ମହାଭାରତ
ମହାଭାରତ
ଋଷିମୁନିଗଣଙ୍କର ନିବାସସ୍ଥଳୀ ନୈମିଷାରଣ୍ୟ ଥିଲା; ମହାମୁନି ଶୌନକ ସେମାନଙ୍କ କୁଳପତି ଥିଲେ । ଥରେ ସେ ବାରବର୍ଷ ପର୍ଯ୍ୟନ୍ତ ଯଜ୍ଞ କଲେ । ଯେତେବେଳେ ମୁନିଋଷିମାନେ ଯଜ୍ଞ କର୍ମରେ ବ୍ୟସ୍ତ ରହୁଥିଲେ ସେତେବେଳେ ରୋମହର୍ଷଣଙ୍କ ପୁତ୍ର ସୂତମୁନି ସେଠାକୁ ଆଗମନ କଲେ । ସୂତମୁନି ସମସ୍ତ ପୁରାଣରେ ପଣ୍ଡିତ ଥିଲେ । ତେଣୁ ଅନେକ ଋଷିମୁନି ତାଙ୍କୁ ପୁରାଣ କଥା ଶୁଣାଇବାକୁ ଅନୁରୋଧ କଲେ ।
ସୂତ କହିଲେ, “ମହର୍ଷିଗଣ, ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ବହୁତ ବଡ ସର୍ପଯଜ୍ଞ କରିଥିଲେ । ବୈଷମ୍ପାୟନ ଜନ୍ମେଜୟଙ୍କୁ ଭାରତର ପୁଣ୍ୟକଥା ଶୁଣାଇଥିଲେ । ସେହିସବୁ କଥାର ରଚୟିତା ହେଲେ ବେଦବ୍ୟାସ । ମୁଁ ମଧ୍ୟ ସେଠାରେ ଉପସ୍ଥିତ ଥାଇ ସମସ୍ତ କଥା ଶ୍ରବଣ କରିଥିଲି । ସମନ୍ତକପଂଚକ ନାମକ ପୁଣ୍ୟ କ୍ଷେତ୍ରରୁ ମୁଁ ଏଠାକୁ ଆସୁଛି । ସେହିଠାରେ ହିଁ ମହାଭାରତ ଯୁଦ୍ଧ ହୋଇଥିଲା ।”
ତାଙ୍କ କଥା ଶୁଣି ଋଷିଗଣ ବହୁତ ଆନନ୍ଦିତ ଓ ଉତ୍ସାହିତ ହୋଇ ସୂତଙ୍କୁ ବେଦବ୍ୟାସଙ୍କ ରଚିତ କଥା ଶୁଣାଇବାକୁ ଅନୁରୋଧ କଲେ ।
ସୂତ କହିବାକୁ ଆରମ୍ଭ କଲେ – “ଜାଣନ୍ତି କି ମହାଭାରତ ରଚନା କିପରି ହେଲା? କୃଷ୍ଣଦ୍ୱିପାୟନ – ବ୍ୟାସ ବେଦକୁ ଚାରି ଭାଗରେ ବିଭକ୍ତ କଲେ । ତା’ପରେ ସେ ହିମାଳୟ ପର୍ବତରେ ଯାଇ ତପସ୍ୟା କଲେ । ଧୃତରାଷ୍ଟ୍ରଙ୍କ ରାଜ୍ୟର ସମାପ୍ତିପରେ ସେ ମହାଭାରତ ରଚନା କରିବାକୁ ଚାହିଁଲେ । ସେ ଗଭୀର ଭାବରେ ଚିନ୍ତାକଲେ ଯେ ମହାଭାରତ କେଉଁ ପଦ୍ଧତିରେ ଲେଖା ହେବ? ଯ’ଦ୍ୱାରା ସାରା ପୃଥିବୀର ଲୋକେ ତାକୁ ଆନନ୍ଦରେ ପାଠ କରିବେ । ଠିକ୍ ସେତିକିବେଳେ ବ୍ରହ୍ମା ଆସି ସେଠାରେ ପହଁଚିଲେ । ବ୍ୟାସଦେବ ବିନୟପୂର୍ବକ ବ୍ରହ୍ମାଙ୍କୁ ପ୍ରଣାମ କରି କହିଲେ, “ପ୍ରଭୁ, ମୁଁ ବେଦବେଦାଙ୍ଗର ସାରତତ୍ୱକୁ ନେଇ ମହାଭାରତ ନାମକ ଗ୍ରନ୍ଥରଚନା କରିବାକୁ ଭାବୁଛି । କିନ୍ତୁ ମୁଁ ଭାବି ପାରୁନାହିଁ ଯେ ଏତେ ବଡ ଗ୍ରନ୍ଥକୁ କିଏ ଲିପିବଦ୍ଧ କରିବ? ଆପଣ ତ ଜାଣନ୍ତି ଯେ ଏହି ଗ୍ରନ୍ଥକୁ ପଢିବାକୁ ଲୋକେ କେତେ ଉତ୍କଣ୍ଠିତ ହେବେ!”
ବ୍ରହ୍ମା କହିଲେ, “ବତ୍ସ, ତମେ ଆନ୍ତରିକତା ସହକାରେ ବିଘ୍ନେଶ୍ୱର ଗଣେଶଙ୍କୁ ପ୍ରାର୍ଥନା କର । କେବଳ ସେହିଁ ତୁମକୁ ଏ ଦିଗରେ ସହାୟତା କରିବେ ।”
ବ୍ୟାସଦେବଙ୍କ ନିବିଡ ପ୍ରାର୍ଥନାରେ ଗଣେଶ ଆବିର୍ଭୂତ ହେଲେ । ସମସ୍ତ କଥା ବ୍ୟାସଦେବ କହିବାରୁ ଗଣେଶ ସେଥିରେ ସ୍ୱୀକୃତ ହେଲେ । ବ୍ୟାସଦେବ କହିଯାଆନ୍ତି, ଆଉ ଗଣେଶ ସେସବୁ ଲେଖି ଯାଆନ୍ତି । ଦେବଲୋକରେ ନାରଦ, ପିତୃଲୋକରେ ଦେବଳ ଓ ଗନ୍ଧର୍ବଲୋକରେ ଶୁକ ସେହି ଗ୍ରନ୍ଥର ପ୍ରଚାର କଲେ । ଜନ୍ମେଜୟଙ୍କ ସର୍ପଯଜ୍ଞରେ ଋଷି ବୈଷମ୍ପାୟନ ସେହି ଗ୍ରନ୍ଥ ପଠନ କରୁଥିଲେ । ଏବଂ ତାହା ପୃଥିବୀରେ ସେହିଭଳି ଭାବରେ ପ୍ରଚାରିତ ହେଲା ।
ଶୌନକ ଆଦି ମୁନି ଏହି କଥା ଶୁଣି ଅତ୍ୟନ୍ତ ତୃପ୍ତ ହେଲେ । ସେମାନେ ସୂତଙ୍କୁ ପଚାରିଲେ ଯେ ଯେଉଁ ଯୁଦ୍ଧକ୍ଷେତ୍ରରେ କୌରବ ଓ ପାଣ୍ଡବଙ୍କର ଯୁଦ୍ଧ ହେଲା, ସେହି କ୍ଷେତ୍ରର ନାମ କାହିଁକି ସମନ୍ତକପଂଚକ ହୋଇଛି ।
ସୂତ କହିଲେ, “ତ୍ରେତେୟା ଯୁଗ ଓ ଦ୍ୱାପର ଯୁଗର ସନ୍ଧିକ୍ଷଣରେ ରାଜାମାନଙ୍କର ଗର୍ବ ଅହଂକାର ସୀମା ଟପି ଯାଇଥିଲା । ଭଗବାନଙ୍କର ଅନ୍ୟତମ ଅବତାର ପରଶୁରାମ ସେମାନଙ୍କୁ ଖୋଜି ଖୋଜି ମାରିଥିଲେ । ସେମାନଙ୍କ ରକ୍ତରେ ପାଂଚଟି ପୁଷ୍କରିଣୀ ସୃଷ୍ଟି ହେଲା । ସେହି ରକ୍ତରେ ସେ ତାଙ୍କ ପିତୃପୁରୁଷଙ୍କୁ ତର୍ପଣ କଲେ । ତଦ୍ୱାରା ପିତୃପୁରୁଷମାନେ ବହୁତ ଆନନ୍ଦିତ ହେଲେ । ସେମାନେ ପରଶୁରାମଙ୍କୁ ଏହି ବର ଦେଲେ ଯେ ସେହି ପାଂଚଟି ପୁଷ୍କରିଣୀ ଥିବା କ୍ଷେତ୍ର କାଳକ୍ରମେ ପୁଣ୍ୟତୀର୍ଥରେ ପରିଣତ ହେବ । ସେହି କ୍ଷେତ୍ରରେହିଁ ମହାଭାରତ ଯୁଦ୍ଧ ହୋଇଥିଲା । ଏଣୁ ଏହାର ଅନ୍ୟନାମ କୁରୁକ୍ଷେତ୍ର ।
ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ସେହି କୁରୁକ୍ଷେତ୍ରରେ ନିଜର ଭାତୃଗଣଙ୍କୁ ନେଇ ସୁଦୀର୍ଘ ଏକ ସର୍ପଯଜ୍ଞ କରାଉଥିଲେ । ସେହି ସମୟରେ ସରମା ନାମକ ଦେବତାଙ୍କ ଶ୍ୱାନର ପୁତ୍ର ସାରମେୟ ଯଜ୍ଞସ୍ଥଳୀରେ ଲକ୍ଷ୍ୟହୀନ ଭାବରେ ବିଚରଣ କରୁଥିଲା । ଜନ୍ମେଜୟଙ୍କ ଭାଇମାନେ ତାକୁ ସେଠାରୁ ତଡିଦେଲେ । ସେ ଦୁଃଖିତ ହୋଇ ମା’ ସରମାଙ୍କ ନିକଟକୁ ଯାଇ ସବୁକଥା କହିଲା । ସରମା ଏପରି କାର୍ଯ୍ୟର ଘୋର ନିନ୍ଦା କରି କହିଲେ, “ଯିଏ ସାଧୁଙ୍କୁ ଓ ଦରିଦ୍ରଙ୍କୁ କଷ୍ଟ ଦିଏ, ତା’ର ମଧ୍ୟ କୌଣସି କାରଣରୁ ନିଶ୍ଚୟ କଷ୍ଟ ହେବ ।” ଜନ୍ମେଜୟଙ୍କର ଭୟ ହେଲା ଯେ କାଳେ ସରମାଙ୍କର ଏହି ବାକ୍ୟ ଅଭିଶାପରେ ପରିଣତ ହେବ । ସେ ତତ୍କ୍ଷଣାତ୍ ହସ୍ତିନାପୁରକୁ ଫେରି ଆସି ଶାନ୍ତି ପାଇଁ ଯଜ୍ଞ କରିବାକୁ ପୁରୋହିତ ଖୋଜିଲେ । ଦିନେ ଯେତେବେଳେ ସେ ଜଙ୍ଗଲରେ ଶିକାର କରୁଥିଲେ, ସେତେବେଳେ ସେ ଶ୍ରୁତଶ୍ରବଋଷିଙ୍କ ଆଶ୍ରମ ଦୂରରୁ ଦେଖି ପାରିଲେ । ସେ ଜାଣିଥିଲେ ଶ୍ରୁତଶ୍ରବଙ୍କର ସୋମବ୍ରତ ନାମକ ପୁତ୍ର ଅତି ଜ୍ଞାନୀ । ତେଣୁ ସେ ଶ୍ରୁତଶ୍ରବଙ୍କ ସହ ଦେଖା କରି କହିଲେ, “ମହାଭାଗ, ମୋର ଏକ ଯଜ୍ଞ ପାଇଁ ଆପଣଙ୍କ ପୁତ୍ରଙ୍କୁ ନେବା ସକାଶେ ଅନୁମତି ଦେବେ କି?”
ଋଷି କହିଲେ “ମୋ ପୁତ୍ରର ଗୋଟିଏ ବ୍ରତ ଅଛି । ସେ ବ୍ରାହ୍ମଣ ଓ ସିଦ୍ଧ । ତାକୁ ଯାହା ମାଗିଲେ, ସେ ତତ୍କ୍ଷଣାତ୍ ଦେଇ ଦେଇ ପାରିବ । କିନ୍ତୁ ତୁମେ କଥା ଦିଅ ଯେ ଯେପରି ତା’ ବ୍ରତରେ କୌଣସି ବିଘ୍ନ ନହୁଏ । ତେବେ ଯାଇ ସେ ତୁମ ସହିତ ଯିବ ।”
ଜନ୍ମେଜୟ ତାଙ୍କ କଥାରେ ସ୍ୱୀକୃତ ହେଲେ ଏବଂ ସୋମବ୍ରତଙ୍କୁ ସାଥିରେ ନେଇ ରାଜଧାନୀକୁ ଫେରିଲେ । ସେଠାରେ ନାନା ଯାଗଯଜ୍ଞ ତାଙ୍କ ସହାୟତାରେ ଅନୁଷ୍ଠିତ ହେଲା ।
ଦିନେ ମହର୍ଷି ଉତଙ୍କ ଜନ୍ମେଜୟଙ୍କ ପାଖକୁ ଆସି କହିଲେ, “ରାଜନ୍, ତୁମର କର୍ତ୍ତବ୍ୟ ଭୁଲିଯାଇ ଚୁପ୍ ହୋଇ ବସିଛ? କର୍ତ୍ତବ୍ୟକୁ ଉପେକ୍ଷା କରିବା ଏକ ମାରାତ୍ମକ ଭୁଲ୍ ।”
ଜନ୍ମେଜୟ କହିଲେ “ମହାଭାଗ, କ୍ଷତ୍ରୀୟ ଧର୍ମୋଚିତ ସମସ୍ତ କର୍ମ ତ ମୁଁ କରୁଛି । ଯଦି ପ୍ରମାଦବଶତଃ କିଛି କର୍ତ୍ତବ୍ୟ ମୁଁ ଭୁଲି ଯାଇଥିବି, ତେବେ ଆପଣ ଦୟାକରି ମୋତେ ନିର୍ଦ୍ଧେଶ କରନ୍ତୁ । ତତ୍କ୍ଷଣାତ୍ ଆପଣଙ୍କ ଆଜ୍ଞା ପାଳିତ ହେବ ।”
“ବତ୍ସ, ତୁମେ ସର୍ପଯଜ୍ଞ କର । ତୁମର କ’ଣ ମନେ ପଡୁନାହିଁ ଯେ ଦୁଷ୍ଟ ତକ୍ଷକ କିପରି ତୁମର ଧାର୍ମିକ ପିତାଙ୍କର ପ୍ରାଣନାଶ କଲା? ତାହାକୁ ସମୂଳେ ବିନାଶ କର । ସେହି କର୍ମ ଦ୍ୱାରାହିଁ ତୁମେ ପିତୃଘାତୀ ତକ୍ଷକ ଉପରେ ପ୍ରକୃତ ପ୍ରତିଶୋଧ ନେଇପାରିବ ଓ ତୁମ ପିତାଙ୍କ ଆତ୍ମା ସ୍ୱର୍ଗରେ ଥାଇ ଶାନ୍ତି ପାଇବ ।”
ପ୍ରକୃତରେ କହିବାକୁ ଗଲେ ଉତଙ୍କ ତକ୍ଷକ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ । ତେଣୁ ସେ ରାଜାଙ୍କୁ ଏପରି କହିଥିଲେ । ତା’ର କାରଣ ସମ୍ପର୍କରେ କହୁଛି ଶୁଣନ୍ତୁ ।
ବେଦନାମକ ଋଷିଙ୍କ ନିକଟରେ ଉତଙ୍କ ଶିକ୍ଷା ସମାପ୍ତ କରି ଗୁରୁଙ୍କୁ ଜିଜ୍ଞାସା କଲେ ଯେ କ’ଣ ଦକ୍ଷିଣା ଦେବେ । ତହୁଁ ଗୁରୁ କହିଲେ, “ମୋ ସ୍ତ୍ରୀଙ୍କୁ ଯାଇ ପଚାର, ସେ ଯାହା ମାଗିବେ ତୁମେ ତାହା ଦେବ ।” ଉତଙ୍କ ଗୁରୁଙ୍କ ସ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ, “ବତ୍ସ ତିନିଦିନ ପରେ ମୁଁ ଏକ ପୁଣ୍ୟବ୍ରତ କରିବାକୁ ଯାଉଛି, ମୋର ଇଚ୍ଛା ସେତେବେଳେ ମୁଁ ମୋ କାନରେ କୁଣ୍ଡଳ ପିନ୍ଧନ୍ତି । ସେହି ବିଶେଷ ଧରଣର କୁଣ୍ଡଳ କେବଳ ରାଣୀଙ୍କ ପାଖରେହିଁ ଅଛି । ତୁମେ କ’ଣ ତାହା ଆଣି ପାରିବ?”
ଉତଙ୍କ ରାଣୀଙ୍କୁ ଯାଇ ସବୁକଥା କହିଲେ । ରାଣୀ ତାହା ଦେବାକୁ ସ୍ୱୀକୃତ ହେଲେ; କିନ୍ତୁ ତାଙ୍କୁ ସାବଧାନ କରାଇ କହିଲେ ଯେ, ସେହି ବିଶିଷ୍ଟ କୁଣ୍ଡଳକୁ ତକ୍ଷକ ଚୋରୀ କରିବା ପାଇଁ ସୁଯୋଗ ଖୋଜୁଛି ।
ଏହାପରେ ଉତଙ୍କ କୁଣ୍ଡଳ ଦୁଇଟି ଧରି ଚାଲିଲେ । ଦୀର୍ଘ ପଥ ଅତିକ୍ରମ କରିବା ପରେ ସେ ଏକ ଶୀତଳ ଜଳପୂର୍ଣ୍ଣ ପୁଷ୍କରିଣୀ ଦେଖି ସେଠାରେ ସ୍ନାନ କରିବାକୁ ଚାହିଁଲେ । କୂଳରେ କୁଣ୍ଡଳ, ତାଙ୍କ ବସ୍ତ୍ର ଓ କମଣ୍ଡଳୁ ସବୁ ରଖି, ସ୍ନାନ କରି ଫେରି ଦେଖିଲେ ତକ୍ଷକ ଏକ ନଗ୍ନ ମନୁଷ୍ୟ ରୂପରେ କୁଣ୍ଡଳ ଧରି ପଳାଉଛି । ଉତଙ୍କ ତାକୁ ଧରିବାରୁ ସେ ସାପ ହୋଇ ଯାଇ ତାଙ୍କ ହାତରୁ ଖସିଯାଇ ତୁରନ୍ତ ଏକ ଗର୍ତ୍ତରେ ଯାଇ ପଶିଗଲା । ଉତଙ୍କ ବାଡିଟିଏ ଆଣି ସେହି ଗର୍ତ୍ତଟି ଖୋଳି ଖୋଳି ପାତାଳ ପୁରରେ ଯାଇ ପହଁଚିଲେ । ସେଠାରେ ଥିବା ନାଗଲୋକରେ ସେ ନାଗମାନଙ୍କୁ କୁଣ୍ଡଳ ଫେରାଇ ଦେବାକୁ ଅନୁରୋଧ କଲେ, କିନ୍ତୁ ତାହା ବ୍ୟର୍ଥ ପ୍ରୟାସ ଥିଲା । ଶେଷରେ ଉତଙ୍କ ସେଠାରେ ଏକ ଲାଲ୍ ଘୋଡା ଉପରେ ବସିଥିବା ଏକ ମନୁଷ୍ୟକୁ ଦେଖିଲେ । ସେହି ଅଶ୍ୱ ଅଗ୍ନିଦେବତା ଥିଲେ ଓ ତାଙ୍କ ପିଠିରେ ଦେବରାଜ ଇନ୍ଦ୍ର ବସିଥିଲେ । ସେମାନଙ୍କୁ ଉତଙ୍କ ନିଜର ବିପଦ କଥା ଜଣାଇବାରୁ ଅଗ୍ନରୂପୀ ଅଶ୍ୱର ମୁଖରୁ ଭୟଙ୍କର ଅଗ୍ନି ନିର୍ଗତ ହୋଇ ସାରା ନାଗ ଲୋକ ମଧ୍ୟରେ ତାହା ବ୍ୟାପି ଗଲା । ମନେ ହେଲା ଏହା ନାଗଲୋକକୁ ଭସ୍ମ କରିବ । ସେଥିରେ ଭୟଭୀତ ହୋଇ ତକ୍ଷକ କୁଣ୍ଡଳ ଫେରାଇ ଦେଲେ । ଉତଙ୍କ ତାହା ନେଇ ଆସି ଗୁରୁପତ୍ନୀଙ୍କୁ ସମର୍ପଣ କଲେ ।
ଉତଙ୍କଙ୍କ ଠାରୁ ପିତାଙ୍କ ମୃତ୍ୟୁ ବିଷୟ ଶୁଣି ଜନ୍ମେଜୟ ମନ୍ତ୍ରୀମାନଙ୍କୁ ଡାକି ଏହାର କାରଣ ଜିଜ୍ଞାସା କଲେ । ମନ୍ତ୍ରୀମାନେ ତାଙ୍କ ପିତାଙ୍କ ମୃତ୍ୟୁ ବିଷୟ ତାଙ୍କୁ କହିଲେ ।
ଆପଣମାନେ ତ ଜାଣନ୍ତି ଯେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ମହାସଂଗ୍ରାମ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରେ ଥିଲେ । ଶ୍ରୀକୃଷ୍ଣଙ୍କ ମାର୍ଗଦର୍ଶନ ଯୋଗୁଁ ପାଣ୍ଡବମାନେ ଶେଷରେ ଜିତିଲେ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଓ କର୍ଣ୍ଣ ପ୍ରଭୃତି ମହାରଥୀମାନେ କୌରବ ପକ୍ଷରେ ଥିଲେ । କିନ୍ତୁ ସୁଭଦ୍ରା ପୁତ୍ର ଅଭିମନ୍ୟୁ ସେହି ମହାରଥୀମାନଙ୍କୁ ମଧ୍ୟ ଯୁଦ୍ଧରେ ଛିନ୍ନଛତ୍ର କରି ପକାଉଥିଲେ । ତାହାର ବାଣବର୍ଷଣରେ କୌରବ ସୈନ୍ୟ ଧ୍ୱଂସ ହେଉଥିଲେ । ଭୀଷ୍ମଙ୍କ ଶରଶଯ୍ୟାପରେ ସପ୍ତରଥୀ ମିଶି ଏକ ଚକ୍ରବ୍ୟୁହ ରଚନା କରି ବାରବର୍ଷର ବାଳକ ଅଭିମନ୍ୟୁକୁ ଅନ୍ୟାୟ ଯୁଦ୍ଧରେ ମାରି ପକାଇଲେ । ଅର୍ଜୁନ ତ ପ୍ରଥମେ ନିଜର ପ୍ରିୟ ଲୋକମାନଙ୍କୁ ମାରିବାକୁ ଚାହୁଁ ନଥିଲେ; କିନ୍ତୁ ଅଭିମନ୍ୟୁଙ୍କ ମୃତ୍ୟୁ ପରେ ତାଙ୍କର ଧନୁର୍ବାଣ ଅହରହ ବାଣବର୍ଷଣ କରି କୌରବ ପକ୍ଷଙ୍କୁ ହରାଉଥିଲେ । ଅଭିମନ୍ୟୁଙ୍କ ମୃତ୍ୟୁ ବେଳକୁ ଉତରା ଗର୍ଭବତୀ । ଉତରାଙ୍କ ଗର୍ଭରେ ଥିବା ପରୀକ୍ଷିତଙ୍କୁ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ରରେ ମାରିପକାଇଥିଲା । ମାତ୍ର ଶ୍ରୀକୃଷ୍ଣ ତାଙ୍କୁ ପୁଣି ଜୀବନ ଦାନ ଦେଲେ; ମହାପରୀକ୍ଷାରେ ଉତୀର୍ଣ୍ଣ ହୋଇ ଥିବାରୁ ତାଙ୍କର ନାମ ପରୀକ୍ଷିତ ରଖାଗଲା ।
କାଳକ୍ରମେ ସେ ରାଜା ହେଲେ । ଶିକାର କରିବାରେ ତାଙ୍କର ବଡ ସଉକ ଥିଲା । ଦିନେ ଶିକାର କରିବାକୁ ଯାଇ ଘନ ଜଙ୍ଗଲରେ ଗୋଟିଏ ମୃଗ ଉପରେ ସେ ଶରସନ୍ଧାନ କଲେ । ମୃଗଟି ପବନ ବେଗରେ ଧାବିତ ହୋଇ କେଉଁଠି ଲୁଚିଗଲା । ତାକୁ ଅନୁସରଣ କରୁକରୁ ସେ ସମୀକ ମୁନିଙ୍କ ଆଶ୍ରମରେ ଯାଇ ପହଁଚିଲେ । ଧ୍ୟାନରତ ମୁନିଙ୍କୁ ସେ ସେହି ଆହତ ମୃଗ ବିଷୟରେ ପଚାରିଲେ ଓ ତୃଷିତ ହୋଇଥିବାରୁ ପାଣି ମାଗିଲେ । ମୁନି ନିରୁତ୍ତର । ତେଣୁ ସେ ରାଗି ଯାଇ ଗୋଟିଏ ମୃତସର୍ପ ଆଣି ମୁନିଙ୍କ ଗଳାରେ ପକାଇ ଦେଲେ । ଅବଶ୍ୟ ଏହା କଳିଯୁଗର ପ୍ରଭାବ ଯୋଗୁଁ ଥିଲା । ତାହା ପରିକ୍ଷୀତ ଜାଣି ପାରି ନଥିଲେ । କାହିଁକିନା ସେତେବେଳେ ଦ୍ୱାପର ଯାଇ କଳି ଆସିଥିଲା । ସେ ଫେରି ଆସିଲେ, କିନ୍ତୁ ସମୀକ ମୁନିଙ୍କର ପୁତ୍ର ଶୃଙ୍ଗୀ ତାଙ୍କ ପିତାଙ୍କର ଏହି ଦଶା ଦେଖି ଅଭିଶାପ ଦେଲେ ଯେ ଯିଏ ଏପରି କାମ କରିଛି ସେ ଏକ ସପ୍ତାହ ମଧ୍ୟରେ ସାପର ଦଂଶନରେ ନିଶ୍ଚୟ ମୃତ୍ୟୁ ବରଣ କରିବ ।”
ସମୀକମୁନି ଧ୍ୟାନରୁ ଉଠି ସବୁକଥା ଶୁଣି ବଡ ଦୁଃଖିତ ହୋଇ ପରୀକ୍ଷିତଙ୍କୁ ସବୁକଥା ଜଣାଇଲେ । ରାଜ୍ୟସାରା ହାହାକାର ପଡିଗଲା । ମନ୍ତ୍ରୀ, ପାରିଷଦଗଣ ଓ ଅନ୍ୟାନ୍ୟ ଶୁଭେଚ୍ଛୁମାନେ ଏକ ବଡ ସ୍ତମ୍ଭ କରି ତାହାରି ଉପରେ ଏକ କକ୍ଷ ନିର୍ମାଣ କଲେ । ପରୀକ୍ଷିତ ସେଇଠାରେ ରହୁଥାନ୍ତି । ପ୍ରହରୀମାନେ ଜାଗ୍ରତ ଥାନ୍ତି । ଏହିପରି ଛଅଦିନ ବିତିଗଲା । ପରେ ତକ୍ଷକ ସପ୍ତମ ଦିନ ରାଜାଙ୍କୁ ଦଂଶନ କରିବାକୁ ଆସୁଥାଏ । କାଶ୍ୟପ ନାମକ ଏକ ବ୍ରାହ୍ମଣ ମଧ୍ୟ ରାଜାଙ୍କୁ ସର୍ପଦଂଶନରୁ ରକ୍ଷା କରିବାକୁ ଆସୁଥାନ୍ତି । ଏପରି କରିବା ପଛରେ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବହୁତ ଧନରତ୍ନ ପାଇବା । ରାସ୍ତାରେ ତାଙ୍କର ତକ୍ଷକ ସହିତ ଦେଖା ହେଲା । ପରସ୍ପର କଥାବାର୍ତ୍ତାରୁ ପରସ୍ପରର ଉଦ୍ଧେଶ୍ୟ ଜାଣିଲେ । ତକ୍ଷକ କହିଲା, “ମୁଁ ଏହି ବୃକ୍ଷକୁ ଦଂଶନ କରୁଛି, ବଂଚାଅ ତ ଦେଖି?” ଏହି କହି ସେ ବୃକ୍ଷଟିକୁ ଦଂଶନ କଲା । ଚାହୁଁଚାହୁଁ ତତ୍କ୍ଷଣାତ୍ ସେ ବୃକ୍ଷଟି ସମୁଦାୟ ଭସ୍ମରେ ପରିଣତ ହେଲା । କାଶ୍ୟପ ମଧ୍ୟ ମନ୍ତ୍ରପାଣି ଛିଂଚି ଦେବାରୁ ବୃକ୍ଷଟି ପୁନର୍ଜୀବନ ଲାଭ କଲା । ତକ୍ଷକ ଏହି ଘଟଣା ଦେଖି ବଡ ଚିନ୍ତିତ ହେଲା ଓ କାଶ୍ୟପ ବ୍ରାହ୍ମଣଙ୍କୁ ସେ କହିଲା, “ତୁମର ଉଦ୍ଧେଶ୍ୟ ଧନରତ୍ନ ପ୍ରାପ୍ତ କରିବା ତ? ମୁଁ ଦେଉଛି, ତୁମେ ସେତକ ନେଇ ଏହିଠାରୁ ଫେରିଯାଅ ।” ବ୍ରାହ୍ମଣ ଅଜସ୍ର ଧନରତ୍ନ ନେଇ ସେଠାରୁ ଫେରିଗଲେ ।
ତା’ପରେ ତକ୍ଷକ କେତେକ ଲୋକଙ୍କୁ ଋଷିମୁନି ରୂପରେ ଛଳନା କରି ପଠାଇଲା । ସେମାନେ ଝୁଡିଏ ଫଳ ରାଜାଙ୍କ ପାଇଁ ନେଇ ଯାଇଥିଲେ । ସେହି ଫଳ ମଧ୍ୟରେ ତକ୍ଷକ ଏକ କ୍ଷୁଦ୍ର କୀଟ ରୂପରେ ଥିଲା । ମନ୍ତ୍ରୀମାନେ ଅନୁମତି ନ ଦେଇ କହିଥିଲେ “ସାତଦିନ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏ ଫଳକୁ ରାଜାଙ୍କ ପାଖକୁ ନିଆଯିବ ନାହିଁ ।” କିନ୍ତୁ ରାଜା ପରୀକ୍ଷିତ କହିଲେ, “ଦେଖ ତଦ୍ୱାରା ତୁମେ ବ୍ରହ୍ମ ଅଭିଶାପର ଗୁଣ ନଷ୍ଟ କରୁଛ । ଆମେ ଜାଣିଲୁ ଯେ ଏହି ଫଳ ଭିତରକୁ ନ ଆସିଲେ ତକ୍ଷକ ଆସିବାର ଆଉ କୌଣସି ସମ୍ଭାବନା ନାହିଁ । ମୁଁ ଜାଣୁଛି ଯେ ଏହି ଫଳ ଭିତରେହିଁ ସେ ଆସୁଛି । ଏବେ ତୁମେମାନେ ବାରଣ ନ କରି ଛାଡିଦିଅ, ମୁଁ ସ୍ୱଇଚ୍ଛାରେ ମୃତ୍ୟୁ ବରଣ କରି ବ୍ରହ୍ମ ଅଭିଶାପ ସଫଳ କରିବି । କାରଣ ଶୁକମୁନିଙ୍କଠାରୁ ମହାଭାରତ ଶୁଣି ମୋର ଏ ସଂସାର ପ୍ରତି ସମସ୍ତ କାମନା ବାସନା ଭସ୍ମ ହୋଇଛି । ଏବେ ମୋର ଆତ୍ମା ପରମାତ୍ମାଙ୍କ ସହିତ ମିଳିତ ହେବାକୁ ଚାହେଁ । ଯେବେ ହେଲେ ବି ତ ମୃତ୍ୟୁ ଆସନ୍ତା, ଆଜି ଆସିଲେ କ୍ଷତି କ’ଣ? ନଚେତ୍ ବ୍ରହ୍ମ ଅଭିଶାପ ବିଫଳ ହେଲେ କ୍ରମେ ସଂସାର ଉଚ୍ଛନ୍ନ ହୋଇଯିବ ।”
ତା’ପରେ ଫଳ ଚାଙ୍ଗୁଡି ଆସିଲା । ଗୋଟିଏ ଫଳ ମଧ୍ୟରୁ କୀଟଟିଏ ବାହାରି ମହାତକ୍ଷକ ନାଗର ରୂପ ଧରି ପରୀକ୍ଷିତଙ୍କୁ ଦଂଶନ କରି ବାତାୟନ ଦେଇ ସେ ଉଡି ସେଠାରୁ ଚାଲିଗଲା ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍ । ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।
