା ଯେମିତି ମିତୁ ତାକୁ କୁଣ୍ଢାଇ ଭୁଲ ମାଗୁଛି।ଗତ କାଲିର ଭାବନା ତା ମୁଣ୍ଡରେ ଏବେସୁଦ୍ଧା ବସାବାନ୍ଧିଥିଲା।

ମିତୁ ଦେହରେ ହାତ ଚଲାଇଆଣି ନିଜ ଓଠ ଥାପିଦେଲା ଅମରେଶ।ଦୁଇଟି ଦେହ ଯେମିତି ଏକାକାର ହେବାକୁ ଚେଷ୍ଟା କରୁଥିଲା।ଅମରେଶର ବଳିଷ୍ଠ ଦେହକୁ ସେମିତି କୁଣ୍ଢାଇ ଧରିଥିଲେ ଗୀତା ଅପା।ଭିତରେ ଭିତରେ ଯେମିତି ସେ ତରଳି ଯାଉଥିଲେ।ଅମରେଶକୁ ଅନେକ ଥର ଦେଖିଛନ୍ତି।ମନର ଅବ୍ୟକ୍ତ ଭାବନାକୁ କଣ ସବୁବେଳେ ପ୍ରକାଶ କରିହୁଏ ?ସମାଜ ଅଥବା ପରିବାର ସମ୍ମାନ ଭୟରେ !କେଜାଣି ?

ନିଜ ଭୁଲ ଜାଣିପାରି ନିଜକୁ ଗୀତା ଠାରୁ ଅଲଗା କରୁ କରୁ ଅମରେଶ କହିଲା"ଆଇ ଆମ ସରି ଗୀତା ଅପା।ମୋତେ କ୍ଷମା କରିଦିଅ।ପ୍ଲିଜ ମୁଁ ଜାଣିନି ଏମିତି କେମିତି.....ମୋତେ ଯାହା ଦଣ୍ଡ ଦେବା କଥା ଦିଅ।ହେଲେ....

ଅମରେଶର କଥାକୁ ଅଧାରେ ରଖି ଗୀତା ଏଥର ନିଜେ ଅମରେଶ ର ଦୁଇ ଗାଲକୁ ନିଜ ଦୁଇ ହାତରେ ଚାପି ଧରି ଲିପ୍ କିସ୍ ଦେଲା।ଅନେକ ଥର।ଆବାକାବା ହୋଇ ଜଡଗ୍ରସ୍ଥ ହୋଇଯାଇଥିଲା ଅମରେଶ।

"ଚାଲ ,ବର୍ଷା ଛାଡ଼ିଲାଣି।"ପୁଣି ଚମକି ପଡ଼ିଲା ଅମରେଶ।

ଦୁଇ ସପ୍ତାହ କାଳ ଆଉ ସେ ଦେଖାଦେଇନଥିଲା ଗୀତା ଅପା କିମ୍ବା ମିତୁକୁ।

ନିଜଆଡୁ ଫୋନ୍ କରିଥିଲେ ଗୀତାଅପା।"ତୋ ସହ ଟିକେ କଥା ଅଛି,ଘରକୁ ଆସିବୁ।"

ଡରି ଡରି ଘରକୁ ଆସିଥିଲା ଅମରେଶ।ମାଉସା,ମାଉସୀ ଓ ମିତୁ ଗୋଟେ ବାହାଘରକୁ ଯାଇଥିଲେ।

"ତୋର କାଳେ ମିଲିଟାରୀରେରେ ସିଲେକ୍ସନ ହୋଇଯାଇଛି।କେବେ ଜଏନ କରିବୁ ?

"ସପ୍ତାହେ ପରେ।"ସଂକ୍ଷିପ୍ତରେ ଉତ୍ତର ଦେଲା ଅମରେଶ।

।ନିଜ ବେଡ଼ରୁମରେ ଅମରେଶକୁ ବସାଇ ଗୀତା ଅପା ସେଇ ପୁରୁଣା ପ୍ରଶ୍ନ ଦୋହରାଇଥିଲେ।

କିଛି ଉତ୍ତର ଦେଇନଥିଲା ଅମରେଶ।ଗୀତା ଅପା କବାଟ ଭିତର ପଟୁ ବନ୍ଦ କରିଥିଲେ।ଧୀରେ ଧୀରେ ଗୀତା ଅପା ଅମରେଶ ଆଡ଼କୁ ମାଡି ଆସୁଥିଲେ।କାହିଁକି କେଜାଣି କବାଟ ଖୋଲି ବାହାରକୁ ଦୌଡ଼ି ଯାଇପାରିଲାନି ଅମରେଶ ?ସେ ବୋଧେ ମୋହଗ୍ରସ୍ତ ହୋଇପଡୁଥିଲା।ମିତୁ ବଦଳରେ ସେ କଣ ଗୀତା ଅପାଙ୍କୁ ଭଲ ପାଇ ବସୁଛି !!!

************************

ଦୁଇବର୍ଷ ପରେ ବାହାଘରର ଆୟୋଜନ ଚାଲିଥିଲା।ମିତୁ ଘରେ ସମସ୍ତେ ଖୁସିଥିଲେ।ବିନା ଯୌତୁକରେ ବାହାଘର;ମିଲିଟାରୀ ଚାକିରିଆ ଅମରେଶ ଭଳି ସୁନ୍ଦରିଆ ପିଲା କଣ ସହଜରେ ମିଳିବେ ?ଏହା ଭିତରେ ଗୀତା ଅପା ପାଇଁ କେତେ ପ୍ରସ୍ତାବ ଆସି ଭାଙ୍ଗିଥିଲା।ଅଦ୍ଭୁତ ଭାବେ କାହିଁକି କେଜାଣି ଏଣିକି ନିଜଆଡୁ ପ୍ରସ୍ତାବ ଭାଙ୍ଗୁଥିଲା ଗୀତା; କିଛି ଗୋଟେ ବାହାନା ଦେଖାଇ।

"ବଡ଼ ଝୁଅ ଥାଉ ଥାଉ ସାନକୁ କେମିତି ବାହାଘର କରିବ ବା ?" କହୁଥିବା ଗାଁ ମାଇପେ ଏବେ କହୁଥିଲେ, "ବଡ ଝିଅ ଜିଦି ପାଇଁ ସାନକୁ ବୁଢ଼ୀ କରିବ ନା କଣ ?ଗୀତା'ର ବାହାଯୋଗ ଫିଟିଲେ ସବୁ ଠିକ୍ ହୋଇଯିବ।"

ମିତୁ ମନେମନେ ଖୁବ ଖୁସିଥିଲା ଅମରେଶଙ୍କୁ ଜୀବନସାଥୀ ଭାବେ ପାଉଥିବାରୁ।ଅମରେଶ ଗୋଟେ ପ୍ରକୃତ ପ୍ରେମିକ।ଯିଏ ନାରୀର ମନକଥା ବୁଝେ, ତାକୁ ସମ୍ମାନ ଦିଏ,ପ୍ରେମର ସଂଜ୍ଞାକୁ ସଠିକ ଭାବେ ବୁଝିଥିବା ଏକ ପ୍ରେମିକ।

ସେଦିନ ମିତୁ ପଚାରିଥିଲା ଅମରେଶକୁ ,"ଗୀତା ଅପାର ବ୍ୟବହାର ମୋତେ ଭାରି ଖାପଛଡା ଲାଗୁଛି।ଏଇ କିଛିଦିନ ହେଲା ଏକଦମ ଉଦାସ ଓ ଅନ୍ୟମନସ୍କ ରହୁଛି।ସେ କାହାକୁ ଭଲ ପାଉଛି କି ?ମୋତେ ଭାରି ଡ଼ର ମାଡୁଛି।ସେ କିଛି କରିଦେଵନି ତ ?ମାନେ ସୁଇସାଇଡ଼ ବା ସେମିତି କିଛି।"

"ଏମିତି ବାଜେ ଚିନ୍ତା ତୁମ ମୁଣ୍ଡକୁ କାହିଁକି ଆସୁଛି ?ସେ ବହୁତ ବୁଝିବା ସୁଝିବା ଝିଅ।ତମଠୁ ବେଶ ଅଧିକ ମ୍ୟାଚୁଅର।"

"ତୁମେ କେମିତି ଜାଣିଲ ?"

ଚୁପ୍ ରହିଥିଲା ଅମରେଶ।

ମଙ୍ଗଳପାଗ ଦିନ ସନ୍ଧ୍ୟାରେ ସଙ୍ଗୀତ ର ଆୟୋଜନ ହୋଇଥିଲା ମିତା ଘରେ।ସମସ୍ତେ ଖୁସିରେ ମଗ୍ନ ଥିଲେ।

*************************

(ପ୍ରଥମ ସମାପ୍ତି)

ଅମରେଶ ମୋବାଇଲରେ ଗୀତାର ମେସେଜ।

"ଶେଷଥର ପାଇଁ ମୋତେ ଦେଖାକରିପାରିବ ? ସ୍କୁଲ ପଡିଆରେ?ବର୍ତ୍ତମାନ ?ଆଉ କେବେ କିଛି ମାଗିବିନି।ଏଇଟା ମୋର ଶେଷ ଇଛା।"

ଅନିଚ୍ଛା ସତ୍ୱେ ଅମରେଶ ବାହାରିଲା।ତା'ର ବାରମ୍ବାର ମନେପଡୁଥିଲା ମିତୁ କଥା।"ଅପା କିଛି କରିଦେବନି ତ ?"

ଆମ୍ବ ତୋଟା ଭିତରେ ଠିଆ ହୋଇଥିଲେ ଅମରେଶ ଓ ଗୀତା।

ଗୀତା ଆଜି ପୁଣି ସେଇ ପ୍ରଶ୍ନ ଦୋହରାଇଲା।

"ପ୍ରେମର ଅସଲ ଅର୍ଥ ଜାଣିଛ ଅମରେଶ ?ଆଜି ପରେ ଆମେ ଆଉ କେବେ ଏକାଠି ମିଶିବାନାହିଁ।ଶେଷ ଥର ପାଇଁ ମୋତେ ସ୍ପର୍ଶ କର ଅମରେଶ।ମୋତେ ମୁକ୍ତ କରିଦିଅ।"

ସେଇ ଅନ୍ଧାର ଭିତରେ କିଛି ଦୂରରେ ଛାଇ ଭଳି ଠିଆହୋଇଥିଲା ମିତୁ।ଗୀତାଅପାର ମୋବାଇଲରୁ ମେସେଜ୍ ପଢି ସେ ଚାଲିଆସିଥିଲା ସ୍କୁଲ ପଡିଆକୁ।ଚୁପ୍ ଚାପ ଦେଖୁଥିଲା ଅମରେଶ ଓ ନିଜ ବଡ଼ ଭଉଣୀ ଗୀତା ଅପାକୁ।

ଛି,ଅମରେଶ ଏତେ ବଡ଼ ବିଶ୍ବାସଘାତକ ?ଆଉ ଗୀତା ଅପା ?ଏତେ ନିର୍ଲଜୀ ?ନିଜ ସାନ ଭଉଣୀ ର ସଂସାର ଚୁନା କରିବାକୁ ବସିଛି ?ଅମରେଶଙ୍କୁ କୁଣ୍ଢାଇ ଗେଲ କରୁଛି ଗୀତା ଅପା।

ଅମରେଶକୁ ଲାଗିଲା କିଏ ଯେମିତି ତାଙ୍କୁ ଦେଖୁଛି।ମୋବାଇଲ୍ ଟର୍ଚ୍ଚ ମାରି ପାଟିକଲା"କିଏ ସେଠି ?"

ମିତୁ ଦୌଡ଼ୁଥିଲା ଘରଆଡ଼େ।

*************************

(ଦ୍ବିତୀୟ ସମାପ୍ତି)

ପରଦିନ ସାରା ଗାଁ ଲୋକେ ଫୁସୁରୁ ଫାସର ହେଉଥିଲେ, "କିଛି ଲଭ,ଫଭ୍ ଚକ୍କର ଥିଲା କି ?ବାହାଘରିଆ ଘରେ ଝିଅଟା ସୁଇସାଇଡ଼ କାହିଁକି କଲା ?

(ଅରବିନ୍ଦ ଦାସ)


Rate this content
Log in