Ajaya Mahala

Others

2.8  

Ajaya Mahala

Others

ପିଉସୀଙ୍କ ବନ୍ଦାଣ

ପିଉସୀଙ୍କ ବନ୍ଦାଣ

8 mins
14.6K


ବାପ ଘରକୁ ଯିବା ପାଇଁ ଗୋଡ କାଢି ବସିଛି ସାରୀ ଦେଇ । ସେଠି ଭାଇର ପୁଅର ପୁଅ ସୁଶାନ୍ତର ବାହାଘର । ମାସେ ତଳେ ଖବର ଆସିଥିଲା ଯିବାକୁ। ହେଲେ ପୁଅ ଛାଡ଼ୁନି ବାପ ଘରକୁ ଯିବାକୁ। ସିଏ ଗଲେ ଗାଈ କିଏ ଦୁହିଁବ, ମାରଣା ବଳଦକୁ କିଏ ସମ୍ଭାଳିବ । ପାଟ ମଝିରେ ନଳିତା କଚା ସରିଲା ପରେ ଯେଉଁ ପିମ୍ପେଇ କାଠି ଏକାଠି ହୋଇଛି ତା ଉପରେ ଆଖି ରଖିବ କିଏ । ଯାଉଁଣୁ ଆସୁଣୁ ଯିଏ ପାରିଲା ସିଏ ଗୋଛାଇ ଗୋଛାଇ ଉଠାଇ ନେଉଛନ୍ତି । ତା ଛଡା ଗୋଟିଏ ହାତ ନ ଥିବା ବୁଢ଼ା ବାପକୁ କିଏ ଉଠେଇବ, ବସେଇବ ?

ପୁଅ ରାଗିବାର ଆଉ ଗୋଟିଏ ବି କାରଣ ଅଛି। ବାହାଘରକୁ ଯିବାପାଇଁ ଖାଲି ପରଲୋକ ହାତରେ ଖବର ଯାହା ଆସିଛି - ବାପଘରୁ ତାକୁ କିନ୍ତୁ କେହି ନେବାକୁ ଆସି ନାହାନ୍ତି । ଖବର ଆସିଥିଲା ବିଟୁ ସ୍ୱାଇଁ ହାତରେ। ବାପଘର ଲୋକେ କେହି ତ କହି ନ ଥିଲେ , ସାହୀ ଭାଇ କିଏ ବାଟରେ ଦେଖା ହୋଇଗଲା ତ କହି ଦେଇ ଥିଲା । ସାରୀ ପୁଅକୁ କେମିତି ବୁଝାଇବ - ତା ବାପଘରେ କିଏ ଅଛି ଯେ ତାକୁ ନେବାକୁ ଆସିବେ ? ସାରୀର ମାଆ ତା ବାହାଘର ନ ଦେଖି ମରି ଯାଇଥିଲା । ବାପା ବି ମରି ସାରିଛି ଚାଳିଶ ବର୍ଷ ତଳେ । ଆଉ ତା ଦୁଇ ତିନି ବର୍ଷ ପରେ ଗୋଟିଏ ବୋଲି ଭାଇ ବି କୌଣସି ଅଜଣା ରୋଗରେ ମରି ଗଲା । ଦେଖିବାକୁ ଗଲେ ବାପ ଘର ସହିତ ସମ୍ପର୍କର ଖିଅ ବୋଲି ଅଛି କ’ଣ ? ଭାଇ ମଲା ବେଳକୁ ପିଲାଗୁଡିକ ଛୋଟ ଛୋଟ ହୋଇଥିଲେ ।ଏତ ଭାଉଜଙ୍କ ଧୈର୍ଯ୍ୟ ଆଉ କଠୋର ସାଧନା ଯାହା ସଂସାରଟିକୁ ଭାସି ଯିବାରୁ ରକ୍ଷା କଲା। ସବୁ କରି ସାରିଲା ପରେ ଯେତେବେଳେ ପିଲା ଛୁଆଙ୍କ ସଂସାର ଦେଖି ଖୁସିରେ ସମୟ କାଟିବା ବେଳ ସେତେବେଳେ ଭାଉଜ ବି ମରି ଗଲେ। ଯେମିତି ପରିବାରଟିକୁ ଘୋର ବିପତ୍ତିରୁ ରକ୍ଷା କରିବାପାଇଁ ତାକୁ ବଞ୍ଚାଇ ରଖିଥିଲେ ଭଗବାନ ସେହି କଠୋର ବର୍ଷଗୁଡିକ। ସେତକ କାମ ସରିଗଲା ତ ଭଗବାନ ତାକୁ ବି ଡାକିନେଲେ।

 କହିବାକୁ ଗଲେ ସାରୀର ବାପଘରେ ଆଉ କିଏ ରହିଲା ଯେ ତାକୁ ଡାକିବ ? ଭାଇର ପିଲାମାନେ ପାଠ ପଢି ମଣିଷ ହୋଇଗଲେ । ଛୋଟ ବଡ ଚାକିରୀ କରିଛନ୍ତି। ବଡ ପୁତୁରାର ପୁଅ ବହୁତ ବଡ ଚାକିରୀ କରିଛି ବୋଲି ଲୋକେ କହୁଛନ୍ତି। ସେମାନେ ସାରୀ ବିଷୟରେ ଅଧିକ ଜାଣନ୍ତି ନାହିଁ। ହେଲେ ପୁତୁରା ମାନେ ପିଉସୀ ବୋଲି ନିଜର ହୋଇ ଆଦର କରନ୍ତି। ବାପ ପରି ସରଳ ସେମାନେ। ସେମାନଙ୍କୁ ଲାଗେ, " ମାଆ ନ ଦେଖିଛୁ ତ ମାଉସୀ ଦେଖ, ବାପ ନ ଦେଖିଛୁ ତ ପିଉସୀ ଦେଖ " !

 ବାପଘର ସହ ଝିଅର ବନ୍ଧନ ଭାବନାତ୍ମକ ରୂପରେ କେତେ ସୁଦୃଢ଼, କେବଳ ଝିଅଟିଏର ଆତ୍ମା ନେଇ ତାହାକୁ ପଢି ହେବ। ନାରୀତ୍ୱର ଅନ୍ୟ ନାମ ଯଦି ପରିଚୟହୀନତା ହୁଏ, ତା ଭିତରେ ବାପଘର ସହ କ୍ଷୀଣତମ ସମ୍ବନ୍ଧ ବି ନାରୀ ଅସ୍ତିତ୍ୱର ବିରାଟ ପୁଞ୍ଜି। ବାପଘରୁ ସ୍ନେହଆଦର ପବନର ଝାସ ଟିକିଏ ଆସୁ ବା ନ ଆସୁ ସେ ତା ଜୀବନ ଦୀପଶିଖାକୁ ନିଜ ପିତୃପୁରୁଷଙ୍କ ଆଡକୁ ସବୁବେଳେ ଢଳେଇ ଦେଇ ଥାଏ। ଏଣେ ବାହାଘରଦିନ ତ ମାଆକୁ ଛାଡିଲାନି ସତ, କିନ୍ତୁ ମାଆର ମନ ଆଉଟି ପାଉଟି ହେଉଥିବାର ଭଲ ଭାବରେ ଜାଣି ପାରିଲା ନରିଆ। ଯାହା ହେଉ, ସେ ରାଜି ହୋଇଗଲା ଶେଷରେ। ସାରୀ ଦେଈ ମନରେ ଅଫୁରନ୍ତ ଖୁସି। ବାହାଘରଦିନ ନ ହେଲା ନାହିଁ , ଚଉଠି ଦିନ ସେ ପହଞ୍ଚିବ, ଅନ୍ତତଃ ।

ବାପଘରକୁ ଯାଉଛି ଯେତେବେଳେ କିଛି ତ ବନ୍ଦାଇପାଇଁ ନେବାକୁ ପଡିବ। ଚାଷୀବନ୍ଦି ଘରେ ପଇସା କେଉଁଠୁ ଆସିବ ଯେ। ପିଲାଛୁଆଙ୍କ ପେଟ କାଟି, ଚାଉଳ ବିକାକିଣାରୁ ଆଉ ଦୁଧ ବିକି ପାଞ୍ଚ ଶହ ଟଙ୍କା ଏକାଠି କରିଛି ସିଏ । ପୁଅ ବି ଦେଇଛି ପାଞ୍ଚ ଶହ ଟଙ୍କା ଅଲଗା । ବନ୍ଦାଣରେ ହଜାର ଟଙ୍କାରୁ କମ୍ ହେଲେ ଫାଵିଵ? କିଏ ଜାଣେ ୟା ପରେ ଆଉ କେବେ ବାପଘରକୁ ଆସି ପାରିବ ନା ନାହିଁ।

 ସାନ ନାତୁଣୀକୁ ସାଙ୍ଗରେ ଧରି ବେଳ ଥାଉଁ ଥାଉଁ ବାହାରି ପଡ଼ିଲା ବାପଘରକୁ। ପୁଅ ବସରେ ବସାଇ ଦେଇଥିଲା । ଅଳ୍ପଥର ପିନ୍ଧା ଯାଇଥିବା କିନ୍ତୁ ନୂଆଖସଡ଼ା ଶାଢ଼ୀଟିଏ ପିନ୍ଧାଇ ଦେଇଥିଲା ବୋହୂ । ଫଟା ପାଦରେ ପିନ୍ଧିଥିଲା ସେ ଅଳତା । ମାଟି ମା ଅନୁଭବ କରିଥିବ କେମିତି ତାର ଗୋଡ ପାଦରେ ଲାଗୁ ନ ଥିଲା ସେଦିନ । ବସ୍ ଷ୍ଟାଣ୍ଡରୁ ଓହ୍ଲେଇ ପାଦରେ ଚାଲି ଚାଲି ଆସୁଥାଏ ବାପଘର। ଛୋଟ ବଜାରଟିରେ ବାପଘର ଗାଁ ଲୋକେ ହାଉଯାଉ। ମୋଟର ସାଇକେଲରେ ବସିବାକୁ ଡରେ ସିଏ। ନ ହେଲେ କିଏ ନା କିଏ ବସାଇ ଆଣିଥାନ୍ତା ତାକୁ। ପାଦରେ ଚାଲି ଆସିଲା ବେଳେ କେହି କେହି ବୟୋଜ୍ୟେଷ୍ଠ ଲୋକ ମିଳିଗଲେ ତାକୁ ବି । ମାଟିରେ ମୁଣ୍ଡ ଲଗାଇ ନମସ୍କାର କରୁଥାଏ। ତା ବୟସର ଲୋକ ପାଇଁ ଗଣି ଗଣି ପାଞ୍ଚ ସାତ ଜଣ ବୃଦ୍ଧ ଗୁରୁଜନ ଗାଆଁରେ ଏବେ ବି ବଞ୍ଚିଛନ୍ତି।

 ଦିନ ବାରଟା ବାଜିଲାଣି। ପୁଅ ବୋହୂ ଚଉଠି ବେଦିରେ ବସିଥାନ୍ତି। ବ୍ରାହ୍ମଣ ପୂଜା କରି ସାରିଲାଣି। କେବଳ ବନ୍ଦାଣ ଯାହା ବାକି। ସେତିକିବେଳେ ସାରୀ ଦେଈ ପହଞ୍ଚି ଗଲା। ତା ଭିତରେ କେତେ ଜଣ ଚିହ୍ନି ନମସ୍କାର କଲେ ବି। ସାନ ନାତୁଣୀ କାନି ଧରି ସେମିତି ତା ପାଖେ ପାଖେ ଠିଆ ହୋଇଥାଏ। କିଏ ଜଣେ ବୟସ୍କା ମହିଳା କହି ଉଠିଲେ, "ହେଇ ଲୋ, ଦେଈ ଆସିଲେଣି।" ସାରୀ ସ୍ତ୍ରୀ ଲୋକଙ୍କୁ ଆଡେଇ ବନ୍ଦାଇବା ପାଇଁ ବେଦୀ କଡରେ ପହଁଚିଲା। ବନ୍ଦେଇବା ସମୟରେ କିଏ ସମସ୍ତଙ୍କୁ ଶୁଣାଇବା ପରି ସ୍ୱରରେ କହୁଥିଲେ, "ପୁଅର ବାପାଙ୍କ ପିଉସୀଙ୍କ ତରଫରୁ" । ଲମ୍ବା ଓଢଣୀ ଟିଏ ଟାଣି ଥିଲା ସାରୀ । ତାର ଶିରାଳ ହାତ ଅଣ୍ଟାରେ ଖୋସି ରଖିଥିବା ହଜାର ଟଙ୍କା ପାଖରେ ପହଞ୍ଚିଲା । ଗୋଟିଏ କାଗଜ ମୁଣିରେ ଅଛି ସେ ସବୁ। ଅତି ସନ୍ତର୍ପଣରେ ରଖିଦେଲେ ତାକୁ ବନ୍ଦାଣ ଥାଳି ଉପରେ। ତାପରେ ଅନେକ ଲୋକ ବନ୍ଦାଇଲେ। ପିଉସୀଙ୍କ ଟଙ୍କା ପୋତି ହୋଇ ପଡ଼ିଲା ସୁନା ଗହଣାର ଗୋଲାପି କାଗଜ ଆଉ ଅନ୍ୟ ଦାମିକା ଉପହାର ସବୁ ତଳେ। ବଜାର ତଳି ଗାଁଟି ତ । ଏଠି ବନ୍ଧୁବାନ୍ଧବଙ୍କ ଠାରୁ ଅନ୍ୟ ପରିଚିତ ଲୋକଙ୍କ ସଂଖ୍ୟା ଅଧିକ। ସାରୀ ଦେଈ ଭାବୁଥାଏ, ସିଏ ଦେଇଥିବା ପଇସା ସମସ୍ତେ ଦେଖିବେ ତ ?

ଉପର ବେଳା ସାରୀ ଗାଁ ବୁଲି ବାହାରିଲା। ବାପଘର ଗାଁରେ ପହଁଚିଲା ପରେ ସବୁଥର ସାରୀ ଦେଇକୁ ଲାଗେ ସମୟର ଚକ ଯେମିତି ପଛକୁ ବୁଲି ଯାଇଛି। ଗୋଟି ଗୋଟି ହୋଇ ସବୁ ମନେ ପଡି ଯାଏ। ପିଉସୀଙ୍କ ଭିତରେ ଦ୍ବନ୍ଦ୍ୱ ବଢି ଯାଏ । ତାର ଝିଅ ବୟସର ଅନ୍ୟ ମନଟି ତାଠୁଁ କୈଫିୟତ ମାଗି ବସନ୍ତି ତା ସହିତ ହୋଇ ଯାଇଥିବା ପାତର ଅନ୍ତରକୁ ନେଇ। ବାପା ଭାଇ ମିଶି ତାକୁ କେମିତି ତା ବାହାଘର କରେଇ ଦେଇଥିଲେ ଏ ଭଳି ଜାଗାରେ । ନାଆଁକୁ ଯାହା ଖାଲି ବଡ ଡାକ - ବରାଳ ଘର ବୋହୂ। ହେଲେ ସେଠି ଥିଲା କ'ଣ? ଯାହା ଖାଲି ଖଟିଖିଆ ମୂଲିଆ ନୁହନ୍ତି ସେତିକି। ନେଇଥିବା ସୁନା ଗହଣା ବଢି ପାଣି ଆସିବା ବର୍ଷ ବିକ୍ରି ହୋଇ ଯାଇଥିଲା । ନରିଆର ବାପ କଲିକତାରୁ ପୁଣି ଧରି ଆସିବେ ବୋଲି କହିଥିଲେ । ମେସିନରେ ପଶି ହାତ କଟି ଗଲା । କଲିକତାରୁ ଫେରିଲେ ହାତ ହରେଇ । କେଉଁ ହାତରେ ଆଣିଥାନ୍ତେ ସୁନା ଗହଣା। ତା ମଣିଷ ତ ବସିଗଲା ଅକାରଣ , ସୁନା ଗହଣା ନେଇ ସିଏ କଣ କରିବ ?

 ପଂଚସ୍ତରୀ ବୟସର ପିଉସୀ ଭାବି ବସେ ଅତୀତକୁ - ସତର ବୟସ କିଶୋରୀର ବିଦ୍ରୋହୀ ମନ ନେଇ। ସବୁ

ଝିଅଙ୍କ ମନ ଏକା। ହେଲେ କହିବ କାହାକୁ?

 ବାପଘର ଗାଁଆ ରାସ୍ତାରେ ଚାଲିଲାବେଳେ ସିଏ ଦେଖେ କେତେ କୋଠାଘର, କେତେ ଗାଡି ଘୋଡା ସେଠି। ଲୋକେ ତାକୁ ଶୁଣନ୍ତି ଆଉ ଶୁଣାନ୍ତି ବି ତାକୁ ଏଇ ଗାଁ କଥା। ବାହାରେ କୁଆଡେ ବହୁତ ବଡ଼ ବଡ଼ ଚାକିରୀ କରିଛନ୍ତି ଆଜି କାଲିକା ପିଲା। ଜଣେ କୁଆଡେ ଦଶ ହଜାର ଟଙ୍କା ଖର୍ଚ୍ଚ କରି ଉଡାଯାହାଜରେ ଆସିଛି ବାହାଘରରେ ଯୋଗ ଦେବାକୁ। ସମୟ କେତେ ବଦଳି ଯାଇଛି । ଗାଁ ମଝିରେ ଯେଉଁଠି ଭାଗବତ ଟୁଙ୍ଗି ଥିଲା ସେଠି ମଣି ନାୟକ ପୁଅ ଏକୁଟିଆ ପଇସା ଦେଇ ବିରାଟ ସାଇ ବାବା ମନ୍ଦିର ଗଢ଼ିଛି । ଏ ଗାଁର ଘରେ ଘରେ କଳ ପାଣି ଆସିଲାଣି। ତା ବାପଘର ଗାଁ ଯେମିତି ବହୁତ ଆଗେଇ ଯାଇଛି । ହେଲେ ତା ନିଜ ପୁଅ ଏବେ ବି ଚାଷ ବାସ କରୁଛି। ଦିଇଟା ମଣିଷର କାମ ଏକୁଟିଆ କରେ । ବନ୍ଦାଇବା ପାଇଁ ନିଜ ପଟୁ ଦେଇଥିଲା ମାଆକୁ ପାଞ୍ଚ ଶହ ଟଙ୍କା। ଝାଳ ବୁହା ପଇସା ।

 ସୁଶାନ୍ତର ବଡଭଉଣୀ କୁନି ବାହାଘରର ସବୁ ଦ୍ୱାୟିତ୍ୱ ବୁଝୁଛି । ଆବଶ୍ୟକତା ନ ଥିଲେ ବି କେହି

କେହି ମଝିରେ ମଝିରେ ତା ଉପଦେଶ ମାଗି ନେଉଛନ୍ତି।

 "୨୦ କିଲୋ ଚାଉଳ ଠିକ ହେବ ତ ୧୦୦୦ ଲୋକଙ୍କ କ୍ଷୀରି ପାଇଁ?"

 "ପୋଟଳକୁ ଗୋଲ କାଟିବ ନା ଲମ୍ବାରେ କାଟିବ"

ତାର ଆଉ ଗୋଟିଏ ଅଦ୍ଭୁତ ଦ୍ୱାୟିତ୍ୱ ବି ଅଛି। ବାହାଘରରେ କିଏ କଣ ପଇସା ବା ଉପହାର ଦେଲା

ସିଏ ତାର ଗୋଟିଏ ତାଲିକା ତିଆରି କରୁଛି। ଏହି ତାଲିକା ଆଗକୁ ଆସୁଥିବା କାମ ନିମନ୍ତରେ ଆସିବ।

ଯିଏ ଯାହା ଦେଇଛି ସେହି ହିସାବରେ ସେମାନଙ୍କୁ ବିଦାୟୀ ବେଭାର ଦିଆଯିବ।

 ଦାମୀ କୁଣିଆଙ୍କୁ ନୂଆ କୋଠାଘରେ ଶୋଇବା ପାଇଁ ଜାଗା ଦିଆ ଯାଇଛି । ସୁଶାନ୍ତର ଦିଲ୍ଲୀରୁ

ଆସିଥିବା ବନ୍ଧୁପତ୍ନୀଙ୍କୁ ଏକୁଟିଆ ଅଲଗା ରୁମ । ସେ ଘରେ ଏୟର କଣ୍ଡିସନର ଅଛି। ଟିକିଏ ଗରମ

ହେଲେ ତା ଛୁଆ କୁଁ କୁଁ କରି କାନ୍ଦୁଛି। ଗାଁ ଛୁଆଙ୍କ ପରି ଭେଁ ରଡି ଛାଡ଼ୁନି ସେ।

 ସାରୀ ପାଇଁ ପୁରୁଣା ଘରେ ବ୍ୟବସ୍ଥା। ସବୁଥର ତ ସେଇଠିକୁ ଆସେ । କମକୂଟ ହୋଇଥିବା କବାଟ

ବନ୍ଧରେ ବସି ରହେ ମାଆକୁ ମନେ ପକାଇ। ବଢ଼ିଲା ଝିଅ ଉପରେ ବାପ ହାତ ଉଠାଇ ଥିବାରୁ ମାଆ ଥରେ

ମୁଣ୍ଡ ପିଟି ଦେଇଥିଲା ସେହି କବାଟ ବନ୍ଧରେ।

 ସାରୀ ଘର ଅଗଣାରେ ପଡିଥିବା ବାସନ ସବୁକୁ ଲକ୍ଷ୍ୟ କଲା । କୁକୁରକୁ ମୁହଁ ମାରିବାକୁ ଦେବନି ।ବଡ ହାଣ୍ଡି କାଲି ମୂଲିଆ ମାଜିବେ। କିନ୍ତୁ ସିଏ ଏକାଠି କରି ମାଜି ବସିଲା ଛୋଟ ବାସନ ସବୁକୁ । ମନେ ପଡି ଯାଉଥିଲା ତା କୁଆଁରୀ ବୟସର ଦିନ ସବୁ। ଯେମିତି ସବୁ ସକାଳେ କୁଣ୍ଢେ ବାସନ ମାଜି ଆଣେ ବାଡ଼ି ପଟ ଗଡ଼ିଆରୁ । ନିଜ ବାପ ଆଉ ଭାଇଙ୍କ ପାଇଁ । ଆଜି ଶିଥିଳ ଚର୍ମ ଆଉ ପାଚିଲା ବାଳ ତଳେ ପୁଣି ସେହି ପୁରୁଣା ଝିଅ ମନ ଭାବୁଥିଲା ତା ପୁରୁଣା ଦିନକୁ। ଭୁଲି ଯାଇଥିଲା ସିଏ ତା ମନର ପୁରୁଣା ଦୁଃଖ। ଦୀର୍ଘ ସମୟ ଧରି ଦୁଃଖକୁ ମନରେ ଧରି ବସିବା ପ୍ରବୃତ୍ତି ନାହିଁ ତାର। ନ ହେଲେ ଚାଷୀବନ୍ଦି ଘରକୁ ସମ୍ଭାଳି ପାରି ନ ଥାନ୍ତା ଏତେ ବର୍ଷ। ବାସନ ମଜା ସାରିଲାପରେ ଏବେ ପହଁରା ମାରିବ। କାରଣ ସମସ୍ତେ କାମ କରି ଥକିଛନ୍ତି । କାଲି ସକାଳୁ ସମସ୍ତଙ୍କୁ ଉଠିବାରେ ଡେରି ହୋଇପାରେ। ପହଁରା ମାରି ମାରି ସେ ବିବାହ ବେଦୀ ପାଖରେ ପହଁଚିଲା। ଦାଣ୍ଡ ଦୁଆର ପାଖରେ ବେଦୀ। ଏଣେ ତେଣେ ଉଡି ବୁଲୁଥିବା ଖଲି ପତ୍ରକୁ ଏକାଠି କଲା ସେ ଗୋଟିଏ ଜାଗାରେ। କ'ଣ ଦେଖୁଛି ସେ ? ହଠାତ ଗୋଟିଏ ଜାଗାରେ ସେ ପାଇଲା ସେ ବିତି ଯାଇଥିବା କାଲି ବନ୍ଦାଣରେ ଦେଇଥିବା ହଜାର ଟଙ୍କାର ମୁଣିଟିକୁ। ହଜାର ଟଙ୍କା ଯେମିତି ଦେଇଥିଲା ସେମିତି ଅଛି ସେ ମୁଣି ଭିତରେ। ତା ପଇସାକୁ କେହି ମୂଲ୍ୟ ଦେଇ ନାହାନ୍ତି ତା ହେଲେ। ନ ହେଲେ ଅଳିଆ ଭିତରେ ତା ମୁଣିଟିକୁ ଛାଡି ଯାଇଥାନ୍ତେ କିପରି ! ଭୋ କରି କାନ୍ଦି ଉଠିଲା ସାରୀ ଦେଈ। ଝାଡୁ ଥୋଇ କିଛି ସମୟ ପାଇଁ ବସିଗଲା ମାଟିରେ। ବେଶୀ ସମୟ ତଳେ ପଡ଼ିବାକୁ ଦେଲାନି ସେ ଟଙ୍କାକୁ। ସେ ପଇସା ଉଠାଇ ନିଜ ଅଣ୍ଟାରେ ଖୋସିଦେଲା। ପିତଳ ହାଣ୍ଡି ଜଗି ଶୋଇଥିବା ଚାକର ଟୋକା କଡ଼ ଲେଉଟାଇଲା। ସାରୀ ନିଜର ଲୁହ ଲୁଚାଇ ନେଲା।

 ପରଦିନ ସକାଳ।

ହଠାତ କୁନି ପିଉସୀଙ୍କୁ ପଚାରି ବସିଲା, " ଆଲୋ ଦେଈ, କାଲି କେତେ ଟଙ୍କା ବନ୍ଦେଇଥିଲ କି ? ତୁମ ପଇସା ତ କାହିଁ ଦିଶୁନି ।"

 ସାରୀ କିଛି କହିବା ପୂର୍ବରୁ ପୁଣି କୁନି ଆରମ୍ଭ କଲା, "କୁଣିଆଙ୍କ ଭିତରେ କେହି ନା କେହି ଅଛି ଯିଏ ଚୋରି କରୁଛି। "

କାଲି ଦିଲ୍ଲୀରୁ ଆସିଥିବା ସୁଶାନ୍ତର ବନ୍ଧୁପତ୍ନୀଙ୍କ ସୁନା ଚୁଡି ଦୁଇପଟ ମିଳୁ ନ ଥିଲା । ଯେଉଁ ସବୁ ଜିନିଷ ବନ୍ଦାଣରେ ଆସିଥିଲା ସେଥିରୁ ଆଜି କିଛିଟା ଦିଶୁନି। ସାରୀ ତା ସରଳ ବୁଦ୍ଧିରେ କ'ଣ ଜବାବ ଦେବ ଭାବି ପାରୁ ନ ଥିଲା । ଜକେଇ ଆସୁଥିଲା ଅନେକ ଲୁହ

ତା ଆଖିରେ ।

 ସକାଳ ପରଠୁଁ ସାରୀ ଆଉ ବେଶୀ କଥା କହି ନାହିଁ କାହା ସଙ୍ଗେ । ସୁଶାନ୍ତର ବାହାଘର ପାଇଁ ତିଆରି ହୋଇଥିଲା ନୂଆ କୋଠା। ପୁରୁଣା ଚାଳଘରକୁ ଲାଗି। ଅବଶ୍ୟ ପୁରା ପଇସା ସୁଶାନ୍ତ ହିଁ ଦେଇଛି। ଭୁବନେଶ୍ୱରର ଝିଅ ତା ସ୍ତ୍ରୀ ।

 ବାହାଘର ପରେ କେଇଟି ଦିନ ତ ରହିବ ଗାଁରେ। ସେତିକି ଦିନ ବି ରହି ପାରିବନି ସେ ମାଟି ଘରେ। ସାରୀ ଦେଈ ଆଗରୁ ଦେଖି ନ ଥିଲା ନୂଆଘର। ବୁଲି ଆସିଲା ପୁରା ଘର। ବହୁତ ବଡ଼ ଘର । ଏପରି ଘର ତା ବାପ ଭାଇ କେବେ ବି କରି ପାରି ନ ଥାନ୍ତେ - ସ୍ୱପ୍ନରେ ବି।

ସୁନ୍ଦର ଠାକୁର ଘରଟିଏ ବି ହୋଇଛି ସେଠି। ସୁନ୍ଦର କାଠ ମୂର୍ତ୍ତି ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରଙ୍କର। ମନ୍ଦିରଘର ଭିତରୁ ବାହାରି ଆସିଲା ସେ ଗୋଟିଏ ପ୍ରସନ୍ନ ମୁଦ୍ରା ନେଇ । ଯେମିତି ଗୋଟିଏ ବାଦଲ

ହଟି ଯାଇଥିଲା ତା ମନରୁ । କିନ୍ତୁ ବାହାରେ ଆକାଶ ହୋଇ ଆସିଥିଲା ଭାରାକ୍ରାନ୍ତ। ସଂଜୁଆ ମେଘ ଜୋର ହୋଇ ବରଷୁଛି । ପୁଅ ନରିଆ ବି ଏ ଯାଏଁ ପହଞ୍ଚି ନାହିଁ ।ସମ୍ଭବତଃ, ଆଜି ସାରୀ ଦେଈ ଯିବନି । ଘର ଲୋକେ କିନ୍ତୁ ସମସ୍ତଙ୍କ ଭଳି ତା ବିଦାୟ ବେଭାର ବି ବାନ୍ଧି ସାରିଥିଲେ - ବାହାଘର ଭୋଜିରୁ ବଳିଥିବା କାନିକା, ଖିରୀ, ପୁରୀ ଆଉ ଶସ୍ତା କଟନ ଶାଢ଼ୀଟିଏ ।

  ଯିବା ପୂର୍ବରୁ କିଏ ଜଣେ ଭଲ ଖବର ଜଣାଇଲା। ଦିଲ୍ଲୀବାଲୀ ବନ୍ଧୁପତ୍ନୀଙ୍କ ସୁନାଚୁଡ଼ି ଗାଧୁଆ ଘର ଠଣାରୁ ମିଳିଲା । ଖରମୁହିଁ କୁନି କହୁଥିଲା, "ବଡ ଫୁଲେଇ ଏ ରୋଜ଼ି, ମିଛଟାରେ ଲୋକଙ୍କୁ ଖୋଜେଇଲା । ପଇସାଵାଲା ଘଇତାଙ୍କୁ ଏମିତି ଓଲେଇ ସ୍ତ୍ରୀ ଠିକ ।"

 ସାରୀ କିନ୍ତୁ ଭାବୁଥିଲା ଠାକୁରଙ୍କ ପାଖରେ ଥୋଇ ଆସିଥିବା ଟଙ୍କା ବିଷୟରେ। କାହା ହାତରେ ପଡିବ କେଜାଣି । ପୁଣି ଭାବିଲା, ଏ ନେଇ ଭାବିବା ଉଚିତ ନୁହେଁ। ଯାହାକୁ ସେମାନେ ରାସ୍ତାର ଧୂଳି କରି ଦେଇଥିଲେ ସେ ତାହା ଥୋଇ ଆସିଛି ଜଗନ୍ନାଥଙ୍କ ଚରଣରେ।

 ମେଘ ଟିକିଏ ରହି ଯାଇଛି ଏବେ।

ନରିଆ ପହଁଚିଲା ତା ବୋଉକୁ ନେଇ ଯିବାକୁ। ସାଇକେଲ ଆଗରେ ବସାଇଲା ଝିଅକୁ । ବ୍ୟାଗରେ ଓହଳେଇ ଦେଲା କ୍ଷୀରି, ପୁରୀର ଆଉ କାନିକାର ବ୍ୟାଗକୁ ।

 ସାରୀ ଉଠି ଛିଡା ହେଲା ।ତାପରେ ପୁଅ ସାଇକେଲରେ ଜାକିଜୁକି ହୋଇ ବସିଲା ।

  ଛୁଆଠୁଁ ବଡ ସମସ୍ତେ ପଛ ପଟ ନୂଆ କୋଠାଘରେ ଘେରି ବସିଥିଲେ ନୂଆବୋହୂଟିକୁ । ମଝିରେ ମଝିରେ ଶୁଭୁଥିଲା ହାସ୍ୟ ରୋଳ।

  ଆକାଶ ସେମିତି ମୁହଁ ଓହଳେଇ ଥିଲା। ମେଘ ଯିବାକୁ ବାର ବାର ରୋକୁଥିଲା ଘରର ଝିଅକୁ । ସାରୀ ଶେଷ ଥର ପାଇଁ ଚାହିଁଲା ତା ଭିଟାମାଟିକୁ - କମ କୂଟ ହୋଇଥିବା ମାଟି ଘରର କାଠବନ୍ଧ ଆଡକୁ।

 ଛାତିକି ପଥର କରି ଏଥର ମୁହଁ ବୁଲାଇ ନେଲା ସେ ଘରଆଡୁ।

ଚାଳରୁ ଖସି ପଡୁଥିଲା ବର୍ଷା ବିନ୍ଦୁ ବିନ୍ଦୁ ହୋଇ। ଜିଆଟିଏ ଟାଣି ହୋଇ ଯାଉଥିଲା ମାଟି ପିଣ୍ଡା ଆଡ଼କୁ ।


Rate this content
Log in