Padmalaya Padhy

Others

4  

Padmalaya Padhy

Others

ମୋହଭଙ୍ଗ

ମୋହଭଙ୍ଗ

6 mins
284


ଏଥର କେମିତି ହେଲେ ପୁଅଟିଏ ଦିଅ ମାଆ ! ମୁଁ କେବେ ବି ତୁମ ପୂଜା ବିଧିରେ ଉଣା କରିନାହିଁ l ତେବେ ମୋତେ କାହିଁକି ଏତେ ହୀନ କପାଳି କଲ ? ଢ଼ୋ ଢ଼ୋ ମୁଣ୍ଡିଆ ମାରୁ ମାରୁ ନୀଳିମାଙ୍କ ଆଖିରୁ ଲୁହ ଗୁଡିକ ଧାର ଧାର ହୋଇ ବୋହି ଯାଉଥିଲା l ନୀଳିମାଙ୍କ ସ୍ୱାମୀ ଅସିତ ବାବୁ ଜାଣିଥିଲେ ଏବେ ନୀଳିମା ଏତେ ଶୀଘ୍ର ଠାକୁର ଘରୁ ବାହାରିବେ ନାହିଁ l ଆଜି ସୁଦଶା ବ୍ରତ ବୋଲି ନୁହଁ ବରଂ ପ୍ରଥମ ସନ୍ତାନଟି ଲକ୍ଷ୍ମୀ କାହିଁକି ହେଲା ସେଥିପାଇଁ l


ନୀଳିମା ଗର୍ଭବତୀ ଥିଲା ବେଳେ ଏମିତି କୋଉ ଠାକୁର ଠାକୁରାଣୀ ନ ଥିଲେ ଯିଏ କି ନୀଳିମାଙ୍କ ପୂଜାରୁ ବାଦ ପଡିଥିଲେ l ଉଚ୍ଚ ଶିକ୍ଷିତା ନୀଳିମା ଯେ ପୁଅଟି ପାଇଁ ଏତେ ଛଟପଟ ଦେଖି ଅସିତ ବାବୁ ବି ଆଶ୍ଚର୍ଯ୍ୟ ହେଉଥିଲେ l


ବୋଧେ ନୀଳିମାଙ୍କ ଏତେ ପୂଜା ପୂଜନର ଫଳ ଭଗବାନଙ୍କ ଉପରେ କିଛି ପ୍ରଭାବ ପକାଇ ପାରିଲା ନାହିଁ ତେଣୁ ପ୍ରଥମଟି କନ୍ୟା ସନ୍ତାନ ହିଁ ହେଲା l ଏହା ପରେ ନୀଳିମାଙ୍କ ବିଧି ବିଧାନ ଆହୁରି ବଢି ଯାଇଥିଲା l ଏକା ନିଃଶ୍ୱାସରେ ଲାଗି ପଡ଼ିଥିଲେ ଈଶ୍ୱରଙ୍କୁ ତୁଷ୍ଟ କରିବା ପାଇଁ l ମାତ୍ର ଦ୍ଵିତୀୟ ସନ୍ତାନ ଧାରଣ କରିବା ସମ୍ଭବପର ହେଉନଥିଲା l ଅନେକ ଡାକ୍ତରଙ୍କ ପାଖେ ଆଖିବୁଜି ଟଙ୍କା ଖର୍ଚ୍ଚ କଲେଣି କିନ୍ତୁ କିଛି ଲାଭ ହେଉନାହିଁ l ଶେଷରେ ସେଇ ଠାକୁର ଠାକୁରାଣୀ ମାନେ ହିଁ ସାହା ଭରସା !


ଆଜିର ସୁଦଶା ବ୍ରତରେ ତାଙ୍କ ଝିଅ ରୋଲିର ଜନ୍ମ l ଝିଅଟି ମଧ୍ୟ ଅତି ଶୁଭଙ୍କରି ବୋଲି ଅସିତ ବାବୁଙ୍କ ବିଶ୍ୱାସ l କାରଣ ଝିଅ ଆସିବl ପରେ ନୀଳିମାଙ୍କର ବହୁ କାଳରୁ ଲାଗି ରହିଥିବା ଶ୍ୱାସ ବେମାରୀଟି ଭଲ ହୋଇ ଯାଇଥିଲା ଯାହା ସାଧାରଣତଃ ପୁରା ଭଲ ହେବାର ଦୃଷ୍ଟାନ୍ତ ପ୍ରାୟ ବିରଳ l ଝିଅ ଆସିବାର ଗୋଟିଏ ବର୍ଷ ମଧ୍ୟରେ ଅସିତଙ୍କ ପ୍ରମୋସନ ହୋଇଥିଲା l ତଥାପି କାହିଁକି ନା ଭଗବାନଙ୍କ ନିକଟରେ ନୀଳିମାଙ୍କର ଅସରନ୍ତି ଅଭିଯୋଗ l


ରୋଲିକୁ ସେ କେବେ ବି ଅବହେଳା କରି ନାହାନ୍ତି ସିନା ହେଲେ ସବୁ କଥାରେ କେଉଁଠି ଗୋଟେ କେଁ ରହିଯାଏ l କାହିଁକି ନା ତାଙ୍କର ପୁଅ ନାହିଁ l ଦୁଃଖର ପାହାଡ଼ ମନ ତଳେ ଦବି ରହି ଥାଏ ଓ ଅହରହ ଛଟପଟ କରୁଥାଏ ତାଙ୍କୁ l 


ଅସିତ ବାବୁ କେତେ ଥର ବୁଝାଇଲେଣି ଯେ ଆଜିକାଲି ପୁଅ ଝିଅ ସମସ୍ତେ ସମାନ l ଝିଅ ମାନେ ବି ବାପା ମାଆଙ୍କ ଦୁଃଖ ସୁଖ ବୁଝିଲେଣି ଏବଂ ସାହାରା ହେଲେଣି ମାତ୍ର ନୀଳିମା ବୁଝିବାକୁ ନାରାଜ l ଦିନକୁ ଦିନ ନୀଳିମା ପିଲାଙ୍କ ଭଳି ହେଉଛନ୍ତି l ପିଲାଟି ଏ ଯେମିତି ତାକୁ ଯେଉଁ ଚକଲେଟ ଦେଲ ମୋଟେ ଠିକ ସେମିତି ହିଁ ଦରକାର ବୋଲି କହିଥାଏ ନୀଳିମା ସେମିତି ସେମାନଙ୍କର ପୁଅ ହେଲା ମୋର କାହିଁକି ନାହିଁ କହି ମୁଣ୍ଡ ବାଡ଼ଉଛନ୍ତି l


କାମବାଲୀ ବେବିନାର ତିନି ତିନିଟା ଝିଅ ପରେ ଯେତେବେଳେ ପୁଅ ଟିଏ ହୋଇଥିଲା ସେତେବେଳେ ନୀଳିମାଙ୍କୁ ଲୁଚି ଲୁଚି କାନ୍ଦିବାର ଅନେକ ଥର ଅସିତ ବାବୁ ଦେଖିଛନ୍ତି l ବେବିନାର ପୁଅ ହେଲା ପରେ ସେ କେତେ ଦିନ ବିଶ୍ରାମ ନେଲା l ଅନେକ ସମୟରେ ଅନୁପସ୍ଥିତ ରହେ ମଧ୍ୟ l ମଝିରେ ଆଉ କାହାକୁ ରଖିବାକୁ ଅସିତ କେତେ ପରାମର୍ଶ ଦେଲେବି ନୀଳିମା ରାଜି ହୋଇ ନଥିଲେ l


ଏହା ପଛରେ ଗୋଟିଏ ଲୁକ୍କାୟିତ ଉଦେଶ୍ୟ ମଧ୍ୟ ଥିଲା - ସେ ହେଉଛି ବେବିନାର ପୁଅ l ପୁତ୍ର ରଂକୁଣି ନୀଳିମା ବେବିନା ବଦଳରେ ଆଉ କାହାରିକୁ ରଖି ନଥିଲେ କାହିଁକି ନା ସେ ତା ପୁଅକୁ ସାଙ୍ଗରେ ନେଇ ଆସେ କାରଣ ତା ଝିଅ ମାନେ ଛୋଟ ଥିବାରୁ ପିଲାଟିକୁ ସମ୍ଭାଳି ପାରନ୍ତି ନାହିଁ l ତା ପୁଅକୁ ଦେଖି ନୀଳିମା ନିଜର ଅଭାବକୁ ଅଳ୍ପ ସମୟ ପାଇଁ ହେଲେ ବି ଭୁଲି ଯାଉଥିଲେ l 


ଆଜିର ସୁଦଶା ବ୍ରତରେ ଲୋକେ ଧନ ଧାନ୍ୟ ସମ୍ପତ୍ତି ବାଡ଼ି ଚାହିଁଲା ବେଳେ ନୀଳିମାଙ୍କୁ ପୁଅ ଦରକାର l ପୁଅ ନ ଆସିବା ପର୍ଯ୍ୟନ୍ତ ନୀଳିମାଙ୍କ ପାଇଁ ସୁଦଶା ବ୍ରତ ଗୁଡିକ ଗୋଟିଏ ଗୋଟିଏ ଦୁର୍ଦ୍ଦଶା ଭଳି ଲାଗେ l


ନୀଳିମାଙ୍କ କୋଳକୁ ପୁଅ ଆସୁ ନଥାଏ ଏଣେ ରୋଲି ଗୋଟେ କଣ୍ଢେଇ ପରି ବଢି ଚାଲିଥାଏ l ତାକୁ ଏବେ ଚାରି ପୁରି ପାଞ୍ଚ ଚାଲିଲାଣି l ରୋଲି ଇତି ମଧ୍ୟରେ ବହୁତ କାମିକିଆ ହୋଇ ଗଲାଣି l ପାଞ୍ଚ ବର୍ଷର ଝିଅ ତ ନୁହଁ ସତେ ଯେପରି ଅଶି ବର୍ଷର ବୁଢ଼ୀ l କଥା କଥା କେ ମାକୁ ସାହାଯ୍ୟ କରିବାକୁ ଆଗଭର କିନ୍ତୁ ମାଆ ଆଣି ତାକୁ ପଢା ଟେବୁଲରେ ବସାଇ ଦେଇ ଯାଏ l ପୁଣିଥରେ ରୋଲି ଉଠିଯାଏ ମାଆ ପାଖକୁ l ମାଆ ଝାଳ ନାଳ ହୋଇ କାମ କଲେ ମୋଟେ ସହି ପାରେନା l ତାର ଛୋଟ ଛୋଟ ହାତରେ ମାଆକୁ କପ ପ୍ଲେଟ ଗ୍ଲାସ ବଢ଼ାଇବାରେ ଯେଉଁ ଆନନ୍ଦ ଥାଏ ତାହା ଅନ୍ୟ କେଉଁଠାରେ ମିଳେନା ତାକୁ l 


ଅସିତ ରୋଲିକୁ ଡାକନ୍ତି

--ରୋଲି ମାଆ ! ତୋର ପଢା ସମୟରେ ସେଠି ଯାଇ କଣ କରୁଛୁ ? ମନ ଦେଇ ପାଠ ପଢିଲେ ସିନା ଡାକ୍ତର ହେବୁ l

--ନାଇଁ ବାପା ! ଆଗ ମାଆକୁ କାମରେ ସାହାଯ୍ୟ କରିବି ପରେ ଡାକ୍ତର ହେବି l ଦେଖୁନ ଆମେ ଖାଇବା ବୋଲି ମାଆ କେମିତି ଗରମରେ ରୋଷେଇ କରୁଛି l କେତେ କଷ୍ଟ ପାଉଛି ସେ !


ଅସିତ ଦେଖନ୍ତି ରୋଲିର ମାଆ ପ୍ରତି କେତେ ଦରଦ l ନୀଳିମା ହିଁ ସତରେ ବୋକା ମଣିଷଟିଏ l ଖାଲିଟାରେରେ ପୁଅ ପୁଅ ହେଉଛନ୍ତି l କୋଉ କାମ ଏମିତି ଅଛି ଯାହା ପୁଅ କରି ପାରିବ ଓ ରୋଲି କରି ପାରିବ ନାହିଁ l ଏତେ ଛୋଟ ବୟସରୁ ରୋଲି ଏତେ ସେଣ୍ଟିମେଣ୍ଟାଲ କେମିତି ହେଲା କେଜାଣି l


ସେଦିନ ସକାଳୁ ଉଠି ନୀଳିମା ଦେଖନ୍ତି ତ କରେଣ୍ଟ ନାହିଁ l ଗରମ ପାଣି କରିବାକୁ ସମୟ ବି ନାହିଁ l ସୁତରାଂ ଥଣ୍ଡା ପାଣିରେ ଗାଧୋଇ ଆସି କାମ ଆରମ୍ଭ କରିବାକୁ ପଡିଥିଲା l ସକାଳ କାମ ଚଳି ଗଲା ହେଲେ ରାତିରେ ଏଗାରଟା ପର୍ଯ୍ୟନ୍ତ କାମ କରି ଆସି ଝିଅକୁ ଖୁଆଇବା ପରେ ଆଉ ଦେହରେ ବଳ ନଥିଲା l ସୁତରାଂ ସେ ନିଜେ ନ ଖାଇ ଶୋଇ ଯାଇଥିଲେ l ଅସିତ ମଧ୍ୟ ଉଠାଇ ନାହାନ୍ତି l ତହିଁ ପର ଦିନ ଅସିତଙ୍କ ଟୁର ପଡିଥାଏ ସେ ଚାଲିଗଲେ l ସନ୍ଧ୍ୟା ବେଳକୁ ନୀଳିମାଙ୍କୁ ଭୟଙ୍କର ଜର ଆସିଗଲା l ଅସିତ ଫେରିବାକୁ ଆଉରି ଦୁଇ ଦିନ ଲାଗିବ l କଣ କରିବେ କିଛି ବୁଝି ପାରୁ ନାହାନ୍ତି l


ବେବିନା ଡେ଼ଲିଭରି ପରେ ବାରମ୍ବାର ଅନୁପସ୍ଥିତ ରହୁଛି l ଅସିତ କହୁଥିଲେ ଆଉ ଗୋଟେ କାମବାଲି ବୁଝିବାକୁ କିନ୍ତୁ ସେ ହିଁ ନିଜେ ମନା କରିଥିଲେ l ବେବିନାର ପୁଅକୁ ସବୁ ଦିନ ଦେଖିବାର ଲୋଭ ସମ୍ବରଣ କରି ନ ପାରି ସେ ବେବିନା ଆସିବା ଯାଏଁ ଅପେକ୍ଷା କରି ରହିଥିଲେ ସିନା ନୂଆ କାମବାଲୀ ରଖି ନ ଥିଲେ l ଆଉ ଜଣେ ଥିଲେ ଏତେ ଅସୁବିଧା ହୋଇ ନ ଥାନ୍ତା l ଏବେ ପଶ୍ଚାତାପ କଲେ କଣ ହେବ ଆଉ l ଯାହା ହେବାର ହେଲାଣି l ବେବିନା କେତେ ଦିନ ଛୁଟିରେ ରହିବ କିଛି ଠିକ ନାହିଁ l ହୁଁ ! ପୁଅର ମାଆ ବୋଲି ତାର ଭାଉ କାହିଁରେ କଣ ! ବେଶି ଫୁଟାଣି ହେଲାଣି ତାର l 


ଅତି କଷ୍ଟରେ ଘୋଷାରି ହୋଇ କ୍ଷୀର ଗରମ କରି ରୋଲିକୁ କର୍ନଫ୍ଲେକ୍ସ ଗୋଳେଇ କେମିତି ଖୁଆଇଲେ ସେ ଜାଣିନାହାନ୍ତି l ତା ପରେ ଯାଇ ଶୋଇ ପଡ଼ିଥିଲେ l ଅଧ ରାତିରେ ମୁଣ୍ଡରେ ପାଣି ପଡିବାରୁ ନିଦ ଭାଙ୍ଗି ଯାଇଥିଲା l ରୋଲି ମୁଣ୍ଡ ପାଖେ ବସି ଓଦା ପଟି ଦେଉଛି l କେତେ ଥର ଦେଖିଛି ସେ ବାପାଙ୍କୁ ଜର ହେଲେ ମାଆ ସେମିତି କରେ l ତେଣୁ ମାକୁ ବି ସେମିତି ଚିକିତ୍ସା ଦରକାର l ମାଆ ଦିନ ଯାକ କେତେ କାମ କରୁଛି ଦେହ ତ ଖରାପ ହେବ ନା !


ନୀଳିମାଙ୍କ ଆଖିର ଅମାନିଆ ଲୁହ ଧାରଗୁଡାକ ମୋଟେ ବୋଲ ମାନୁନଥିଲେ l ମାଆର କାନ୍ଦ ଦେଖି ରୋଲିକୁ ସମ୍ଭାଳେ କିଏ l ସେ ବି କାନ୍ଦିବାକୁ ଆରମ୍ଭ କଲା l ତା ମାଆକୁ କଷ୍ଟ ହେଉଛି ବୋଲି କାନ୍ଦୁଚି ନ ହେଲେ କାହିଁକି କାନ୍ଦିଥାନ୍ତା ସିଏ l ସେ କଣ ଛୋଟ ପିଲା ହୋଇଛି କି ? ଆଜି ପର୍ଯ୍ୟନ୍ତ ମାକୁ କେବେ କାନ୍ଦିବା ଦେଖିନାହିଁ ରୋଲି l


--ମା ତୋତେ ବେଶି କଷ୍ଟ ହେଉଛି ନା ? ଲାଲି ମାଉସୀଙ୍କୁ ଡାକିବି ? ଏବେ ତ ସେ ତାଙ୍କ ପୁଅକୁ ଧରି ବାହାରେ ବୁଲୁଥିଲେ l ତୁ ଟିକେ ରହ ମାଆ ! ମୁଁ ଡାକି ଆଣୁଛି l ଆଉ କାନ୍ଦେନା l

--ତୁ ମୋ ପାଖେ ବସି ରହରେ ମାଆ ! ତୋତେ ଆଜି ଟିକେ ଭଲକରି ଦେଖିବି l ମୋ କୁନି ଝିଅଟି ୟା ଭିତରେ ଏତେ ବଡ ହୋଇ ଗଲାଣି କିନ୍ତୁ ମୁଁ ଜାଣିନାହିଁ ? ରୋଲି ! ତୁ ମୋତେ ଏତେ କାହିଁକି ଭଲ ପାଉଛୁ ମାଆ ? ମୁଁ ଏହାର ଯୋଗ୍ୟ ନୁହଁ l

--ମୁଁ ଆହୁରି ବଡ ହୋଇନାହିଁ l ବାପା କହୁଥିଲେ ଆଉ କେତେ ବର୍ଷ ପରେ ହେବି l ମୁଁ କିନ୍ତୁ ବଡ ହେଲେ ଡାକ୍ତର ହେବି ନାହିଁ l ମୁଁ ଡାକ୍ତର ହେଲେ ଅନ୍ୟ ରୋଗୀ ଦେଖିବାକୁ ଚାଲିଯିବି ନା l ତୋତେ କିଏ ଦେଖିବ କହିଲୁ l ବାପା କିଛି ବି ବୁଝୁ ନାହାନ୍ତି l ମୁଁ କେବଳ ତୋ ପାଖରେ ହିଁ ରହିବି ଓ ତୋ ଦେହ ଖରାପ ହେଲେ ଗରମ ପାଣି ଦେବି.... ଆଉ ଓଦା ପଟି ଦେବି... ଆଉ ତୋ ପାଦରେ ବି ତେଲ ଘଷି ଘଷି ତୋତେ ଭଲ କରିବି l


ଏହା ପରେ ନୀଳିମାଙ୍କ ପିଠିରେ ଲାଉ ହୋଇ ରୋଲି ଶୋଇ ଯାଇଛି ଓ ନୀଳିମାଙ୍କୁ ବି କେତେବେଳେ ନିଦ ଲାଗି ଯାଇଛି l ପର ଦିନ ସକାଳୁ ନୀଳିମା ଧୀରେ ଧୀରେ ସୁସ୍ଥ ଅନୁଭବ କଲେଣି l


ଦୁଇ ଦିନ ପରେ ଅସିତ ଦିଲ୍ଲୀ ଟୁର ସାରି ନୀଳିମାଙ୍କ ପାଇଁ ଗୋଟିଏ ଖୁସି ଖବର ନେଇ ଫେରିଲେ l ଦିଲ୍ଲୀରେ ପୁଣି ଜଣେ ସୁନାମଧନ୍ୟ ଡାକ୍ତର ଅଛନ୍ତି ଯାହାଙ୍କ ପରାମର୍ଶରେ ରହି ଅନେକ ସ୍ତ୍ରୀ ଲୋକ ବିଳମ୍ବରେ ହେଲେ ମଧ୍ୟ ଗର୍ଭ ଧାରଣ କରି ପାରୁଛନ୍ତି l ତେଣୁ ଆଗାମୀ ଦଶହରା ଛୁଟିରେ ଅସିତ ନୀଳିମାଙ୍କୁ ନେଇ ଦିଲ୍ଲୀ ଯିବାର ପ୍ରସ୍ତାବ ରଖିଥିଲେ l କିନ୍ତୁ ନୀଳିମା ସଫା ସଫା ମନା କରି

 ଦେଲେ l


--ତୁମେ ଯୁଆଡେ ଯିବ ଯାଅ l ମୋର କୁଆଡେ ଯିବା ଦରକାର ନାହିଁ କି ପୁଅର ମାଆ ହେବାର ସଉକ ନାହିଁ l ରୋଲି ମୋର ପୁଅ ଓ ଝିଅ ଉଭୟ l ମୋର ଆଉ କିଛି ଦରକାର ନାହିଁ l ଆଉ ଗୋଟେ ଛୁଆ ହେଲେ ରୋଲିର ଯତ୍ନ ମୁଁ ଠିକ ଭାବେ ନେଇ ପାରିବି ନାହିଁ l 


ନୀଳିମାଙ୍କ ଚକ୍ଷୁ ଉନ୍ମିଳିତ ହେବାର ଅସଲ କାରଣଟି ଅସିତ ଖୋଜୁଥିଲେ ସିନା ପାଉ ନଥିଲେ l ତେବେ ସେ ଯାହା ହେଉ ବିଳମ୍ବରେ ହେଲେ ବି ନୀଳିମାଙ୍କ ଚେତା ପଶିଲା l ଅସିତ ଅତ୍ୟନ୍ତ ଆନନ୍ଦିତ ହେଉଥିଲେ ଯେ ଆଜି ପୁତ୍ର ମୋହରୁ ନୀଳିମା ନିଜକୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରି ପାରିଛନ୍ତି l


ତେଣେ ନୀଳିମା ପୁଣି ଠାକୁର ଘରେ କବାଟ କିଳି ପଶିଥିଲେ l ଏଥର କିନ୍ତୁ ରାଶି ରାଶି ଅଭିଯୋଗ ନୁହେଁ ସେ ରୋଲି ପରି ମନ ବୁଝୁଥିବା କନ୍ୟାଟିଏ ଦେଇଥିବାରୁ ଭଗବାନଙ୍କୁ ଅଶେଷ କୃତଜ୍ଞତା ଜଣାଉଥିଲେ l ସୁଦଶା ବ୍ରତରେ ମାଆ ଲକ୍ଷ୍ମୀ ନୀଳିମାଙ୍କୁ ଯେଉଁ ରତ୍ନଟି ଦେଇଛନ୍ତି ତାହା ତ ଅତୁଳନୀୟ l ଆଉ କିଛି ମାଗିବାକୁ ବାକି ଅଛିକି ?



Rate this content
Log in