Satyabati Swain

Others

4  

Satyabati Swain

Others

ମାଙ୍କଡ଼ ମୁହଁର ହସ

ମାଙ୍କଡ଼ ମୁହଁର ହସ

5 mins
23.6K



ଆମ ଡ୍ରଇଂ ରୁମର ସୋ କେସ୍ ଭିତରେ ଥିଲେ ତିନୋଟି ମାଙ୍କଡ଼;ନିର୍ଜୀବ କଣ୍ଢେଇ।


ଆମ ଘର ଭିତରେ ଚଲାବୁଲା କରୁଥିଲେ ତିନୋଟି ମାଙ୍କଡ଼; ସଜୀବ କଣ୍ଢେଇ।ମୋ ବାବା ,ମା ଓ ମୁଁ।


ନିଶା ଗର୍ଜୁଥିଲା ନିଶାରେ।ଫିଙ୍ଗା ଫିଙ୍ଗି କରୁଥିଲା ଜିନିଷ ପତ୍ର।


ମା ପାଟି ବନ୍ଦ କରି ବସିଥିଲା ସୋଫା ଉପରେ ମାଟି ଗଦା ପରି।ଅସହାୟ ସମୟ କିଂ କର୍ତ୍ତବ୍ୟ ବିମୁଢ।ହଳଦିଆ ପତ୍ର ଗଛର କେଉଁ କାମକୁ ନୁହଁ।ତା ମମତାର ମଉଳା ମୁହଁକୁ ଦେଖି ସମୁଦ୍ର ମା ଛାତିରେ ମୁଣ୍ଡ ପିଟୁଥିଲା।


ବାବା କାନ ବନ୍ଦ କରି ବାଲ୍ କୋନୀରେ ବସି ଥିଲେ ଉର୍ଦ୍ଧ୍ବକୁ ମୁଣ୍ଡ ଟେକି।ବୟସର ଆୟୁଷ ତାଙ୍କୁ କରି ଦେଇଥିଲା ସ୍ଥାଣୁ।


ଆଉ ମୁଁ ଆଖି ବନ୍ଦ କରି କାନ କାନ ଭଉଁରୀ ଖେଳୁଥିଲି ମୋ ରୁମ୍ ର ନିଷିଦ୍ଧ ପୃଥିବୀ ଭିତରେ।


ପିଲା ଦିଟା ତଟସ୍ଥ ହୋଇ ଉଦାସ ଆଖିରେ । ଘର ଭିତର ଝଡର ସାମନା କରି ବଂଚିବା ଶିଖୁଥିଲେ ଫୋନ୍ ଗେମ୍ ରେ ନିଜକୁ ହଜାଇ।ଚେଷ୍ଟା କରୁଥିଲେ ତାଙ୍କୁ ଯେପରି କିଛି ନ ଶୁଭୁ।


କିନ୍ତୁ ଝଡ଼ କଣ କେବଳ ବଡ଼ ବଡ଼ ଗଛର କ୍ଷତି କରେ?ଝଡ଼ରେ ବେଶୀ କ୍ଷତି ହୁଏ ଗଜା ଗଛ ମାନଙ୍କର।


ଆମ ଘରେ ଏପରି ଝଡ଼ ଆଦୌ ବହୁ ନ ଥିଲା ଦୁଇ ତଳେ। ମଳୟ ପବନ ବହୁଥିଲା,କୃଷ୍ଣଚୁଡା ହସୁଥିଲା।କୋଇଲି ଘର ଆଗ ବଗିଚାରେ କୁହୁ କୁହୁ ଗାଉଥିଲା।ବର୍ଷାରେ ନିଆଁ ଲାଗୁଥିଲା।ଶୀତରେ କମ୍ବଳ ତଳେ ଆମ ଘର ଉଷୁମ ଟାଣୁଥିଲା।


ଦୁଇ ବର୍ଷ ପରେ ଆମ ଘର ନକ୍ସା ବଦଳି ଯାଇଥିଲା।ମଣିଷ ମାଙ୍କଡ଼ ଗୁଡିକ ସୋ କେସ୍ ମାଙ୍କଡ଼ ହୋଇ ଯାଇଥିଲେ। କିଛି ଶୁଣୁ ନ ଥିଲେ,ଦେଖୁ ନ ଥିଲେ କି କିଛି କହୁ ନ ଥିଲେ। ଏଇ ମାଙ୍କଡ଼ ମାନେ ହୋଇ ଯାଇଥିଲେ ବଧିର, ମୁକ ଓ ଅନ୍ଧ।


କେବଳ ନିଶା ଗର୍ଜ୍ଜନ ଶୁଭେ ଘର ସାରା ନିଶାକୁ ଥରାଇ ଯେଉଁଦିନ ଅଧିକ ନିଶା ଚଢି ଯାଇଥାଏ ନିଶାର।


ମୁଁ ଧ୍ରୁବ ଚରଣ ପାଳ;ଅନ୍ଧ ମାଙ୍କଡ଼।ବର୍ଷକ ତଳେ ଦୁଃର୍ଘଟଣାରେ ଗୋଡ଼ ଦିଟା ହରାଇ ପଙ୍ଗୁ,ଅଥର୍ବ।ଖାଲି ନିଶା ଆକାଶରେ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ।


ବାବା ସୂର୍ଯ୍ୟ କାନ୍ତ ପାଳ ରିଟାର୍ୟଡ୍ ହେଲେଥ୍ ୱାର୍କରୄ,ବାଡିର ସାହାରା ଲୋଡିଲେଣି।ନିଶାରେ ଯାହାଙ୍କ ଅସ୍ତିତ୍ୱ କି ଆଲୋକ ନ ଥାଏ।ନିଃସହାୟ ବଧିର ମାଙ୍କଡ଼ ସେ ଯାହାର କାନକୁ ଭଲ ଶୁଭୁନି।


ମା ଶଶୀଦେବୀଙ୍କ ନିଷ୍ପ୍ରଭ ଜୋତ୍ସ୍ନା ନିଶାକୁ ଆଲୋକିତ କରି ପାରେ ନାହିଁ।ମଲା ଜହ୍ନ ସେ।


ଆଉ ନିଶା ମୋ ପ୍ରେମିକା,ସ୍ତ୍ରୀ ଓ ମୋ ପ୍ରେମ ନିଶାରେ ବୁଡି ଯାଏ ବନ୍ଧୁ,ବସ୍ ତାରକା ଗହଣେ।


ଦୁଇ ତଳେ ନିଶା ମୋର ନିଶା ଥିଲା।କିନ୍ତୁ ଦୁଃର୍ଘଟଣା ପରେ ନିଶା ସମ୍ପୂର୍ଣ୍ଣ ବଦଳିଗଲା।ବହୁତ ଡାକ୍ତର ଦେଖାଇଲେ ବି ସୁଫଳ ମିଳି ନଥିଲା ଗୁଣ୍ଡ ହୋଇଯାଇଥିଲା ସବୁ ହାଡ଼।ବଡ଼ ଧରଣର ଅପରେସନ୍ ଟିଏ ଦରକାର।ଯାହା ଆମେ କରିବା ସାଧ୍ୟ ବାହାରେ ଥିଲା।ଏଣୁ ମୋ ଚାକିରୀରେ ସେ ଯୋଗ ଦେଇ ଆମ ଘରର ଭାତ ହାଣ୍ଡି ହୋଇଗଲା।ପ୍ରଥମେ ପ୍ରଥମେ ନିଶା ମୋର ପାଖେ ପାଖେ ରହୁଥିଲା।ହ୍ବିଲ ଚେୟାର ରେ ବସି ମୁଁ ତାକୁ ଅଫିସ୍ କାମରେ ସାହାଯ୍ୟ କରୁଥିଲି।ଅଫିସ୍ ରୁ ଶୀଘ୍ର ଫେରୁଥିଲା ସେ ମୋ ସହ ସମୟ ବିତେଇବା ପାଇଁ।ବେକ ଚାରି ପଡେ ହାତ ଛନ୍ଦି କହୁଥିଲା- ଆଦୌ ବ୍ୟସ୍ତ ହେବନି ଧ୍ରୁବ ତୁମର ଗୋଡ଼ ନାହିଁ ବୋଲି।ମୁଁ ତୁମ ଗୋଡ଼।ତୁମେ ଘର ଭିତରେ ପୁଅ ପୃଥିବୀ ଓ ଝିଅ ଜ୍ୟୋତିର ପଢା ପଢି ଦେଖ।ମୁଁ ବାହାରେ ରୋଜଗାର ଦେଖୁଛି।


ସବୁ ଠିକ୍ ଠାକ୍ ଥିଲା।ପୁରୁଣା ବସ୍ ବଦଳ ରେ ନୂଆ ବସ୍ ଆସିଲେ।ଆସିବା ମାସକ ଭିତରେ ନିଶାକୁ ପ୍ରମୋସନ୍ ଦେଇଦେଲେ।ଖୁସି ହେଲି ମୁଁ ଅଧିକ।କାରଣ ଭଡା,ପିଲାଙ୍କ ପଢା,ଔଷଧ ଓ ଘର ଖର୍ଚ୍ଚ କୁ ବାପାଙ୍କ ପେନ୍ସନ୍ ଓ ନିଶାର ଦରମା ଗଣ୍ଡାକ ଅଣ୍ଟେନି।ମାସ ଶେଷ ବେଳକୁ ଟାଣି ଓଟାରି ହେଉ।


ହେଲେ ପ୍ରମୋସନ୍ ଟା କାଳ ହୋଇଗଲା ଆମ ପାଇଁ।ମୋ ପାଇଁ ଛାଡ଼ ଘର କି ପିଲାଙ୍କ ପାଇଁ ଆଉ ନିଶା ହାତରେ ସମୟ ରହିଲା ନାହିଁ।ଟୁର୍ ପରେ ଟୁର୍ ଗଲା ନିଶା।ଆଗର ଶୁଶୀଳ ସଂସ୍କାରୀ ନିଶାର ଦରମା ଗଣ୍ଡାକ ବଢିଲା ସତ ଆଉ ସବୁ ଛୋଟ ହୋଇଗଲା।ଚୁଟି,ପୋଷାକ,ବ୍ୟାଗ୍ ଓ ଖାଦ୍ୟ ବି।ଫିଗର୍ କୁ ଜଗିଲା।

ଶାଢୀରେ ମୋ ନିଶା ପରିଟିଏ ପରି ଦିଶେ।କିନ୍ତୁ ଆଜିକାଲି କଟା ଫଟା ଡ୍ରେସ୍ ରେ ତା ଦେହ କମ୍ ଲୁଚେ ଦିଶେ ଅଧିକ।ହସି ହସି କୁହେ ତା ବସ୍ କୁହନ୍ତି ଛୋଟ ଛୋଟ ପୋଷାକରେ ସେ କୁଆଡେ ଭାରି ହଟ୍ ଦିଶେ।କେହି କହିବେନି ଦଶ ବର୍ଷପୁଅ ଓ ସାତ ବର୍ଷ ଝିଅର ମା ମୁଁ।ଧ୍ରୁବ ଦେଖତ ସତରେ ମୁଁ ଏ ପୋଷାକରେ ହଟ୍ ଦିଶୁଛି।


ମୁଁ ଚନ୍ଦ୍ର ସେଣା ପରି ଦାନ୍ତ ନିକୁଟି କୁହେ ଅଫ୍ କୋର୍ସ ଡାର୍ଲିଂଗ।ତୁମେ ଉର୍ବଶୀ କି ମେନକାକୁ ଟପି ଯିବ।କିନ୍ତୁ ହୁସିଆର ଥିବ ବହୁତ ବିଶ୍ୱା ମିତ୍ର ଅଛନ୍ତି ଆମ ସମାଜରେ।


ହୁ କେୟାର୍ସ କହି ସେ ଅଣ୍ଟା ହଲେଇ ଚାଲିଯାଏ।ଜ୍ୟୋତି କୁହେ ଡାଡ୍! ମମି ଆମର ମଡେଲ୍ ପରି ଦେଖା ଯାଉଛନ୍ତି।


ନିଶା ଏବେ ଡେରିରେ ଘରକୁ ଫେରେ।କ୍ଲାନ୍ତ ଦିଶେ।ନିଦ ହୁଏନି ତାକୁ।ଏଣୁ ନିଶାର ସହାରା ନିଏ ଶୋଇବାକୁ।


ପୃଥିବୀ କୁହେ ଫୁଟ୍ ମାଙ୍କଡ଼ ପରି ଦେଖା ଯାଉଛନ୍ତି।ମୋ ମମି ଶାଢୀରେ ମୋତେ ଦେବୀ ଲାଗନ୍ତି।


ହୁଁ ଦେବୀ ନା ଫେବୀ କହି ଖତେଇ ହୁଏ ଜ୍ୟୋତି।ପୃଥିବୀ ଗୋଡାଏ ତାକୁ ମାରି ବାକୁ।ପୃଥିବୀ ଭିତରେ ପୁରୁଷ ଧ୍ରୁବ ଦେଖା ଯାଏ ମୋତେ।ସବୁ ପୁଅ କି ପୁରୁଷ ତାଙ୍କ ମା ବା ସ୍ତ୍ରୀ ବେଶ ,ଭୁଷା ଓ ଭାଷାରେ ସ୍ନେହୀ, ସଭ୍ୟ,ମାର୍ଜିତ, ହୁଅନ୍ତୁ ଚାହାନ୍ତି ବୋଧେ।


ଶେଷରେ ବାବା ଓ ମା ଙ୍କ ପାଖେ କେସ୍ ଫଇସିଲା ହୁଏ।ଏଇ ଟିକି ଚଢେଇ ଦିଟାଙ୍କ ଘର ଭିତରେ ଫୁର୍ ଫାର୍ ଉଡା ଆମ ତିନି ମାଙ୍କଡ଼ଙ୍କୁ ଟିକେ ଖୁସି ଦିଏ ଯାହା।


ମା ହର ଦମ୍ ରୋଷେଇ ଘରେ ପଶିଥିବ।ସେଥିରେ ପୁଣି ନିଶା କହିବ ମାସକ ରାସନ ମା ତୁମେ ପନ୍ଦର ଦିନେ ସାରି ଦେଉଛ।କିନ୍ତୁ ମାସକୁ କେତେ ଥର ତା ବନ୍ଧୁ ଆସନ୍ତି ମା ଚିକେନ୍ କଷି ଥାଳି ଥାଳି ପରଷେ ସେ ହିସାବ ରଖେନି।ମୋ ମା ତା ବନ୍ଧୁଙ୍କ ଅଭଦ୍ରାମି ହଜମ କରେ।କାରଣ ତା ପୁଅଟି ପଙ୍ଗୁ ଅଥର୍ବ।ହେଲେ ମୁଁ ସହି ପାରେ ନାହିଁ ମୋ ମା ର ଚାକରାଣୀ ପରି ଖଟିବା କି ବେଜ୍ଜିତ ହେବା।ଆଖି ବୁଜି ପିଇଯାଏ ସବୁ।


ବାବା ବଜାର ସଉଦା କରନ୍ତି।ସେଥିରେ ବି ନିଶାର ଆପତ୍ତି। ବାବା ତୁମକୁ ଠିକ୍ ରେ ସଉଦା ପତ୍ର କରି ଆସୁନି।ଟଙ୍କାକ ଜାଗାରେ ଦୁଇ ଟଙ୍କା ଦେଇ ଦେଉଛ।ମୋ ବାବା ତାଙ୍କ ଜୀବନ କାଳ ଭିତରେ ବାର୍ଗେନିଂ କରିବା ଜାଣି ନାହାନ୍ତି।ଅମାୟିକ ସ୍ୱଳ୍ପ ବେତନ ଭୋଗି ହେଲ୍ଥ ୱାର୍କର ଜଣେ।


ଆଜିକାଲି ପୃଥିବୀ ଘରେ ନ ରହି ହଷ୍ଟେଲ୍ ରେ ରହିବାକୁ ଚାହିଁଲାଣି।କେତେ ଥର କହିଲାନି ଡାଡ୍ ମୋ ମମି ଜଣେ ବ୍ୟାଡ୍ କ୍ୟାରେକ୍ଟର ଲେଡି ହୋଇ ଗଲେଣି। ମୁଁ ସିନା ଫଙ୍ଗୁ ,ବିକଳାଙ୍ଗ ପ୍ରତିବାଦ କ୍ଷମତା ନାହିଁ। ଦୋଷ ଦେଖି ଅଣଦେଖା କରିଦେବା ସହ ଅଭ୍ୟସ୍ତ ହୋଇଗଲିଣି;କିନ୍ତୁ ପିଲାମାନେ ଏ ସବୁ ବରଦାସ୍ତ କରନ୍ତେ କାହିଁକି?


ଆଜି ଝଡ଼ ବହିବାର କାରଣ ନିଶା ଡେରିରେ ଘରକୁ ଆସିବା ଦେଖି ମୋ ଭିତରେ ଫୁଟୁଥିବା ଅନେକ ଦିନର ଲାଭା ଫାଟି ତରଳିବାକୁ ଲାଗିଲା।ଭାବିଥିଲି ସଂସାର ଯାକ ବୋଝ ମୁଣ୍ଡେଇ ନିଶା ତା ଜୀବନର ଖୁସି ଭୁଲି ଯାଇଛି।ପାଉ ଟିକେ ଖୁସି।ନା ମୁଁ ତାକୁ ଦେହ ସୁଖ ଦେଇ ପାରୁଛି ନା ମନ ସୁଖ।ଯେଉଁ ଉପାୟରେ ହେଉ ଟିକେ ଖୁସି ହେଉ।ୟା ବୋଲି ସ୍ତ୍ରୀ ଭୁଲି ଯିବ ତା ଘର ସଂସାର ପିଲା ଛୁଆ।କେବଳ କାମର ବାହାନା।ବରଦାସ୍ତ କରିବାର ଗୋଟେ ସୀମା ଥାଏ।ମୋ ରାଗ ପଞ୍ଚମକୁ ଚଢି ଗଲା ମୁଁ କହିଲି,ଆଉଟ୍ ଫ୍ରମ୍ ମାଇଁ ଲାଇଫ୍।


ବାସ୍ ନିଶାର ଝଡ଼ ଆରମ୍ଭ ସେତିକି ବେଳୁ।


ମୁଁ ମୁକ ମାଙ୍କଡ଼ ଟା ମୁହଁ ଖୋଲି ଇଚ୍ଛା ହେଉଥିଲା କହି ଦେବାକୁ ବାହାରି ଯାଅ ମୋ ପଞ୍ଜୁରୀ ରୁ।ଖୋଲା ଆକାଶରେ ଉଡ଼ ମନ ଇଚ୍ଛା। ଲୋଡ଼ା ନାହିଁ ନିଶା ତୁମ ଦୟା।ବହୁତି ସହିଲିଣି ତୁମ ମନ ମାନି।ଆଉ ନୁହେଁ।ଯାଅ ମୁକ୍ତ କରିଦେଲି ତୁମକୁ।ଦେଇ ଦେବି ତୁମକୁ ଡିଭୋର୍ସ।ବଞ୍ଚ ତୁମ ଖୁସିର ଜୀବନ।କିନ୍ତୁ ପ୍ରତିକ୍ଷଣେ ମୋତେ ଜଳାଅନି।


କ୍ଷଣିକେ ବିଦ୍ରୋହୀ ସାଜି ପୁଣି ମୋର ଅପମୃତ୍ୟୁ ହେଉଥାଏ ପ୍ରତି ଦିନ।ଆଜି ବି ସେମିତି ହେଲା।ନିଶା ବିନା କଣ ହେବ ପୃଥିବୀ ଓ ଜ୍ୟୋତିର ଭବିଷ୍ୟତ।ହଁ ମା ବାବାଙ୍କୁ ବୃଦ୍ଧା ଆଶ୍ରମରେ ଛାଡି ଦେବି।ମୁଁ ଆତ୍ମହତ୍ୟା କରିଦେବି।କିନ୍ତୁ ଉଡ଼ି ଶିଖି ନ ଥିବା ଟିକି ଚଢେଇ ଦୁଇଟାଙ୍କ କଣ ହେବ?


ରାତିରେ ଏଇ ଝଡ଼ ଯୋଗୁଁ ଆଉ କେହି ଖାଇଲେ ନାହିଁ।ଝରକା ସେପାଖେ ଦିଶୁଥିଲା ଫନିରେ ମଝିରୁ ଭାଙ୍ଗି ପଡିଥିବା ଭଙ୍ଗା ନଡ଼ିଆ ଗଛଟି।ମୁଁ କଣ ସେଇ ନଡ଼ିଆ ଗଛ।ହ୍ବିଲ୍ ଚେୟାର ଉପରେ ବସି ବସି ନିଜକୁ ଦେଖୁଥିଲି ସେ ଭଙ୍ଗା ନଡ଼ିଆ ଗଛ ଭିତରେ ନିଜକୁ।ଓହୋ ନିଃଶ୍ୱାସ ନେବାରେ ଭାରି କଷ୍ଟ।ମା ଆ ମୋ ପାଟିରୁ ବାହାରିବା ଏତିକି ଜାଣିଛି।


ତାପରେ କଣ ହେଲା ମୁଁ ଜାଣିନି।କିନ୍ତୁ ଆଖି ଖୋଲିଲା ବେଳକୁ ନିଜକୁ ଆବିଷ୍କାର କଲି ମେଡିକାଲ୍ ରେ।ମୋ ଗୋଡ଼ ଅପେରେସନ ହୋଇଛି।ଏଣିକି କାଳେ ମୁଁ ଚାଲି ପାରିବି।


ନିଶା ଶାଢ଼ୀ ପିନ୍ଧି ମୋ ପାଖରେ ବସିଥିଲା।ଶୁଖି ଯାଇଥିଲା ତା ମୁହଁ।ସେ ମୋ ହାତ ଧରି କାନ୍ଦୁଥିଲା ଓ କହୁଥିଲା କେମିତି ଭାବି ପାରିଲ ନିଶା ଧ୍ରୁବଙ୍କୁ ଛାଡି ବଞ୍ଚି ପାରିବ।ଡାକ୍ତର କହିଥିଲେ ପଚାଶ ଲକ୍ଷ୍ୟ ଟଙ୍କା ହେଲେ ତୁମ ଗୋଡ଼ ଅପେରେସନ ହୋଇ ପାରିବ ଓ ହୁଏତ ତୁମେ ଚାଲି ପାରିବ।ମୋତେ ସେତିକି ଯୋଗାଡ଼ କରିବାର ଥିଲା।ତୁମେ ଜାଣିଛ ଆମ ଦରମା କେତେ ମାତ୍ର କୋଡିଏ ହଜାର।ବାପାଙ୍କ ପେନ୍ସନ ନଥିଲେ ଆମେ ଖାଇବାକୁ ବି ପାଇ ନଥାନ୍ତେ।କେଉଁଠୁ ଆଣି ଥାଆନ୍ତି ପଚାଶ ଲକ୍ଷ।ତେଣୁ ଡବଲ ଡିୟୁଟି କରେ ମୁଁ।ଟୁର୍ ଯାଏ।କାରଣ ସେଥିରୁ ବି ଏକ୍ସଟ୍ରା ରୋଜଗାର ହୁଏ।ତୁମକୁ କହିଥିଲେ ତୁମେ କହିଥାନ୍ତ "ତୁମର ଗୋଡ଼ ଦରକାର ନାହିଁ।"କିନ୍ତୁ ମୋର ମୋ ସ୍ୱାମୀଙ୍କ ଗୋଡ଼ ଦରକାର ଥିଲା।ଏଣିକି ତୁମେ ଚାଲି ପାରିବ।ତୁମ ଚାକିରୀ ସମ୍ଭାଳିବ।


ହଁ ପାର ଯଦି ମୋତେ ଦିଭୋର୍ସ ବି ଦେଇ ପାର।ଯାହା ପ୍ରତି ମୁହୂର୍ତ୍ତରେ ତୁମ ମନକୁ ଛୁଏଁ।


ନିଶା!!ଅପରାଧୀ ସ୍ୱରରେ କହିଲି ମୁଁ।ପ୍ଲିଜ଼ କ୍ଷମା କରିଦିଅ ମୋତେ।


ସତରେ ମୁଁ ଚାଲି ପାରୁଛି।ଅନେଇଁଲି ଟିକେ ସୋ କେସ୍ ତିନି ମାଙ୍କଡ଼ଙ୍କୁ।ଆରେ ଆମ ପରି ସେମାନେ ବି ହସୁଛନ୍ତି।



Rate this content
Log in