Pradeep Kumar Panda

Children Stories Inspirational

3  

Pradeep Kumar Panda

Children Stories Inspirational

ମୋ ବାପାଙ୍କ ଉପହାର

ମୋ ବାପାଙ୍କ ଉପହାର

5 mins
139


ଏତେ ଶୀଘ୍ର କାହିଁକି ବାପା ?

ନା, ମୁଁ ଆଦୌ ରାଜି ନୁହେଁ, ତମେ ଏବେ ଫୋନ ରଖ ! 

ଅଫିସରୁ ଫେରିଲେ କଲ୍ ବେକ କରିବି ?


ଅଫିସରୁ ଫେରୁ ଫେରୁ ରାତି ଆଠଟା। ହାତ ମୁହଁ ଧୋଇ ବାଲକୋନୀରେ ବସି କଫି ପିଇଲି। ବାପା ଫୋନ କଲାଠୁ ମନଟା ଭଲ ନାହିଁ। ରୋଷେଇ କରିବାକୁ ଆଉ ଇଚ୍ଛା ହେଲାନି। ମିସ୍ଡ କଲ କଲି ବାପାଙ୍କୁ। ସମୟ ପାଇଲେ ନିଶ୍ଚୟ କଥା ହେବେ। 

ଭାରି ବ୍ୟସ୍ତ ରହନ୍ତି ମୋ ବାପା। ନାମକରା ବଢେଇ ସେ ଆମ ଅଞ୍ଚଳରେ। ଦୂର ଦୁରାନ୍ତରୁ ଲୋକ ଆସି ପଲଙ୍କ, ଆଲମୀରା , ଡ୍ରେସିଂ ଟେବୁଲ୍ ଅର୍ଡର ଦିଅନ୍ତି। ବାହାଘର ସିଜନ୍ ଆସିଲେ କଥା ପୂରା ଅଲଗା ଖାଇବାକୁ ବି ସମୟ ହୁଏନି ମୋ ବାପାଙ୍କୁ। 

ନଅଟା ବାଜିଲାଣି ବାପାଙ୍କୁ ସମୟ ହେଉନାହିଁ ବୋଧେ। ଭୋକ ହେଲାଣି ଯାଉଛି ଖିଚୋଡ଼ି ବନେଇ ଖାଇନେବି। ଡାଲି ଧୋଇବାକୁ ଯାଉଛି, ଫୋନ ଆସିଲା...


ତମେ କିଛି କୁହନି ବାପା । ମୁଁ କହିବି ତମେ ଶୁଣିବ। ଇଚ୍ଛା ସୁଦୀର୍ଘ ଆଉ ସୁଦୂରଗାମୀ,ମୁଁ କିନ୍ତୁ ମୋ ରାସ୍ତା ବାଛି ନେଇଛି ବାପା। ଆଗରେ କୁହୁଡି ଥିଲେ ଗତି ବଦଳେଇବାକୁ ପଡେ। ମୁଁ ବି ଅପେକ୍ଷା କରିଛି, କୁହୁଡି ଅପସରି ଯିବା ପର୍ଯ୍ୟନ୍ତ। ତା ପରେ ଆକାଶଟା ନିର୍ମଳ ହେବ ହିଁ ହେବ। ମୋ ରାସ୍ତା ଫୁଟି ଉଠିବ ମୋ ଆଖି ଆଗରେ। 

ମନେ ଅଛି ନା .. ତମ ମନକୁ କିଛି ଗୋଟାଏ ଡିଜାଇନ୍ ପସନ୍ଦ ଆସିଲେ ମୋତେ ଦେଖାଇ ମୋଠୁ ତମେ ମୋର ମତାମତ ନିଅ। ହଜାର ହଜାର ଟଙ୍କାର ଅର୍ଡର ନିଅ, ହିସାବ ଆସେନି ବୋଲି ପ୍ରତିଦିନ ରାତିରେ ମୁଁ ତମର କେସ ବୁକ୍ ଲେଖେ। ସାନ ଭାଇ ପ୍ଲସ ଟୁ ଆର୍ଟସ୍ ପଢ଼ିବ, କି ସାଇନ୍ସ ପଢ଼ିବ ସବୁ ବିଚାର ପରାମର୍ଶ ମୋ ସାଥିରେ କର କି ନାହିଁ କହିଲ। 

ଥରେ ଏମିତି ପଚାରିଲି ବାପା ! ତମେ ଆଖି ବନ୍ଦ କରି ମୋତେ ଏତେ ଭରସା କର କାହିଁକି ? ସବୁ କଥା ମୋତେ ହିଁ ପଚାର ? 

ତମେ ସେଦିନ କଣ କହିଥିଲ ଜାଣିଛ ତୁ ଝିଅ ହେଲେ କଣ ହେଲା ! ତତେ ମୁଁ ମୋ ବଡ ପୁଅ ହିସାବରେ ଦେଖେ ସ୍ନିଗ୍ଧା। ଖାଲି ତା ନୁହେଁ ତୋ କଥାଟା କାହିଁକି କେଜାଣି ମିଠା ଲାଗେ। ତୁ ଯେତେବେଳେ କଥା କହୁ ମୋତେ ଲାଗେ ତୁ ସବୁ ଠିକ୍ କହୁଛୁ।


ତେବେ ଶୁଣ ବାପା , ମୋ ବାହାଘର ନାଁ ଧରନି। ଚାକିରୀକୁ ଦୁଇ ମାସ ବି ହୋଇନି। ଅତି କମରେ ଦୁଇ ବର୍ଷ ଯାଉ... 


ବାପା ! ମୋ ଇଞ୍ଜିନିୟରିଂ ପଢ଼ାରେ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ସଂଚିତ ସବୁ ପଇସା ମୋ ପାଇଁ ଖର୍ଚ୍ଚ କରି ଦେଇଛ। ଯେ ପର୍ଯ୍ୟନ୍ତ ଦଶ ଲକ୍ଷ ତମ ନାଁରେ ଜମା ହୋଇନି, ମୁଁ କେମିତି ପର ଘରକୁ ଯିବି କହିଲ ? ଅନ୍ୟ ଅଧୀନରେ ନିଜକୁ ସମର୍ପଣ କରିଦେବା ପରେ ତମକୁ ଆଉ ସାହାଯ୍ୟ କରି ପାରିବି କି ନାହିଁ ମୁଁ ବି ଜାଣେନି। ଏମିତି ବି ଭାଇ ବେକାର ହୋଇ ଘରେ ବସିଛି, କିଛି ନ ହେଲେ ତମ ବେପାରକୁ ସେ ଆଗକୁ ନେବ। ସେଥିପାଇଁ ବି ତ ପଇସା ଦରକାର। ତମେ ରାଜି ହୋଇଯାଅ ବାପା...

ବାପା ବାଷ୍ପରୁଦ୍ଧ ହୋଇଗଲେ ବୋଧେ, କାନ୍ଦିବାର ପୂର୍ବାଭାସ। ସେଦିନର ପରିସ୍ଥିତି ମୋତେ ଭାରି ବ୍ୟତିବ୍ୟସ୍ତ କଲା.. ମୁଁ ଫୋନ କାଟିଦେଲି। ଦୁଇ ବର୍ଷ ପର୍ଯ୍ୟନ୍ତ ବାହାଘର କଥା ମୁହଁରେ ଧରି ନ ଥିଲେ ସେ। ମୁଁ ଯାହା କହେ ଠିକ୍ କହେ ବୋଲି ସେ ମୋତେ ବହୁତ ମାନୁଥିଲେ...


ଆଜି ହଠାତ୍ କାହିଁକି ମନ ଭିତରେ ଘାଣ୍ଟି ହେଉଥିଲା, କେତେ ବର୍ଷ ପୁରୁଣା ଏଇ କଥା ସବୁ...

ବାହାଘର ପରେ ଦଶ ବର୍ଷ ବିତି ଗଲାଣି ଏହା ଭିତରେ। ବାହାଘର ଆଗରୁ ଅଚାନକ ଦିନେ ଦୁନିଆ ଛାଡି ଚାଲି ଯାଇଥିଲେ ମୋ ବାପା। ସବୁ ବୋଝ ମୋ ଉପରେ। ବିବାହ ବିଳମ୍ବରେ କଲି। ବୋଉ କଥାକୁ ଆଉ ଟାଳିବା ସମ୍ଭବ ହେଲାନି। ପ୍ରସ୍ତାବ ଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କଥା ମୁଁ ହିଁ ବୁଝିଲି। ବଡ ପୁଅ, ବଡ ଭାଇ ପରି ମୋତେ ସବୁ କରିବାକୁ ପଡ଼ିଲା। ସାନ ଭାଇ ବାବୁଲା ଓ ବୋଉର ସବୁ ସମର୍ଥନ ଥିଲା ମୋ ସାଥିରେ।

କନ୍ୟା ବେଶରେ ବର ସଙ୍ଗେ ଟେକ୍ସିରେ ବସି ଶୂନ୍ୟ ବାରଣ୍ଡାରେ ଆଖି ବୁଲେଇ ନେଲା ବେଳକୁ ଲାଗୁଥାଏ ଯେମିତି ବାରଣ୍ଡାରେ ବସି ମୋ ବାପା କାନ୍ଦୁଛନ୍ତି। ହିମାଳୟ ହଲିଗଲେ ଏତେ ବଡ ପୃଥିବୀ ଦୋହଲିଯାଏ। ଫୁଲ ଝଡିଗଲେ ବିଶାଳକାୟ ଗଛଟା ବନ୍ଧ୍ୟା ଲାଗେ ସମୟ ବିତିଗଲେ ଶୂନ୍ୟ ଲାଗେ ଗତ କାଲିର ପ୍ରତିଟି ମୁହୂର୍ତ୍ତ। ଠିକ୍ ସେମିତି ଗୋଟାଏ ଶୂନ୍ୟତା ଭିତରେ ହିଁ ମୁଁ ମୋ ବାପାଙ୍କୁ ଖୋଜୁଥିଲି।

ଗାଡ଼ି ଭିତରେ ବସିଥିବା ବେଳେ ସାନଭାଇ ଡାଇନାମିକ ଲକ୍ ଲାଗିଥିବା ଗୋଟାଏ ଉଡେନ୍ ପର୍ସ ଧରେଇ ଦେଇ କହିଲା, ବାପା ତୋତେ ଦେବାକୁ କହିଥିଲେ। ନିଜକୁ ଆଉ ନିୟନ୍ତ୍ରଣ କରିବା ସମ୍ଭବ ହେଲାନି। କାନ୍ଦିଲି, ଅନେକ କାନ୍ଦିଲି.. ଅଚାନକ ରାସ୍ତା ସରିଯିବା କେତେ ଯନ୍ତ୍ରଣା ଦାୟକ। ଆଖି ଆଗରେ ଗନ୍ତବ୍ୟ ସ୍ଥଳ। ହାତ ପାନ୍ତାରେ ବହୁତ ଶୀଘ୍ର ହାରିଗଲେ ମୋ ବାପା।


ଶିଶୁ କାଠର ପର୍ସଟା ଆଜି ବି ମୋ ବେଡ଼ ରୁମର ଶୋଭା ବର୍ଦ୍ଧନ କରୁଛି ଠିକ୍ ତାଙ୍କ ଫଟୋ ପାଖରେ। ଛୋଟ ଛୋଟ ରୂପା ଖଣ୍ଡରେ ସୁସଜ୍ଜିତ ଉଡେନ୍ ପର୍ସଟି। ବାବୁଲା କହୁଥିଲା, ବାପା ନିଜ ହାତରେ ବନେଇଛନ୍ତି ଏଇ ଉପହାରଟି । ଭୁବନେଶ୍ୱର ଯାଇ ପାସୱାର୍ଡ ସେଟ୍ କରିଥିଲେ ବୋଲି ବାବୁଲା କହୁଥିଲା। ଆଜି ପର୍ଯ୍ୟନ୍ତ ମୁଁ ବି ଖୋଲି ପାରିନି ପର୍ସଟିକୁ। ସ୍ମୃତିର ଝର୍କା ଦେଇ ବିତିଯାଇଥିବା ବର୍ଷା, ବସନ୍ତକୁ ଖୋଜିଲେ କିଛି ଲାଭ ହୁଏନି, ଦୁଃଖର ବାଲିଝଡ ସିଁ ସିଁ ଶବ୍ଦ କରେ। ବାପାଙ୍କୁ ବାଦ୍ ଦେଇ ମୋ ଜୀବନରେ ସବୁ କିଛି ଥାଇ ବି ନ ଥିଲା ପରି ଲାଗେ। ମନଟା ପୁରା ଚୁପ୍ ଚାପ୍। ରଞ୍ଜଘଷ ହୁଏନି ବୋଲି ମନ ଉପରେ କେବେଠୁ କେଜାଣି ମେଞ୍ଚା ମେଞ୍ଚା ଶିଉଳି ଜମି ଗଲାଣି ।


ହଁ, ଆଜି ତାଙ୍କର ଏଗାରତମ ପୁଣ୍ୟତିଥି। ବହୁତ ମନେ ପଡ଼ୁଛନ୍ତି ମୋ ବାପା ଆଜି ପରି ଦିନରେ। ଭାରି ସରଳ ଓ ସହଜ ମଣିଷ। ମୁଁ ଏତେ ବଡ ଚାକିରୀ ପାଇବା ପରେ ବି ଟିକିଏ ଅହଙ୍କାର ନ ଥିଲା ତାଙ୍କ ଭିତରେ। କେତେ ଥର ଡାକିଲି, ବାପା ! ମୁମ୍ବାଇ ଆସିବ।

ହସିଦେଇ କହିଥିଲେ, ତୋ ବାହାଘର ପରେ ଆସିବି। ମାସେ ଦୁଇମାସ ରହିବି ମୁମ୍ବାଇରେ। ସବୁ ଜାଗା ବୁଲିବି। ଦିଲୀପ କୁମାରଙ୍କ ଘର ଦେଖିବାକୁ ଭାରି ଇଚ୍ଛା, ବୁଲେଇ ନେବୁ ତ !!! ଆଖି ଜକେଇ ଆସିବା ପୂର୍ବରୁ ନିୟନ୍ତ୍ରଣ କରିନେଲି ମୁଁ ନିଜକୁ..

ହଠାତ ମନେ ପଡ଼ିଲା। ମୁଁ ଭାରି ବ୍ୟସ୍ତ ଥାଏ ସେଦିନ। ବାପା ଫୋନ କରି ପଚାରିଲେ ଆରେ ସ୍ନିଗ୍ଧା ! ଗୋଟାଏ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାଟିଏ କହିଲୁ। ମୁଁ କିଛି ଚିନ୍ତା ନ କରି ୧,୨ ଓ ୩ କହିଥିଲି। ତା ପରେ ଭୁଲି ଯାଇଥିଲି ବାପା ଫୋନ କରି କିଛି ପଚାରିଥିଲେ ବୋଲି। ଏତେ ବର୍ଷ ବିତି ଗଲାଣି ଥରେ ବି ମନେ ପଡ଼ିନାହିଁ କଥାଟି। କିଛି ରହସ୍ୟ ଥିଲା ବୋଧେ ସେଦିନ ତାଙ୍କ କଥାରେ। ଦୌଡ଼ିଗଲି ପର୍ସ ପାଖକୁ। ୧,୨ ଓ ୩ ସେଟ୍ କଲି। ଖୋଲିଗଲା। 

ମୁଣ୍ଡ କାମ କଲା ନାହିଁ। ଚାରିଟି ସୁନା ବିସ୍କୁଟ ତା ଭିତରେ। ଛୋଟ ହାତ ଲେଖା ଚିଠିଟିଏ ସାଥିରେ ରହିଛି। ଚିଠି ଖୋଲି ପଢ଼ିବା ପାଇଁ ମନଟା ବିଚଳିତ ହୋଇ ଉଠିଲା।

ସ୍ନିଗ୍ଧା !

ସାରା ଦୁନିଆର ଲୋକଙ୍କ ପାଇଁ କେତେ କଣ ବନେଇଲି। ପଲଙ୍କ, ଟେବୁଲ୍ କେତେ କିଛି। ଆଉ ତୋ ପାଇଁ ???

ଭାବିଲି ମୋ ଝିଅ ସ୍ନିଗ୍ଧାକୁ ବିଦାୟୀ ବେଳାରେ ଏମିତି ଗୋଟେ ଉପହାର ଦେବି କୋଉ ବାପା ତା ଝିଅକୁ କେବେ ଦେଇ ନ ଥିବ।

ଶିଶୁ କାଠର ପର୍ସଟିଏ !!!

ସ୍ୱପ୍ନରେ ଡିଜାଇନ୍ ଭାବିଲି। ତୋ ବୋଉ ଆଉ ବାବୁଲାକୁ ସର ପ୍ରାଇଜ୍ ଦେବି ବୋଲି ଘର ଭିତରୁ ବନ୍ଦ କରି ପ୍ରତିଦିନ ରାତିର ନିସ୍ତବ୍ଧତା ଭିତରେ ମୁଁ ହଜିଯାଏ। ଛୋଟ ଛୋଟ ନିହାଣ ହାତୁଡ଼ି ଧରି ସୂକ୍ଷ୍ମ କାରୁକାର୍ଯ୍ୟ କରେ ସ୍ବପ୍ନକୁ ଆଞ୍ଚୁଡ଼ି ଆଞ୍ଚୁଡ଼ି । ଖାସ୍ ତୋ ପାଇଁ ସ୍ନିଗ୍ଧା। ଯେତେବେଳେ କାମ କରେ ନା..ତୋ ବିଦାୟୀ କଥା ଭାରି ମନେ ପଡେ। କେଇ ବୁନ୍ଦା ଲୁହ ବି ମିଶି ଯାଇଛି ସେଇ କାରୁକାର୍ଯ୍ୟ ଭିତରେ। ପ୍ରତିଟି ରୂପା ଖଣ୍ଡକୁ ଉଖାଡ଼ି ଦେଖିବୁ, ଅଠା ଭିତରୁ ମୋ ଲୁହର ବାସ୍ନା ଆସିବ।

କିଏ କହିଲା ଲୁହର ଓଜନ ନାହିଁ, ସେଇଥି ପାଇଁ ତ ଧୀରେ ଧୀରେ ହାଲୁକା ହୋଇ ଯାଇଛି ମନଟା। ଲୁହ ଆଉ କୋଉଠି ବଞ୍ଚୁଛି ଯେ ତୋ ବାହାଘର ଦିନ ଆଉ କାନ୍ଦିବି !!

ହଁ, ତୁ ବହୁତ ଚତୁର ସ୍ନିଗ୍ଧା। ପାସୱାର୍ଡ ପାଇଁ ତୋତେ ଅସୁବିଧା ହୋଇ ନ ଥିବ। ମନେ ଅଛି ନା ୧,୨ ଓ ୩ ତୁ ହିଁ କହିଥିଲୁ !!!

ଦୁଇ ବର୍ଷର ତୁ ଦେଇଥିବା ସମସ୍ତ ପଇସାରେ ମୁଁ ତୋ ପାଇଁ ସୁନା କିଣି ରଖି ଦେଇଛି ଏଇ ପର୍ସ ଭିତରେ। ଜୀବନଟା କେତେ ଅନିଶ୍ଚିତ !!! ମୁଁ ଥିବି ନ ଥିବି ତୋତେ କିଏ ସାହାଯ୍ୟ କରିବ କହିଲୁ। ଦୁନିଆଟା ଭାରି ସ୍ୱାର୍ଥପର ସ୍ନିଗ୍ଧା। ସେତେବେଳେ ଏଇ ସୁନା ହିଁ ତୋ କାମରେ ଆସିବ ନା...। ତୁ ଝିଅ ହିସାବରେ ସବୁ କରିଛୁ ଆମ ପାଇଁ। ମୁଁ କେବଳ ବାପାର କର୍ତ୍ତବ୍ୟ କରିଛି। ତୋ ସହ ସ୍ନେହବୋଳା ସୁମଧୁର ସମ୍ପର୍କ ହିଁ ମୋର ଏକ ମାତ୍ର ସମ୍ପତ୍ତି। ପଇସା ମୋର କଣ ହେବ କହିଲୁ ??

ମୁଁ ଜାଣିଛି ତୁ ଗାଳି କରିବୁ, ଝିଅର ଅଭିମାନ ମିଶା ଗାଳି ଶୁଣିବାକୁ ଭାରି ଭଲ ଲାଗେ ସ୍ନିଗ୍ଧା। ଅନ୍ୟମାନଙ୍କ ସ୍ବାର୍ଥ ମିଶା ଗାଳି ଠୁ ବହୁତ ଅଲଗା ଝିଅର ଗାଳି। ଯଦି ତୋଠୁ ଗାଳି ଖାଏ, ସେଇଟା ମୋ ଭାଗ୍ୟ, ଏଇଠି ତ ପ୍ରତିଦିନ ଅନିଶ୍ଚିତ। ଶାଶୁ ଘରେ ଭଲରେ ଥା...

ତୋ ବାପା

ଲୁହରେ ଗାଧୋଇ ସାରିଥିଲି ସେତେବେଳକୁ। ଚାରି ଚାରୋଟି ସୁନା ବିସ୍କୁଟ। ଅସହାୟ ଝିଅ ପରି ଅନେଇଥିଲି ତାଙ୍କ ଫଟୋ ଆଡେ । ନିସ୍ତବ୍ଧତା ଭିତରେ ନିହାଣ, କରତ, ହାତୁଡ଼ିର ଶବ୍ଦ ଶୁଭୁଥିଲା..... ମୋ ବାପାଙ୍କ ହାତର ଶବ୍ଦ... ମୋ ପିଲାଦିନ ହିଁ କଟିଥିଲା ସେଇ ଶବ୍ଦ ଭିତରେ।


Rate this content
Log in