T.Durga Prasad Rao

Others

3.0  

T.Durga Prasad Rao

Others

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

2 mins
789



- କଣ କହିଲୁ ଭଲ ପାଉଛୁ? ଆମ ଘରେ ଚଉଦ ପୁରୁଷରେ କିଏ ଭଲ ପାଇ ବାହା ହେଇଛି? ଆଉ ତୁ ଭାବୁଛୁ ଏକଥା ମୁଁ ତୋ ବାପାଙ୍କୁ କହି ତାଙ୍କୁ ମନେଇବି? ମୋର ଯିବା ସମୟ ହେଲାଣି ନା କଣ?

- କିନ୍ତୁ...

- ଦେଖ, ଖବରଦାର୍। ତୋ ବାପାଙ୍କୁ କିଛି କହିବୁନୁ,ଠିଆ ଚିରିଦେବେ। ଝିଅମାନଙ୍କର ପୁଣି ମନ ଗୋଟେ କଣ ବା? ଯେଉଁଠି ସ୍ଥିର କରିଛନ୍ତି, ସେଇଠି ବାହା ହେବୁ ବୁଝିଲୁ।

ନିଜ ମାଆଙ୍କ କଥା ଶୁଣି ମାନୀ କାନ୍ଦୁଣୁ ମାନ୍ଦୁଣୁ ଉଠି ଯାଇ ଶୟନ କକ୍ଷରେ ପହଞ୍ଚି ତକିଆ ଭିଜାଇ ଦେଲା। ସେ ଏବେ କଣ କରିବ?

କଣ କରିବ ଚିନ୍ତା ଭିତରେ କନ୍ୟା ଦେଖାଚାହାଁ ସରିଗଲା। ମାନୀ ମୁହଁ ଉଠେଇ ଚାହିଁଲା ବି ନାହିଁ ବରକୁ। କାହିଁକି ବା ଚାହିଁବ? ସେ ତ ତାର ମନର ମଣିଷ ନୁହଁନ୍ତି। ଧୀରେ ଧୀରେ ବାହାଘର ପାଖେଇ ଆସିଲା। ହୃଦୟ ଭିତରେ ଅସରନ୍ତି କୋହ ନେଇ ମାନୀ ଆଉଟୁପାଉଟୁ ହେଉଛି। ରାତିଟା ତାର ଅନିଦ୍ରାରେ ବିତୁଛି ଭଲପାଇବାର ସ୍ମୃତିଚାରଣ କରି। ସମୟ ଯେତିକି ନିକଟତର ହେଉଛି, ସମ୍ବିତ୍.ଙ୍କୁ ହରାଇବାର ଆଶଙ୍କାରେ ମନଟା ସେତିକି ଚହଲି ଉଠୁଛି। ଭାରି ରାଗ ହେଉଛି ସମ୍ବିତ୍ ଉପରେ। ସେ ସିନା ଝିଅଟିଏ, କିଛି କରି ପାରୁନାହିଁ, ବାପାଙ୍କୁ ସାମ୍ନା କରି ପାରୁନାହିଁ। ସମ୍ବିତ୍ ଚାହିଁଲେ କଣ କିଛି ପଦକ୍ଷେପ ନେଇପାରନ୍ତେନି, ସେମାନେ କୌଣସି ମତେ ଏକତ୍ର ହୋଇପାରନ୍ତେନି?

ଦେଖୁ ଦେଖୁ ବାହାଘର ଦିନ ଆସି ପହଞ୍ଚିଲା। ଛାତିରେ ପଥର ଲଦି ବେଦୀରେ ବସିଛି ମାନୀ। ଆଖି ଝଲ୍ସା ସାଜସଜ୍ଜା, ଆୟୋଜନ, କୋଳାହଳ କେଉଁଥିରେ ଆଗ୍ରହ ନାହିଁ ମାନୀର। ସେ ତଳକୁ ମୁହଁ ପୋତି ବସିଛି। ଫେରା ପାଇଁ କିଏ ଜଣେ ତାର କାଣୀ ଆଙ୍ଗୁଠି ଟାଣି ନେଇ ବର ହାତରେ ଧରାଇ ଦେଇଛି। ମାନୀର ଶରୀର ଥରି ଉଠିଲା। ସ୍ପର୍ଶ ଆପଣାର ମନେ ହେଲା। ବିବାହ ଏକ ପବିତ୍ର ବନ୍ଧନ। ସେ ବନ୍ଧନରେ ଆପଣା ପରିଜନ ତ ସାକ୍ଷୀ ରୂପେ ରହି ସ୍ୱ ସ୍ୱ ଆଶୀର୍ବାଦ ବରକନ୍ୟାଙ୍କୁ ପ୍ରଦାନ କରନ୍ତି, ତା ସହିତ ବି ସାକ୍ଷୀ ରହନ୍ତି ଅଗ୍ନି, ଦଶ ଦିଗପାଳ ଏବଂ ତେତିଶି କୋଟି ଦେବାଦେବୀ। କହନ୍ତି ବିବାହ ସ୍ୱର୍ଗରେ ସ୍ଥିରୀକୃତ ହୋଇଥାଏ। ଏଠି ଆପଣାର ମନମର୍ଜି ଜମା ଚାଲେନା। ତାହେଲେ ମାନୀ କଣ ଏତେ ଶୀଘ୍ର ସମ୍ବିତ୍.ଙ୍କୁ ଭୁଲି ୟାଙ୍କୁ ନିଜର ବୋଲି ଭାବି ସାରିଲାଣି? ଲୁହ ଦୁଇଟୋପା ଖସି ଆସିଲା ମାନୀର ଚକ୍ଷୁରୁ।

ବାସର ରାତିରେ ମାନୀ ଓଢ଼ଣା ଦେଇ ବସିଛି ପଲଙ୍କ ଉପରେ। ଉଦାସୀନ ଭାବରେ ରୋମନ୍ଥନ କରୁଛି ତାର ଉଜୁଡ଼ା ପ୍ରେମକାହାଣୀ। ତା ହୃଦୟର କୋଣେ ଅନୁକୋଣେ ସମ୍ବିତ୍ ବସା ବାନ୍ଧି ରହିଛନ୍ତି। ମନେ ମନେ ସେ ତାଙ୍କୁ ଇ ନିଜର ଇହକାଳ ପରକାଳର ଦେବତା ବୋଲି ଧରି ନେଇଛି। ମନ ଓ ହୃଦୟ ବିଦ୍ରୋହ କରି ବସୁଛି ଯାହା ଘଟିଯାଇଛି ତାକୁ ସ୍ୱୀକାର କରିବାରେ। ଏବେ ତା ସ୍ୱାମୀଙ୍କୁ ନେଇ କେଉଁ ହୃଦୟରେ ସ୍ଥାନ ଦେବ? ମାନୀ ଭାବୁଛି, ଯେଉଁ ଝିଅମାନଙ୍କର ପତି ଚୟନର କୌଣସି ଅଧିକାର ନାହିଁ, ସେମାନଙ୍କ ଛାତିରେ ଈଶ୍ୱର ଦୁଇ ଦୁଇଟା ହୃଦୟ କାହିଁକି ଦେଲେନି? ସେ ଏବେ ଗୋଟିଏ ହୃଦୟକୁ କେମିତି ଭାଗବଣ୍ଚା କରିବ ତା ସମ୍ବିତ୍ ଆଉ ସ୍ୱାମୀଙ୍କ ଭିତରେ?

ଦରଜା ଖୋଲିବାର ଶବ୍ଦରେ ଚମକି ପଡ଼ିଲା ମାନୀ। ସେ ଆସି ତାର ପାଖରେ ବସିଲେ। ଖୋଲିଦେଲେ ତାର ଓଢ଼ଣା। ଚିବୁକ ଧରି ମୁହଁଟାକୁ ସଧୀରେ ଉପରକୁ ଉଠାଇଲେ। ମାନୀ ଆଖି ଖୋଲିଲା ନାହିଁ ଜାଣିଶୁଣି। ମାନୀର ଉଦାସ ଚେହେରା ଦେଖି ସେ ଡରିଗଲେ।

- ମାନୀ,ମୋ ଦ୍ୱାରା କଣ କିଛି ଭୁଲ୍ ହେଇଗଲା କି?

ହଠାତ୍ ପରିଚିତ କଣ୍ଠସ୍ୱର ଶୁଣି ମାନୀ ପାଗଳପ୍ରାୟ ଆଖି ଖୋଲିଲା। ଆଖିରେ ଆଖିଏ ଆକୁଳତା ନେଇ ତା ସାମ୍ନାରେ ବସିଛନ୍ତି ସମ୍ବିତ୍। ତଟସ୍ଥ ମାନୀ। ସମ୍ବିତ୍ କିଛି ବୁଝିବା ପୂର୍ବରୁ ଅଭିମାନରେ ତାଙ୍କ ଗାଲରେ ଠାଏ କରି ଚାପୁଡ଼ାଏ କଷିଦେଲା। ତାପରେ ଭୋ ଭୋ କରି କାନ୍ଦି ଉଠି ଲୋଟି ପଡ଼ିଲା ତାଙ୍କ ଛାତିରେ।

ବିବାହ ସତରେ ସ୍ୱର୍ଗରେ ସ୍ଥିରୀକୃତ ହୋଇଥାଏ। ସାତ ଜନ୍ମର ବନ୍ଧନ କଣ କେହି ଚାହିଁଲେ ବି କାଟି ଦେଇପାରିବ?



Rate this content
Log in