Jyotiranjan Sahu

Others

3  

Jyotiranjan Sahu

Others

ପଦୁଅଁ ଘୁଗୁନି

ପଦୁଅଁ ଘୁଗୁନି

2 mins
350



ଆଜି ରଥ ଉପରେ କାଳିଆକୁ ଦର୍ଶନ କରିବାକୁ ବହୁ ଦୂରରୁ ଚାଲିଆସିଛନ୍ତି ହଳଧର ବାବୁ । ମୁହଁରେ ବୟସର ଛାପଟା ଯଦିଓ ପଡିଯାଇଛି କିନ୍ତୁ କ୍ଳାନ୍ତିର ଛାପଟା ଏଯାଏଁ ପାଖକୁ ଆସିନି । ରଥର ଭିଡ ଭିତରେ ଧକ୍କା ଖାଉଖାଉ ତାଙ୍କ ସହ ତରୁଣ ବୟସ ଯୁବକ ହରିର ସମ୍ୟକ ପରିଚୟ ହେଲା । ବହୁ ଦୂରରୁ ସୁଦୂର ମୟୂରଭଞରୁ ସେ ଆସିଥିଲା କାଳିଆକୁ ଟିକିଏ ଦେଖିବେ ବୋଲି । ବହୁତ କସରତ କରି ହରି ଆଉ ହଳଧର ବାବୁ ରଥ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥାଆନ୍ତି । କାଳିଆ ଆହୁରି ଖଣ୍ଡେ ବାଟରେ ଅଛି । ମୋଟା ଚଷମା ଲଗା ଆଖିକୁ କଣ ଦୂରରୁ ଭଲକି ଦେଖା ଯାଉଛି ଯେ ହଳଧର ବାବୁ ଦେଖିବେ ! ତେଣୁ ସେ ଖୁବ୍ କସରତରେ ଲାଗିପଡିଥାଆନ୍ତି ଟିକିଏ ପାଖରୁ କେମିତି କାଳିଆକୁ ଦେଖିବେ । ସେତିକି ବେଳେ ପୋଲିସ୍ ଆସି କହିଲା " ଚାଲ ଚାଲ ଚାଲ ! ଦୂରକୁ ଚାଲ । ମିନିଷ୍ଟର ସାର୍ ଆସୁଛନ୍ତି ରଥ ପାଖକୁ " । ଏହି କଥାରେ ଖୁବ୍ ଚିଡିଗଲେ ହଳଧର ବାବୁ । ହରିକୁ ଚିଡିଚିଡି ହୋଇ କହିଲେ " କୋଉ ମିନିଷ୍ଟର କିହୋ ? କାଳିଆ ଆଗରେ ପରା ସବୁ ସମାନ ! ଏମାନଙ୍କୁ ସିଧାସିଧା ତାପାଖକୁ ଯିବାକୁ କାଳିଆ ଅନୁମତି ଦେଉଛି କେମିତି ? ହୋଇରେ କାଳିଆ ! ଏ ଗୁଳୁଗୁଳିରେ ଆମର ଅବସ୍ଥା କଣ ଜାଣିପାରୁଛୁ ଟି ? ତୋ ପାଖକୁ ପହଞ୍ଚି ପାରବା ତ " ! ହରି ହସିଦେଇ କହିଲା " ମଉସା ! କଣ ପାଇଁ ଏ ବୟସରେ ରଥ ଟଣା ଭିଡରେ ପଶିଛ କହିଲ ? କାଳିଆର ପରା କାନ ନାହିଁ ସେ କଣ ତୁମ କଥା ଶୁଣି ପାରିବ ? ପାରୁଛ ଯଦି ଯେତେ ପାର ଗାଳି କର ତାକୁ । ଅନ୍ତତଃ ତୁମ ମନଟା ହାଲୁକା ହୋଇଯିବ " । ହରି କଥା ଶୁଣି ହଳଧର ବାବୁ ହସିହସି କହିଲେ " ବୁଝିଲ ପୁଅ ! ସେ ଶୁଣି ପାରୁନାହିଁ ବୋଲି ତ ତାକୁ ଦେଖାଇବାକୁ ଆସିଛି ! ଏଇ ସୁଦାମା ! ସୁଦାମାର ଖୁଦକୁ ଦେଖି ଖାଇଲା ବୋଲି ଧନ ଓଜାଡିଦେଲା । ମାଣିକ ଗଉଡୁଣୀର ଦହି ଖାଇ ରତ୍ନ ମୁଦ୍ରିକା ଦେଇଦେଲା ; ଆଉ ମଥୁରା କଂସ ମାମୁଁ ପାଖକୁ ଗଲାବେଳ ମାଲୁଣୀ ତ୍ରିବକ୍ରା କୁବୁଜିର କୁଜକୁ ଦେଖି ତାକୁ ସୁନ୍ଦରୀ ତରୁଣୀ କରିଦେଲା । ହେଲେ ବୁଝିପାରୁନି ଆଜି ଏତେ ବଡବଡ ଆଖିରେ ଦେଖିଲେବି ସେ କେମିତି କିଛି ନଦେଖିଲା ଭଳିଆ କାଠେଇ ହୋଇ ବସିଛି ! ସେଇଥିପାଇଁ ତାକୁ କିଛି ଦେଖେଇବାକୁ ଆସିଛି ! କେବେ ଆଉ ସିଏ ଏ ସଉତୁଣୀ ଝଗଡାଟା ସମାଧାନ କରିବ " ! ଏତିକି କହି ସେ ନିଜ ଅଣ୍ଟାରୁ ଖବର କାଗଜଟେ ବାହାର କଲେ । କହିଲେ " ଦେଖିଲ ବାପା ! ଏ କାଳିଆଟା କେତେ କଣ ଖାଇଯାଉଛି ! କେବେ ଷାଠିଏ ପଉଟି ଭୋଗ ଖାଉଛି ତ କେତେବେଳେ ବଡବଡିଆଙ୍କ ଦାନ ! ହେଲେ ଏଇ ପେପରରେ ଦେଖୁନ କେହି ଜଣେ ପଦ୍ମଶ୍ରୀ ପାଇଥିବା ମହାନ ଲୋକଟିଏ କୁଆଡେ ଭଲ ଘୁଗୁନି ଆଳୁକଷା ରଥରେ ବିକୁଛି ! ଏ କାଳିଆଟା ତ ବଡପେଟିଆଟା । ଯଦି ଥରେ ସେ ପଦୁଅଁ ଘୁଗୁନି ଆଉ ଆଳୁକଷା ଟିକିଏ ଖାଇ ଦିଅନ୍ତା ନା ତାହା ହେଲେ ବୋଧହୁଏ ଏ ଲକ୍ଷ୍ମୀ ସରସ୍ବତୀ ସଉତୁଣୀ ବିବାଦଟା ସବୁଦିନ ପାଇଁ ମେଣ୍ଟିଯାଆନ୍ତା " ! ! ! ନିର୍ବିକାର ହୋଇ ଚାହିଁଥିବା ହରି ବୋଧହୁଏ ସେତେବେଳେ ହଳଧର ବାବୁଙ୍କ କଥା ବୁଝିବାକୁ ସମର୍ଥ ନଥିଲା କାହିଁକିନା ଏପଟେ ଅଭିଜ୍ଞତାର ଅଭାବ ସେପଟେ ହଜାର ହଜାର ଲୋକଙ୍କ କୋଳାହଳ ଭିତରେ ଜଗାର ରଥ ଟଣା ସମୟ ଆସି ଉପନୀତ ! ! !




Rate this content
Log in