ପିଉସୀ ଅପାଘର ଚିଠି ପାଇ
ପିଉସୀ ଅପାଘର ଚିଠି ପାଇ
ପୋଖରୀ ରେ ତଳକୁ ତଳକୁ, ଲମ୍ବି ଯାଇଥିବା ପାହାଚ ରେ ଦୁଇ ଭଉଣୀ ଗାମୁଛା ପକେଇ ଛୋଟ ଛୋଟ ମୀନ ଭଳି ମାଛ ଧରୁ ଧରୁ ବେଳ ହେଲାଣି ଅନେକ, ତ ଘରୁ ସାନଭାଇ କୁ ପଠାଇ ଘରକୁ ଯିବାକୁ ତାଗିଦାରେ ଦୁଇ ଭଉଣୀ, ଆମେ ଧଡପଡରେ ମାଛ ସହ ଲୁଗାପଟା ଧରି, ତରତର ରେ ପହଞ୍ଚିଲୁ ଘରେ।
ଘରେ ଗୋଟେ ଅଜବ ପରିସ୍ଥିତି, ସମସ୍ତେ ଗୁମ ସୁମ, ଏମିତିକି ବହୁ ଆଗ୍ରହରେ ଧରି ଆଣିଥିବା କେଇଟା ଚୁନାମାଛକୁ, ବୋଉ ଭାଜିବାକୁ ଦେଲାନାହିଁ। ସବୁଦିନ ଭଳି ଆମିଷ ନଥିଲା ଖାଦ୍ୟ ରେ ତ କିଛି ଗୋଟେ ଘଟିଥିବା ଅନୁମାନ କରି ବଦଭଉଣୀ ହିସାବରେ ମୁଁ ତ ଖାଇନେଇ ବୋଉ ପାଖରେ ନୁସୁରୁ ପୁସୁରୁ ହେଲି, କଣ ହେଇଛି କହୁନୁ ବୋଉ। ବୋଉ ଅତି କଷ୍ଟରେ କହିଲା ନାଇଁ କଛି ନାହିଁ ଯେ କାଲି ଆମକୁ ପିଉସୀ ଅପା ଘରକୁ ଯିବାକୁ ପଡ଼ିବ। ହଁ ଏଇଟା ତ ଖୁସି କଥା ଆଉ ସମସ୍ତେ ଏତେ ଚୁପ୍ କାହିଁକି ଉତ୍ତରରେ ବୋଉ ଲୁଚେଇ କାନ୍ଦିକି କହୁଥିଲା ଅପା ପରା ଚାଲିଗଲେ, ତ ମୁଁ ବି ଢେର କାନ୍ଦିପକେଇକଲି।
ବାରଣ କଲା ବୋଉ, କହନା ସାନ ଭଉଣୀ ଆଗରେ । ତା ଆକଟ ସାନଭଉଣି ଶୁଣିଲେ ବେଶୀ କାନ୍ଦକଟା କରିବ, କାରଣ ପିଲାଦିନୁ ଅପା ପାଖରେ ରହି, ଏବେ ଏବେ ସେ ଆସିଛି ଘରକୁ। ତ ମୁଁ ବି ଚୁପ୍ ହେଇଗଲି। ମୋ ସାନ ଭଉଣୀ ଅପା ଘରକୁ ଯିବା କଥା ଶୁଣି ଉତ୍ଫୁଲିତ ହୋଇ ସଜାଡୁ ଥାଏ ତା ଡ୍ରେସ୍, ଆଉ ତାକୁ ଦେଖି, ତାର ଖୁସି ଦେଖି ଆମେ ବେଶୀ ବେଶୀ ଦୁଃଖ କରୁଥିଲୁ।
ଅପା ଘରେ ପହଞ୍ଚିବା ପୂର୍ବରୁ ଆମର ଅତୀତ ମନେ ପଡ଼ି ଆଖି ଓଦା ହୋଇ ସ୍ମୃତି ସବୁ ମନେ ପଡୁଥିଲା କିନ୍ତୁ ସାନଭଉଣୀ ଚଞ୍ଚଳ ପାଦ ପକେଇ ପକେଇ ପହଁଚିଗଲା ଆଗ, ଆଉ ଆମେ ଆତଙ୍କିତ ହୋଇ ଏକରକମ ଦୌଡୁ ଥିବା ବେଳେ, ସେପଟୁ ଅପା ସହ ସାନ ଭଉଣୀ ଆସୁଥିବାର ଦେଖି, ପାଦ ତଳୁ ମାଟି ତଳକୁ ତଳକୁ ଖସିଯାଉଥିଲା। ଆଉ ମିଛ ଚିଠିର ଉଦ୍ଦେଶ୍ୟ ସେତେବେଳେ ତ ଆମେ ଜାଣିଥିଲୁ ଯେ, ଅପାର ଆମକୁ ଦେଖିବାକୁ ମନ ହେବାରୁ, ଏ ଫନ୍ଦି l
