ପିଲାଙ୍କ ମନ
ପିଲାଙ୍କ ମନ
ବଣପାହାଡ ଘେରା ସୁନ୍ଦର ଗାଁଟିଏ ସୁନ୍ଦରଗଡ଼ର ବାଲିଶଙ୍କରା ବ୍ଲକରେ। ସେଇଠି ଗୋଟିଏ ଆବାସିକ ବିଦ୍ୟାଳୟ ଅଛି। ପ୍ରାୟ ଚାରିଶହ ପିଲା ପାଠ ପଢନ୍ତି ହଷ୍ଟେଲରେ ରହି। ସେଠି କେବଳ ଆଦିବାସୀ ପିଲାମାନେ ରହନ୍ତି। ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରଙ୍କର ଏ ଯୋଜନା। ସେମାନଙ୍କର ଖାଇବା ରହିବା, ବହିପତ୍ର ଇତ୍ୟାଦି ବିଦ୍ୟାଳୟ ତରଫରୁ ଯୋଗେଇ ଦିଆଯାଏ। ପ୍ରଧାନ ଶିକ୍ଷକଙ୍କ ଛଡ଼ା ଆଉ ଚାରିଜଣ ଶିକ୍ଷକ, ଅଫିସ୍ କାମ ପାଇଁ କିରାଣି , ପିଅନ୍ , ରାନ୍ଧୁଣିଆ ଅଛନ୍ତି।
ତାଛଡା ହଷ୍ଟେଲ ସୁପରିଟେନଡେଣ୍ଟ ଓ ସାହାଯ୍ୟକାରୀ ମଧ୍ୟ ଥାଆନ୍ତି, ପିଲାଙ୍କ କଥା ବୁଝିବାପାଇଁ।
ସେଦିନ ପ୍ରାୟ ଦୁଇଶହ ପାଖାପାଖି ପିଲା ସ୍କୁଲରୁ ଗାଏବ୍। ଚାରିଟାବେଳେ ଜଣେ ସାର୍ ଲକ୍ଷ କଲେ। ତାପରେ ଗଣା ଚାଲିଲା। ସତକୁ ସତ ଶହେ ଏକଷଠି ଜଣ ପିଲା ଅନୁପସ୍ଥିତ। ଅନ୍ଯପିଲାମାନଙ୍କୁ ପଚାରିବାରୁ କେହି କିଛି କହିପାରିଲେ ନାହିଁ। ଏତେ ପିଲା ଗଲେ କୁଆଡେ ? କିଛି ବୁଝିନପାରି, ସମସ୍ତେ ସନ୍ଦେହ ଘେରରେ ରହିଲେ।
ପିଲାଙ୍କ ଦାୟିତ୍ଵ ନେଇଛନ୍ତି , କିଛି ଅସୁବିଧା ହେଲେ ସେମାନଙ୍କ ଉପରକୁ ଆସିବ । ବାପା ମା ମାନେ ଆସି ପାଟିତୁଣ୍ଡ କରିବେ। ପୁଣି ସମ୍ବାଦ ପ୍ରସାରଣ ସଂସ୍ଥାଗୁଡିକତ ଚାହିଁକି ବସିଛନ୍ତି, କିଛି ଆଖିଦୃର୍ଶିଆ ଖବର ହେଲେ ଆଗ ଛାପିଦେବେ। ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କର ଭାଳେଣୀ ପଡିଗଲା। ଆଖପାଖରେ ଖୋଜାଖୋଜି କଲେବି ଟେର୍ ପାଇଲେନି ଛାତ୍ରମାନଙ୍କର। ପାଖରେ ଥିବା ଗୋଟିଏ ଜଳଖିଆ ଦୋକାନୀ ମଧ୍ଯାନ୍ନ ଭୋଜନ ପରେ କିଛି ପିଲାଙ୍କୁ ଜଙ୍ଗଲ ଆଡ଼କୁ ଯିବାର ଦେଖିଛି ବୋଲି କହିଲା। ତେଣୁ ପ୍ରଧାନ ଶିକ୍ଷକ ଶୁଣିକି କହିଲେ, "ଚାଲ ଜଙ୍ଗଲ ଆଡେ ଯିବା, ସେଇଠି ଖୋଜିବା" ବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଛାଡି ସମସ୍ତେ ପାଖ ଜଙ୍ଗଲକୁ ଟର୍ଚ୍ଚ, ବାଡି ଇତ୍ୟାଦି ନେଇ ଏକ ଅଭିଯାନରେ ବାହାରିବା ପରି ବାହାରିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ଚାଲିବା ପରେ ଦୂରରୁ କିଛି କଥାବାର୍ତ୍ତା ଶୁଭିଲା।
ପ୍ରଧାନ ଶିକ୍ଷକ ସମସ୍ତଙ୍କୁ କଥାବାର୍ତ୍ତା ନକରି ଧୀରେ ଚାଲିଵାକୁ ପରାମର୍ଶ ଦେଲେ। ତାପରେ ତିନିଜଣ ଲେଖାଏଁ ତିନୋଟି ଦଳ ହେଇ ତିନିଦିଗରେ ଯିବାକୁ ଲାଗିଲେ। ପ୍ରାୟ ପନ୍ଦର ମିନିଟ୍ ପରେ ବାଆଁ ପଟେ ଯାଇଥିବା ଦଳ ସେ ପିଲାମାନଙ୍କୁ ଠାବ କରିପାରିଲେ। ଏମାନେ ଲୁଚି ଲୁଚି ଗଛ ଆଢ଼ୁଆଳରେ ପିଲାଙ୍କୁ ଲକ୍ଷ କରୁଥାଆନ୍ତି। ଆସ୍ତେ ଆସ୍ତେ ଯାଇ ପିଲାମାନଙ୍କ ପାଖରେ ପହଞ୍ଚିଗଲେ। ପିଲାମାନେ ଏମାନଙ୍କୁ ଦେଖି ଦୌଡ଼ିବାକୁ ଚେଷ୍ଟା କରୁଥିଲେ। ଛଅ ସାତଜଣ ପିଲାଙ୍କୁ ଧରିକି ସାର୍ ଜଣଙ୍କ ଯୋରରେ କହିଲେ , "ପିଲାମାନେ କେହିକୁଆଡେ ଯାଅନି, ଆମେ ତୁମର କିଛି କରିବୁନି । ରାଗିବୁନି। ଆଗରେ ଭାଲୁଥିବେ। ସେଇଠି ରୁହ। " ପିଲାମାନେ ରହିଗଲେ । ତାଙ୍କର ନେତା ପରି ଲାଗୁଥିବା ପିଲାକୁ ପଚାରିଲେ ଏଇଠି ବର୍ତ୍ତମାନ ପଳେଇଆସିଥିବା ସବୁପିଲା ଅଛନ୍ତି କି ନାହିଁ। ସେ ଯାଇ ଗଣିକି "ହଁ ଅଛନ୍ତି" ବୋଲି କହିବାରୁ " ଚାଲ ଫେରିଯିବା" କହିଲେ ସାର୍। ପିଲାମାନେ ଭୟରେ ଯିବାକୁ ଅମଙ୍ଗ ହେଲେ। ବହୁତ ବୁଝାସୁଝା ପରେ ଗୋଟେ ଗୋଟେ କରି ଆସିବାକୁ ଲାଗିଲେ। ସେତେବେଳକୁ ସୂର୍ଯ୍ଯ ଅସ୍ତ ହେବାକୁ ବସିଲେଣି। ଫେରନ୍ତା ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ବି କମିଆସିଲାଣି। ଅଳ୍ପ ସମୟ ପରେ ଅନ୍ଧାର ହେଇଯିବ। ଅନ୍ଧାର ହେବା ଆଗରୁ ଜଙ୍ଗଲ ଭିତରୁ ବାହାରି ଆସିବାକୁ ପଡିବ।
ୟା ଭିତରେ ଅନ୍ଯ ସାରମାନେ ବି ସେହି ସ୍ଥାନରେ ପହଞ୍ଚିଗଲେ। ସମସ୍ତେ ମିଶି ସ୍କୁଲକୁ ଫେରିଆସିଲେ। ଅଧିକ ସନ୍ଧ୍ୟା ହେଇଯାଇଥିଲା ପିଲାମାନଙ୍କୁ ସେଦିନ ଆଉକିଛି ପଚାରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ ପ୍ରଧାନ ଶିକ୍ଷକ। ସେଦିନ ଖାଇ ପିଇ ସମସ୍ତେ ଶୋଇଗଲେ । କିନ୍ତୁ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡରେ ଚିନ୍ତା ପିଲାମାନଙ୍କ ଯିବାର ରହସ୍ୟ କ'ଣ ? ସେ ବି ସେଦିନ ତାଙ୍କ କ୍ବାଟର୍ସକୁ ନଯାଇ ସ୍କୁଲରେ ଶୋଇଲେ।
ସକାଳ ହେଲା। ପିଲାମାନେ ଓ ସମସ୍ତେ ଜଳଖିଆ ଖାଇସାରିଲାପରେ ଟ୍ଯୁସନ୍ ହେବା ସମୟରେ ପ୍ରଧାନ ଶିକ୍ଷକ, ଖେଳ ଶିକ୍ଷକଙ୍କୁ କହିଲେ ପିଲାଙ୍କ ସହ କଥା ହେବାକୁ। କାରଣ ଖେଳ ଶିକ୍ଷକ ହିଁ ଛାତ୍ରଛାତ୍ରୀ ମାନଙ୍କର ସବୁଠାରୁ ପ୍ରିୟ ସାର୍। ସାର୍ ଏକ ଗପଛଳରେ ପିଲାମାନଙ୍କୁ ତାଙ୍କ ଜଙ୍ଗଲ ଯିବା କାରଣ ପଚାରିଲେ। ପ୍ରଥମେ ସେମାନେ କିଛିବି କହିଲେନି। ବୁଝିଲା ପରେ ଜଣାଗଲା ଆଜକୁ ପ୍ରାୟ ଏକମାସ ହେବ ପିଲାମାନେ ଖାଲି ଭାତ ଓ ପାଣିଆ ଡାଲି ଖାଉଛନ୍ତି। ତାଙ୍କୁ ମିଳିବାକୁ ଥିବା ଅଣ୍ଡା,ମାଂସ ଓ ସୋୟାବଡିର ତରକାରୀ ସ୍କୁଲରେ ରନ୍ଧାହେଇ ଦିଆଯାଉନାହିଁ। ତେଣୁ ଏହାର ପ୍ରତିବାଦରେ ପିଲାମାନେ ସ୍କୁଲ ଛାଡ଼ି ପଳେଇଥିଲେ।
ଦିଜଣ ସାର୍, କିରାଣୀ ଓ ଦିଜଣ ପିଲାଙ୍କୁ ନେଇ ଏକ ଅନୁସନ୍ଧାନ କମିଟି ତିଆରି ହେଲା। ଏହି କମିଟି, ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଣ୍ଡା ଇତ୍ୟାଦି ନ ମିଳିବାର କାରଣ ଜାଣିବାର ପ୍ରୟାସ କଲା। ଜଣାଗଲା ଯେ, ସବୁଦିନ ରାନ୍ଧୁଥିବା ରାନ୍ଧୁଣିଆର ଦେହ ଭଲ ରହୁ ନଥିବାରୁ ସେ ଜଣେ ବଦଳିଆ ରାନ୍ଧୁଣିକୁ ମଝିରେ ମଝିରେ ଦାୟିତ୍ଵ ଦିଏ, ରାନ୍ଧିବାକୁ। ନୂଆ ରାନ୍ଧୁଣି ଭଲକି ବୁଝି ନଥିଲା କେଉଁଦିନ ଆମିଷ ରନ୍ଧାହେବ। ସେହି ସମୟରେ ବାର୍ଡ ଫ୍ଲୁ ହେଉଥିବାରୁ ଅଣ୍ଡା କି କୁକୁଡା ଖାଇବା ସରକାରଙ୍କ ପକ୍ଷରୁ ମନା କରାଯାଇଥିଲା। କିଣାକିଣି ଦାୟିତ୍ଵ ରେ ଥିବା ସାରଙ୍କର ନୂଆ ସ୍ଥାନକୁ ବଦଳି ହେଇଯାଇଛି, ତେଣୁ ସେ ଏଇସ୍କୁଲରେ ଆଉ ରହୁ ନାହାନ୍ତି। ନୂଆ ରାନ୍ଧୁଣିଆ ଅଣ୍ଡା ବଦଳରେ ଆଉ କ'ଣ ଦିଆଯିବ ବୋଲି କୌଣସି ସାରଙ୍କୁ ପଚାରି ନାହିଁ। ଖାଲି ଡାଲି ଓ ଭାତ ଆଉ କେବେ କେବେ ଆଳୁ ଚକଟା ଦେଉଥିଲା। ଏହି ସମୟ ଭିତରେ ପ୍ରଧାନ ଶିକ୍ଷକ ନିଜର ଝିଅ ବାହାଘର ପାଇଁ ଦଶ ଦିନ ଛୁଟିରେ ଥିଲେ। ତେଣୁ ସବୁ ଖବର ସଠିକ୍ ଜାଣିପାରି ନାହାନ୍ତି। ଏସବୁ କଥା ଜାଣିଲା ପରେ ପ୍ରଧାନ ଶିକ୍ଷକ ନିଜକୁ ଦାୟୀ କରି ପିଲାମାନଙ୍କୁ କ୍ଷମା ମାଗିଲେ।
ଏ ରହସ୍ୟ ଉନ୍ମୋଚିତ ହେଲା ପରେ ପ୍ରଧାନ ଶିକ୍ଷକ ପିଲାଙ୍କ ପାଇଁ ଛେଳିମାଂସ ବଣଭୋଜିର ଆୟୋଜନ କଲେ। ଏବେ ପିଲାମାନେ ମହାଖୁସ୍ ।
