*** ନିର୍ଦ୍ଦୟ ***
*** ନିର୍ଦ୍ଦୟ ***


ଅସମୟରେ ଆସିଥିବା ଫୋନ କଲ କୁ ରିସିଭ କଲେ ନୈନା।
ମ୍ୟାମ୍ ଆପଣଙ୍କୁ ଟିକେ ହଇରାଣ କରୁଛି। ଦୁଇ ମିନିଟ ସମୟ ଦେଇ ପାରିବେ?
ହଁ ଅସ୍ମିତା,କୁହ କ'ଣ ହେଇଛି।
ମ୍ୟାମ୍ ମୋର ଲ୍ୟାଣ୍ଡ ଲର୍ଡ ମତେ ଘର ଖାଲି କରିବାକୁ କହୁଛନ୍ତି। ଆଜି ହସପିଟାଲରୁ ଫେରିବା ସମୟରେ ସେ ମୋ ଘର ସାମନାରେ ବସିଥିବାର ଦେଖିଲି। ଜିଦ ଧରି ବସିଛନ୍ତି ଘର ଛାଡିଦେବାକୁ। ଏତେ ଶୀଘ୍ର କେମିତି ଘର ସିଫ୍ଟ କରିବି?
ଚିନ୍ତା କରନି। ମୁଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚୁଛି।
ଦଶ ମିନିଟ ଭିତରେ ନିଜ ଗାଡିରେ ଆସି ପହଞ୍ଚିଲେ ନୈନା ମ୍ୟାଡାମ। ଡକ୍ଟର ଅସ୍ମିତାଙ୍କ ଆଡକୁ ଆଗେଇ ଗଲେ ସେ।
୨୦୦୦ ମସିହା ଅକ୍ଟୋବର ୩ ତାରିଖରେ ନୈନା କେନ୍ଦୀୟ ବିଦ୍ୟାଳୟ ନଂ ୨ ସଲ୍ଟଲେକ ରେ ଯେତେବେଳେ ଜଏନ କରିଥିଲେ ସେତେବେଳେ ଅସ୍ମିତା ଚକ୍ରବର୍ତ୍ତୀ ତାଙ୍କର ଛାତ୍ରୀ ଥିଲେ। ଖୁବ ଭଲ ଏବଂ ବାଧ୍ୟ ଛାତ୍ରୀଟିଏ ଥିଲେ ଅସ୍ମିତା। ଦୁଇ ବର୍ଷ ତଳେ କାଲକାଟା ମେଡ଼ିକାଲ କଲେଜ ରେ ଡକ୍ଟର ଭାବେ ନିଯୁକ୍ତି ପାଇଥିଲେ ସେ। ପିତାଙ୍କର ଶିଲିଗୁଡିକୁ ସ୍ଥାନାନ୍ତରଣ ହୋଇଯିବା ପରେ ଅସ୍ମିତାଙ୍କୁ ଏକ ଭଡାଘରେ ରହିବାକୁ ପଡିଥିଲା। ନିଜର ଜଣେ ପରିଚିତଙ୍କୁ କହି ନୈନା ଏଇ ଭଡାଘରଟି ଠିକ କରି ଦେଇଥିଲେ। ଅସ୍ମିତା ନିଜର ବାନ୍ଧବୀ କୋମଲ ସହ ମିଶି ସେବେଠାରୁ ସେହି ଘରେ ରହି ଆସୁଥିଲେ। କିଛିବି ଅସୁବିଧା ହେଲେ ସଙ୍ଗେସଙ୍ଗେ ଜଣେଇବାକୁ ନୈନା ମ୍ୟାଡାମ ଅସ୍ମିତାକୁ କହି ରଖିଥାନ୍ତି। ଆଜି ପର୍ଯ୍ୟନ୍ତ ସେମିତି କିଛି ଅସୁବିଧା ହୋଇନାହିଁ ବା ଅସ୍ମିତା ନୈନା ମ୍ୟାଡାମଙ୍କୁ କେବେବି ଏମିତି ବ୍ୟସ୍ତ ହୋଇ ଫୋନ କରିନଥିଲେ।
ନୈନା ମ୍ୟାଡାମଙ୍କୁ ଦେଖି ଅସ୍ମିତା ଓ କୋମଲ ଦୁଇଜଣଙ୍କ ଆଖି ଛଳଛଳ ହୋଇ ଉଠିଲା।
କଥା କ'ଣ ମିସେସ୍ ପାଲ?ହଠାତ୍ କ'ଣ ଏମିତି ହେଲା ଯେ ଦୁଇଜଣ ଡାକ୍ତର ଯେଉଁମାନେ ଦୁଇବର୍ଷ ହେଲା ଆପଣଙ୍କ ଘରେ ରହି ଆସୁଥିଲେ ସେମାନଙ୍କୁ ବିନା ପ୍ରାଇଅର ନୋଟିସରେ ଆପଣ ଘର ଖାଲି କରିବାକୁ କହୁଛନ୍ତି। ଜାଣିଛନ୍ତି ତ ଏହା ଏକ ଦଣ୍ଡନୀୟ ଅପରାଧ?
ଆପଣ କ'ଣ ଦେଖୁନାହାଁନ୍ତି ନା ଜାଣୁନାହାଁନ୍ତି ମ୍ୟାଡାମ?କରୋନା ଭୂତାଣୁର ଭୟାବହତା ବିଷୟରେ ଆପଣଙ୍କୁ ମୁଁ କ'ଣ କହିବି,ମୋଠାରୁ ତ ଅଧିକ ଆପଣ ଜାଣିଥିବେ।ଏ ଝିଅ ଦୁଇଜଣ ଡାକ୍ତର।ସକାଳୁ ସଞ୍ଜ ପର୍ଯ୍ୟନ୍ତ ହସପିଟାଲରେ ରହୁଛନ୍ତି।କେତେ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି,କରୋନା ଭୂତାଣୁର ବାହକ ମଧ୍ୟ ସେମାନେ ହୋଇପାରନ୍ତି।ମୁଁ ନିଜକୁ ଓ ମୋର ପରିବାରକୁ ବିପଦ ମୁହଁକୁ ଠେଲିଦେଇ ପାରିବିନି ନୈନା ମ୍ୟାଡାମ।ଉତ୍ୟକ୍ତ ହୋଇ କହି ଚାଲୁଥିଲେ ତାପସୀ ପାଲ।
ଓହୋ,କଥା ତାହେଲେ କରୋନା ଠାରେ।
ଆଛା,ମିସେସ ପାଲ,ଆପଣ ସେଇ ଭଦ୍ର ମହିଳା ନା ଯିଏ ରାତି ଗୋଟାଏ ବେଳେ ଏ ଦୁଇ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ଯୋଗୁଁ ନିଜ ସ୍ବାମୀଙ୍କର ଜୀବନ ରକ୍ଷା କରିଥିଲେ।ସେଦିନ ଅଗଷ୍ଟ ମାସର ସେହି ବର୍ଷଣ ମୁଖର ରାତ୍ରୀକୁ ଟିକେ ମନେ ପକାନ୍ତୁ।ମଧ୍ୟରାତ୍ରୀରେ ମିଷ୍ଟର ପାଲଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ଆପଣଙ୍କ ପିଲାମାନେ ବାହାରେ ରହୁଥିବାରୁ ଆପଣ ଦୌଡିଯାଇ ଏ ଝିଅ ଦୁହିଁଙ୍କର ସହାୟତାରେ ମିଷ୍ଟର ପାଲଙ୍କୁ ଆଶୁ ଚିକିତ୍ସା ଯୋଗାଇ ହସପିଟାଲ ନେଇଯାଇଥିଲେ ନା?ଠିକ ସମୟରେ ହସପିଟାଲରେ ପହଞ୍ଚାଇ ପାରିବା ଯୋଗୁଁ ମିଷ୍ଟର ପାଲ ନବଜୀବନ ପାଇଥିଲେ ବୋଲି ବହୁଦିନ ପର୍ଯ୍ୟନ୍ତ ଆପଣ ଦୁଇଜଣ କହିବୁଲୁ ଥିଲେ ନା?
ଦୁଇମାସ ପୂର୍ବରୁ ଆପଣଙ୍କର ହଠାତ୍ ଗୋଡ ଖସି ଯାଇଥିଲା ସିଢିରୁ ଓଲ୍ହାଇବା ସମୟରେ।ବାମ ଗୋଡରେ ଫ୍ରାକ୍ଚର ଯୋଗୁଁ ଆପଣ କଷ୍ଟରେ ଚିତ୍କାର କରୁଥିଲେ।ଆପଣଙ୍କ କଷ୍ଟ ସେତେବେଳେ କିଏ ଉପଶମ କରିବାକୁ ଆଗେଇ ଆସିଥିଲା?ଏଇ ଝିଅ ଅସ୍ମିତା ନା?️ଦେଖିବାକୁ ଏତେ ପତଳା।କିନ୍ତୁ ଡାକ୍ତର ସେ।ପାରୁପର୍ଯ୍ୟନ୍ତ ନିଜ ଚେଷ୍ଟାରେ ସେ ଆପଣଙ୍କୁ ଉଠାଇ ଚେୟାରରେ ବସାଇ ,ଫାର୍ଷ୍ଟ ଏଡ ଦେଇ ଆମ୍ବୁଲାନ୍ସ ଡାକି ହସପିଟାଲରେ ଆଡମିଟ କରିଥିଲା ନା?ଏକଥା କ'ଣ ଆପଣ ଅସ୍ବୀକାର କରିପାରିବେ?
କରୋନା ଭୂତାଣୁର ପ୍ରକୋପରେ ଆଜି ବିଶ୍ବର କୋଣ ଅନୁକୋଣରେ ଥିବା ସମସ୍ତେ ଆତଙ୍କିତ।ଲୋକମାନଙ୍କୁ ସଙ୍ଗରୋଧ କରିବା ପାଇଁ ଘରେ ରହିବାକୁ କୁହାଯାଇଛି।ସମସ୍ତେ ନିଜ ନିଜ ଘରେ ସୁରକ୍ଷିତ ହୋଇ ରହିବାକୁ କୁହାଯାଇଛି।କଡାକଡି ଭାବେ ଏହାର ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ ମଧ୍ୟ ସରକାର କରୁଛନ୍ତି।
କିନ୍ତୁ ଏମାନଙ୍କୁ ଦେଖନ୍ତୁ।ସକାଳୁ ରାତି ପର୍ଯ୍ୟନ୍ତ ନିଜର ସ୍ବାସ୍ଥ୍ୟ ବା ଜୀବନକୁ ଖାତିର ନକରି ଏମାନେ ଶ୍ରମଦାନ କରୁଛନ୍ତି।ହସପିଟାଲ ମାନଙ୍କରେ ରୋଗୀ ମାନଙ୍କର ଦିନ ରାତି ସେବା କରୁଛନ୍ତି।ସେମାନେ ଆମପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଇଛନ୍ତି ଆଉ ସେମାନଙ୍କ ପାଇଁ ଆମେ ନିରାପଦରେ ଲକଡାଉନ ହୋଇ ଗୃହବନ୍ଦୀ କରି ନିଜକୁ ରଖିପାରିଛେ।
ଆପଣ ତ ସମ୍ବାଦପତ୍ର ପଢୁଛନ୍ତି,ଦୂରଦର୍ଶନରୁ ନିଉଜ ଦେଖୁଛନ୍ତି।ଏହାବି ଜାଣୁଛନ୍ତି ଯେ ଦେଶ ବିଦେଶରେ ଅନେକ ଡାକ୍ତର ଯେଉଁମାନେ ଅବସର ଗ୍ରହଣ କରିବା ପରେ ମଧ୍ୟ ସ୍ବେଛାକୃତ ଭାବେ ରୋଗୀଙ୍କ ସେବା କରିବାକୁ ଆଗେ ବଢିଛନ୍ତି ଓ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି।
ଆଜି ଇନ୍ଦୋରରେ ଘଟିଥିବା ଘଟଣାଟି କେତେ ଦୁଃଖଦାୟକ କହିଲେ।କରୋନା ଯାଞ୍ଚ କରିବାକୁ ଆସିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ବର୍ବର ମାନେ ପଥର ଫୋପାଡ଼ି ଆକ୍ରମଣ କରିଥିଲେ ଏହା କ'ଣ ଅନୁଚିତ ନଥିଲା?ଯେଉଁମାନେ ଆମର ଜୀବନ ରକ୍ଷା କରୁଛନ୍ତି ଦରକାର ପଡିଲେ ଆମେ ସେମାନଙ୍କ ଉପରେ ହାତ ଉଠାଇବାକୁ ବି ପଛାଉନେ।ଆମେ ସମସ୍ତେ କ'ଣ ମାନବ ସମାଜ ପାଇଁ ଏମାନଙ୍କ ପରି କାମ କରିପାରୁଛେ ଯଦିଓ ନିଜ ହିସାବରେ ପାରୁପର୍ଯ୍ୟନ୍ତ ଆମେ ଦେଶ ସେବା କରିବା ପାଇଁ ଚେଷ୍ଟା କରୁଛେ।
ନୈନା ମ୍ୟାଡାମଙ୍କ କଣ୍ଠରୁଦ୍ଧ ହୋଇ ଆସୁଥିଲା।
ଅସ୍ମିତା......ଚାଲ ନିଜର ଜିନିଷ ଜଲଦି ପ୍ୟାକ କର।ମୁଁ ସାଙ୍ଗରେ ମୋ ସହାୟିକା ସୋନାଲୀକୁ ନେଇ ଆସିଛି।ସେ ମଧ୍ୟ ପ୍ୟାକିଂରେ ସାହାଯ୍ୟ କରିବ।ମୋ ସାଙ୍ଗରେ ତୁମେ ଓ କୋମଲ ଦୁଇଜଣ ଆମ ଘରକୁ ଯିବ ଓ ସେହିଠାରେ ରହିବ।
ଶ୍ରୀମତୀ ତାପସୀ ପାଲ ପଶ୍ଚାତାପର ବନ୍ହିରେ ଜଳିବାକୁ ଆରମ୍ଭ କରିସାରିଥିଲେ।ଶ୍ରୀଯୁକ୍ତ ପାଲ ମଧ୍ୟ ସେତେବେଳକୁ ସେଠାରେ ପହଞ୍ଚି ପତ୍ନୀଙ୍କର କାର୍ଯ୍ୟକଳାପର ସମସ୍ତ ଘଟଣା ବିଷୟରେ ଅବଗତ ହୋଇ ସାରିଥିଲେ।ଖୁବ ଅପରାଧ ବୋଧରେ ତଳକୁ ମୁଣ୍ଡ ନୁଆଁଇ ଠିଆ ହୋଇଥିଲେ ସେ।ହାତ ଯୋଡି ଶ୍ରୀମତୀ ପାଲ ନୈନା ମ୍ୟାଡାମଙ୍କୁ କ୍ଷମା ଯାଚନା କରୁଥିଲେ।ନିଜର ଭୂଲପାଇଁ ଖୁବ ଲଜ୍ଜିତ ହେଉଥିଲେ ସେ।ଡକ୍ଟର ଅସ୍ମିତାଙ୍କୁ ଅନୁନୟ ହୋଇ ନିଜର ନିର୍ଦ୍ଦୟତା ପାଇଁ କ୍ଷମା କରିଦେବାକୁ ଅନୁରୋଧ କରୁଥିଲେ ଶ୍ରୀମତୀ ପାଲ।