Prasanta kumar Hota

Others

4.0  

Prasanta kumar Hota

Others

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

5 mins
192



ବହୁତ ଦିନରୁ ମୋ ଗୁରୁଜୀ ମୋର ସାହିତ୍ୟ ପ୍ରତି ଆଗ୍ରହ ଦେଖି ଗଳ୍ପ ଲେଖିବା ପାଇଁ କହୁଥିଲେ । ମୁଁ କିନ୍ତୁ ଯେତେ ଚେଷ୍ଟା କଲେ ବି ଗଳ୍ପର ବିଷୟ ବସ୍ତୁ ପାଇ ପାରୁ ନଥିଲି । ମନ ଇଚ୍ଛା କେମିତି ବା ଲେଖିଦେବି । ଲେଖିବା ପାଇଁ ଚରିତ୍ର ଦରକାର । ଲେଖା ଚରିତ୍ରକୁ ଚିତ୍ରଣ କରିପାରେ ଅଥବା ଚରିତ୍ର ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇପାରେ । କିନ୍ତୁ ଅଯୌକ୍ତିକ କଥାକୁ ଉପସ୍ଥାପନ କରି ଲେଖା ପରିପୁଷ୍ଟ କରାଯାଇପାରେନାହିଁ । ଏହା ସାହିତ୍ୟକୁ ଯେତିକି ଅରୁଚିକର କରି ଦିଏ ମଣିଷର ମାନସିକତାକୁ ମଧ୍ୟ ଏକ ଭିନ୍ନ ଆଭିମୁଖ୍ୟକୁ ନେଇଯାଏ । ତଥାପି ସମୟ ପାଇଲେ ମୁଁ ଗଳ୍ପ ସୃଷ୍ଟି କରିବା ପାଇଁ ମନ ମଧ୍ୟରେ ଭାବେ, ଇଚ୍ଛା କରେ ଓ ସଂକଳ୍ପ ବି କରେ । 

ମଣିଷର ଆଗ୍ରହରୁ ଉତ୍ପନ୍ନ ହେଉଥିବା ଇଚ୍ଛା ତାକୁ ଦିନେ ନା ଦିନେ ରାସ୍ତା ଦେଖାଇ ଦିଏ । ସଫଳତା ଓ ବିଫଳତା ତା ନିଜର ଚେଷ୍ଟା ଓ ଦୈବକୃପା ଉପରେ ନିର୍ଭର କରେ । ମୋତେ ମଧ୍ୟ ସେଦିନ ଦୈବକୃପାରୁ ଲେଖିବାର ରାସ୍ତା ମିଳି ଯାଇଥିଲା । ମୁଁ ସ୍ଵତଃପ୍ରବୃତ୍ତ ଭାବରେ ବିଦ୍ୟାଳୟ ଗେଟ୍ ପାଖରେ ଠିଆ ହୋଇ ଘଟୁଥିବା ଘଟଣାକୁ ଲକ୍ୟ୍ଯ କରୁଥିଲି । ବିଦ୍ୟାଳୟ ଭିତରକୁ ଯିବାର ଇଚ୍ଛା ଥିଲେ ମଧ୍ୟ ଇଛାକୁ ଦମନ କରି ଘଟଣାକୁ ତନ୍ନତନ୍ନ କରି ପର୍ଯ୍ୟବେକ୍ଷଣ କରୁଥିଲି । 


ନରହରି ସାର ସେଦିନ ସାଇକେଲରୁ ଓହ୍ଲାଇ ପ୍ରବେଶ କରିବା ସମୟରେ ଆମ ଗାଆଁର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତା ଶ୍ରୀ ଭଦ୍ରମୂଖ କଡା ଗଳାରେ କହିଲେ ସାର୍ ଆପଣଙ୍କୁ ବିଦ୍ୟାଳୟ ହତାରେ ପଶିବାକୁ ଦିଆ ଯିବନାହିଁ । ତାଙ୍କ ସହିତ ଆଉ କିଛି ଲୋକ ବି ଥାଆନ୍ତି । ସେ ଏମିତି ଏକ ଯୋଜନାବଦ୍ଧ ଆକ୍ରମଣରେ ଅପ୍ରତିଭ ହୋଇ ଉଠିଲେ । ମୁଁ ଶିକ୍ଷକଙ୍କ ଅବସ୍ଥା ଉପଲବ୍ଧି କରି ପାରୁଥିଲି ll 

ନରହରି ସାର୍ କିଂକର୍ତ୍ତବ୍ୟମୁଢ ହୋଇ ଏମିତି କାହିଁକି କରୁଛ ବୋଲି ପଚାରିବାରୁ ତତକ୍ଷଣାତ୍ ଉତ୍ତର ଆସିଲା - ଜାଣିବେ ସାର୍ । ନିଜ ଭୁଲ ମନେ ନ ପଡିଲେ ଆମେ ମନେ ପକାଇବା ପାଇଁ ଆସିଛୁ । ଗୋପାଳ ଆସୁ । ସବୁ ମନେ ପଡିଯିବ । 

ନରହରି ସାର ବୋଧହୁଏ ଏଥରକ ଜାଣି ପାରିଲେ । କହିଲେ - ମୁଁ ଗୋପାଳକୁ ଖାଲି ଶିକ୍ଷକୀୟ ଢଙ୍ଗରେ ଗାଳି ଦେଇଛି । ହାତ ଉଠାଇ ନାହିଁ । ଆପଣମାନେ ଭୁଲ ବୁଝିଛନ୍ତି । 

ବିଶୃଙ୍ଖଳିତ ଆଚରଣ ପାଇଁ ଏମିତି କହିବା ଉଚିତ ନହେଲେ ପିଲାମାନେ ପ୍ରଥମରୁ ବିଗିଡି ଯିବେ । 

ଆସିଥିବା ଗ୍ରାମ କମିଟିର ସମସ୍ତ ସଭ୍ୟ ନରହରି ସାରଙ୍କ କଥାକୁ ବିରୋଧ କରି ଏୟାଡୁ ସେୟାଡୁ କହିଲେ ଓ ତାଙ୍କର ଶିକ୍ଷକ ହେବାର ଭୂମିକାକୁ ନଷ୍ଟ କରିବାକୁ ଲାଗିଲେ । 


ଏତିକିବେଳେ ଉପରିସ୍ଥ ଅଧିକାରୀ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆସି ପହଞ୍ଚିଗଲେ l ସମସ୍ତଙ୍କ ବାକ୍ୟ ବାଣରେ ଜର୍ଜରିତ ହେଇ ଚାଲିଥିଲେ ସେହି ସ୍ଵଳ୍ପ ବେତନଭୋଗୀ ଶିକ୍ଷକ l 

କିଛି ଅଘଟଣ ଘଟିବା ପୂର୍ବରୁ ଗୋପାଳ ଆସି ପହଞ୍ଚିଗଲା । 

ହଠାତ୍ ସମସ୍ତଙ୍କୁ ସେ ପ୍ରଶ୍ନ କଲା ଆଜି ଆପଣମାନଙ୍କ ଭିତରୁ କିଏ ନରହରି ସାରଙ୍କୁ ପାଠ ପଢେଇବ କି! ଗୋପାଳ ଠାରୁ ଏଭଳି ପ୍ରଶ୍ନ ଶୁଣି ସମସ୍ତେ ହତବାକ୍ l ପାଖରେ ଥିବା ଉପରିସ୍ଥ ଅଧିକାରୀ ସଫେଇ ଦେଲେ ସାରଙ୍କ ନାମରେ ଅଭିଯୋଗ ଅଛି ସିଏ ତୁମକୁ ବିନା କାରଣରେ ଗାଳି କରିଛନ୍ତି l ସେଥିପାଇଁ ସମାଧାନ କରିବାକୁ ଆମେ ଆସିଛୁ l

ମୁଁ ଆପଣମାନଙ୍କୁ କହିଛି କି ସାର୍ ଗାଳି କରିଥିଲେ ବୋଲି l ଏଭଳି ଏକ ଉତ୍ତରରେ ସମସ୍ତେ ପୁଣି ଚୁପ୍ l ଆପଣ ମାନେ କାହିଁକି ଆମ ସ୍କୁଲରେ ପଶି ପଢା ନଷ୍ଟ କରୁଛନ୍ତି ।

ଆପଣମାନଙ୍କ ପାଇଁ ଆମ ପାଠପଢା କ୍ଷତି ହୋଇଛି l ତାର କ୍ଷତିପୂରଣ ଦେଇ ପାରିବେ ତ !

ସମସ୍ତେ ଆଉ ସେଠାରେ ରହିବା ଉଚିତ୍ ମନେ ନକରି ଚୁପଚାପ୍ ଗୋଟିଏ ପରେ ଗୋଟିଏ ଖସିବାକୁ ଲାଗିଲେ । 


ନରହରି ସାର୍ ଗୋପାଳକୁ ଡାକି ସାହାସୀ ଦେଲେ କିନ୍ତୁ ପଚାରିଲେ, ମୁଁ ତ ତୋତେ ଗାଳି କରିଥିଲି, ମିଛ କାହିଁକି କହିଲୁ ?

ଗୋପାଳ କହିଲା - ସାର ! ହୁଏତ ମୁଁ ଭଲ ପଢି ନ ପାରେ କି ଭଲ ମଣିଷ ହୋଇ ନ ପାରେ l କିନ୍ତୁ ମୋ ସାମନାରେ ମୋ ଗୁରୁଙ୍କ ଅପମାନ କିପରି ସହି ପାରିବି.? ଆପଣଙ୍କ ଶିକ୍ଷାର କଣ କିଛି ମୂଲ୍ୟ ନାହିଁ l ଉତ୍ତର ଶୁଣି ନରହରି ସାର୍ କହିଲେ ତୋ ପାଇଁ ଆଜି ମୋର ଶିକ୍ଷକତା ସାର୍ଥକ ହୋଇ ଉଠିଲା l

ଏସବୁର ମୁଁ ନିଜେ ମୁକ ସାକ୍ଷୀ ହୋଇ ଦେଖୁ ଥିଲା ବେଳେ କଥାଟା କାହିଁକି ମୋର ହଜମ ହେଲା ନାହିଁ । ଗୋପାଳକୁ ଡାକି କହିଲି - ତୋର ଯଦି ଗୁରୁଜୀଙ୍କ ପ୍ରତି ଏତେ ସମ୍ମାନ ଅଛି ତାହେଲେ ଘରେ ଯାଇ ଗାଳି ଖାଇବା କଥା କଣ ପାଇଁ କହୁଥିଲୁ । ଯଦି ବି ସତ୍ୟବାଦୀ ହୋଇ କହିଲୁ ଘରେ ତୋ ବାପା ଏହିସବୁ କାର୍ଯ୍ୟକ୍ରମ ଯାହା କଲେ ଅଟକାଇଲୁନି କଣ ପାଇଁ । ତୋ ବାପା ଏଗୁଡା କରୁଛନ୍ତି ବୋଲି କଣ ତୁ ଘରେ ଥାଇ ଜାଣି ପାରିଲୁନି । ତୋତେ ଯଦି ସାରଙ୍କ ଗାଳି ତିଳେ ମାତ୍ର କଷ୍ଟ ଦେଇ ନାହିଁ ତୋ ବାପା ଆଉ ଗାଆଁ ଲୋକଙ୍କ ମନରେ ଏତେ କଷ୍ଟ କଣ ପାଇଁ । ତୁ ଜାଣି ଶୁଣି ସାରଙ୍କୁ ଗେଟ ପାଖରେ ଅପମାନ ଦେଲୁ । ତୁ ଚାହିଁ ଥିଲେ କଥା ଏ ପର୍ଯ୍ୟନ୍ତ ଆସି ନଥାନ୍ତା । ତୁ ତ ନିଜେ ବିଶୃଙ୍ଖଳିତ ବୋଲି ସାର୍ ତୋତେ ଗାଳି ଦେଲେ । ପୁଣି ତୋର ଏତେ ଶୃଙ୍ଖଳା ଜ୍ଞାନ କୋଉଠୁ ଆସିଲା ଯେ ଭଲଲୋକି ଦେଖେଇ ହୋଇ କହିଲୁ ସାର୍ ମୋତେ ଗାଳି ଦେଇ ନାହାନ୍ତି । ବିଶୃଙ୍ଖଳା ଭିତରେ ଶୃଙ୍ଖଳାର ଛଳନା କରା ଯାଇପାରେ କିନ୍ତୁ କେହି ଶୃଙ୍ଖଳିତ ହୋଇ ପାରନ୍ତି ନାହିଁ । ଶୃଙ୍ଖଳିତ ହେବା ଏକ ସାଧନା ଯାହା ଇଚ୍ଛା କଲେ ଆସେ ନାହିଁ କି ଇଚ୍ଛା କଲେ ତୁରନ୍ତ ଚାଲି ଯାଏ ନାହିଁ । 


- ଆରେ ତୁ ମୋ ସାଙ୍ଗ ହୋଇ ଏମିତିଆ ଗାଳି ଦେଲା ଭଳି କଥା କଣ ହେଉଛୁ । ତୋର ଯଦି ସତ ଜାଣିବା ଦରକାର ପଚାରୁନୁ, ମୁଁ ସିଧା ସିଧା କହିଦେବି । ତୁ ଏତେ ପ୍ରଶ୍ନ କଣ ପାଇଁ କରୁଛୁ । 

- ହେଉ ତାହେଲେ କହ । ମୋତେ କିନ୍ତୁ କିଛି ମିଛ କହିବୁ ନାହିଁ । 

- ନା ନା । ଜମାରୁ ନୁହେଁ । ତୋତେ କାହିଁକି ମିଛ କହିବି । ଶୁଣ! ସାର ତ ମୋତେ ଏମିତି ପ୍ରାୟ ଗାଳି ଦିଅନ୍ତି । ମୁଁ ଏ ସବୁରୁ ମୁକ୍ତି ପାଇବା ପାଇଁ ଘରେ ଟିକେ ବନେଇଚୁନେଇ କହି ଦେଲି । ତାପରେ ବାପା ଯେତେବେଳେ ଉତକ୍ଷିପ୍ତ ହେଇ କିଛି ଗୋଟାଏ କରିବାକୁ ବସିଲେ, ମୁଁ ବାପାଙ୍କୁ କହିଲି ତମେ ପାଟିତୁଣ୍ଡ କଲା ବେଳେ ମୁଁ ଯାଇ ସାରଙ୍କୁ ରକ୍ଷା କରିବା ପାଇଁ ଗାଳି ଦେଇ ନାହାନ୍ତି ବୋଲି କହିବି । ସାର ବି ଖୁସି ହେଇଯିବେ । ମୋର ମହାନତା ବି ବଢିଯିବ । ସାର ବି ଭବିଷ୍ୟତରେ ମୋତେ ଗାଳିଦେବା ପୂର୍ବରୁ ବହୁତ ଥର ଚିନ୍ତା କରିବେ । ତେଣୁ ଗୋଟିଏ ଅଭିନୟରେ ସବୁଆଡୁ କାର୍ଯ୍ୟ ସମ୍ପାଦନ ହେଇଯିବ । ଜାଣିଛୁ! ବାପା ମୋତେ କୁଣ୍ଢାଇ ପକାଇ କହିଲେ - ତୁ ପକ୍କା ରାଜନେତା ହେବୁ । ମୁଁ ବି ତୋ ଆଗରେ କିଛି ନୁହେଁ । 

ଏଥରକ କହ । ମୁଁ କଣ କାହାର କିଛି କ୍ଷତି କରିଛି । କାର୍ଯ୍ୟ ସମାଧାନ ହେଇଗଲା । ସମସ୍ତେ ଖୁସି ମୁଁ ବି ଖୁସି । 

ମୁଁ ମନେ ମନେ ଭାବୁଥିଲି ଶଳାଟା ପକ୍କା ରାଜନେତା ହେବ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାସିଲାଣି । 

ଯାହା ବି ହେଉ ଏତକ ଘଟଣା ମୋତେ ଲେଖିବା ପାଇଁ ଖୋରାକ ଯୋଗାଇ ଦେଲା । ତେଣୁ ମନେ ମନେ ତାକୁ ଧନ୍ୟବାଦ ଦେଲି ଓ କହିଲି ଜାଣିଛୁ! ତୁ ମୋର ପ୍ରଥମ ଲେଖାର ପ୍ରେରଣାର ଉତ୍ସ । ମୋ ଲେଖା ପଛର ପ୍ରେରଣା । ମୁଁ ତୋତେ ଜମାରୁ ଭୁଲି ପାରିବି ନାହିଁ । 

- ସତରେ ନା କଣ! ମୁଁ ମୂର୍ଖ ବି ତୋ ପାଇଁ ପ୍ରେରଣା । 

- ପ୍ରେରଣା ଦେଉଥିବା ବ୍ୟକ୍ତି କେବେ ମୂର୍ଖ ହୋଇ ନପାରେ । ତୋର ପାଠ ପଢିବାକୁ ମନ ନାହିଁ ବୋଲି ପାଠ ପଢୁନୁ । ତୋ ପାଖରେ ବିଦ୍ୟା ନଥିଲେ ବି ବୁଦ୍ଧି ବହୁତ ଅଛି । ଦିନ ଆସିବ ଦେଖିବୁ ସେହି ବୁଦ୍ଧି କେମିତି ବିଦ୍ୟାକୁ କରାୟତ୍ତ କରି ରଖିବ । 

ଗୋପାଳ ମୋତେ କୁଣ୍ଢାଇ ପକାଇ କହିଲା - ତାହେଲେ ଆଜିଠୁ ମୁଁ ତୋର ବିଦ୍ୟାକୁ କରାୟତ୍ତ କରି ରଖୁଛି । ମୋତେ ଛାଡି କୁଆଡେ ଯିବୁନି । 

ଆମେ ଦୁଇ ବନ୍ଧୁ ଜୋରରେ ହସି ଉଠିଲୁ । ମୋର ଗଳ୍ପ ଲେଖିବାର କଳ୍ପନାର ମଧ୍ୟ ଅନ୍ତଃ ଆସି ଯାଇଥିଲା । 



Rate this content
Log in