ପାଠରେ ହିଁ ଶାଠ
ପାଠରେ ହିଁ ଶାଠ
ପାଠ ପାଠ ଆଉ ପାଠ,ଘରେ ସ୍କୁଲରେ, ଟ୍ୱୟୁସନରେ. କେତେ ପାଠ ପଢିବ ରାଜୁ। କ୍ରିକେଟ ଖେଳିବା ମନା, ଖେଳ ଦେଖିବାକୁ ମନା, ଟିଭି ଦେଖିବା ମନା, ମୋବାଇଲ ଧରିବା ମନା। ଖାଲି ପାଠ ପାଠ ଆଉ ପାଠ। ସେଥିରେ ପୁଣି କାହିଁକି ଭଲ ନମ୍ବର ରହିଲାନି, ପରସେଣ୍ଟ କମିଗଲା କହି ଶୁଆଇ ଦେବେନି ବାପା ମାଆ। ସେମାନେ ଅଫିସ ଗଲାପରେ ଜେଜେ ଜେଜେମା ମଧ୍ୟ ଜଗିଥିବେ। ପ୍ରଜାପତି କଙ୍କି ଧରିଲେ କହିବେ ଡେଣା ଛିଣ୍ଡିଯିବ। ସାଧବବୋହୁକୁ ଫରୁଆରେ ରଖିଲେ କହିବେ ସେ ଅଣନିଶ୍ୱାସୀ ହୋଇଯିବ, କୁକୁରକୁ ଟେକା ଛାଡିଲେ କହିବେ ଆମ ପରି ତାକୁ ମଧ୍ୟ କଷ୍ଟ ହେବ ତ ରାଜୁ ଚାହିଁଲେ ବି ବିଲେଇ ଲାଞ୍ଜରେ ତାଳ ଫୋଟକା ବାନ୍ଧି ଫୁଟେଇବାକୁ ଫୁଟେଇ ପାରେନା, ଏଲି ଉଡାଇପାରେନା। ସବୁଥିରେ କଟକଣା। ଏମିତିକି ଗଛ ଛାଇରେ ବସିବା ମନା, କାଳେ ପବନ ବାଜି ଦେହ ଖରାପ ହେବ। ବାଲିରେ ଚାଲିବାକୁ ମନା କାଳେ ଇନଫେକସନ ହୋଇ ଦେହ ଖରାପ ହେବ। ସେଇ ଗୋଟିଏ କଥା ପାଠ ପାଠ ଆଉ ପାଠ। ସେଇ ପାଠରେ କଣ ଥାଏ!ରାଜୁ ଭାବେ ବାପା ମାଆଙ୍କ ବିଷୟରେ ଯଦି ସତ କଥା ନଲେଖିବ, ତେବେ ସେ କି ରଚନା। ଶ୍ରେଣୀ ଶିକ୍ଷକଙ୍କ ବିଷୟରେ ସତକୁ ମିଛ ଓ ମିଛକୁ ସତ କରି ଲେଖିବାରେ ରଚନାରେ କଣ ଥାଏ? ପ୍ରକୃତ ସତ ଲେଖିବାରେ କଟକଣା, ମନରେ ଉଠୁଥିବା ଅନେକ ପ୍ରଶ୍ନର ଉତ୍ତର ପାଇବାରେ କଟକଣା। ଏଇ ଯେମିତି ରାଜୁ ପଚାରି ଦେଇଥିଲା ହନୁମାନ ଯଦି ତାଙ୍କ ହାତରେ ଗନ୍ଧମାର୍ଦନ ପର୍ବତ ଟେକି ଆଣି ପାରିଲେ ତେବେ ତାଙ୍କ ପାପୁଲିଟି କେତେ ବଡ଼,ହାତ ତହିଁରୁ ବଡ଼ ହୋଇଥିବ ଓ ଶରୀର କେମିତି ହୋଇଥିବ ସାର। ସାର କହିଥିଲେ ବଡ଼ ହେଲେ ବୁଝିଯିବୁ। ସେମିତି ସବୁ ସ୍ଥାନରେ ମାଟି ପାଣି, ଗଛ, ନଦୀ, ପର୍ବତ, ଚାଷ ବା କୃଷି. ସ୍ଥାନ କୁ ସ୍ଥାନ ଫରକ, ଏହା ସ୍ୱାଭାବିକ ତାକୁ ମନେରଖି ଲେଖିବା ଏପଟ ସେପଟ ହୋଇଗଲେ ପାଠ ମନେରଖୁନି ଭୂଗୋଳ ପଢୁନିର ବଦନାମ। ଗଣିତ ତ ସଂଖ୍ୟା ଜାଣିଲେ ଯଥେଷ୍ଟ ଏ ବୃତ୍ତ, ଚତୁର୍ଭୁଜ, ତ୍ରିଭୁଜ ଏସବୁ ପଢି କଣ ଜାଣିବ ମଣିଷ, ଉତ୍ତର ମିଳେ ଇଞ୍ଜିନିଅର ହେଲେ ଜାଣିବୁ ହେଲେ ସେ ଇଞ୍ଜିନିଅର ହେବ କାହିଁକି? ସାହିତ୍ୟ ତାକୁ ବେଳେ ବେଳେ ଭଲଲାଗେ ହେଲେ, ଅଶୁଭ ପୁତ୍ରର କାହାଣୀଟି ପଢିଲାବେଳେ, ପେଚାଟିକୁ ମଣିଷ କାହିଁକି ପିଟି ପିଟି ମାରିଦେଲେ ସେ ଜମା ବୁଝିପାରେ ନାହିଁ। ସାର କହିଥିଲେ ମାଆ କଥା ନମାନିଲେ ଏମିତି ହୁଏ କିନ୍ତୁ ଏ ଉତ୍ତର ତାକୁ ସନ୍ତୁଷ୍ଟି ଦେଇନଥିଲା। ମାଆ ନିଜେ ଯେବେ କହିଥିଲେ ପେଚାକୁ ଦେଖିଲେ ଲୋକେ ଅଶୁଭ ଭାବନ୍ତି, କାହିଁକି କେହି ବୁଝେଇ ପାରିନଥିଲେ ତ ରାଜୁ ମନରେ ଏବେ ଅଧିକାରର ପ୍ରଶ୍ନ। ପେଚାର କଣ ପ୍ରକୃତିକୁ ଦେଖିବାର ଅଧିକାର ନାହିଁ?ଏଣିକି ସେ ନିଜକୁ ପେଚା ଭଳି ମନେକଲା। ଅଧିକାର ସାବ୍ୟସ୍ତ ଓ କଟକଣାରୁ ନିସ୍ତାର ପାଇବାକୁ ଦିନେ ଘର ଛାଡିଦେଲା।
ମନ ଇଛା ଘୁରି ବୁଲିଲା। ପ୍ରଜାପତି ଧରିଲା। କଙ୍କି ଧରିବା ବେଳେ କେହି ଆକଟ କରି କହିବାକୁ ନଥିଲେ। କୁକୁରକୁ ଟେକା ଛାଡ଼ି ଘାଇଲା କଲା ବେଳେ କେହି କହୁନଥିଲେ ତାର ବି କଷ୍ଟ ଯନ୍ତ୍ରଣା ଅଛି ବା କାମୁଡ଼ିଦେବ। ଆମ୍ବ ଗଛକୁ ଟେକା ମାରି କଞ୍ଚା ଆମ୍ବ ଖାଇବା ବେଳେ କେହି କହିବାକୁ ନଥିଲେ ଥଣ୍ଡା ହେବ ଖାନା। ମନ ଇଛା ଖରାରେ ବୁଲି ବୁଲି ସେ ଷ୍ଟେସନରେ ବସିଥିଲା। ତାକୁ ଜର ଆସିଯାଇଥିଲା, ମୁଣ୍ଡ ବିନ୍ଧୁଥିଲା, ହାଲିଆ ଓ ଦୁର୍ବଳ ଲାଗୁଥିଲା। ଭୋକ ନଥିଲେ ମଧ୍ୟ ଶୋଷ ଲାଗୁଥିଲା ତ ଉଠିକି ଯାଇ ପାଣି ପିଇବାକୁ ତା ଦେହରେ ବଳ ନଥିଲା। ଏଥର ତାର ମାଆ କଥା ମନେ ପଡିଲା। ଆସ୍ତେ ଆସ୍ତେ ସନ୍ଧ୍ୟା ଯାଇ ରାତି ଆସିଲା। ମଶାଙ୍କ ଉପଦ୍ରଵ ବଢିଲା। ଆଖି ମାଡି ମାଡି ପଡୁଥିଲେ ବି ନିଦ ହେବା ପୂର୍ବରୁ ତାକୁ ଗୋଟେ ଭିକାରୀ ପରିବାର ସେହି ସିମେଣ୍ଟ ବେଞ୍ଚରୁ ଓଲ୍ହେଇ ଯିବାକୁ କହୁଥିଲେ। ତାଙ୍କ ଭିତରେ ଥିବା ତାରି ବୟସର ପୁଅଟିଏ କହୁଥିଲା ବାବୁଘର ପିଲା ପରି ଜଣା ପଡୁଛି ଦେହରେ ତାତି ଅଛି ସେ ସେଠି ଶୋଉ ଆମେ ତଳେ ଶୋଇପଡିବା। ପିଲାଟି ଭିତରେ ରାଜୁ ତା ମାଆ, ବାପା, ଜେଜେ ଓ ଜେଜେମାଙ୍କୁ ଦେଖୁଥିଲା କାରଣ ମୁଠେ କଞ୍ଚା ଚୁଡା ଚୋବେଇ ତଳେ ଶୋଇବା ପୂର୍ବରୁ ତା ଛିଣ୍ଡା କନ୍ଥା ରାଜୁ ଦେହରେ ଘୋଡେଇ ସେ ଅଖା ଭିତରେ ପଶିଯିବା ଦୃଶ୍ୟ ରାଜୁକୁ ସ୍ତବ୍ଧ କରିଥିଲେ ବି ଜର ପ୍ରକୋପରୁ ସେହି ଛିଣ୍ଡା ମଇଳା କନ୍ଥାଟି ତାକୁ ତୁଳୀତପ୍ତ ଶଯ୍ୟା ପରି ମନେ ହେଉଥିଲା। ସେହି ଭିକାରୀ ପରିବାର ସହ ବୁଲା କୁକୁରମାନଙ୍କ ବନ୍ଧୁତା ରାଜୁକୁ ଆଶର୍ଯ୍ୟ କରିଥିଲା। ରାତି ପାହିବା ବେଳକୁ ଭିକାରୀ ପରିବାର ଭିକ ମାଗିବାକୁ ଚାଲିଯିବା ପରେ ସେହି ବାଳକ ରାଜୁ ପାଖରେ ରହି ଯିବା ଆସିବା ଯାତ୍ରୀଙ୍କୁ ହାତ ପତାଉ ଥିଲା। ପାଠ ପଢ଼ିବାର ସୁଯୋଗ ନପାଇ ଭିକ୍ଷାବୃତ୍ତି କରି ଦୁଃଖରେ ଅଛୁ କହିଥିଲା। ପାଠ ଦି ଅକ୍ଷର ପଢିଥିଲେ, ନିଜ ନାମ, ଗ୍ରାମ, ବାପା ମାଆ ଓ ସାଙ୍ଗ ବିଷୟରେ ତଥା ବିଶ୍ୱସ୍ତ କୁକୁର ଓ ଅନ୍ୟାନ୍ୟ ପଶୁ ପକ୍ଷୀ, ନଦୀ, ହ୍ରଦ, ଜଙ୍ଗଲ, ପାହାଡ଼, ପକ୍ଷୀ ବିଷୟରେ ଜାଣି କିଛି ଲେଖି ପାରନ୍ତୁ କହୁଥିଲା ଭିକାରୀ ବାଳକ ମୁନା। ପାଠ ପାଠ ଖାଲି ପାଠ ପଢିବାକୁ ଘୃଣା କରି ଘର ଛାଡ଼ିଥିବା ରାଜୁ ଆଜି ବୁଝିପାରିଥିଲା, ପାଠ ପଢିବାକୁ ଚାହିଁଲେ ବି ସବୁ ସୁବିଧା ସୁଯୋଗ ସମସ୍ତଙ୍କୁ ମିଳେନା। ଘରକୁ ଫେରି ପୁଣି ମନ ଦେଇ ପାଠ ପଢିବାକୁ ରାଜୁ ଭାବୁଥିଲା ବେଳେ ମୁନା ପଥରରେ ତଳେ ଅକ୍ଷର ଲେଖି ଶିଖିବାକୁ ଚେଷ୍ଟା ଜାରି କରିଥିଲା। ପାଇଥିବା ଛିଣ୍ଡା କାଗଜରୁ ଦେଖି ଅକ୍ଷର ଲେଖୁଥିଲା ଆଉ ରାଜୁକୁ ପଚାରୁଥିଲା, ଏ ଅକ୍ଷରଟିର ନାମ କଣ, ଅତି ଆଗ୍ରହରେ ମୁନାକୁ ଅକ୍ଷର ଓ ମାତ୍ରା ସହିତ ପରିଚିତ କରାଇ ଚାଲିଥିଲା ବେଳେ ତାକୁ ଖୁବ ଭୋକ ହେଉଥିଲା ତ ମୁନା ଥାଲିଆରୁ କଞ୍ଚା ଚୁଡା ଖାଇ ପାଣି ପିଇବାକୁ କଳ ମୂଳକୁ ଯାଇ ବାପାଙ୍କ ନଜରରେ ପଡି ଘରକୁ ଯାଇଥିଲା ସିନା ମୁନାକୁ ଖୁବ ମନେପକାଉଥିଲା।
ଘରୁ ଲୁଚି ଚାଲିଯିବା ପରେ ଗୋଟେ ଦିନ ଓ ଗୋଟେ ରାତି ମାନେ ଚବିଶ ଘଣ୍ଟା ରାଜୁ ପାଇଁ ଶିକ୍ଷା ପାଇବାକୁ ଯଥେଷ୍ଟ ଥିଲା। ମାଆ ପିଜା ବର୍ଗର, ଚାଉମିନ କରି ଖାଇବାକୁ ଦେଲେ ବି ସେ ସନ୍ତୁଷ୍ଟ ନଥିଲା ଏବେ ମୁନାକୁ ଷ୍ଟେସନରେ ଭେଟି ଆସିବା ପରେ ତାର ଜ୍ଞାନ ଉଦୟ ହୋଇଥିଲା ତ ସେ ଛତୁଆ ଓ ଚୁଡା କଦଳୀ ଖାଇଲା ବେଳେ ମୁନାର ଖାଲି କଞ୍ଚାଚୁଡା ମୁଠେ,ଖାଇ ଶୋଇଯିବା କଥା ଭାବି ଆଖିରୁ ଲୁହ ଗଡି ପଡୁଥିଲା। ଚିରା ସାର୍ଟଟିଏ ମଧ୍ୟ ମୁନା ପାଖରେ ନଥିଲା ପିନ୍ଧିବାକୁ। କୋଉ କାଳେ କିଏ ଦେଇଥିବା କମଳ ମଧ୍ୟ ଚିରି ଆସିଥିଲା। ସେହି କମଳ ଘୋଡ଼ି ହୋଇ ସେଦିନ ରାଜୁ ଜରରେ ଥରୁ ଥିଲା ବେଳେ, ମୁନା ଅଖା ପାରି ଅଖା ଘୋଡେଇ ଶୋଇଯିବାର ଦୃଶ୍ୟ ତାକୁ ବିଚଳିତ କରୁଥିଲା। ଆଜି ରାଜୁ ଭାବୁଥିଲା ଗରୀବର ଦୁଃଖ ଓ ଅସହାୟତା। ପାଠ ଖାଲି ପାଠ ପଢି ସେ ଗରୀବ ମାନଙ୍କ ପାଇଁ କିଛି କରିବାକୁ ଚାଁହୁଥିଲା ତ ଏଣିକି ସେ କେବଳ ପାଠ ଓ ପାଠ ପଢିବାକୁ ଚାଁହୁଥିଲା। ତା ପାଖରେ ସବୁ ଥାଇ ମଧ୍ୟ ସେ ପାଠ ପଢ଼ିବାରୁ ନିବୃତ୍ତ ରହିଲା ବେଳେ ମୁନା ପାଖରେ କିଛି ନଥାଇ ମଧ୍ୟ ପାଠ ପଢିବାକୁ ତାର ଆଗ୍ରହ ଦେଖି ଏଣିକି ରାଜୁ ମନ ଦେଇ ପଢୁଥିଲା। କ୍ଲାସରେ ଫାଷ୍ଟ ହେଇ ଭଲ ନମ୍ବର ରଖୁଥିଲେ ବି ମୁନା ଓ ମୁନା ଭଳି ପରିବାର ଲୋକଙ୍କ ଦୁଃଖ କଥା ଭାବି କାନ୍ଦି ପକାଉଥିଲା।
ରାଜୁର ପରିବର୍ତ୍ତନରେ ବାପା ମାଆ ଯେତିକି ଖୁସି ଥିଲେ ଜେଜେ ଓ ଜେଜେମା ସେତିକି ଦୁଃଖ ପ୍ରକାଶ କରି ତା ମନକଥା ବୁଝିବାକୁ ଚେଷ୍ଟା କରିଥିଲେ। ଗପ ମାଧ୍ୟମରେ ଜେଜେମା ଅଳସୁଆ ଦୁଃଖ ପାଏ, ପାଠ ପରା ରତ୍ନ କରିବା ତାର ଯତ୍ନ, ସେଵା କାର୍ପଣ୍ୟ ଶକ୍ତି ବଳେ କିବା ଅସାଧ୍ୟ ମହୀ ତଳେ ଇତ୍ୟାଦି ଗପ ସବୁ କହିବା ପରେ ରାଜୁ କହିଥିଲା ଜେଜେମା ମୁଁ ସେଵା କରିବାକୁ ଚାହେଁ। କାହା ମନରେ ଶରୀରରେ ଆଘାତ ନଦେଇ ଗରୀବ ବାଳକ ବାଳିକାମାନଙ୍କର ପାଠ ପଢିବା ପାଇଁ ସୁବିଧା ସୁଯୋଗ କରି ସେଵା ଯୋଗେଇବାକୁ ଚାହେଁ। ଜେଜେ ରାଜୁଠାରୁ ସବୁକଥା ଶୁଣି ମୁନାକୁ ଖୋଜୁଥିଲେ ଷ୍ଟେସନରେ ହେଲେ ମୁନାର ପତ୍ତା ନଥିଲା। ରାଜୁ ସେହି ଗୋଟିଏ ରାତିରେ ମୁନା ଠାରୁ ଅନେକ ଶିଖିଥିଲା। ପରୋପକାରକରିବା, ସାହାଯ୍ୟ ସହାନୁଭୂତି ଯୋଗେଇଦେବା, ପଶୁ ପକ୍ଷୀଙ୍କ କଷ୍ଟ ଜାଣି ସେମାନଙ୍କୁ ଖାଦ୍ୟ ଯୋଗାଇବା ସହ ଆଘାତ ନଦେବା ତଥା ଲେଖି, ପଢି, ଶୁଣି, କହି ଜ୍ଞାନ ବିସ୍ତାର କରିବା ପାଇଁ ପାଠ ପଢିବା।
ମୁନା ବିଷୟରେ ସବୁକଥା ଶୁଣି ମୁନାର ପିତା ମାତା ତାଙ୍କ ଶକ୍ତି ସାମର୍ଥ୍ୟ ଅନୁଯାଇ ମାସକୁ ଦୁଇଥର ଦୁଃଖୀ ଦରିଦ୍ର ନାରାୟଣମାନଙ୍କ ସେଵା ପାଇଁ ଅନ୍ନ ଡ଼ାଲମା, ଖଟା ଇତ୍ୟାଦି ଖାଦ୍ୟ ସହ ପୁରୁଷ ଲୋକ ମାନଙ୍କ ପାଇଁ ଗାମୁଛା ଓ ସ୍ତ୍ରୀ ଲୋକଙ୍କ ପାଇଁ ଶାଢ଼ୀ ଓ ଛୋଟ ପିଲାଙ୍କ ପାଇଁ ସିଲଟ, ଖଡ଼ି, ଖାତା, ପେନ, ପେନସିଲ, ରବର ବାଣ୍ଟୁ ଥିଲେ. କେବେ କେବେ ପାଣିବୋତଲ, ଛତା ଓ ଜୋତା ମଧ୍ୟ ଦେଉଥିଲେ। ଉଦ୍ଦେଶ୍ୟ ଥିଲା ଗରୀବ ଅସହାୟଙ୍କ ସେଵା ଓ ଦ୍ୱିତୀୟଟି ପୁଅ ରାଜୁର ଆଖି ଖୋଲି ଦେଇଥିବା ମୁନାକୁ ପାଇବା। ହେଲେ ସବୁ ବୃଥା। ମୁନା ଓ ମୁନା ପରିବାର ପବନରେ ମିଶି ଯାଇଥିଲେ ଯେପରି। ଏଥର ରାଜୁ ବାପାଙ୍କର ବଦଳୀ ହୋଇଯାଇଥିଲା ଅନ୍ୟତ୍ର।ସେଦିନ ଟ୍ରକରେ ଜିନିଷ ପତ୍ର ନୂଆ ଜାଗାକୁ ପଠେଇ ରାଜୁ ଓ ତା ପରିବାର ଷ୍ଟେସନ ଆସିଥିଲେ। ଟ୍ରେନ ଘଣ୍ଟାଏ ବିଳମ୍ବରେ ଛାଡିବ।ତାର କାରଣ ଟ୍ରାକରେ ପିଲାଟିଏ ଅଖା ଘୋଡ଼ି ହୋଇ ମରି ପଡିଛି। ଏକଥା ଶୁଣିବା ପରେ ରାଜୁ ସେହି ଦିଗକୁ ଧାଉଁଥିଲା ପଛରେ ବାପା। ରାଜୁ ଯଦିଓ ପୋଲିସମାନଙ୍କ କଟକଣା ଯୋଗୁଁ ଦେଖିପାରିନଥିଲା ଶବ କିନ୍ତୁ କାନ୍ଦୁଥିଲା ଖୁବ।ବୁଝେଇ ବୁଝେଇ ବାପା ମାଆ ଥକି ପଡୁଥିଲେ କେବଳ।
