Satyabati Swain

Others

3  

Satyabati Swain

Others

ମା

ମା

3 mins
302



ତା ମାଧ୍ୟମରେ ମୁଁ ଚିହ୍ନିଲି ଜୀବନ,ଜୀଇଁବା,ଓ ଜଗତ

ପିଲାଦିନୁ ଏକ ଅଦ୍ଭୁତ ସମ୍ମୋହନ,ଦୁର୍ବାର ଆକର୍ଷଣ,

ପ୍ରଚଣ୍ଡ ଆଗ୍ରହ ମୋ ଭିତରେ ତା ପାଇଁ ଥିଲା । ସେ ମୋର୍ ସବୁଠାରୁ ଉତ୍ତମ ବନ୍ଧୁ ଅଟେ । ତାକୁ ଛୁଇଁଲେ ଅପୂର୍ବ ଖୁସି ଟିକେ ଛୁଇଁଯାଏ ମୋତେ । ସବୁ ଭୁଲି ତାରି ଭିତରେ ହଜିଯାଏ । ମୁଁ ତାକୁ ଜଡେଇ ଧରେ ଛାତିରେ ସେ ମୋତେ ଜଗଡି ଧରେ ଖୁବ୍ ତା ଭିତରେ । ତାର ମୋର ବନ୍ଧନ ଅତି ସ୍ବର୍ଗୀୟ । ସେ ମୋର ଜୀବନର ବଡ଼ ନିଶା ।


ଅବୁଝା ବୟସରେ ବି ମୁଁ ତା ପ୍ରେମରେ । ନିହାତି ପିଲା ଦିନୁ ମୋର ତାକୁ ଆଣିବା,ଠୁଳ କରିବା ଗୋଟେ ଅହେତୁକ ଅଭ୍ୟାସ । ବାପାଙ୍କ ସହ ମାର୍କେଟ ଗଲେ ପ୍ରଥମେ ତାକୁ ଖୋଜେ । ଅନ୍ୟ ପିଲା ମାନଙ୍କ ପରି ଖେଳନା, ଖାଦ୍ୟ,କି ପୋଷାକ ସଉକ୍ ମୋର ନଥିଲା । ଥିଲା କିନ୍ତୁ ତା ପ୍ରତି ଘନିଷ୍ଠ ଆତ୍ମିକ ଉଦ୍ ବେଳନ । ସେ ମୋର ଚିର ପ୍ରେମିକ,ମୁଁ ତା ଚିର ପ୍ରେମିକା । ଆଉ ସେ ହେଲା ଖଣ୍ଡେ "ବହି" ।


ଥରେ ଭାଇଙ୍କ ସଙ୍ଗେ ଦଶହରା ବୁଲି ଯାଇଥିଲି ଜଗତସିଂହପୁର ବଜାର । ଗୋଟିଏ ମନୋହରୀ ଦୋକାନ ଆଗରେ ଭାଇ ବସାଇ ଏଇଠୁ କେଉଁ କାମରେ ଆସୁଛି ବୋଲି କହିଲେ । ସେ ଦୋକାନରେ ଆମର ଜଣେ ଚିହ୍ନା ମାମୁଁ ସେଲସ୍ ମ୍ୟାନ୍ ଥିଲେ । ଭାଇଙ୍କ ଆସିବା ଡେରି ହେଲା । ମୋତେ ବସି ବସି ବୋର ଲାଗୁଥାଏ । ଦୋକାନ ବୁଲି ବୁଲି ସବୁ ଦେଖିଲି । ଦୋକାନ ପାଖକୁ ଲାଗି ଗୋଟେ ଘରେ ବହି ଗଦା ହୋଇଥିଲା । ମାମୁଁଙ୍କୁ କହିଲି, "ମାମୁଁ ସେ ବହି ସବୁ ଦେଖିବି?"ମାମୁଁ କହିଲେ ପୁରୁଣା ଚିରା ବହି ଗୁଡା,ଠୁଙ୍ଗା ହେବା ପାଇଁ ଆସିଛି । ଦେଖୁନୁ ।


ସେଇ ବହି ଗଦା ଭିତରେ ସେଦିନ ମୁଁ ନିଜକୁ ହଜାଇ ଦେଲିଥିଲି । ବାଛିଲି କେତେ ବହି,ଶହେ କି ଦୁଇଶହ ଖଣ୍ଡ । ବିଦଗ୍ଧ ଚିନ୍ତାମଣିଠୁ ଆରମ୍ଭ କରି ଗର୍କୀଙ୍କ "ମା"ପର୍ଯ୍ୟନ୍ତ । କହିଲି ମାମୁଁ ଏ ବହି ମୋତେ ଦେବ??ଦୋକାନୀ ମୋ ପଢା ଆଗ୍ରହ ଦେଖି କହିଲେ ଚିରା ହୋଇ ଠୁଙ୍ଗା ହୋଇଥାନ୍ତା,ଛୁଆଟିଏ ପଢିବାକୁ ଚାହୁଁଛି ନେଉ । ଦୁଇ ବସ୍ତା ହେଲା । ଭାଇ କହିଲେ, "ଲୋକେ ନିଜ ଘରୁ ଅଳିଆ ସଫା କରିବା ପାଇଁ ଏସବୁ ବିକ୍ରି କରିଛନ୍ତି,'ଆଭା' ତୁ ଏସବୁ ନେଇ ଆମ ଘର ଅଳିଆ କରିବୁ?"


ମୋର କିନ୍ତୁ ଏକା ଜିଦ୍ ବହି ନେବି,କିଣି କି ଏତେ ପଢି ପାରୁନି । ମାମୁଁ  ମୋ ଆଗ୍ରହ ଦେଖି ବହିତକ ଆମ ଘରକୁ ବସ୍ ରେ ପଠେଇ ଦେଲେ । ମୋ ଖୁସି ସେଦିନ ଆକାଶ ସେ ପାଖ ମେଘ ପର୍ଯ୍ୟନ୍ତ ଉଡିଯାଇଥିଲା । ବହି ଗୁଡିକ ଧରି ଘେରାଏ ବୁଲି ଗଲି । ସବୁ ତକ ବୁଝେ ନ ବୁଝେ ପଢ଼ିଲି । କିଛି ଗୀତ ବି ମୋର ମନେ ରହିଗଲା । ଯାହା ସ୍କୁଲ କଲେଜରେ ମୁଁ ପଢ଼ିଲି ।


ବଡ଼ ହେଲା ପରେ ବି ସେଇ ସଉକ୍ ଟି ଆହୁରି ପଗାଳାମୀରେ ପରିଣତ ହେଲା । ମୋ ଚାରି ପାଖେ କେବଳ ବହି ଆଉ ବହି । ପକେଟ ମନିରେ କେବେ କିଛି କଥା ମନେ ପଡୁନି ବହି ବ୍ୟତୀତ କିଣିଛି । ରେଭେନ୍ସାରେ ପଢିଲା ବେଳେ ଏ ସଉକ୍ ମୋର ଶୀର୍ଷରେ ପହଞ୍ଚିଥିଲା ।


କନିକା ଲାଇବ୍ରେରୀ ଓଡ଼ିଶାର ସବୁଠାରୁ ବଡ଼ ଲାଇବ୍ରେରୀରୁ ପ୍ରାୟତଃ ମନ ଖୋଜୁଥିବା ବହି ମୁଁ ପଢ଼ିବାର ସୁଯୋଗ ପାଇଲି । ସେଇଠି ଦେଖା ହେଲା ବହି ଗର୍କିଙ୍କ "ମା" । ଓଡ଼ିଆ ଅନୁବାଦିତ ଲେଖା । ଅନୁବାଦ କରିଥିଲେ ବୈଷ୍ଣବ ଚରଣ ପରିଡା ।


ଆଜିଯାଏ ଯେତେ ବହି ପଢ଼ିଛି 'ମା 'ର ଛାପ ମୋ ହୃଦୟ କାନ୍ଥରେ ଛାପି ହୋଇଯାଇଛି । ମା ମୋ ଜୀବନର ଶେଷ୍ଠ ପଢିବା ପୁସ୍ତକ । କିଛି ଧାଡି ବି ଆଜିଯାଏ ମୋର ମନେ ଅଛି । ଯେମିତି କି--


"ପୁନର୍ଜୀବିତ ଆତ୍ମାକୁ ତ କେହି ହତ୍ୟା କରି ପାରେ ନାହିଁ,ରକ୍ତର ନଦୀ ବୁହାଇ ଦେଲେ ମଧ୍ୟ,ସତ୍ୟ ତା ମଧ୍ୟରେ ବୁଡି ଯାଇ ପାରେନା..."


ପେଲାଗେୟା ନିଲଭ୍ ନାଙ୍କ ଦୟାର୍ଦ ନ୍ୟାୟୋଦୀପ୍ତ ହୃଦୟ,ତାଙ୍କ ଆତ୍ମାର ଆହ୍ୱାନ ଧାରଣା କରିଥିଲା କିଭଳି ବଞ୍ଚିବା ଉଚିତ । ପାଭେଲ ଭ୍ଲାସଭ୍ ନିଲଭ୍ ନାଙ୍କ ପୁଅ ଜଣେ ଶ୍ରମିକ ଲୋକଙ୍କର ଅଭ୍ୟସ୍ତ ଜୀବନକୁ ଛାଡି ବିପ୍ଲବୀ ହୋଇଗଲା । ଶହ ଶହ ସାଧାରଣ ନାରୀଙ୍କ ଭଳି ପେଲେଗେୟା କାରଖାନାରେ କାମ କରନ୍ତି ଏବଂ ଘରେ ମଦୁଆ ସ୍ୱାମୀଠାରୁ ମାଡ଼ ଗାଳି ଖାଇ ଦୁଃଖରେ ଦିନ କାଟନ୍ତି । ପୁଅ ବିପ୍ଲବୀ ହୋଇଗଲା ବେଳେ ସେ ପୁଅ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇ ପଡିଲେ । ଶେଷ ଜୀବନ ମା ର୍ ଅତି ଦୁଃଖଦ । ବିଶ୍ୱକୁ ମଣିଷ,ମଣିଷ ପରି ବଞ୍ଚୁ ବାର୍ତ୍ତା ଦେବା ପାଇଁ ପୋଲିସ ତଣ୍ଟି ଚିପାରେ ଶେଷ ହୋଇ ଯାଇଛି ।


"ଆମେ ସମସ୍ତେ ଗୋଟିଏ ମା ର ସନ୍ତାନ । ସାରା ଦୁନିଆର ଶ୍ରମିକ ଭାତୃତ୍ୱର ଅଜୟ ବିଚାରର ସନ୍ତାନ । "


"ନିଜ ଚତୁଃପାଶ୍ୱସ୍ଥ ଦୂଷିତ ବାତାବରଣ ବିରୁଦ୍ଧରେ ସଂଗ୍ରାମ ହିଁ ମଣିଷକୁ ମଣିଷ କରିଦିଏ । "


ହେ ଚିର ନାମସ୍ୟ ଗର୍କି ! ଆପଣଙ୍କୁ ମୁଁ ଆଭା ସାମନ୍ତ ମୋ ଅନ୍ତର ତଳୁ ବାଢୁଛି ସଭକ୍ତି ସମ୍ମାନ,ଶ୍ରଦ୍ଧା ସୁମନ । 'ମା' ରେ ମା ଟିଏର ପରିଚୟ ଖୁବ୍ ଦୋହଲାଇ ଦେଇଥିଲା ମୋତେ । ସତରେ ସେଇ ଅବୁଝା ବୟସରେ ମୁଁ ପଡିଯାଇଥିଲି ମା ପ୍ରେମରେ । ମା ବହି ପଡିଲା ବେଳେ ମୋ ଲୋମ ମୂଳ ଟାଙ୍କୁରି ଉଠେ । ମୋତେ ଲାଗେ ଏ ବିଶ୍ୱ ଟା ଗର୍କିଙ୍କ 'ମା' ମୟ ହୋଇ ଯାଆନ୍ତା କି.......



Rate this content
Log in