ମନର କଥା ପଦେ
ମନର କଥା ପଦେ


ପୁଅ ମୋର କଲେକଟର-
ସିଚୁଆ ଗାଁର କେଇଟା ଭଲ ଚଳିଲା ଘର ଭିତରେ ନଖିଆ ନନାର ଘର ବି ଆସେ। ସ୍ତ୍ରୀ ଆଉ ଦିଟି ଛୁଆକୁ ନେଇ ପରିବାର। ଝିଅର ବାହାଘର ସରିଛି । ପୁଅ ବାବୁ ଟା ଟିକେ ଭଲ ପଢୁଥିଲା ବୋଲି ନଖିଆନା ତାକୁ କଟକରେ ପଢ଼ଉଥିଲା । ଭାରି ଇଚ୍ଛା ଥିଲା ତା'ର ପୁଅ କଲେକଟର ହବ ତାଙ୍କ ମୌଜା ର ନାଁ ରଖିବ। ହେଲେ ବାବୁ କଟକ ଆସିକି ପଢିବା ଠୁ ଦୁରେଇ କଲେଜ ରାଜନୀତିରେ ବେସି ଧ୍ୟାନ ଦେଲା । ପିଲାଙ୍କୁ ଏକାଠି କରିବା ନେତା ହଵା ସତେ ଯେମିତି ତା'ର ପ୍ରିୟ ବିଷୟ ପାଲଟି ଯାଇଥିଲା। ପାଠ ପ୍ରତି ଧ୍ୟାନ ଟିକେ ହଟିବାରୁ ଯୁକ୍ତ ତିନିରେ ଫେଲ ବି ହେଇଗଲା। ମାତ୍ର କଟକରେ ଭଲ ଭଲ ନେତାଙ୍କ ସହ ସମ୍ପର୍କ ଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ଗୋଟେ ଦଳୀୟ ଟିକେଟରେ ତାଙ୍କ ଗାଁ ସରପଞ୍ଚ ହେଇଛି। ହେଲେ ନଖିଆନାକୁ କାଇଁ ଏ ସବୁ ଜମା ପସନ୍ଦ ଆସୁନି । ମିଶ୍ର ଘର ବ୍ରାହ୍ମଣ ଛୁଆ ଟା ତା'ର,ଜାତି ଅଜାତିଙ୍କୁ ମୁଣ୍ଡିଆ ମାରୁଛି । ଘରେ ବାର ନୋକ ପସୁଛନ୍ତି ଏସବୁ ଦେଖିକି ବୁଢା ଅଣନିଶ୍ୱାସୀ ହେଇପଡୁଛି।ଥରେ ଦି ଥର ବାବୁ କୁ କହିଲାଣି "ତୁ ଏସବୁ ଛାଡିକି ଯାଉନୁ ପାଠ ପଢ଼ିବୁ, ତୋର କଣ ବୟସ ପଳେଇଲାଣି?ତତେ କଲେକଟର କରିବି ବୋଲି ଭାବିଥିଲି"। ବାବୁ ତା କଥାକୁ କେବେ କାନ ଦିଏନି ଓଲଟା ଗର ଗର ହୁଏ। ବୁଢା ର ମନ କଥା ବାବୁ ମା' ବୁଝିପାରେ,ତାକୁ ସାନ୍ତ୍ୱନା ଦିଏ "ଆମ ପୁଅକୁ କେତେ ନୋକ ମାନୁଛନ୍ତି ତମେ ସେଇଥିରେ ଖୁସି ହଉନ । ତା ଦେଇ ପାଠ ହେଲାନି ଯଦି ହେଲାନି ସେଇ କଥା କୁ ଧରିକି ମନ ଉଣା କଲେ ହବ?" ଏସବୁ ଭିତରେ ଜୀବନ ଚାଲିଥାଏ...
ମହାମାରୀ କରୋନା ଯୋଗୁଁ ସବୁଆଡେ ହା ହାକାର ପଡିଗଲା।ସହର ଠୁ ନେଇ ଗାଁ ସବୁ ଆଡେ ତାଲାବନ୍ଦ।ସେଦିନ ନଖିଆନା ତା ସଉଦା ଦୋକାନ ଭିତରପଟୁ ଖୋଲି ବଇଚି,କଡ଼ ଘର ଟୋକା ଶଙ୍କୁରୁ ଦୌଡ଼ି ଆସି କହିଲା,"ଦାଦି ଦାଦି ଟିଭି ଦେଖିଲଣି ନା ନାଇଁ? ଲଗାଅ ତ ଟିକେ,ଆମ ମୁଖ୍ୟମନ୍ତ୍ରୀ କଣ କହୁଛନ୍ତି ଶୁଣ । ତମ ଇଚ୍ଛା ପୂରଣ ହେଇଗଲା ବା ଦେଖୁନ ଟିକେ ଟିଭି"।ଦେଖିଲା ବେଳକୁ ତଳେ ନେଖୁଥାଏ "କରୋନା ମୁକାବିଲା ପାଇଁ ସବୁ ସରପଞ୍ଚଙ୍କୁ କଲେକ୍ଟର କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ"।ବାବୁ ବୋଉ ଦୂରୁ ଦେଖି ହସୁଥାଏ କହୁ କହୁ କହିଦେଲା "ନିଅ ହେଇଗଲାଟି ତମ ପୁଅ କଲେକଟର ଖୁସି ଏଥର!!"
ଗୋଟେ ଆତ୍ମସନ୍ତୋଷର ଦୀର୍ଘ ଶ୍ୱାସ ନଉ ନଉ ବୁଢା ଆଖିରେ ପଡିଗଲା ନିଜ ଦୋକାନ କାନ୍ଥରେ ମରାହେଇଥିବା କବିତାଟି,"ଦେହେ ମନ୍ଦାକିନୀ ରଜ ଲଗାଇ,ଗ୍ରାମ ଶୂକରୀ କି ହୋଇବ ଗାଈ"?? ବୁଢା ର ମନଟା ପୁଣି ଆମ୍ବିଳା ହେଇଗଲା.... ।