STORYMIRROR

suchismita Panda

Children Stories Inspirational

3  

suchismita Panda

Children Stories Inspirational

ଫୁଲ ବଗିଚା

ଫୁଲ ବଗିଚା

3 mins
277

   ବାପାଙ୍କ ଅମଳରୁ ଆମେ ଆସି ଦିଲ୍ଲୀ ସହରରେ ପ୍ରତିଷ୍ଠିତ ହୋଇସାରିଥାଉ । ତେଣୁ ଗାଆଁକୁ ଯିବାର ସୁଯୋଗ, ସୁବିଧା ଏବଂ ଇଚ୍ଛା ଆମ ଭିତରେ ବହୁତ କମ ଆସେ । ଖାସ କରି ମୋ କଥା କହିବାକୁ ଗଲେ ମୁଁ କେବେ ମଧ୍ୟ ଯିବାକୁ ଚାହେଁ ନାହିଁ । ଗାଆଁରେ କାଦୁଅ ରାସ୍ତା ଥିବ, ଗାଧୋଇବାକୁ ବାତ୍ଥରୁମ ନଥାଇ ନଦୀ ଥିବ । ସେଠି ଅର୍ଦ୍ଧବସ୍ତ୍ରରେ କେମିତି ଗାଧୋଇବାକୁ ପଡିବ ମୁଁ ଜାଣେନା । ପୁଣି ଲାଇନ୍ ସବୁବେଳେ ଅସୁବିଧା । ନେଟ୍‌ୱାର୍କ୍‌ ଥିବ କି ନାଇଁ କିଏ ଜାଣେ । ସେଥିପାଇଁ ଯେବେ ବି ଗାଆଁକୁ ଯିବା କଥା ପଡେ ମୁଁ ବାଟ ଓଗାଳି ବସେ । ଖିଟ୍ ପିଟ୍ ଆରମ୍ଭ କରେ।ମୁହଁ ଫୁଲାଏ । ନଖାଇ ଜିଦ୍ ଧରେ । ଫଳ ହୁଏ ଆମ ଯିବା ରଦ୍ଦ ହୋଇଯାଏ । 

    

   ସବୁବେଳେ ପରିସ୍ଥିତି ତ ସମାନ ହୁଏ ନାହିଁ । ଠିକ୍ ସେମିତି ହିଁ ହେଲା । ଅନେକ କାକୁତିକୁ ତୁଚ୍ଛା କରି ଗାଆଁକୁ ଆସିବାକୁ ହିଁ ପଡିଲା । ଭାଇର ଭାରି ମନ ଥାଏ ସେଇ ଗାଆଁ ମାଟିରେ ହିଁ ବ୍ରତ ହେବାକୁ । ଖାସ ସେଇଥିପାଇଁ ହିଁ ଆମେ ସମସ୍ତେ ଆସିଥାଉ ଦୀର୍ଘ ପନ୍ଦର ଦିନ ପାଇଁ । ମୋତେ ଭାର ଅଡୁଆ ଲାଗେ । ହେଲେ ଗାଆଁର ତିନି ମହଲା ବିଶିଷ୍ଟ ପକ୍କା ଘର, ମଟର ପମ୍ପରେ ପାଣିର ଅନବରତ ସୁବିଧା, ଏମିତିକି ଜଳ ସଂକଟ ହିଁ ନାହିଁ ପୁଣି ଗାଧୁଆ ଘର ଦୁଇଟି ତତ୍ ସହ ସବୁବେଳେ ନେଟ୍‌ୱାର୍କ୍‌ର ସବୁବେଳେ ସୁବିଧା ମୋ ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆଣିଦେଇଥାଏ । ହେଲେ ସେଠିକାର ଚାଲି ଚଳଣି, ପୋଷାକ ପରିଚ୍ଛଦ ମୋତେ ଭାରି ଅଡୁଆ ଲାଗେ । ମାମାଙ୍କୁ ଶାଢୀରେ ଦେଖିବାକୁ ମିଳୁଥାଏ ସବୁବେଳେ । ସକାଳ ୫ଟା ପୂର୍ବରୁ ବିଛଣା ଛାଡିବାର ନୀତି ଭିତରେ ମୁଁ ଥକି ଯାଇଥାଏ । ମନେ ମନେ ଦିନ ଗଣିଚାଲେ । କେବେ ସବୁ ସରିବ ମୁଁ ଦିଲ୍ଲୀକୁ ଫେରିବି ସେଇ ଚିନ୍ତାରେ ବିବ୍ରତ ହେଉଥାଏ ।

    ଦିନେ ମୋ ଜେଜେବାପାଙ୍କ ଭାଇ ଆମ ସଭିଙ୍କୁ ନଦୀ ବୁଲେଇବାକୁ ନେଇ ଯାଅନ୍ତି । କିଛି ତ ମନ ପରିବର୍ତ୍ତନ କରିବାର ସୁଯୋଗ ମିଳିଛି ଭାବି ମୁଁ ଖୁସିରେ ଯାଏ । ଅଧା ବାଟ ଗଲା ପରେ ଦେଖେ ସବୁପଟ ଧଳା ଦେଖାଯାଉଛି । ନଦୀର ଜଳ ତ ନୀଳ କିମ୍ବା କଳା ଲାଗେ ହେଲେ ଏମିତି ଧଳା କଣ ବୁଝିପାରୁନଥାଏ । ପାଖକୁ ଯାଇ ଦେଖେ ଫୁଲର ବଗିଚା । ଏକ ବିଶାଳ ବଗିଚାରେ କେବଳ ଲାଗିଲା ଧଳା ଫୁଲ । ସେ ଫୁଲ କେବେ ଆଗରୁ ଦେଖି ନଥିଲି । ଭାରି ଆଶ୍ଚର୍ଯ୍ୟ ଲାଗେ ମୋତେ । ସାନ ଜେଜେଙ୍କୁ ପଚାରେ ଏ କି ଚାଷ । କିଏ କରିଛନ୍ତି । ସେ ହସି ହସି କହନ୍ତି- "ନାଇଁ ଲୋ ମା, ଏଇଟା କେହି ଚାଷ କରିନାହାନ୍ତି । ଏସବୁ ଭଗବାନଙ୍କ ଦାନ । ଶରତ ଆସୁ ଆସୁ ନଦୀ କୂଳେ କୂଳେ ଏଇ ଫୁଲ ଭରିଯାଏ । ତା ସୌନ୍ଦର୍ଯ୍ୟରେ ଧରଣୀକୁ ସଜାଇ ଦିଏ । " ଏଇ ଫୁଲର ନାଁ କଣ ସାନଜେଜେ ବୋଲି ପ୍ରଶ୍ନ କରି ମୁଁ ସେଇ ଫୁଲଙ୍କ ନିକଟତର ହୋଇ ହାତରେ ସ୍ପର୍ଶ କରିଚାଲେ । ସାନଜେଜେ କହନ୍ତି- "କାଶତଣ୍ଡୀ "। 

   ସାନଜେଜେଙ୍କ ଠାରୁ ଶୁଣିବା ପରେ ମୁଁ ଆପେ ଆପେ ତତକ୍ଷଣାତ୍ ଗାଇଚାଲେ 

    କାଶତଣ୍ଡୀ ଫୁଲରେ କାଶତଣ୍ଡୀ ଫୁଲ

    ପ୍ରଭୁଙ୍କର ତୁ ଯେ ଏକ ରତ୍ନ ଅମୂଲ୍ୟ ।

    ଧବଳମୁଖୀ ବେଶରେ ସଜାଇ ଧରାକୁ

    ମୋହି ନେଉ ଚିତ୍ତ ଦେଖାଇ ତୋ ରୂପକୁ ।

  ମୋ କଥା ସରିବା ପରେ ଦଲକାଏ ପବନରେ କାଶତଣ୍ଡୀ ଫୁଲ ଢେଉ ଢେଉକା ପରି ଲହରୀ ମାଳ ତା ଦେହରେ ଖେଳାଇ ଦିଏ । ଯାହା ମନେ ହୁଏ ସତେ ଯେମିତି ମୋ କଥା ପଦକରେ ସେ ଖୁସି ହୋଇ ନାଚ କରୁଛି । ମୁଁ ସେଠି ସେଦିନ ମୁଗ୍ଧ ହୋଇଥାଏ । ଫେରିବାକୁ ମନ ନହେଲେ ମଧ୍ୟ ଅନ୍ଧାର ଆସୁଥିବା ଦେଖି ଫେରିବାକୁ ହୁଏ ।।ହେଲେ ଫେରିବା ବେଳେ ମନ ମୋର ବଦଳି ଯାଏ । ମୁଁ ସବୁ ବର୍ଷ ଏଇ ଶରତ ମାସରେ ଗାଆଁକୁ ଆସିବାର ମନ ବନାଇ ନିଏ ।

   ବାପାଙ୍କୁ ଯାଇ କହେ । ତା ସହ ତାଙ୍କଠୁ କଥା ନିଏ ଯେ ମୋତେ ସବୁ ବର୍ଷ ଆଣିବେ ବୁଲେଇବାକୁ । ବାପା ମୋ ଓଠରେ ଗାଆଁକୁ ଆସିବାର କଥା, ଆଖିରେ ଖୁସିର ଲହରୀ ଦେଖି ମୋତେ କୋଳେଇ ଧରି କହନ୍ତି ନିଶ୍ଚୟ ଆଣିବୀ ମୋ ମାଆ । ତୁ ଯେବେ ଯେତେବେଳେ କହିବୁ ଆଣିବି ତୋତେ । ବାପାଙ୍କ କଥା ଶୁଣି ମୁଁ ପୁଣି ଆମ ଗାଆଁ ଘରେ ଥିବା ଲୋକଙ୍କ ସହ ମିଶିଯାଏ ଖୁସିରେ ।    



Rate this content
Log in