ପ୍ରବାସୀ
ପ୍ରବାସୀ
ତା. 30/3/2020,ସୋମବାର,
ଲକ୍ ଡାଉନ...ଷଷ୍ଠ ଦିବସ
ଡିଅର ଡାଏରୀ,
ଛଅ ଦିନ ହୋଇଗଲା ଲକ୍ ଡାଉନ ଭୋଗିବାର । କେବେ ଆସିବ ଆଗ ପରି ଅବସ୍ଥା । ଭାବି ହେଉନି । ଯା ହେଉ ଖାଦ୍ୟ ବ୍ଯବସ୍ଥା ହୋଇ ପାରୁଛି ସମସ୍ତଙ୍କ ପାଇଁ , ସେ ବଡ କଥା। ଆଜି ଆମ ସୋସାଇଟିରେ ଟ୍ରକ ରେ ଗାଁ ରସତେଜ ପରିବା ଆଣି ବିକ୍ରି କରୁଥିଲେ ।ଏଇଭଳି ବିପଦ ସମୟରେ କେବଳ ସରକାର ଯେ ସବୁ ବୁଝୁଛନ୍ତି ତା ନୁହେଁ ପୋଲିସ, ସ୍ବେଚ୍ଛା ସେବୀ ସଂଗଠନ , ମିଲିଟାରୀ ସମସ୍ତେ ଆଗେଇ ଆସିଛନ୍ତି ଏଇ ବିପଦର ମୁକାବିଲା କରିବା ପାଇଁ । ନିରାଶ୍ରୟ, ଅସହାୟ, ଅନାଥ ଛୋଟ ଛୋଟ ଛୁଆଙ୍କ କଥା ବୁଝୁଛନ୍ତି । ରନ୍ଧା ଖାଦ୍ୟ, ପାନୀୟ ଜଳ ବିତରଣ କରୁଛନ୍ତି । ସମସ୍ତେ ଏକଜୁଟ ହୋଇ ଆଗେଇ ଆସିଛନ୍ତି ଦେଶର ଏହିପରି ବିପଦର ମୁକାବିଲା କରିବାକୁ ।କରୁଛନ୍ତି ମଧ୍ଯ। ଆମ ଦେଶବାସୀଙ୍କର ବିପଦ ସମୟରେ ଏଇ ଏକଜୁଟ ମନୋଭାବ ସତରେ ପ୍ରଶଂସନୀୟ । ନିଶ୍ଚୟ ଦିନେ ଏଇ ବିପଦରୁ ଆମେ ସମସ୍ତେ ଉଦ୍ଧାର ପାଇ ପାରିବା। ମୁଁ ଟିଭିରେ ନିଉଜ ଦେଖୁଥାଏ। ଶହ ଶହ ପ୍ରବାସୀ ଶ୍ରମିକ ନିଜ ସହରକୁ ଫେରୁଛନ୍ତି । ଦିନେ ପେଟପାଟଣା ପାଇଁ ନିଜ ରାଜ୍ଯ ଛାଡି ବାଧ୍ଯ ହୋଇ ଅନ୍ଯତ୍ର ଯାଇଥିଲେ କିନ୍ତୁ ରୋଜଗାର ବିନା ପୁଣି ନିଜ ଗାଁ, ଘର, ଆତ୍ମୀୟସ୍ବଜନ ଙ୍କ ପାଖକୁ ଫେରି ଆସୁଛନ୍ତି । ଯେତେ କଷ୍ଟ ହେଉଥାଏ ପଛେ ଘରକୁ ଫେରିବାର ଉତ୍କଣ୍ଠା ସ୍ପଷ୍ଟ ଜଣା ପଡୁଥାଏ । ଏତିକି ବେଳେ କେତେବେଳୁ ସୁଜାତା ଆସି ଟିଭିରେ ଏ ସବୁ ଦେଖି ଗୁଣୁ ଗୁଣୁ ହୋଇ କହୁଥାନ୍ତି," କାହିଁକି ଯେ ଏମିତି ସମୟରେ ଏମାନେ ଦଳ ଦଳ ହୋଇ ଫେରୁଛନ୍ତି କେଜାଣି । ଲକ୍ ଡାଉନ ପାଇଁ ମଣିଷ ଘରୁ ବାହାରୁ ନାହାନ୍ତି ଆଉ ଏମାନଙ୍କୁ ଦେଖ ଶହ ଶହ ସଂଖ୍ଯାରେ ଘରକୁ ଫେରୁଛନ୍ତି । ଘର ଛାଡି ତ ଯାଇ ବାହାରେ ଥିଲ। ସେଇଠି ଥିଲେ ହୁଅନ୍ତାନି? " " ମୁଁ ତାଙ୍କ ଆଡେ ଚାହିଁ କହିଲି, କଣ ବା ଆଉ କରିଥାନ୍ତେ ଏମାନେ? ଲକ୍ ଡାଉନ ଯୋଗୁଁ ଏ ଦିନ ମଜୁରିଆ ଙ୍କ ତ ରୋଜଗାର ବି ନାହିଁ। ଛୁଆ ପିଲାଙ୍କୁ
ନେଇ କୋଉଠି ରହିଥାନ୍ତେ? ସେଥିପାଇଁ ନିଜ ଭିଟାମାଟିକୁ ଫେରି ଆସୁଛନ୍ତି। ନିଜ ଜାଗାରେ , ନିଜ ଲୋକଙ୍କ ସାଂଗରେ ଚଳିତ ଯାଇପାରିବେ ଯେମିତି ସେମିତି ଭାବରେ । " " କିନ୍ତୁ ଏତେ ଲୋକଙ୍କ ଆସିବାରେ ଯଦି କରୋନା ସଂକ୍ରମିତ ହୁଏ , ତାହେଲେ?ଲକ୍ ଡାଉନ କରିବାର କି ଲାଭ ହେବ?" ମୁଁ ବି ତାଙ୍କ କଥା ଶୁଣି ଭାବନାରେ ପଡିଗଲି। ସତରେ ତ ଏଇ ଦୃଷ୍ଟିକୋଣରୁ ତ ମୁଁ ଭାବୁ ନ ଥିଲି।" ସତରେ କଣ ଯେ ହେବ କେଜାଣି ? ମୁଁ ସେ ଅଦୃଷ୍ଟ ଈଶ୍ବରଙ୍କ ପ୍ରତି ହାତ ଜୋଡି ଏଇ ବିପଦରୁ ରକ୍ଷା କରିବାକୁ ପ୍ରାର୍ଥନା କଲି ।