Pranati Mahapatra

Others

2  

Pranati Mahapatra

Others

ପହିଲି ପରଶ

ପହିଲି ପରଶ

2 mins
54


ହଁ… ତାହା ହିଁ ତ ଥିଲା ତୁମର ପ୍ରଥମ ପରଶ, ମଧୁର ଛୁଆଁ ଆଉ ଅପୂର୍ବ ଆକର୍ଷଣ ମୋ ପାଇଁ। ଖୁବ୍ ଆପଣାର ସେହି ଏକଲା ପଣର।ବହୁତ ସୁନ୍ଦର ଥିଲି କେବଳ ଆଉ କେବଳ ତୁମ ଆଖିରେ।

ଆହାଃ, ବୋଧହୁଏ ମୁଁ କିଛି ଅନୁଭବ କରି ପାରୁ ନଥିଲି, କାହିଁକି ନା ମୁଁ ବୋଧହୁଏ ତୁମକୁ ଜାଣି ପାରୁନଥିଲି।

ଜାଣିଲି ମୁଁ ଯେଉଁ ଦିନ, ମନେ ପଡେ ସେଦିନର ସେହି ମଧୁ ଛୁଆଁ ପୁଣି ମଧୁର ଚୁମ୍ବନ ମୋ କପାଳରେ। ଆଃ,କି ମିଠା, କି ଆନନ୍ଦ,କି ଶିହରଣ ମୋ ଦେହରେ ଖେଳିଯାଏ ସତେ ! ହେଲେ କେଜାଣି କାହିଁକି ମୋତେ ଲାଗୁଥିଲା ତୁମେ ମୋ ଠାରୁ ଆଉ କାହାକୁ ବି ବହୁତ ଭଲ ପାଉଥିଲ, ଅଭିମାନରେ ତୁମଠାରୁ ଦୂରେଇ ଯାଉଥିଲି ଚାରି ଛଅ ଇଞ୍ଚ ଦୂରକୁ ।

ରାଗମିଶା ସ୍ୱରରେ ବି ପ୍ରତିବାଦ କରୁଥିଲି ଆଉ ଜୋରରେ ଗୋଡ଼ ବାଡେଇ କହୁଥିଲି, ତୁମେ ମୋ ଠାରୁ କାହାକୁ ଅଧିକ ଭଲ ପାଅ ଯେ,ମୁଁ ଜମ୍ମା ଆଜି ଖାଇବିନି କି ଶୋଇବିନି।ତୁମେ କାହିଁକି ଆଉ କାହାକୁ ବେଶୀ ଭଲ ପାଉଛ।

ଆଉ ତା ପରେ ତୁମେ ଖୁବ୍ ଜୋରରେ ମୋତେ ଭିଡି ଧରି ମୋତେ ତୁମ ବାହୁବନ୍ଧନରେ ବାନ୍ଧି ଦେଇ,ମୋର ଦୁଇ ଗାଲରେ ହୃଦୟରୁ ସବୁତକ ଭଲପାଇବା ଓଠ ମାଧ୍ୟମରେ ପ୍ରକାଶ କରିବା ସହ ମିଠା ମିଠା କଥା କହି ମୋ ମନକୁ ଭୁଲେଇ ଦିଅ।

ଆହାଃ, ସେହି ପ୍ରଥମ ପରଶ ଆଉ ପହିଲି ଚୁମ୍ବନ ,ଯେଉଁ ଦିନ ଠାରୁ ଅନୁଭବ କଲି ,ସବୁବେଳେ ସେହି କଥା ଭାବେ।

କାହିଁକି ନା ସେ ପରା ସେହି ମଧୁର ମଧୁ,ନପହିଲି ପରଶ ।କିଏ ବା ଭୁଲି ପାରିବ ସେହି ଅବିସ୍ମରଣୀୟ ଅନୁଭବକୁ।

ନିରୋଳାରେ,ଏକଲା ବେଳେ, ଆଉ ନିରାଶ ପୁଣି କଷ୍ଟ ହେଲେ ସେ ଅଭୁଲା ପରଶକୁ ଭାରି ଖୋଜେ ।

ଏବେ ବି,ଏହି ବୟସରେ ଖୋଜେ ସେହି ପହିଲି ପରଶ ଆଉ ମଧୁର ଚୁମ୍ବନକୁ।

ପୁଣି ଥରେ କୋଳକୁ ଆଉଜେଇ ଗେଲ ଟିକେ କରିବାର ଅଭିପ୍ସା ଜାଗି ଉଠେ ମନରେ।

ମୁଁ ତ ଏବେ ଯୋଜନ ଯୋଜନ କୋଶ ଦୂରରେ ,ପରଗୋତ୍ରୀ ପୁଣି ଆଉ କାହାର ସ୍ତ୍ରୀ, ବୋହୁ, ମାଆ ଏମିତି କେତେ କ'ଣ।

ସେ ବେଡି ବନ୍ଧନକୁ କାଟି ସହଜରେ ତ ଯାଇ ପାରେନା ତୁମ ପାଖକୁ କି ପାଇ ପାରେନା ସେ ପହିଲି ପରଶ,ମଧୁର ଚୁମ୍ବନ କପାଳରେ।

କିଏ ଆଉ କରିବ ମୋତେ ଏମିତି ଆପଣାର ଆଉ ବାନ୍ଧି ପାରିବ ସେ ମମତା ବନ୍ଧନର ବେଡି।ସେଦିନ ଠାରୁ ତୁମର ପହିଲି ପରଶରେ ଆଜି ଯାଏ ମୁଁ ବନ୍ଦୀ ଯେ ଏ ବୟସରେ ବି ମୁକୁଳି ପାରୁନି।

ସତରେ କି ଆପଣାପଣ ଆଉ କି ମଧୁବୋଳା ମଧୁର ଚୁମ୍ବନ ପୁଣି .ସେହି ପହିଲି ପରଶ।


ତଥାପି ଅପେକ୍ଷା କରିଛି ତୁମକୁ, ଭେଟ ହେଲେ ଆଦାୟ କରିନେବି ।ଏମିତି ଏମିତି ସବୁ ଜନ୍ମରେ ତୁମ କୋଳରେ ମୋ ପାଇଁ ଜାଗାଟିଏ ପାଇଁ ଗୁହାରି କରିବି ମୋ କାଳିଆକୁ।


ଏ ଲେଖାଟି ସମର୍ପିତ ମୋ ଚଳନ୍ତି ଦିବ୍ୟାତ୍ମାଙ୍କୁ।



Rate this content
Log in