ଲେମ୍ବୁ ଓ ଲଙ୍କା
ଲେମ୍ବୁ ଓ ଲଙ୍କା
ଦୋକାନଗୁଡିକ ସାମନାରେ ଲେମ୍ବୁ ଲଙ୍କା ଦେଖି ବିଜୁର ମନ ସବୁବେଳେ ଆନ୍ଦୋଳିତ ହୁଏ । ହେବନି ବା କାହିଁକି!ଏହି ଲେମ୍ବୁ ଲଙ୍କା ଦେଇ କଂସେ ପଖାଳ ଖାଇ ସେ ପ୍ରତିଦିନ ସ୍କୁଲ ଯାଏ । ମାଆ କହେ ପେଟପୁରା ଭାତ ଖାଇ ମୋ' ଛୁଆ ବଡ଼ ହେଇଯାଉ । ତେଣିକି ଭାତ ପାଖକୁ ତରକାରୀ ଥାଉ ବା ନଥାଉ । ବିଜୁର ମଧ୍ୟ ସେଇ ସମାନ ଚିନ୍ତାଧାରା । ପର ଘରେ କାମ କରି ମାଆ ଯେତିକି ରୋଜଗାର କରେ ସେଥିରେ ପେଟପୁରା ଭାତଗଣ୍ଡେ ମିଳିଯାଏ,ଏହା କିଛି କମ କଥା ନୁହେଁ । ଗୋଟିଏ ଲଙ୍କା ଓ ସୋରେ ଲେମ୍ବୁରେ ଗୋଟିଏ ଓଳି ଚଳିଯାଏ ମାଆ ପୁଅଙ୍କର । ହେତୁ ହେବା ଦିନରୁ ବିଜୁ ତା' ବାପାଙ୍କୁ ଦେଖିନି । ସ୍କୁଲକୁ ଆସିଥିବା ସାଙ୍ଗପିଲାମାନଙ୍କ ବାପାଙ୍କୁ ଦେଖିଲେ ବିଜୁ ଭାବେ ତା' ବାପା ଥିଲେ ତାକୁ ସ୍କୁଲକୁ ଛାଡ଼ିବାକୁ ଆସିଥାନ୍ତେ । କେତେ ଆଦର କରୁଥାନ୍ତେ । ଥରେ ମାଆକୁ ବାପାଙ୍କ ବିଷୟରେ ପଚାରିଥିଲା ଯେ ବାପାଙ୍କୁ ମନେ ପକେଇ ମାଆ ବହୁତ କାନ୍ଦିଥିଲା । ସେଦିନଠାରୁ ବିଜୁ ଆଉ କେବେ ମାଆକୁ ବାପାଙ୍କ ବିଷୟରେ ପଚାରିନି । ମାଆକୁ କନ୍ଦେଇ ପାଖରେ ନଥିବା ବାପାଙ୍କ ବିଷୟରେ ଜାଣି ତା'ର ଲାଭ କ'ଣ?ତା' କଥା ଶୁଣି ମାଆ କାନ୍ଦିଲେ ବିଜୁକୁ ଆଦୌ ଭଲ ଲାଗେନା । ତେଣୁ ସେ ଆଉ କେବେହେଲେ ବାପାଙ୍କ ବିଷୟରେ ମାଆକୁ ପଚାରିବନି ବୋଲି ଭାବିଥିଲା । ତେବେ ପଡ଼ିଶାଘରର ହର ମଉସା ବାପାଙ୍କ କଥା ବେଳେବେଳେ ତା ଆଗରେ କହନ୍ତି ।
ହରମଉସା ବାପାଙ୍କ ସବୁଠାରୁ ଭଲ ସାଙ୍ଗ ବୋଲି ମାଆ ତାକୁ କହିଥିଲା । ବିଜୁ ବାପାଙ୍କର ଲେମ୍ବୁ ଲଙ୍କା ବେପାର ଥିଲା । ବେପାର ଭଲ ଚାଲିଥିଲା ବୋଲି ମଉସା ଅନେକ ଥର ବିଜୁକୁ କହିଥିଲେ । ତା' ବାପା ମଧ୍ୟ ତାଙ୍କ ଠେଲା ଆଗରେ ଲେମ୍ବୁ ଲଙ୍କା ମାଳଟିଏ ଟାଙ୍ଗି ଠାକୁର ପୂଜା ସାରି ପ୍ରତିଦିନ ବେପାର ଆରମ୍ଭ କରନ୍ତି ବୋଲି ବିଜୁ ମଉସାଙ୍କ ଠାରୁ ଶୁଣିଥିଲା । ମୋଟାମୋଟି ଭାବେ ଲେମ୍ବୁ ଲଙ୍କା ପ୍ରତି ବିଜୁର ଏକ ଅହେତୁକ ଦୁର୍ବଳତା ରହିଥିଲା । ତେଣୁ ଯେ କୌଣସି ଦୋକାନ ଆଗରେ ଲେମ୍ବୁ ଲଙ୍କା ମାଳ ଦେଖି ତା'ନିଜର ନିତିଦିନିଆ ଖାଇବା କଥା ହେଉ ଅବା ବାପାଙ୍କ କଥା ହେଉ, ମନେ ପଡିଯାଇ ତା'ମନ ଆନ୍ଦୋଳିତ ହେଉଥିଲା । ଖରାଦିନେ ବିଜୁର ଲେମ୍ବୁ ପ୍ରତି ଦୁର୍ବଳତା ଅଧିକ ବଢିଯାଉଥିଲା । ଭାତ ସାଙ୍ଗରେ ଲେମ୍ବୁ ଖାଇବା ତା'ର ଅଭ୍ୟାସ । କିନ୍ତୁ ଖରାଦିନେ ମାଆ ହାତ ତିଆରି ଲେମ୍ବୁ ସରବତ ଟିକକ ଆଗରେ ଅମୃତ ମଧ୍ୟ ତୁଚ୍ଛ ମନେହୁଏ ବିଜୁକୁ ।
ଏ ବର୍ଷ ଖରାଦିନେ ଲେମ୍ବୁ ପଖାଳ ଓ ଲେମ୍ବୁ ସରବତ ପାଇଁ ବିଜୁ କେତେଥର ମାଆକୁ କହିଲାଣି କିନ୍ତୁ ମାଆ ନିର୍ବିକାର । ଘରକୁ ଲେମ୍ବୁ ଆଣିବାକୁ ଇଚ୍ଛା କରୁ ନାହିଁ । ତେଣୁ ବିଜୁ ନିଜେ ବଜାର ଯାଇ ଲେମ୍ବୁ ଆଣିବାକୁ ସ୍ଥିର କଲା । ସଞ୍ଚିଥିବା ଦଶ ଟଙ୍କା ଧରି ବଜାର ବାହାରିଲା । ରାସ୍ତା ସାରା ଭାବୁଥିଲା ଲେମ୍ବୁ ଗୋଟାଏ ଦୁଇ ଟଙ୍କା ହୋଇଯାଇଥିଲେ ମଧ୍ୟ ସେ ପାଞ୍ଚଟି ଲେମ୍ବୁ କିଣିପାରିବ । ଏମିତି ଭାବୁ ଭାବୁ ବଜାରରେ କେତେବେଳେ ଲେମ୍ବୁବିକାଳି ପାଖରେ ଠିଆ ହୋଇସାରିଥିଲା ସେ ନିଜେ ଜାଣିପାରିନଥିଲା । କିନ୍ତୁ ଲେମ୍ବୁବିକାଳି ଠେଲାରେ ଲେମ୍ବୁ ଲଙ୍କା ମାଳ ବଦଳରେ ଓହଳିଥିଲା ଲେମ୍ବୁ ରସୁଣର ମାଳଟିଏ । ବିଜୁ ସେଠାରେ ଜାଣିପାରିଲା ଲେମ୍ବୁ ଗୋଟାଏ ୨ଟଙ୍କା ହୋଇଯିବାରୁ ଲେମ୍ବୁ ପରିବର୍ତ୍ତେ ରସୁଣର ଏଭଳି ସଦୁପଯୋଗ ହୋଇଛି । ଏସବୁ ଗରମ ବଢି ଲେମ୍ବୁ ଦାମ ବଢିଯିବାର ପାର୍ଶ୍ୱପ୍ରତିକ୍ରିୟା ବୋଲି ବୁଝିବାକୁ ବିଜୁକୁ ବେଶୀ ସମୟ ଲାଗିଲାନି । ମାଆ କାହିଁକି ଘରକୁ ଲେମ୍ବୁ ଆଣୁନଥିଲା ତାହା ବିଜୁ ସ୍ପଷ୍ଟ ବୁଝିପାରୁଥିଲା । ଲେମ୍ବୁ ନ କିଣି ଘରକୁ ଫେରିଲା ବେଳେ ଲଙ୍କା ଓ ରସୁଣ ମାଳଟିକୁ ମନେ ପକେଇ ବିଜୁ ବହୁତ ହସିଥିଲା ।
