Kanan Bala Nayak

Others

5.0  

Kanan Bala Nayak

Others

ମାଗୁଣିର ବଂଶୀ

ମାଗୁଣିର ବଂଶୀ

3 mins
719


ଏଥର ଖରାଛୁଟି ରେ ଗାଁ କୁ ଯାଇଥାଏ. ମାଆ ମୋତେ ବଂଶୀଟିଏ ବଢାଇ ଦେଇ କହିଲେ, ତୋ ବାକ୍ସ ସଜାଡୁ ସଜାଡୁ ଏଇଟା ପାଇଲି. ଏଇଟା କେଉଁଠୁ ଆଣିଥିଲୁ କିରେ? କାହିଁ ମୁଁ ତ ଜାଣିନି ତୁ କେବେ ବଂଶୀ ବଜାଉ ବୋଲି. ମାଆଙ୍କର ଏଇ ପ୍ରଶ୍ନ ମୋତେ ତିରିଶ ବର୍ଷ ତଳକୁ ଟାଣି ନେଇ ଯାଇଥିଲା. ମାଗୁଣିର ନାଁ ଟା ଆମ ଗାଁ ରୁ କେବେରୁ ଲିଭି ଗଲାଣି. ଗାଁ ଶେଷ ମୁଣ୍ଡ ରାମ ବଡବା ଙ୍କ ପୁଅ ହେଉଛି ମାଗୁଣି. ବୟସ ପ୍ରାୟ ସତର କି ଅଠର ହେବ ଠିକ୍ ଭାବରେ ମୋର ମନେ ପଡୁନି. ମୁଁ ଯେତେବେଳେ ଛୋଟ ଥିଲି ମାଗୁଣି ଆମ ଘରେ ଆସି ବୋଲହାକ କରେ. ଆମ ଗାଈ ଗୋରୁ ଙ୍କ କଥା ବୁଝେ. ଆଉ ମୋତେ ସାଇକେଲରେ ବସାଇ ଗାଁ ଚାରି ପାଖରେ ବୁଲାଏ. ତା ସାଇକେଲ ପଛରେ ବସିବାରେ ମୋର ଅପୂର୍ବ ଆନନ୍ଦ. ତା ସାଇକେଲ ପଛରେ ବସି ଥରେ ବୁଲି ଆସିଲେ ମୋତେ ଯେମିତି ଦୁନିଆର ସବୁ ଖୁସୀ ମିଳି ଯାଏ. ମୁଁ କୁଆଡେ ଦିନେ ତାକୁ ନ ଦେଖିଲେ,ତା ପର ଦିନ ଯେତେବେଳେ ସେ ଆମ ଘରକୁ ଆସେ ତା ପିଠିରେ ରାଗରେ ଉତ୍ତମ ମଧ୍ୟମ ବସାଇ ଦିଏ ବୋଲି ମୋ ବୁଢୀମା କହେ. ମାଗୁଣି ଭାରି ବଢିଆ ବଂଶୀ ମଧ୍ୟ ବଜାଏ. ସବୁ ଦିନ ସନ୍ଧ୍ୟା ନଇଁ ଆସିଲେ ଆମଗାଁ ର ପ୍ରତେକ ଘରୁ ଶଙ୍ଖ ଧ୍ବନି ବାଜି ଉଠେ. ଆଉ ଠିକ୍ ତା ପରେ ପରେ ଗାଁ ଶେଷ ମୁଣ୍ଡ ରାମ ବଡବାଙ୍କ ଘରୁ ସୁମଧୁର ବଂଶୀର ସ୍ବର. ବିଭିନ୍ନ ପ୍ରକାର ଭଜନ ସହିତ ବେଳେ ବେଳେ ଓଡିଆ ଫିଲ୍ମ ର ଗୀତ ମଧ୍ୟ ବଜାଏ ମାଗୁଣି. ଦିନେ ଦିନେ ସେ ମୋତେ ତା ଘରକୁ ନେଇ ଯାଏ ଏବଂ ତା ବଂଶୀରୁ ବିଭିନ୍ନ ପ୍ରକାର ଧ୍ବନି ମୋତେ ଶୁଣାଏ. ମୁଁ ସେତେବେଳେ କିଛି ବୁଝି ପାରୁନଥିଲେ ମଧ୍ୟ ତା ବଂଶୀରୁ ବାହାରୁ ଥିବା ଶ୍ୟାମ ତେରି ବଂଶୀ...... ର ଧୂନ ଟି ମୋତେ ଭାରି ଭଲଲାଗେ. ଆଉ ମୁଁ ତାକୁ ସବୁ ବେଳେ କହେ ମୋତେ ବଂଶୀ ବଜାଇବା ଶିଖଉନୁ. ସେ ମୋ ହାତକୁ ତା ବଂଶୀଟି ବଢାଇ ଦିଏ. ମୁଁ ବଂଶୀଟି ନେଇ ମୋ ଓଠ ରେ ଲଗାଏ. ସେ କହେ ତୁମେ ବଡ ହୁଅ ଏବେ ପାରିବନି. ତାର ସେ ବଂଶୀଟି ପାଇଁ ମୋର ଭାରି ଲୋଭ. ହଠାତ୍ କାହିଁକି ସାତ ଦିନ ଧରି ମାଗୁଣି ଆମ ଘରକୁ ଆସିଲାନି କି ତା ବଂଶୀର ସ୍ବର ମଧ୍ୟ ଶୁଣା ଗଲାନି. ମୁଁ ସବୁ ଦିନ ସ୍କୁଲରୁ ଫେରି ମାଆକୁ ପଚାରେ ମାଆ ମାଗୁଣି କାହିଁ? ସେ ମୋତେ ସାଇକେଲରେ ବସାଉ ନାହିଁ କାହିଁକି? ବଂଶୀବି ବଜାଉ ନାହିଁ. ସେ ଆସୁ ତାକୁ ବହୁତ ମାରିବି. ମାଆ କହିଲା ମାଗୁଣିର ଦେହ ଭଲ ନାହିଁ. ତୋ ବାପା ତାକୁ ହସ୍ପିଟାଲ ନେଇ ଯାଇଛନ୍ତି. ସେ ଫେରିଲେ ତତେ ସାଇକେଲରେ ବସାଇବ ଓ ଗୀତ ମଧ୍ୟ ଶୁଣାଇବ. କିନ୍ତୁ ମାଗୁଣି ଆଉ ଫେରି ନଥିଲା. ମୋ ଅପେକ୍ଷା, ଅପେକ୍ଷାରେ ରହି ଯାଇଥିଲା. ହଠାତ୍ ଦିନେ ମାଗୁଣୀ ଗାଁକୁ ଫେରି ଥିଲା ଧଳା କପଡାରେ ଘୋଡା ହୋଇ. ଆମ ଗାଁ ସାରା ଲୋକ କାନ୍ଦୁ ଥାଆନ୍ତି. ମୋ ମାଆ ମଧ୍ୟ କାନ୍ଦୁ ଥାଏ. ମୁଁ ମାଆକୁ ପଚାରିଲି ମାଆ ତୁମେ ସବୁ କାନ୍ଦୁଛ କାହିଁକି? ଆଉ ଏ ମାଗୁଣି ଉଠୁନି, ଏତେ ବେଳେ ଶୋଇଛି କାହିଁକି? ମୋତେ ସାଇକେଲରେ ବସାଇବ ନାହିଁ କି? ମୁଁ ତାକୁ ମାରୁଛି ବୋଲି ମୋ ଉପରେ ରାଗିଛି? ମାଆ ମୋତେ କିଛି ନ କହି ଆହୁରି ଯୋରରେ କାନ୍ଦିଲା. ଗାଁ ଲୋକେ କହୁ ଥାଆନ୍ତି ମାଗୁଣି କୁଆଡେ ଆଉ ଉଠି ବନି. ସେ ମରି ଯାଇଛି. ଗାଁ ର ମୁରବି ମାନେ କହୁ ଥାଆନ୍ତି, ମାଗୁଣି ବ୍ଯବହାର କରୁଥିବା ସବୁ ଜିନିଷ ଆଣ ସେ ସବୁ ମାଗୁଣି ସହ ମଶାଣୀ କୁ ଯିବ. ମୁଁ କିଛି ବୁଝି ପାରୁ ନଥାଏ. ହଠାତ୍ ମୋ ମନକୁ କଣ ଆସିଲା କେଜାଣି, ସମସ୍ତଙ୍କ ଅଜାଣତରେ ତା ବଂଶୀଟି ନେଇ ଆସିଥିଲି ଏବଂ ଏଇ ବାକ୍ସରେ ଲୁଚାଇ ରଖି ଦେଇଥିଲି. ଆଉ ଗାଁ ରେ ଥିବା ଯାଏ ମଝିରେ ମଝିରେ ତାକୁ ଦେଖି ମାଗୁଣି କଥା ମନେ ପକାଇ ଲୁଚି ଲୁଚି କାନ୍ଦୁଥିଲି. ମୁଁ ଗାଁ ଛାଡିବା ପ୍ରାୟ ବାର ବର୍ଷ ହେଲାଣି. କାର୍ଯ୍ୟ ବ୍ଯସ୍ତତା ଭିତରେ ବଂଶୀଟି କଥା ମଧ୍ୟ ଭୁଲି ଯାଇଥିଲି. ଆଜି ହଠାତ୍ ଏତେ ବର୍ଷ ପରେ ମାଆଙ୍କ ହାତରୁ ବଂଶୀଟି ନେବା ବେଳକୁ ପିଲାବେଳର ସେ ଘଟଣା ସବୁ ମୋ ଆଖି ଆଗରେ ନାଚି ଉଠିଥିଲା. ମାଆ ମୋତେ କହୁଥିଲା ଏଇଟା ମାଗୁଣିର ସେଇ ବଂଶୀ ନୁହେଁତ? ଯାହାକୁ ଅନେକ ଖୋଜିଲା ପରେ ମଧ୍ୟ ଗାଁ ବାଲା ପାଇ ନ ଥିଲେ ସେ ମରିବା ଦିନ. ଆଉ ମାଆଙ୍କ ହାତରୁ ବଂଶୀଟି ନେଇ ମୁଁ ନିଜ ଓଠରେ ଲଗାଇ ମାଗୁଣିର ପ୍ରିୟ ସ୍ବର ଶ୍ୟାମ ତେରି ବଂଶୀ......... କୁ ବଜାଇବାର ବୃଥା ଚେଷ୍ଟା କରୁଥିଲି.


Rate this content
Log in