Pramod Kumar Jena

Children Stories

3  

Pramod Kumar Jena

Children Stories

ମାଆ - ଝିଅ

ମାଆ - ଝିଅ

2 mins
385



ରାତି ସେତେବେଳକୁ ବାରଟା । ଡ୍ରାଇଭର୍ ଗ୍ୟାରେଜରେ ଗାଡି ରଖି ଚାବି ବଢେଇ ଦେଲା । ତରବର ହୋଇ ଡଃ। ସ୍ୱାତୀ ଘର ଭିତରକୁ ପଶି ଆସିଲେ । ଆୟାକୁ ପଚାରିଲେ ସ୍ୱିଟି କ’ଣ କରୁଛି ? ଖାଇଲାଣି ? ଆଜି ଗୋଟେ ବଡ ଅପରେସନ୍ ଥିଲା । ଏତେ ସମୟ ଲାଗିଲା । ଯାହା ହେଉ ମାଆ ଝିଅ ଦୁଇ ଜଣ ଯାକ ବଞ୍ଚିଗଲେ । ଚୁପ୍ ଚୁପ୍ ପଚାରିଲେ ସ୍ୱାତୀ, ‘ଶୋଇଲାଣି’ ?


       : ନାଇଁ ମାଆ ! ଖାଉ ନ ଥିଲେ । ମମି ଆସିଲେ ଖାଇବି ବୋଲି ଜିଦ୍ ଧରି ବସିଥିଲେ । ଆପଣଙ୍କ ଫୋନ୍ ଆସିବା ପରେ ଯାଇ ଖାଇଲେ । ଶୋଇ ପଡିବେଣି ବୋଧେ ।

       ବହୁତ ହାଲିଆ ହୋଇ ଯାଇଥିଲେ ସ୍ୱାତୀ । ଗାଧୋଇବାକୁ ଇଚ୍ଛା ହେଉ ନ ଥିଲା । ଏଣେ ଆୟାର ଡେରି ହୋଇ ଯାଉଛି । ଆୟାକୁ ଶୋଇବାକୁ କହି ଧୁଆଧୋଇ ହେଲେ ସ୍ୱାତୀ ଓ ଖାଇନେଲେ କିଛି । ଏମିତିରେ ବି ରାତିରେ ସେ ବହୁତ କମ୍ ଖାଆନ୍ତି । ବିଛଣାକୁ ଆସି ଦେଖିଲେ ସ୍ୱିଟି ଆଖି ବୁଜି ପଡି ରହିଛି । ଚଦରଟା ଘୋଡେଇ ଦେଇ ମୁଣ୍ଡକୁ ସାଉଁଳି ଦେଲେ । ଆରେ ଇଏ କ’ଣ ? ତୁ ଶୋଇନୁ ଏ ଯାଏଁ ?

       : ଗପ ନ ଶୁଣିଲେ ନିଦ ଲାଗୁନି ।

       : ଆଜି ଶୋଇ ପଡ । କାଲି ବଢିଆ ଗପ କହିବି ।

       : ପ୍ଲିଜ୍ ମମ୍ମି କୁହନା । ଜମ୍ମା ନିଦ ଲାଗୁନି । ପ୍ଲିଜ୍……


ଝିଅର ଜିଦ୍ ପାଖରେ ହାର୍ ମାନିଲେ ସ୍ୱାତୀ । ଆରମ୍ଭ ହେଲା ସେହି ଅସରନ୍ତି ରାଜକୁମାରୀ କାହାଣୀ । ଗୋଟେ ଦେଶରେ ଜଣେ ରାଜା ଥିଲେ । ତାଙ୍କର ଗୋଟେ ସୁନ୍ଦର ରାଜକୁମାରୀ ଥିଲା.…….ଶେଷରେ ରାଜକୁମାରୀଙ୍କୁ ସାଥିରେ ନେଇ ରାଜକୁମାର ତାଙ୍କ ଦେଶକୁ ଚାଲିଗଲେ । ଆଉ ସେଠି ସେମାନେ ବହୁତ ଖୁସିରେ ରହିଲେ । ଏମିତି ଦିନେ ଆମ ସ୍ୱିଟି ବଡ ହୋଇଯିବ । ଗୋଟେ ସୁନ୍ଦର ରାଜକୁମାର ସାଥିରେ ତାର ବାହାଘର ହୋଇଯିବ । ଆଉ ସେ ତା ମମିକୁ ଛାଡି ରାଜକୁମାର ସାଥିରେ ପଳେଇବ । ଶେଷ ପଦକ କହିଲା ବେଳକୁ ସ୍ୱାତୀଙ୍କର ଗଳା ଓଦା ହୋଇ ଆସିଲା । ମାଆ ଝିଅ ଦୁଇ ଜଣଯାକ କିଛି ସମୟ ପାଇଁ ଚୁପ୍ ହୋଇଗଲେ । କିଛି ସମୟ ପରେ ତାଙ୍କୁ ଲାଗିଲା ସ୍ୱିଟି ଶୋଇଗଲାଣି । ଚଦର ଘୋଡେଇ ତା’ ମୁଣ୍ଡକୁ ଟିକେ ସାଉଁଳି ଦେଲେ ।

       : ମମି…….

       : କ’ଣ ହେଲା ? ତୁ ଶୋଇନୁ?

       : ମମି ! ମୁଁ ବଡ ହେବିନି ।

       ହତବାକ୍ ହୋଇ ସ୍ୱିଟି ମୁହଁକୁ ଚାହିଁ ରହିଲେ । ଚେଷ୍ଟା କରି ବି ଅଟକେଇ ପାରିଲେନି ନିଜର କୋହକୁ । ଛାତିରେ ତା’କୁ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ ।



Rate this content
Log in