ମୋ ମାଆର ଶାଢ଼ୀ
ମୋ ମାଆର ଶାଢ଼ୀ
ସେଦିନ ଥାଏ କୁମାର ପୂର୍ଣ୍ଣିମା,କହିବାକୁ ଗଲେ ସବୁ ଝିଅ ମାନଙ୍କ ପାଇଁ ଗୋଟିଏ ଉତ୍ସାହଜନକ ପର୍ବ। ସେଦିନ ଥାଏ ପୂର୍ବିର ଶେଷ କୁମାର ପୂର୍ଣ୍ଣିମା କୁମାରୀ ହିସାବରେ।ବାପା ତା ପାଇ ବର ପାତ୍ର ଯୋଗାଡ଼ କରିଦେଇଛନ୍ତି ତେଣୁ ତାହାର ଏହା ଶେଷ କୁଆଁରୀ ଖେଳ,ମଜା, ସଙ୍ଗାତ ଆଉ ସଖିମାନଙ୍କ ସହ ସମୟ ବିତାଇବା ଆଦି,କେଜାଣି କାହିଁ ଏକ ଅଜଣା କୋହ ତାକୁ ମାଡ଼ି ବସିଥାଏ ଆଉ ସେ ଖୁସି ହେବା ସହ ଦୁଃଖୀ ମଧ୍ୟ ଥାଏ,ସେଦିନ ତା ପାଇଁ ଗୋଟିଏ ନୂଆ ଶାଢ଼ୀ ହୋଇଥାଏ,ହେଲେ ମାଆ ପିନ୍ଧିଥିବା ସେହି କଟନ ଶାଢ଼ୀ କେଜାଣି କାହିଁ ପୂର୍ବି ଆଖିରେ ଲାଖି ଯାଇଥିଲା। ମାଆକୁ କହି ନିଜ ଶାଢ଼ୀ ବଦଳେଇ ସେଇଟା ନେବ ବୋଲି ଜିଦ୍ କରିଥିଲା ସେ। ମାଆ ହସି କହିଲେ ପାଗେଳି ଟା, ତୋ ପାଇଁ ସବୁ ଲୋ। ଏମିତି କହି ସେହି ଶାଢ଼ୀ ବଦଳି ତହିଁ ଆରଦିନ ସଫା କରି ମଣ୍ଡ ଦେଇ ଆଇରନ କରି ରଖିଦେଲା ସେ l
ଆଜିକୁ ଆଠ ମାସ ହେଲାଣି ପୁର୍ବି ବାହାଘର.. ପୁଣି ଆଜି କୁମାର ପୂର୍ଣ୍ଣିମା,ସେହି ସୁନ୍ଦର ଚାନ୍ଦର ଜ୍ୟୋତ୍ସ୍ନା ଶୀତଳ କିରଣ ବିଛାଡି ଦେଇଛି। ପୂର୍ବୀର ଶାଶୁଘର ଅନେକ ଭିଡ଼,ସମସ୍ତେ ନୂଆ ବୋହୁ ସହ କୁମାର ଉତ୍ସବ ମନେଇବା ପାଇଁ ଆସିଛନ୍ତି, ସମସ୍ତେ ନାନା ସୁନ୍ଦର ପୋଷାକ ଶାଢ଼ୀରେ ସଜ୍ଜିତ,ତା ପାଇଁ ମଧ୍ୟ ବାପା ଘରୁ କୁମାର ପୂର୍ଣ୍ଣିମା ଭାର ସହ ଶାଢ଼ୀ ଆସିଥିଲା ଆଉ ଶାଶୁ ଘରେ ମଧ୍ୟ ଅନେକ ଦାମୀ ଶାଢ଼ୀ ହୋଇଥିଲା, ସଂଧ୍ୟା ପୂଜା ସରିଲା,ଅନେକ ଫଟୋ ଉଠିଲା,ଏବେ ସମସ୍ତେ ଭୋଗ ଖୁଆ ଖୁଇ ହୋଇ ଆସି ଘର ଭିତରେ ବସିଥିଲେ, ଏତେ ହୋ ହାଲ୍ଲା ଗହଳି ଭିତରେ କେଜାଣି କାହିଁ ଆଲମାରୀ ଖୋଲିଲା ବେଳକୁ ଗଳି ପଡ଼ିଲା ସେହି କଟନ ଶାଢ଼ୀ ଖଣ୍ଡକ। ହାଲକା ମେହେନ୍ଦି ରଙ୍ଗର ଶାଢ଼ୀରେ ଅଳ୍ପ ନାଲି ହଳଦୀ ଧଡ଼ି ଦିଆ ସେହି ଶାଢ଼ୀ, କିଛି ବିଚାର ନ କରି ନିଜର ସେହି ଦାମୀ ପାଟ ଶାଢ଼ୀକୁ ବଦଳେଇ ସେହି ଶାଢ଼ୀକୁ ଦେହରେ ପିନ୍ଧି ସାରିଲା ପରେ ସେ ସେହି ଆତ୍ମୀୟତା ଆଉ ମାଆର ବାସ୍ନା ସହ ଗୋଟିଏ ଉଷ୍ମତା ଅନୁଭବ କରୁଥିଲା, ସତରେ ଆଜି ଭଳି ଦିନରେ ତା ମାଆର ଉପସ୍ଥିତି ସେ ଏବେ ଅନୁଭବ କରି ପାରୁଥିଲା। ହଁ ଅନେକ କଟୁ ବାକ୍ୟ ଅବଶ୍ୟ ଶୁଣିଥିଲା ଛି ନୂଆ ବୋହୁ ଏଇ ଲୁଗା ମାନୁ ନାହିଁ।ତଥାପି ମନରେ ସେହି କଟାକ୍ଷର ପ୍ରଭାବ ଠାରୁ ବେଶୀ ଆତ୍ମୀୟତାର ପ୍ରଭାବ ଥିଲା କେବଳ ମାେ ମାଆର ଶାଢ଼ୀ ପାଇଁ।
ସମାପ୍ତ
