Satyabati Swain

Others

4  

Satyabati Swain

Others

ଲିଡର୍

ଲିଡର୍

4 mins
23.5K


ଲିଡର୍


ଶନିବାର,ଶେଷ ପିରିୟଡ଼।ସେକ୍ସନ୍ ହୋଇନଥାଏ ବୋଲି ଅଷ୍ଟମ ଶ୍ରେଣୀର ସବୁ ପିଲା ଗୋଟିଏ ହଲ୍ ରେ ବସୁଥାନ୍ତି।ନାମ ଲେଖା ଚାଲୁଥାଏ।ନାମ ଲେଖା ଡେଟ୍ ଶେଷ ହେଲା ପରେ ସେକ୍ସନ ହୁଏ।କିନ୍ତୁ ରୀତିମତ ପଢା ଚାଲେ।ପାଖା ପାଖି ଗୋଟିଏ ମାସ ନାଁ ଲେଖା ବେଳେ ଜେନେରାଲ୍ କ୍ଲାସ୍ ହୁଏ ଆମ ସ୍କୁଲରେ।ଏହି ସମୟରେ ସେ କ୍ଲାସ୍ ନେଇ ପଢ଼ାଇ ଖାତା ଦେଖିବା କଷ୍ଟକର ବ୍ୟାପାର ହୁଏ।


ସବୁଠାରୁ ବେଶୀ ଅସୁବିଧା ସୃଷ୍ଟି କରେ ଶନିବାରଆ ଶେଷ ପିରିୟଡ଼।ସହ ଶୈକ୍ଷିକ ପିରିୟଡ଼ ସେଇଟି।ଛୁଟି ବେଳ,ଘର ମୁହାଁ ପିଲା।ପୁଣି ଆଗରେ ରବିବାରଟିଏ।ସବୁ ପିଲା ଅତି ଉତ୍ଶୃଙ୍ଖଳ ହୋଇଯାଆନ୍ତି ଏଇ ଶନିବାରିଆ ଶେଷ ପିରିୟଡ଼କୁ।ଏତେ ପିଲା ପୁଣି ଭିନ୍ନ ଭିନ୍ନ ସ୍କୁଲରୁ ଆସି ଥାଆନ୍ତି।ଆମ ସ୍କୁଲ ନୀତି ନିୟମ ଶଗଡ଼ ଗୁଳାରେ ଚାଲିବାକୁ ନୂଆ ପିଲାଙ୍କୁ କିଛି ଦିନ ଲାଗେ।ମାସେ ଦି ମାସ ପରେ ସବୁ ପିଲା ଘଡାରେ ପଡି ଯାଆନ୍ତି।କିନ୍ତି ପ୍ରଥମେ ପ୍ରଥମେ ବାଟକୁ ଆସିବା ପାଇଁ ଟିକେ ଅସୁବିଧା ହୁଏ।ଏତେ ପିଲାଙ୍କୁ ଆୟତ୍ତ କରିବା ନିହାତି କାଠିକର ପାଠ।


ପୁଣି ଏବେ ସ୍କୁଲ ଦଣ୍ଡ ମୁକ୍ତ।ଦଣ୍ଡ ତ ଦଣ୍ଡ ପଦେ ରାଗି କରି କହିବା ଅଧିକାର ବି ଶିକ୍ଷକର ନାହିଁ।ଏଣୁ ସମୟ ଅନୁସାରେ ଶିକ୍ଷକ ସମାଜକୁ ଚାଲିବାକୁ ପଡୁଛି।ଶନିବାର ଶେଷ ପିରିୟଡ଼ ନେବାକୁ କୁନ୍ଥୁ କୁନ୍ଥୁ ହେଲେବିଯାହାର ଯେଉଁ ସପ୍ତାହରେ ନେବାକୁ ରୁଟିନ୍ ରେ ଥାଏ ସେ ନେବାକୁ ବାଧ୍ୟ।କ୍ଲାସ୍  କୁ ଯିବାର ଟିକିଏ ଡେରି ହେଲେ ମାଡ଼ ଗୋଳ ହୋଇ ମୁଣ୍ଡ ଫଟା ଫାଟି ହୋଇଯିବେ।ସେଥିପାଇଁ ପ୍ରଧାନ ଶିକ୍ଷକଙ୍କ ତାଗିଦା ପିଲାମାନଙ୍କର ଯଦି କିଛି ହେଲା ସେଇ ପିରିୟଡ଼ ଶିକ୍ଷକ ଦାୟୀ ହେବେ।ଆମ ପ୍ରଧାନ ଶିକ୍ଷକ ପୁରା ଷ୍ଟ୍ରିକ୍ଟ୍ ମଣିଷ।


ସେମିତି ଏକ ଶନିବାର ଶେଷ ପିରିୟଡ଼ କଥା।ମୁଁ କ୍ଲାସକୁ ଯାଇ ଦେଖିଲି,ପିଲାଏ କିଛି ଲେଖା ଲେଖି କି ପଢା ପଢି କରିବା ମୂଡ଼ ରେ ନଥାନ୍ତି।ଖାଲି ଛୁଟି ବେଲ୍ କୁ ଅପେକ୍ଷା।କେହି କେହି ଧୀର ସ୍ୱରରେ କହୁଥାନ୍ତି ହେ ଭଗବାନ୍!ବେଲ୍ ପକାଅ।ଚାରି ଜଣ ପିଅନ ଙ୍କ ମଧ୍ୟରୁ ଭଗବାନ ଜଣେ ପିଅନଙ୍କର ନାମ ଆମ ସ୍କୁଲରେ ଥିଲା।ସେଦିନ ଯୋଗକୁ ଖୋଲା ଆଲୋଚନାରେ ନିଜକୁ ପ୍ରକାଶିତ କରିବା ଥିଲା ପ୍ରସଙ୍ଗ।ମୋର ଟିକେ ଉପସ୍ଥିତ ବୁଦ୍ଧି ତୀକ୍ଷ୍ଣ ବୋଲି ପ୍ରାୟତଃ ମୋ କ୍ଲାସ୍ ରେ ପିଲା ହୋ ହୋ ଘୋ ଘୋ ହେବାକୁ ମୌକା ପାଆନ୍ତି ନାହିଁ।ତାଙ୍କରି କଥାକୁ ତାଙ୍କରି ମାଧ୍ୟମରେ ଏମିତି ଆଗେଇ ନିଏ ଯେ ପିଲା ମଜ୍ଜି ଯାଆନ୍ତି ସେ କାର୍ଯ୍ୟରେ।ପରେ ଜାଣନ୍ତି ପଢୁଥିଲେ ବୋଲି।


ପିଲାଙ୍କ ଭଗବାନ ବେଲ୍ ପକାଅ କଥାଟିକୁ ମୁଁ ଚଟ୍ କରି ଧରି ନେଲି।କହିଲି ପିଲାଏ ଭଗବାନଙ୍କୁ ଦେଖିଛ?ଚାଲ ଆଜି 'ଭଗବାନ ଭଗବାନ' ଖେଳଟିଏ ଖେଳିବା।ଏଇ ଖେଳରେ ସମସ୍ତେ ପାଞ୍ଚ ମିନିଟ୍ ଆଖି ବୁଜି ବସି ନିଜ ଆରାଧ୍ୟ ଦେବାଦେବୀଙ୍କୁ ମନେ ପକାଇ ଜୀବନର ଲକ୍ଷ୍ୟ କଣ ବା ଭବିଷ୍ୟତରେ କଣ ହେବାକୁ ଚାହୁଁଛ ମନେ ମନେ କହିବା।ଆଖି ଖୋଲିଲା ପରେ ଜଣକ ପରେ ଜଣେ ପାଳି ପଡିଲେ ନିଜ ଜୀବନରେ କଣ ହେବାକୁ ଚାହୁଁଛନ୍ତି ଓ କାହିଁକି କହିବେ।


ବାସ୍ !ନିଜ ନିଜ ବେଞ୍ଚ ଉପରେ ପାଞ୍ଚ ମିନିଟ୍ ଆଖି ବନ୍ଦ କରି ପିଲାମାନେ ବସିଗଲେ।ମୁଁ ବି ଫୋନ୍ ରେ ଆଲାର୍ମ ଦେଇ ସେମାନଙ୍କ ସହ ଆଖି ବୁଜି ବସିଥିଲି।କାରଣ ଶିକ୍ଷକ ଯାହା କହିବେ ତାଙ୍କ ଠାରୁ ଆରମ୍ଭ କଲେ ପିଲାମାନେ ଖୁସି ହୋଇ ସେଇ କାମଟିକୁ ଅନାୟାସରେ କରିବାକୁ ଆଗ୍ରହ ପ୍ରକାଶ କରନ୍ତି।ମୁଁ ଆଖି ଖୋଲି ପ୍ରଥମେ କହିଲି ମୋର ଇଷ୍ଟ ଠାକୁର ଦଧିବାମନ ଜୀଉଁ।ତାଙ୍କ ଆଗରେ ମୁଁ କହିଲି ହେ ପ୍ରଭୁ ମୋତେ ଉତ୍ତମ ଶିକ୍ଷକଟିଏ କର।ମୁଁ ଯେମିତି ପିଲାମାନଙ୍କୁ ଆଦର୍ଶ ଶିକ୍ଷା ଦେଇ ଆଦର୍ଶ ଛାତ୍ର କରିବାରେ ସମର୍ଥ ହେବି।


ତାପରେ ମୋ କଥା ଶୁଣି ପିଲାମାନେ ଜଣକ ପରେ ଜଣେ ତାଙ୍କ ଇଷ୍ଟ ଦେବ ଓ ଜୀବନର ଲକ୍ଷ୍ୟ କଥା ପ୍ରକାଶ କଲେ।ମୁଁ କିନ୍ତୁ ଚକିତ ହେବା ସହ ଦୁଃଖିତ ହେଲି ଯେ କେହି ଜଣେ ବି କହିଲେ ନାହିଁ ଶିକ୍ଷକ ହେବେ।ସେଇ କ୍ଲାସ୍ ରୁ ମୁଁ ଦେଖି ପାରୁଥିଲି ଅନାଗତ ଭବିଷ୍ୟତ ଚିତ୍ର।ଅଚିରେ ସୁ ଶିକ୍ଷକ ସମାଜ ଡାଇନୋସର ପରି ହୁଏତ ଲୁପ୍ତ ହେବାକୁ ଆଉ ବେଶୀ ଡେରି ନାହିଁ।ମୋର ଅନ୍ୟ ଯେ କୌଣସି ଚାକିରି କରିବା ଯୋଗ୍ୟତା ଥିଲେ ମଧ୍ୟ ମୋ ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁ ଶିକ୍ଷକ ବୃତ୍ତୀକୁ ଆପଣେଇ ନେଲି।ସାଙ୍ଗ ମାନେ ଦେଖା ହେଲେ କୁହନ୍ତି ଏତେ ଭଲ ପଡୁଥିଲୁ ପୁଣି ରେଭେନ୍ସାରେ ପଢ଼ି ଶେଷକୁ ଏଇ ମାଷ୍ଟରାଣୀ ଚାକିରିଟା କଲୁ?


ମୁଁ ଜାଣିନି ଲୋକଙ୍କ ଦୃଷ୍ଟିଭଙ୍ଗୀ ଶିକ୍ଷକ ଚାକିରି ପ୍ରତି ଏତେ ଅନାଦର କାହିଁକି।ମୋର ଲକ୍ଷ୍ୟ ଜଣେ ଉତ୍ତମ ଶିକ୍ଷକ ହେବି।ଭଲ ଦେଶ ଭବିଷ୍ୟ ଗଢିବି।ଶିକ୍ଷକ ନ ରହିଲେ ଡାକ୍ତର,ଇଞ୍ଜିନିୟର ,ଆଇ ଏ ଏସ୍ କି ଓ ଏ ଏସ୍ ଆସିବେ କେଉଁଠୁ?ପ୍ରତି ଭଲ ମଣିଷ ପଛରେ ଜଣେ ଦକ୍ଷ ଶିକ୍ଷକର ହାତ ଥାଏ।କେବେ ଲୋକେ ଏ କଥା ବୁଝିବେ କେଜାଣି।


ମୋ କ୍ଲାସ୍ ର ସଂଖ୍ୟାଧିକ ପିଲାଙ୍କ ଜୀବନରେ ଲକ୍ଷ୍ୟରେ ପ୍ରଥମ ଅପ୍ସନ୍ ରଖିଥିଲେ ଆମେ ଲିଡର୍ ହେବୁ।


କାହିଁକି କରିବୁର ଉତ୍ତରରେ ପିଲାମାନେ ଯାହା କହିଲେ ଆମ ବଡ଼ ମାନଙ୍କ ହୋସ୍ ଉଡିବା କଥା।ମୁଁ ସେଦିନ ଏକବାର୍ ଚୁପ୍ ହୋଇ ଯାଇଥିଲି ପିଲାଙ୍କ ଉତ୍ତର ଶୁଣି। 


ସେମାନଙ୍କ ମତରେ ଲିଡର୍ ଙ୍କୁ ସମସ୍ତେ ଫଲୋ କରନ୍ତି।ଭଲ ପାଆନ୍ତି,ସମ୍ମାନ ଦିଅନ୍ତି।ଜଣେ ଲିଡର୍ ସମାଜକୁ ବଦଳେଇବାର ସାମର୍ଥ୍ୟ ରଖେ।ସେ ସାହସୀ,ଧୈର୍ଯ୍ୟବାନ୍, ଦୂରଦୃଷ୍ଟି ସମ୍ପନ୍ନ ହେବା ସହ ପ୍ରତ୍ୟେକ ହୃଦୟ ଜିତି ପାରନ୍ତି।ପରୋପକାରୀ ,ଶୁଦ୍ଧ ଚିନ୍ତାଧାରା ,ଭବିଷ୍ୟତ ଦ୍ରଷ୍ଟା ହୋଇଥାନ୍ତି।ନିଜ ଜୀବନ ଜୀଇଁବା ଅପେକ୍ଷା ଲିଡ଼ର୍ ଦେଶ,ଜାତିର ବିକାଶ,ଉନ୍ନତିର ସ୍ୱପ୍ନ ସବୁବେଳେ ଦେଖୁଥାନ୍ତି।ମୋ ଦେଶ ମୋ ଗର୍ଵ ଓ ଗୌରବ ଭାବିଥାନ୍ତି।

ସେ ମଲେ ବି ତାଙ୍କୁ ଲୋକଙ୍କ ହୃଦୟରେ ଯୁଗ ଯୁଗ ଧରି ବଞ୍ଚିରୁହନ୍ତି ।ଯିଏ ଖାଲି କଥାରେ ବାହାସ୍ପୋଟ ମାରନ୍ତି ନାହିଁ ;କହିବା କଥା କାମରେ କରି ଦେଖେଇ ଦିଅନ୍ତି;ସେ ହିଁ ଲିଡ଼ର୍ ହୋଇ ପାରନ୍ତି।


ପିଲାମାନେ ମୋତେ ବୁଝେଇଲେ ମାମ୍ ଲିଡର୍ ଅର୍ଥ ଲି ମାନେ ଲିଭାଇବା ଡର ମାନେ ଭୟ।ଯିଏ ସମସ୍ତ ଡରକୁ ନିଜ ହୃଦୟରୁ ଲିଭାଇ ସବୁଠାରେ ଆଗରେ ରହି ପଛ ଲୋକଙ୍କୁ ଉତ୍ସାହିତ କରନ୍ତି; ନିଜ ଜୀବନକୁ ପାଣି ଛଡେଇ କାମ କରନ୍ତି; ସେଇ ହିଁ ଲିଡ଼ର୍ ହୁଅନ୍ତି।


ଆମେ ସେମିତି ଲିଡ଼ର୍ ହେବାକୁ ଚାହୁଁଛୁ।ଛୁଟି ବେଲ୍ ପଡିଲା।ପିଲା ମାନଙ୍କ ସହ ମୁଁ ବି ଘର ମୁହାଁ ହେଲି।ହେଲେ ପିଲାମାନେ ଯେଉଁ ଲିଡର୍ କଥା କହିଲେ ମୁଁ ସେମିତି ଜଣେ ଲିଡ଼ର୍ ଖୋଜୁଥିଲି।


ସନ୍ଧ୍ୟାରେ ମୋ ସାତ ବର୍ଷର ପୁଅ 'ଥିଟା'କୁ ପଢେଇଲା ବେଳେ ପଚାରିଲି ତୁ ଜାଣିଛୁ ଲିଡର୍ କାହାକୁ କୁହନ୍ତି?


ହା ହା ଏଇ କଥା ଜାଣିନ ମାମା!!ଯାହା ନିର୍ଦ୍ଦେଶରେ ଅନ୍ୟ ମାନେ କାମ କରିଥାନ୍ତି,ତାକୁ ଲିଡ଼ର୍ କୁହନ୍ତି।ଯେମିତି ମୁଁ;ସାର୍ ମୋତେ ଆମ କ୍ୱିଜ୍ ଗ୍ରୁପର ଲିଡର୍ କରିଛନ୍ତି।


ମୁଁ ଟିକେ ହସି ଦେଇ କହିଲି ଆଚ୍ଛା!ତୁ ତାହେଲେ ତୁମ ଗ୍ରୁପ୍ ର ଲିଡର୍?

 



Rate this content
Log in