STORYMIRROR

Lalita Mohan Mishra

Children Stories Tragedy Inspirational

3  

Lalita Mohan Mishra

Children Stories Tragedy Inspirational

ନୂଆ ସାର୍ଟ

ନୂଆ ସାର୍ଟ

3 mins
194


ଆଗକୁ କୁଆଁର ପୁନେଇ । ଲୁଗା ଦୋକାନଗୁଡିକରେ ଭାରି ଭିଡ । ବାବୁ କହୁଥିଲେ –“ ନେଥି” ପାଇଁ ସାର୍ଟ କିଣାହେବ । ବାପା ଆଉ ମାଆ କାନରେ କଥାଟା ପକାଇ ଦେଇ ଥାଏ ନେଥି । ମାଆ ପାଖରେ ଅଝଟ ହୋଇ କହୁଥାଏ - ନେଥି ! କେଉଁ ରଙ୍ଗର ସାର୍ଟ କିଣିବା... ମୋତେ କହ । ଶେଷରେ ମାଆ ବିରକ୍ତ ହୋଇ କହିଲା - ଲାଲ୍ ରଙ୍ଗଟା ତୋ ଗୋରା ଦେହକୁ ଭାରି ଭଲ ମାନିବ । ହେଉ.. ଶୋଇପଡ଼େ । ଅହେତୁକ ଆନନ୍ଦ... ମନରେ ଅସରନ୍ତି ପୁଲକ... ସ୍ଵପ୍ନରେ ବିଭୋର ନେଥି ...ହେଲେ - ଗରିବ ପଣିଆ - ଦୁଃଖ, ସୁଖ ବୁଝିବାର ବୟସ ଆସିନି ତାର । ଅନେକ ଆଶା ଆକାଂକ୍ଷା ସ୍ଵପ୍ନକୁ ନେଇ ଆଗେଇ ଚାଲିଛି । ବଞ୍ଚିବାର ପ୍ରକୃତ ମାନେ କ'ଣ ସେ ଜଣେନା । ଶିଶୁ ମନ...


ଦଶ ବରଷର ଝିଅ ନେଥି । ମାଆ ପର ଘରେ କାମ କରେ । ଆଉ ବାପା ଦିନ ମଜୁରିଆ । ଘର କହିଲେ ଏକ ଅପରିତ୍ୟକ୍ତ ସ୍ଥାନରେ ପାଲଭିଡା ଘର । 

ମା' ପୂର୍ବ ଭଳି ଆଉ ପରଘରେ କାମ କରିପାରୁନି । ଡାହାଣଗୋଡ ଆଣ୍ଠୁଟି କାଟୁଛି । ଠିକରେ ଚଲାବୁଲା କରିପାରୁନି । ଶେଷରେ ଦି ଘର କାମ ଧରିଛି ନେଥି । ପାଠ ଘର ଶୂନ୍ୟ କହିଲେ ଚଳେ , ଅ ଆ ପରଠୁ ସ୍କୁଲ ଛାଡ଼ି ଦେଇ ଏହି କାମରେ ଲାଗି ପଡିଛି । 


ସମୀର ବାବୁଙ୍କ ଘରେ ବହୁତ କାମ । ବାବୁ ଅଫିସ ଯାଆନ୍ତି... ଆଉ ମାଆ ଦିନ ସାରା କାମ ବତାଇଥାଆନ୍ତି । ଏଇଟା ପ୍ରଥମ ମାସ । ଦୁଇ ଶହ ଟଙ୍କା ପାଇବ । ସେଥିରେ, ସାନ ଭଉଣୀ କୁନି ଖିର ପିଇବ, ଚାଉଳ କିଣାହେବ । ଆଉ ବା କେତେ ପଇସା ! ବାପାଙ୍କ ନିଶା ପାଣିକୁ ଦବ । ମାଆ ଉପରେ ବା କ'ଣ ରାଗିବ ?


ବାବୁ କହିଥିଲେ କୁଆଁର ପୁନେଇଁକୁ ତୋତେ ନୂଆ ସାର୍ଟ ଦିଆ ହେବ । ସେହି ଦିନ ଠାରୁ ମନରେ ଆଶା ବାନ୍ଧିଛି ନେଥି । ନୂଆ ସାର୍ଟ କଥା ମନରେ ପଡିଲେ ଅଫୁରନ୍ତି ଆନନ୍ଦ । ଆଜି ସାର୍ଟ କିଣାହବ । ସକାଳ ଦଶଟାରୁ ମାଆ ଦୋକାନ ଆସିଲେଣି ଯେ ଦିନ ଚାରିଟା ବାଜିଲାଣି । ଭୋକ ଲାଗିଲାଣି । ମାଆଙ୍କ ପଛରେ ବୁଲୁଥାଏ । ତା ପାଇଁ କୋଉ ସାର୍ଟଟା କିଣାହବ,ଦେଖୁଥାଏ । 


ମାଆଙ୍କର ପୋଷାକ, ଶାଢୀ ଏମିତି କେତେ କ'ଣ ମିଶି ଦଶ ବାର ହଜାର ହେଲା । ବାବୁ କହିଲେ, ମୋ ପାଖରେ ସେତିକି ପଇସା ଅଛି । ଆଉ ନେଥି ପାଇଁ କିଛି କିଣିବନି ? ଲଥ କରି ଶାଢୀ ବାଗଟା ତଳେ କଚାଡି ଦେଇ କହିଲେ ମାଆ - ଏ ଗୁଡିକ ଫେରେଇ ଦେଇ ତମେ ନେଥି ପାଇଁ ସାର୍ଟ କିଣିଆଣ । ରାଗ ତମ ତମ ହୋଇ ଦୋକାନ ସାମ୍ନାରେ ଠିଆ ହେଲେ ମା' । ପଛରେ ଏସବୁ ଦେଖୁଥାଏ ନେଥି । ପିଲା ମନ - ଆଶା ଆଉ ସ୍ଵପ୍ନ ପାଣି ଫୋଟକା ପରି ମିଳେଇ ଯାଉଛି । ନେଥି ସ୍ଵପ୍ନ... ସ୍ଵପ୍ନରେ ରହିଗଲା ପରି ଲାଗୁଛି । 


କଥାଟାକୁ ପୁଣି ଅତି ସହଜରେ ନେଇଗଲା ନେଥି । ପ୍ରକୃତିସ୍ଥ ହେଲା... ପଇସା ନାହିଁ, ତା ପୋଷାକ କିଣା ହେଲାନି । କିଛି ମନରେ ଭାବିବାକୁ ଦେଲାନି । ପିଲା ଦିନରୁ ଏମିତି ଅନେକ ଘଟଣା ଘଟିଛି ତା ପାଇଁ । 

ବାବୁ କହିଲେ - ଏ ମାସର ଦରମା ଧର । କାଲି ସକାଳୁ ପଳାଇ ଆସିବୁ । ତାର ସାର୍ଟ କଥା ସେ ଭୁଲିଗଲା । ଭାବି ଭାବି ଖୁସି ହେଉଥିଲା ସେ । କାଲି କୁଆଁର ପୁନେଇ । ଶହେ ଟଙ୍କାରେ କୁନିଝିଅ ପାଇଁ ସାର୍ଟ । ଆଉ ବାପାର ଖରଚ ପାଇଁ କିଛି ପଇସା ହୋଇଯିବ । 


ସୁରୁଜ ଡୁବି ଡୁବି ଯାଉଛନ୍ତି । ନେଥି ମନର ଆଶା ମଧ୍ୟ ଡୁବି ଡୁବି ଗଲାଣି । 

ନେଥି ହାତରେ ଗୋଟିଏ ନୂଆ ସାର୍ଟ କୁନି ଝିଅ ପାଇଁ, ଆଉ ବାପା ପାଇଁ ଶହେ ଟଙ୍କା । ବାପା ହାତକୁ ବଢାଇଦେଲା ଶହେ ଟଙ୍କା । ପୁନେଇ ଖରଚ । ମାଆ ହାତକୁ ବଢ଼ାଇ ଦେଲା କୁନି ଝିଅର ନୂଆ ସାର୍ଟ I


ଏହା ଦେଖି ମାଆ ନେଥିକୁ ପଚାରିଲା ". ଆଲୋ ନେଥି... ତୋ ସାର୍ଟ କାଇଁ..... ??


ନେଥିର କ୍ଲାନ୍ତ ମୁହଁର ହସ ଧାରେ ବୁଝେଇ ଦେଉଥିଲା ମାଆର ସବୁ ପ୍ରଶ୍ନକୁ - “ମାଆ ଜୀବନର ମାନେ ତ ଏଇଆ.”..



Rate this content
Log in