Sambit Srikumar

Children Stories Inspirational

4.5  

Sambit Srikumar

Children Stories Inspirational

ମିଛୁଆ

ମିଛୁଆ

4 mins
278


ବ୍ରିଟିଶ୍ ରାଜତ୍ବ ସମୟରେ ପ୍ରତିଷ୍ଠିତ ଗାଁ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା ଚିନ୍ମୟ। ଏଇ ଇସ୍କୁଲରେ ତାଙ୍କ ପରିବାରର ତିନି ପୀଢ଼ି ପାଠ ପଢିଛନ୍ତି। ଜେଜେବାପା ଦିନେ ଏଇଠି ପଢୁଥିଲେ ଆଉ ଏବେ ଚିନ୍ମୟ। ପିଲାଟି ଦିନରୁ ସେ ମେଧାବୀ ଆଉ ମେହନତି। ସବୁ କଥାରେ ତା'ର ରୋକଠୋକ ଭାବ। ଏକଦମ୍ କାଉଁରିଆ କାଠି, ନଇଁବା କଣ ଜାଣିନି।

ବିଦ୍ୟାଳୟର ନଥିପତ୍ରରେ ନାଁ ତା'ର ଚିନ୍ମୟ। କିନ୍ତୁ ଇସ୍କୁଲଟା ଯାକ ଛୋଟ ବଡ଼ ସଭିଙ୍କ ପାଇଁ ସେ "ଚିନୁଆ"। ସାହିର ଜଣେ କେହି ବୟୋଜ୍ୟେଷ୍ଠ ବ୍ୟକ୍ତି ଏଇ ଚିନୁଆ ଡାକିଲେ ଯେ, ସମସ୍ତେ ଏଥିରେ ପାଳି ଧରିଲେ। ଇସ୍କୁଲ ଯାଏଁ ବି ବ୍ଯାପିଗଲା ଏଇ ଡାକ ନାଁ। ତାକୁ ବିଲକୁଲ୍ ଭଲ ଲାଗେନି ଏଇ ଚିନୁଆ ଡାକ। କାହିଁକି ନା ଏତେ ସୁନ୍ଦର ନାଁ ତା'ର ଥାଉ ଥାଉ, କିଏ ତାକୁ ଏମିତି ବିକୃତ କରି ଡାକିବାଟା ତା' ଦେହରେ ଯାଏନି।


ମନ ତା'ର ବିଦ୍ରୋହ କରି ଉଠେ। କିନ୍ତୁ ସେ ନିରୁପାୟ। ସଭିଙ୍କ ସାମ୍ନାରେ ଏକୁଟିଆ। ହାରିଯାଏ ତା'ର ସାହାସ। ସିଏ ପଦେ କହିଲେ, ଅନ୍ଯମାନେ ମିଶିକରି ଦଶ ପଦ କଥା କହନ୍ତି। ଲଗେଇ ଜୁଟେଇ ଚିଡାନ୍ତି ତାକୁ।

ସବୁଦିନ ଘରକୁ ଫେରି ଆସି ବୋଉ ମନୋରମା ଦେବୀଙ୍କ ଆଗରେ ଚିନ୍ମୟ କାନ୍ଦି ପକାଏ। ଦୁମ୍ ଦୁମ୍ କରି କୁଦିଯାଏ ଘରଠୁ ବାରି ପୁଣି ବାରି ଠୁ ଅଗଣା। ବୋଉ ତାକୁ ବୋଧ ଦେବାକୁ ଯାଇ କହେ, "ଧନରେ, ସେଇ ନାଁରେ କଣ ଅଛି? ତୁ ଏମିତି କାମ କର ଯେ, ତୋ କାମ ପାଇଁ ଲୋକେ ତୋତେ ଜାଣିବେ!"


ସେ କିଛି ବି ଏଥିରୁ ବୁଝି ପାରେନି। ବରଂ ରାହା ଧରି କାନ୍ଦେ। ଖାଇବା କଂସାକୁ ଫିଙ୍ଗିଦିଏ। ବୋଉ ଠାରୁ ଦି'ଟା ମାଡ଼ ଖାଇବା ପରେ ଯାଇ ତା' ମନ ବୋଧ ହୁଏ। ସଞ୍ଜ ବୁଡ଼ିବା ପରେ ଲଣ୍ଠନ ଜଳାଇ ପଢିବସେ କୁନି ଚିନ୍ମୟ। ଏତିକି ବେଳେ ବୋଉ ଠାରୁ ସିଏ ଶୁଣେ ଧର୍ମପଦ, ବାଜି ରାଉତ, ପ୍ରହଲ୍ଲାଦ, ଅଭିମନ୍ୟୁର କାହାଣୀ। ମନରେ କିଛି ନା କିଛି ନୂଆ କରିବାକୁ ଶପଥ ନିଏ।


ପିଲାବେଳେ ହସ୍ତାକ୍ଷର ଲେଖିବା ଏକ ଧରାବନ୍ଧା ନିୟମ ଥିଲା। ତା' ସାଙ୍ଗ ପିଲାମାନେ ତେଢା ମେଢା ହସ୍ତାକ୍ଷର ଲେଖୁଥିବା ବେଳେ ମନଯୋଗ ସହକାରେ ସେ ଗୋଲ୍ ଗୋଲ୍ ହସ୍ତାକ୍ଷର ଲେଖିବାକୁ ଲାଗିଲା। ଅବଶ୍ୟ ଏଥିପାଇଁ ତାକୁ ବହୁତ ପରିଶ୍ରମ କରିବାକୁ ପଡୁଥିଲା। ଖେଳକୁଦ ଛାଡି ଘଣ୍ଟା ଘଣ୍ଟା ହସ୍ତାକ୍ଷର ଲେଖୁଥିଲା ସେ। ଫର୍ଦ୍ଦ ଫର୍ଦ୍ଦ ଲେଖି ଚାଲୁଥିଲା ଅବିରାମ ଭାବରେ। ଜହ୍ନମାମୁଁ, ଶିଶୁଲେଖା, ମୀନାବଜାର ଆଦି ପତ୍ରିକା ନିୟମିତ ପଢୁଥିଲା। ଦେଶ ଦୁନିଆ ବିଷୟରେ ନୂଆ ନୂଆ କଥା ଜାଣୁଥିଲା।


ଇସ୍କୁଲକୁ ନୂଆ ଶିକ୍ଷୟତ୍ରୀ ଆସିଲେ। ନାମ ତାଙ୍କର ଶୋଭାରାଣୀ ଦେବୀ। ଯୋଗକୁ ତୃତୀୟ ଶ୍ରେଣୀର ଶ୍ରେଣୀ ଶିକ୍ଷୟିତ୍ରୀ ହେଲେ ସିଏ। କୁନି କୁନି ପିଲାମାନଙ୍କୁ ପଢ଼ାଉଥିଲେ ସାହିତ୍ୟ। ଚକ୍ ଖଡିରେ ସରଳାର୍ଥ ଲେଖୁଥିଲେ କଳାପଟାରେ। ମାତ୍ର ମନକୁ ମନ ନୁହେଁ। ସାଥି ବହିର ସାହାଯ୍ୟରେ।ଏକଥା ଚିନ୍ମୟର ଅନୁସନ୍ଧିତ୍ସୁ ଆଖିରେ ପଡିଲା। ଚାହୁଁ ଚାହୁଁ କଥାଟା ଅନ୍ୟ ସାଙ୍ଗମାନଙ୍କ କାନରେ ବି ପଡିଲା। ଆଖିରେ ଦେଖିଲେ ସଭିଏଁ ଦିଦିଙ୍କ କରାମତି। କେଉଁଠୁ ସାହିତ୍ୟିକ ଶବ୍ଦସବୁ ଖୋଜି ଆଣୁଥିଲେ? କିନ୍ତୁ ସଭିଏଁ ଚୁପ୍।


ଦିନେ ହସ୍ତାକ୍ଷର ଖାତା ଯାଞ୍ଚ କରୁ କରୁ ଶୋଭାରାଣୀ ଦିଦି ଶ୍ରେଣୀ ମଝିରେ ଠିଆ ହେବାକୁ ନିର୍ଦ୍ଦେଶ ଦେଲେ ଚିନ୍ମୟକୁ। ସାଧାରଣତଃ ଶ୍ରେଣୀରେ ବଦମାସି କରୁଥିବା ପିଲାମାନଙ୍କୁ ହିଁ ଠିଆ କରାଯାଏ। କିଛି ବି ବୁଝି ପାରୁନଥିଲା ସେ କଣ ପାଇଁ ଠିଆ ହେବାକୁ କୁହାଗଲା ବୋଲି?


କିଛି ମିନିଟ୍ ବ୍ଯବଧାନ ପରେ ଶୋଭାରାଣୀ ଦିଦି କହିଲେ, "ଚିନୁଆ, ସତ କହ ଏ ହସ୍ତାକ୍ଷର କିଏ ଲେଖିଛି?"

"ମୁଁ ଲେଖିଛି ଦିଦି।" କହିଲା ଚିନ୍ମୟ।

: ମିଛ କହୁଛୁ ତୁ...

: ନାଇଁ ଦିଦି। ବିଦ୍ଯାରାଣ ମୁଁ ନିଜେ ଲେଖିଛି।

: ପୁଣି ମିଛ... ମିଛକୁ ପୁରା ଗୋଳି ବାଟି ପିଇ ଦେଇଛୁ... ମିଛୁଆ କୋଉଠିକାର!

: ନାଇଁ ଦିଦି, ମୁଁ ନିଜେ ହିଁ ଲେଖିଛି। ଆମ ଘରେ ଏମିତି କେହି ବି ଜଣେ ନାହାଁନ୍ତି ଯେ ମୋ ପାଇଁ ଲେଖିବେ କି ମୁଁ କାହାକୁ କହିବି ଲେଖିବାକୁ।

: ଚୁପ୍! ଆଜି ଠୁଁ ତୋ ନାଁ ଚିନୁଆ ନୁହେଁ... "ମିଛୁଆ"! ଶୁଣ ପିଲାମାନେ ସମସ୍ତେ ତାକୁ ମିଛୁଆ ଡାକିବ।


ହାସ୍ୟରୋଳରେ ଫାଟି ଉଠୁଥିଲା ଶ୍ରେଣୀଗୃହ। ଠୋ ଠୋ ହୋଇ ହସୁଥିଲେ ବାଲ୍ୟକାଳର ସହପାଠୀ ବନ୍ଧୁଗଣ। ମିଛୁଆ... ମିଛୁଆ... ମିଛୁଆ... ମିଛୁଆ ଚିନୁଆ... ସହପାଠୀମାନଙ୍କ ତାତ୍ସଲ୍ୟରେ କାନ୍ଦି ପକାଇଲା ଚିନ୍ମୟ। ଧାର ଧାର ଉଷୁମ ଲୁହ ବହିଗଲା ତା' ଆଖିରୁ। ହେଲେ ପୋଛିବା ପାଇଁ କେହି ବି ଦରଦୀ ବନ୍ଧୁ ନଥିଲେ। ସଭିଏଁ ମଜ୍ଜା ଲୁଟୁଥିଲେ ତା' ଅସହାୟତାର।


ଚିନ୍ମୟର ବାପା ସୁଦୂର କୋରାପୁଟରେ ସରକାରୀ ଚାକିରିରେ ଅବସ୍ଥାପିତ ଥିଲେ। ତୁରନ୍ତ ଯୋଗାଯୋଗ କରିବା ଅସାଧ୍ୟ ଥିଲା। ଏଣୁ ସେ ପରଦିନ ତା' କକାଙ୍କୁ ନେଇକରି ଗଲା ଇସ୍କୁଲକୁ, ହସ୍ତାକ୍ଷର ବିଷୟରେ ସାକ୍ଷ୍ୟ ଦେବାକୁ। କକାଙ୍କ ଠାରୁ ସବୁ ସତ୍ଯାସତ୍ଯ ଶୁଣିବା ପରେ ବି ନିଜ ଭୁଲ୍ ସୁଧାରିବାକୁ ଚେଷ୍ଟା ବି କଲେ ନାହିଁ ଶୋଭାରାଣୀ ଦିଦି। ବରଂ ଉପରଠାଉରିଆ ଭାବେ "ହଉ ଦେଖିବା" କହି ଅନ୍ୟ ଶ୍ରେଣୀକୁ ଚାଲିଗଲେ।


ଏହି ଘଟଣା ପରେ ଚିନ୍ମୟର ମୁସ୍କିଲ ଆହୁରି ବଢିଗଲା। ଟିକି ମନରେ ତା'ର ଭାବିଥିଲା କକା ଆସି ଦିଦିଙ୍କୁ ସବୁକଥା କହିଦେବା ପରେ କେହି ବି ତାକୁ ଆଉ ଚିଡ଼ାଇବେ ନାହିଁ। ପୂର୍ବ ପରି ସେ ତା'ର ପାଠ ପଢ଼ାରେ ପୂର୍ଣ୍ଣ ପ୍ରାଣରେ ମନୋନିବେଶ କରି ପାରିବ। କିନ୍ତୁ ଫଳ ଓଲଟା ଫଳିଲା। ଏବେ ଇସ୍କୁଲଟାଯାକ ସଭିଏଁ ଚିନ୍ମୟକୁ ଡାକୁଥିଲେ, "ମିଛୁଆ... ମିଛୁଆ..."

ଅସହ୍ୟ କ୍ରୋଧରେ କମ୍ପୁଥିଲା ସେ। ଏତେ ଛୋଟ ବୟସରେ ଦୁଃସହ୍ଯ ଥିଲା ଏଇ ଅପମାନ ସହିବା ତା' ପକ୍ଷରେ। ଆତ୍ମାଭିମାନରେ କାନ୍ଦି କାନ୍ଦି ତା' ଆଖି ଫୁଲିଯାଏ। ବେଳେ ବେଳେ ଲାଗୁଥିଲା, ଧାନବିଲରେ ପଡୁଥିବା କୀଟନାଶକ ଦାନାଦାର ଖାଇ ଆତ୍ମହତ୍ଯା କରିଦେବାକୁ। କିନ୍ତୁ ଜେଜେବାପାଙ୍କ ଠାରୁ ଶୁଣିଥିବା ତତ୍ତ୍ବ ଜ୍ଞାନ ତାକୁ ଏଥିରୁ ବାରଣ କରିଥିଲା ସେଦିନ। "ଆତ୍ମହତ୍ଯା କଲେ କାଳେ ଚଉରାଶୀ ଲକ୍ଷ ଜନ୍ମ ପର୍ଯ୍ୟନ୍ତ ମୁକ୍ତି ମିଳେ ନାହିଁ!"


ପରିସ୍ଥିତି ଏପରି ହେଲା ଯେ, ବାଧ୍ଯ ହୋଇ ଚିନ୍ମୟକୁ ଗାଁ ଇସ୍କୁଲ ଛାଡ଼ି ରାଜଧାନୀରେ ହଷ୍ଟେଲରେ ରହି ପଢିବାକୁ ପଡିଲା। ଯେଉଁ ଦିନ ଗାଁରୁ ଭୁବନେଶ୍ବର ଯାଉଥିଲା ବସ୍ ଚଢି ସେ ଦିନ ଭାବୁଥିଲା, "ଯୁଗେ ଯୁଗେ ସତ୍ଯକୁ ହିଁ ସଦାସର୍ବଦା କାହିଁକି ପରୀକ୍ଷା ଦେବାକୁ ପଡେ?" ସିଏ ଗାଲିଲିଓ ହୁଅନ୍ତୁ କି ସକ୍ରେଟିସ୍ ସଭିଙ୍କୁ ଏଠି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଛି।


ରାଜଧାନୀ ଭୁବନେଶ୍ଵରରେ ବହୁତ ସୁଯୋଗ ଥିଲା ନିଜର ଅନ୍ତର୍ନିହିତ ଦକ୍ଷତାର ବିକାଶ ନିମନ୍ତେ। ଗାଁରେ ନିଜର ବାଲ୍ୟକାଳର ସହପାଠୀମାନଙ୍କ ଦ୍ବାରା ପ୍ରତାଡିତ ଚିନ୍ମୟ ପରବର୍ତ୍ତୀ ସମୟରେ ରାଜଧାନୀରେ ଅନୁଷ୍ଠିତ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଥାଟା ସଚିତ୍ର ପ୍ରକାଶିତ ହୋଇଥିଲା ସେତେବେଳେର ପ୍ରମୁଖ ଖବରକାଗଜରେ।

ଆଉ କିଏ କଣ ଭାବୁଥିଲେ ଜଣା ନାହିଁ, କିନ୍ତୁ ଚିନ୍ମୟର ବୋଉ ମନୋରମା ଦେବୀ ବେଶ୍ ଖୁସି ଥିଲେ ପୁଅର ବିଶେଷ ଉପଲବ୍ଧି ନିମନ୍ତେ। "ମାତା ହିଁ ଶିଶୁର ପ୍ରଥମ ଶିକ୍ଷକ" ଉକ୍ତିଟି ଚିରନ୍ତନ ସତ୍ଯ ବୋଲି ପ୍ରତିପାଦିତ ହୋଇଥିଲା। 



Rate this content
Log in