Jyotiranjan Sahu

Others

5.0  

Jyotiranjan Sahu

Others

ଫେୟାର ଏଣ୍ଡ ଲଭ୍ଲି

ଫେୟାର ଏଣ୍ଡ ଲଭ୍ଲି

2 mins
573



ନାଁ'ଟା ଗୋରି । ହେଲେ ନାଁ'ର ଠିକ୍ ବିପରୀତ ତା ଶରୀରର ରଙ୍ଗ । ରାଜଧାନୀର ଉପକଣ୍ଠରେ ଗଢିଉଠିଥିବା ବସ୍ତିରେ କଟିଯାଇଛି ତାର ଶୈଶବ । ଏବେ ଏବେ ନୂଆକରି ଯୌବନରେ ପାଦଥାପିଛି ଗୋରି । ସହର ର କିଛି ନାଁକରା ବଡଲୋକ ଘରେ ଚାକରାଣୀ କାମ କରି ସେ ନିଜର ପେଟ ପୋଷୁଛି । ହସହସ ମୁହଁଟା ଭିତରେ କିନ୍ତୁ ନିଜ କଳାରଙ୍ଗକୁ ନେଇ ମନରେ ତାର ଭାରି ଅବଶୋଶ । ସେଦିନ ବାବୁଆଣିଙ୍କୁ ପଚାରିଲା " ଜାଣିଛ ମା ! ମୋ ମା କହୁଛି ତୋତେ କିଏ ବାହା ହେବ ! ତୁ କାଳି ଡାହାଣୀ ଭଳିଆ ଦିଶୁଛୁ ! ଆଚ୍ଛା ମା ! ମୋତେ କହିଲ ତୁମେ ଏତେ ଗୋରି କେମିତି ହେଲ ? ତୁମେ ଗୋରି ବୋଲି ବାବୁ ତୁମକୁ କେତେ ଭଲପାଆନ୍ତି " ! ବାବୁଆଣି ହସିହସି କହିଲେ " ଆଲୋ ! ତୁ ଫେୟାର ଏଣ୍ଡ ଲଭ୍ଲି କ୍ରିମ ଲଗଉନୁ ! ଗୋରି ହୋଇଯିବୁ " । ଏକଥା ଶୁଣି ଗୋରି କହିଲା " ହେଉ ମା ! ବଜାର ଗଲେ ମୋ ପାଇଁ ଖଣ୍ଡେ ଆଣିଦେଇଥିବ । ଯାହା ନେବ ଦରମାରୁ କାଟିଦେବ "। ତା ଗାଲକୁ ଚିମୁଟି ଦେଇ ବାବୁଆଣି କହିଲେ " ଆଲୋ ଦରମାରୁ କାହିଁକି କାଟିବି ! ସେଇଟା ତୋର ଗିଫ୍ଟ " ! 


      ସେହି ଦିନ ସଂଧ୍ୟାବେଳେ ଗୋରି ରୋଷେଇ ଘରଟା ସଫା କରୁକରୁ ହଠାତ୍ ଦୁଇଟି ବଳିଷ୍ଠ ହାତ ତା ହାତ ଦୁଇଟିକୁ ଖୁବ୍ ଜୋର୍ ଜାବୁଡିଧରିଲା । କିଛି ଗୋଟିଏ ମନ୍ଦ ଉଦ୍ଦେଶ୍ୟ ଜାଣି ବୁଲିପଡିଲା ଗୋରି । ଆଶ୍ଚର୍ଯ୍ୟ ହୋଇପାଟିକରି କହିଲା " ବାବୁ ! ଆପଣ " ! ଧକ୍କାଟିଏ ଦେଇ ସେ ଦୌଡିଗଲା ଦାଣ୍ଡ ଘରକୁ । ସେତିକି ବେଳେ ବଜାରରୁ ଫେରି ଘରକୁ ପଶୁଥାଆନ୍ତି ବାବୁଆଣି । ହାତରେ ଥାଏ ଫେୟାର ଏଣ୍ଡ ଲଭ୍ଲି କ୍ରିମ । ସେଇଟିକୁ ଗୋରି ହାତରେ ବଢାଇ ଦେଉଦେଉ କହିଲେ " ଏଇଟା ଲଗା । ଗୋରି ଦିଶିବୁ । ଆଉ ତୋ ବାହାଘର ବି ଗୋଟେ ରାଜକୁମାର ସହ ହୋଇଯିବ " । ଥରଥର ହାତରେ କ୍ରିମ୍ ଟିକୁ ଧରି ଗୋରି ଭାବୁଥାଏ ' ଏହି ଫେୟାର ଏଣ୍ଡ ଲଭ୍ଲି କ୍ରିମ୍ ରେ ମୁଁ ଗୋରି ହେବି କି କାଳି ଡାହାଣି ଥିବି ଜାଣାନାହିଁ ; କିନ୍ତୁ ଏତିକି ଜାଣିଲି ଏ ସମାଜରେ ବ୍ୟାପିଥିବା ଭଦ୍ରମୁଖା ପିନ୍ଧା କାମ ପିପାସୁ ଡାହାଣା ଗୁଡାକ ହେଲେ ବର୍ଣ୍ଣାନ୍ଧ ' ॥


( ରେଡିଓ ଚକଲେଟ୍ ୧୦୪ ଦ୍ବାରା ଆୟୋଜିତ ଅଣୁ ଗଳ୍ପ ପ୍ରତିଯୋଗିତାରେ ପୁରସ୍କୃତ ଗଳ୍ପ )




Rate this content
Log in