ମୁନାର ଭଲବୁଦ୍ଧି
ମୁନାର ଭଲବୁଦ୍ଧି
ମୁନା ପଢ଼ୁଥିବା ସ୍କୁଲରେ ଓ ତା କ୍ଲାସରେ ଥରେ ଗୋଟେ ସାଙ୍ଗର ପଇସା ଚୋରୀ ହେବାରୁ ସେ ଶ୍ରେଣୀ ଶିକ୍ଷକଙ୍କୁ ସେ ବିଷୟରେ ଜଣାଇଲା । ପିଲାଟି ଗରୀବ ଘରର । ତାଙ୍କ ବଳଦ ବିକ୍ରୀ ହେବା ପରେ ତା ନିଜ ନୋଟ ବହି କିଣିବା ପାଇଁ ସେ ଘରୁ ପାଞ୍ଚଶହ ଟଙ୍କା ନୋଟ ଖଣ୍ଡେ ଆଣିଥିଲା । ତା ବାପାଙ୍କୁ ପାରାଲିସିସ ଥିଲା, ତେଣୁ ଘର ପରିସ୍ଥିତି ଭଲ ନଥିବାରୁ ତା ପକ୍ଷରେ ପାଞ୍ଚଶହ ଟଙ୍କା ମୂଲ୍ୟ ବହୁତ ଥିଲା । ତା କଥା ଶୁଣି ଶ୍ରେଣୀ ଶିକ୍ଷକ ମୁନାକୁ ଡକାଇ ପଠାଇଲେ କାରଣ ମୁନା ବହୁତ ଚଲାକ ଥିଲା, ତା ଠାରୁ କିଛି ବୁଦ୍ଧି ମିଳିଯିବ ବୋଲି ଶିକ୍ଷକଙ୍କ ଉଦ୍ଦେଶ୍ୟ ଥିଲା ।
ମୁନା କହିଥିଲା ସବୁ ପିଲା ରାମୁର ପଇସା ଚୋରୀ ଯୋଗୁଁ ବ୍ୟସ୍ତ ବିବ୍ରତ ହେବା ସହ ନିଜ ନିଜ ଭିତରେ ପଇସା ଆଦାୟ କରି, ରାମୁକୁ ଦେବାକୁ କଥା ହେଉଥିବା ବେଳେ କୁନା ରାଜି ନଥିଲା ଆଉ ଏତିକି ବେଳେ ଦୁଇହାଜାର ଟଙ୍କା ଆଉ ଚାଲିବନି ବୋଲି ଆଲୋଚନା କରୁଥିଲା । ସାର କିଛି ଅନୁମାନ କଲେ ଓ ରାମୁଙ୍କୁ ମଧ୍ୟ ଡକାଇ ପଠାଇଲେ । ପଇସା ଚୋରୀ କୋଉ ପିରିଅଡରେ ହୋଇଛି କହିପାରିବୁ ରାମୁ? ରାମୁ କହିଥିଲା ଦ୍ୱିତୀୟ ପିରିୟଡ଼ରେ ପଇସା ଥିଲା, ତେଣୁ ତୃତୀୟ ପିରିୟଡ଼ରେ ଚୋରୀ ହୋଇଛି, ଯେତେବେଳେ ଅଳକା ଗୁରୁମା ପଢ଼ାଉଥିଲେ । ମୁନା କହିଲା ସାର ମିଳିଯିବ ରାମୁର ଟଙ୍କା । ସାର ରାମୁକୁ କ୍ଲାସକୁ ଫେରିଯିବାକୁ କହି ମୁନାକୁ ପଚାରିଲେ କେମିତି ମିଳିଯିବ ଭାବୁଛୁ ମୁନା?
ମୁନା କହିଥିଲା ସାର ଅଳକା ଗୁରୁମାଙ୍କ ଫୋନ ଆସିଥିଲା, ତାଙ୍କ ବାପା ମେଡିକାଲରେ ଥିବାରୁ ଭିଡ଼ିଓ କଲ ଆସିଥିଲା ତେଣୁ ଅଳକା ଗୁରୁମା ଯଦି କହିବେ, ଭିଡ଼ିଓ କଲ ବେଳେ ତାଙ୍କ ଫୋନରେ ରାମୁ ଟଙ୍କା ଚୋରୀ କରୁଥିବା ପିଲାର ଫୋଟୋ ରହିଛି, ହୁଏତ ଚୋରୀ କରିଥିବା ପିଲା ମାନିଯାଇପାରେ । ମୁନାର ବୁଦ୍ଧିକୁ ତାରିଫ କରି ସାର ଅଳକା ଗୁରୁମାଙ୍କ ସହ କିଛି ଆଲୋଚନା କରି, ରିସେସ ପରେ ଦୁହେଁ କ୍ଲାସକୁ ଗଲେ ଆଉ ଶ୍ରେଣୀ ଶିକ୍ଷକ କହିଲେ ପିଲାମାନେ, ଅଳକା ଗୁରୁମାଙ୍କ ଭିଡ଼ିଓ କଲ ରେକର୍ଡ ବେଳେ ଚୋର କୟଦ ହୋଇଛି । ପୋଲିସ କାଲି ଆସି କଲ ରେକର୍ଡ ଜାଞ୍ଚ କରି ଫୋନ କ୍ୟାମେରାରେ ଥିବା ଦୋଷୀକୁ ଧରିବ । ବ୍ୟସ୍ତ ହୁଅନାହିଁ । ପିଲାମାନେ ସମସ୍ତେ କହୁଥିଲେ ଆମେ ସମସ୍ତେ ମିଶି ରାମୁର ପଇସା ଦେଇଦେବୁ ସାର । ସାର କହିଲେ ଦୋଷୀ ତ କ୍ୟାମେରାରେ ଅଛି, ଆଗ ଧରାପଡ଼ୁ, ତା ପରେ ବୁଝିବା ।
କୁନା ପ୍ରତିବାଦ କରି କହୁଥିଲା ଗୁରୁମା କ୍ଲାସକୁ ଫୋନ ଆଣିବା ଓ ଭିଡ଼ିଓ କଲ କରିବା ହିଁ ଅନୁଚିତ କଥା । ଶ୍ରେଣୀ ଶିକ୍ଷକ ସାର କହିଲେ, ତାଙ୍କ ବାପା ହସ୍ପିଟାଲରେ ଅଛନ୍ତି ତେଣୁ ଜଟିଳ ପରିସ୍ଥିତି ରେ ବାପାଙ୍କ ଦେହ ଓ ବାପାଙ୍କ ଅବସ୍ଥା ଜାଣିବାକୁ ଝିଅ ହିସାବରେ ଭିଡ଼ିଓ କଲ ଆସିଥିବାରୁ, ସେ ଉଠେଇଛନ୍ତି, ଏହା ଅପରାଧ ନୁହେଁ ବରଂ କ୍ଲାସର ଚୋର ବା ଦୋଷୀର ଫଟୋ ସେଥିରେ ଥିବାରୁ, ଫଟୋ ବଡ଼ କରି ପ୍ରମାଣ ଯୋଗାଡ଼ କରିବାକୁ ପଡିବ । କୁନା କିଛି କହିନଥିଲା । ମୁନା ହସୁଥିଲା ମନେ ମନେ ।
ଅଳକା ଗୁରୁମାଙ୍କୁ ଏକୁଟିଆ ପାଇ କୁନା ତାଙ୍କ ଗୋଡ଼ ଧରି କ୍ଷମା ମାଗିବା ସହ ତା ଦୋଷ ସ୍ୱୀକାର କରିଥିଲା ଓ ଟଙ୍କା ଗୁରୁମାଙ୍କୁ ଦେଇ କାହାକୁ ନକହିବାକୁ ଗୁହାରି କରିଥିଲା । ମୁନା ବୁଦ୍ଧି ପାଇଁ ନାଟକ ସଫଳ ହେଇଥିବାରୁ ସମସ୍ତେ ଖୁସି ଥିଲେ । ରାମୁ ତା ପଇସା ସହ, ନିଜ ସହପାଠୀ ଓ ସହପାଠିନୀ ମାନେ ଆଦାୟ କରିଥିବା ଆଉ ଏକାହାଜାର ଟଙ୍କା ନେଉନଥିଲେ ମଧ୍ୟ ମଉସାଙ୍କ ମେଡ଼ିସିନ ପାଇଁ କିଛି କର୍ତ୍ତବ୍ୟ ହିସାବରେ ଦେଉଛୁ କହି ସାଙ୍ଗମାନେ ଦେଇଥିଲେ । ସାର ଓ ଗୁରୁମାମାନେ କୁନା କଥା ପ୍ରକାଶ ନକରି ଟଙ୍କା ମିଳିଗଲା ବୋଲି କହିଦେଇଥିଲେ । ମୁନାର ମତାମତ ନେଇ ଫୋନରେ ଥିବା ଫଟୋ ବଡ଼ କରିବା ପରେ ଚୋରୀ ନୁହେଁ ବରଂ ଟଙ୍କା ତଳେ ପଡିଯାଇଥିବାରୁ ମୁନା ଗୋଟେଇ ରଖି ବଡ଼ସାରଙ୍କୁ ଦେଇଥିଲା ବୋଲି କୁହାଯାଇଥିଲା । ସମସ୍ତେ ଖୁସି ହେଲେ । କୁନା ସେହିଦିନ ଠାରୁ ମୁନାର ବିଶ୍ୱସ୍ତ ବନ୍ଧୁ ପାଲଟିଗଲା ଓ ମନଦେଇ ପାଠ ପଢିଲା ।
