ପିଚକାରୀ ,,,,,,,,,,,,,,,,,,,,,,
ପିଚକାରୀ ,,,,,,,,,,,,,,,,,,,,,,
ବାପା ଚାଲିଗଲା ପରେ ମାଆ ଖୁବ କଷ୍ଟରେ ପୁଅ ଝିଅଙ୍କୁ ଚଳାଇବା ବେଳେ ସେ ଦୁହିଁଙ୍କୁ ପାଠ ପଢେଇବା କଥା ଚିନ୍ତାକରି ସହରକୁ ପଳେଇ ଆସିଥିଲେ.ରାଜୁ ସହରରେ ରହି ଏଣିକି ଖୁବ ଭଲ ପଢୁଥାଏ ସତ କିନ୍ତୁ ଗରୀବ ହୋଇଥିବାରୁ ତାଙ୍କ ଘରେ ଭଲ ଭଲ ଜିନିଷ ନଥାଏ ଖାଇବାକୁ କି ଖେଳିବାକୁ ଭଲ ଜିନିଷ ନଥାଏ . ମାଆଟି ହୋଟେଲରୁ ଯାହା ପାଏ ସେଥିରେ ରାଜୁର ପଢ଼ା ଜିନିଷ ସବୁ କିଣେ ଓ ହୋଟେଲ ଖାଦ୍ୟ ଖାଇ ପରିବାର ଜେନ ତେନ ପ୍ରକାରେ ଚଳି ଯାଆନ୍ତି. ରାଜୁର ଭଉଣୀଟିଏ ମଧ୍ୟ ଥାଏ. ସେ କିନ୍ତୁ ସ୍କୁଲ ଯାଇ ନପାରି ମନଦୁଃଖରେ ଥାଏ. ମାଆ ସହ ଘରକାମରେ ସହଯୋଗ କରୁଥାଏ. ହୋଲି ଆସିବାରୁ ସ୍କୁଲ ଛୁଟି ହେଲା. ଭାଇ ରାଜୁ ସ୍କୁଲରୁ ଆସିବା ବେଳେ ଖୁବ ସୁନ୍ଦର ନୂଆ ପିଚକାରୀଟିଏ ଆଣିଥାଏ. ମାଆ ଯେତେବେଳେ ଦେଖିଲେ ଭାବିଲେ ରାଜୁ ସ୍କୁଲରେ ଭଲ ପଢ଼ୁଥିବାରୁ ତାକୁ ତା ସାଙ୍ଗମାନେ ବୋଧେ ଦେଇଛନ୍ତି. ଭଉଣୀ ମୀନା କିଛି ନକହିଲେ ମଧ୍ୟ ପ୍ରତିଦିନ ଭାଇ ତା ବ୍ୟାଗରେ କିଛି କିଛି ନୂଆ ଜିନିଷ ଯଥା କମ୍ପାସ, ଆଟଲାସ, ବଲ ଆଣିବା ଦେଖି ସନ୍ଦେହରେ ପଡୁଥାଏ. ହୋଲିରେ କିଛି କିଛି ନାଲି ନେଳି ଫଗୁରଙ୍ଗରେ ପରିବାର ଲୋକ ରଙ୍ଗ ଖେଳିଥିଲେ ମଧ୍ୟ ରାଜୁ ତା ପିଚକାରୀ ବ୍ୟବହାର କରିନଥିଲା. ମାଆ ଭାବିଲେ ମୋ ପୁଅ କେତେ ଭଲ ଯେ ତା ସାଙ୍ଗମାନେ ତାକୁ ନୂଆ ସୁନ୍ଦର ପିଚକାରୀଟିଏ ଦେଇଥିଲେ ମଧ୍ୟ ସେ ରଙ୍ଗ ମାରି କାହାର ଆଖି କାନ ଓ ଚର୍ମ ଖରାପ ହେବାକୁ ଦେଇନି. ଭଉଣୀ କିନ୍ତୁ ସନ୍ଦେହ କରୁଥିଲା.
ଦୋଳ ଛୁଟି ପରେ ରାଜୁ ସ୍କୁଲ ଗଲା ଓ ଫେରିଲା ବେଳେ ତା ବ୍ୟାଗରେ ଥିବା ଗୋଟେ ଦାମିକିଆ ଘଣ୍ଟାକୁ ବକ୍ସରେ ରଖି ଚାବିଦେବା ମୀନା ଦେଖିନେଲା. ତା ଆରଦିନ ବକ୍ସ ଭଙ୍ଗା ଯାଇ କେହି ଘଣ୍ଟା ଚୋରୀ କରିଛି କହି ରାଜୁ ମାଆ ଆଗରେ କହି କାନ୍ଦୁଥିଲା. ମାଆ ପୂର୍ବପରି ଭାବିଲେ ମୋ ପୁଅର ପାଠ ପଢ଼ାରେ ଖୁସି ହୋଇ ଶିକ୍ଷକ ବା ଶ୍ରେଣୀ ଶିକ୍ଷୟତ୍ରୀ କେହି ନିଶ୍ଚୟ ଘଣ୍ଟାଟିକୁ ଉପହାର ଦେଇଛନ୍ତି ମୋ ପୁଅକୁ. ସେୟା ଭାବି ମାଆ କହିଲା ହଉ ମୁଁ ଆଜି ସ୍କୁଲ ଯାଇ ତୋ ନୂଆ ଘଣ୍ଟା ଚୋରୀ ହୋଇଛି ବୋଲି ଜଣେଇବି ତ ରାଜୁ ମନା କରି ଚାଲିଯିବା ପରେ ମୀନା କହିଲା ନାହିଁ ମାଆ ଭାଇ ମନା କଲେ ମଧ୍ୟ ଆମେ ସ୍କୁଲ ଯିବା.
ମାଆ ସହ ମୀନା ଯାଇ ସ୍କୁଲରେ ପହଁଚିଲା ବେଳକୁ ରାଜୁ କ୍ଲାସରେ ଥିବା ବିଜୁର ନୂଆ ଘଣ୍ଟା ଚୋରୀ ହୋଇଥିବାରୁ ମୀଟିଙ୍ଗ ବସିଥିଲା. ସ୍କୁଲର ହେଡ଼ ସାର ବିଜୁ ସ୍କୁଲକୁ ଦାମିକିଆ ଘଣ୍ଟା ନେଇ ଆସିବା ଉଚିତ ନୁହେଁ କହିଥିଲେ କିନ୍ତୁ ବିଜୁ କହିଥିଲା ସେହିକଥା ରାଜୁ ତାକୁ କହିବାରୁ ସେ ଘଡିଟିକୁ ହାତରୁ ଖୋଲି ବ୍ୟାଗରେ ରଖିଦେଇଥିଲା କିନ୍ତୁ ଘରେ ଯାଇ ଦେଖିଲା ବେଳକୁ ଘଣ୍ଟା ନଥିଲା. ସମସ୍ତେ କହିଲେ ତୋର ସବୁ ଭୁଲ ବିଜୁ. ରାଜୁ କେତେ ଭଲ ପିଲା ବୋଲି ତତେ ଏତେ ପିଲାଙ୍କ ଭିତରେ ଦାମୀ ଘଡି ନପିନ୍ଧି କାଢି ରଖିବାକୁ କହିଲା କିନ୍ତୁ ତୁ ହଜେଇ ଦେଲୁ?ରାଜୁ କହୁଥିଲା ସ୍କୁଲରେ ମୋର କମ୍ପାସ, ଆଟଲାସ, ନୂଆ ମୁଖାମୁଁହଁ ପିଚାକରୀ ହଜିଲାଣି. ଆଉ କେଵେ କିଛି ସ୍କୁଲକୁ ଆଣିବିନାହିଁ କହି ନିଜ କାନ ନିଜେ ମୋଡି ହେଉଥିଲା ବେଳେ ଠିକ ଏହି ସମୟରେ ମୀନା ଘଡିଟିକୁ କାଢି ରାସ୍ତାରୁ ପାଇଛି କହି ଦେବାରୁ ଭାଇ ଯେମିତି ଭଲ ଭଉଣୀ ସେମିତି ସାଧୁ ନହୋଇଥିଲେ ପାଇଥିବା ଦରବ ଫେରେଇବାକୁ ସ୍କୁଲ ଆସିନଥାନ୍ତା କହି ତାକୁ ବହୁତ ପ୍ରଶଂସା କରିଚାଲିଥିଲେ ସମସ୍ତେ ଓ ମୀନାର ପରିବାର ବିଷୟରେ ସବୁ ଶୁଣି ହେଡ଼ ସାର ତାର ପାଠ ପଢ଼ାର ସମସ୍ତ ବ୍ୟବସ୍ଥା ଓ ବନ୍ଦୋବସ୍ତ କରିଦେଇଥିଲେ. ସେଦିନ ରାତିରେ ମାଆଙ୍କ ପାଦ ଧରି ମୁନା କହୁଥିଲା ଏମିତି ଭୁଲ ଆଉ କେଵେ କରିବିନି ମାଆ. ମତେ ଥରଟେ କ୍ଷମା କରିଦିଅ.ମୀନା କହୁଥିଲା କ୍ଷମା କରିଦିଅ ନା ମାଆ.
ମାଆ ସେଦିନ ଭାଇ ଭଉଣୀ ଦୁହିଁଙ୍କୁ ଗୋଟେ ଗପ କହିଥିଲେ. ଥରେ ସହରରେ ଗୋଟେ ଚୋର ପୋଲିସ ହାବୁଡ଼ରେ ପଡିଗଲା ଯିଏକି ସବୁବେଳେ ଖସିଯାଉଥିଲା ତ ତାକୁ ଜେଲ ହୋଇଗଲା. ବିଚାର ପରେ ଜଣା ପଡିଲା କି ସେହି ଚୋରଟି ବହୁତ ଲୋକଙ୍କୁ ଠକି ତାଙ୍କ ଜିନିଷ ଚୋରାଇ ନେଇଛି. ଏମିତିକି ଟଙ୍କା, ସୁନା, ରୂପା ଗହଣା ଓ ଗାଡି ସବୁ ଚୋରୀ କରି ଲୋକଙ୍କୁ ବହୁତ ହଇରାଣ କରିଥିବାରୁ ତାକୁ ଏବେ ଫାଶୀ ଦିଆଯିବା ଉଚିତ. ଫାଶୀ ପାଇବାର ଦିନ ନିକଟ ହେବା ପରେ ତାକୁ ତାର ଶେଷ ଇଛା ପଚରା ଯିବା ପରେ ସେ ତା ମାଆକୁ ଦେଖିବାକୁ ଚାହେଁ କହିଥିଲା. ମାଆ ଆସିବା ପରେ ଦେଖାଗଲା ଚୋରଟି ଦଉଡି ଦଉଡି ଆସି ମାଆ କାନକୁ କାମୁଡି ଦେଇଥିଲା. ସମସ୍ତେ ଏହାର କାରଣ କଣ ଜାଣିବାକୁ ଚାହିଁଥିଲେ. ଚୋର କହିଲା ସେ ଯେବେ ପ୍ରଥମେ ପ୍ରଥମେ ଗାଁରେ, ଆ ତା ବାଡ଼ିରୁ ଚୋରୀ କରି ପଣସ,ନଡ଼ିଆ କି କାକୁଡି ନେଇ ଆସୁଥିଲା ମାଆ ପ୍ରତିବାଦ କରୁନଥିଲା. ମାଆ ପିଲାର ପ୍ରଥମ ଗୁରୁ ହୋଇ ଏଭଳି ପ୍ରଶୟ ଦେଇଥିବାରୁ ଆଜି ମୁଁ ବଡ଼ ଚୋର ହୋଇ ଶେଷକୁ ଫାଶୀ ପାଇବାକୁ ଯାଉଛି କହି କାନ୍ଦୁଥିଲା ବେଳେ ମାଆ କହିଥିଲା ହଁ ଜର୍ଜ ମହୋଦୟ ମୁଁ ହିଁ ଦାୟୀ ତେଣୁ ମତେ ଫାଶୀ ଦିଆଯାଉ. ଶେଷକୁ ବିଚାର ହୋଇ ଗରୀବ ପେଟର ନାଟ ପାଇଁ ମଣିଷ ହୁଡ଼େ ହୁଡ଼େ ବାଟ ବୋଲି ଦର୍ଶାଇ ମାଆ ପୁଅଙ୍କୁ ସେଦିନ ଖଲାସ କରିଦେଇଥିଲେ ଜର୍ଜ ସାହେବ.ସବୁ ଲୋକ ମାଆ କେଵେ ଖରାପ କଥା କରିବାକୁ କହେନାହିଁ.ଏଠି ନିଶ୍ଚିନ୍ତ କୋଉଠି ନା କୋଉଠି ଭୁଲ ବୁଝାମଣା ରହିଛି କହି ନାରାବାଜି ଦେଉଥିଲେ. ଏତିକି କହି ରାଜୁ ଓ ମୀନାର ମାଆ କହିଥିଲେ ମତେ ଆଜି କିନ୍ତୁ ଫାଶୀ ପାଇଲା ପରି ଲାଗୁଛି କାରଣ ମୋ ପୁଅ ରାଜୁ ବ୍ୟାଗରେ ନୂଆ ପିଚକାରୀ ଦେଖି ସେଦିନୁ ମୋର କିଛି ବୁଝିଯିବାର ଥିଲା. ରାଜୁ ନିଜ ଭୁଲ ବୁଝି ଭବିଷ୍ୟତରେ ଭଲମଣିଷ ହେବାକୁ ଶପଥ ନେଇଥିଲା.ଏବେ ରାଜୁ ପୋଲିସ ଅଫିସର ଓ ମୀନା କଲେକ୍ଟର. କିନ୍ତୁ ଏହା ଦେଖିବା ପାଇଁ ବିଚାରୀ ମାଆଟିର ପ୍ରାଣପକ୍ଷୀ ଦୁନିଆଁ ଛାଡି ଉଡି ଯାଇଥିଲା ସେଇ ଅଫେରା ରାଇଜକୁ.
