T.Durga Prasad Rao

Others

5.0  

T.Durga Prasad Rao

Others

ଲାଞ୍ଚ

ଲାଞ୍ଚ

2 mins
1.1K




ତରତରରେ ବିନାୟକ ମନ୍ଦିରରେ ଭୋଗ ଯାଚି ଖୁବ୍ ଜୋର୍ ରେ ନିଜର ମଥା ପିଟି ଫେରିଲି କଲେଜ୍ ଦିଗରେ। ଆଜିଠାରୁ ଯୁକ୍ତ ଦୁଇ ଶ୍ରେଣୀର ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ବର୍ଷ ମୋ ଠାରୁ ଅଳ୍ପ କିଛି ମାର୍କ୍ ଅଧିକ ରଖି ବ୍ରିଜେଶ୍ ଶ୍ରେଣୀରେ ପ୍ରଥମ ହେଇଗଲା। ଆଉ ତା ସହିତ ବୀଣା ମଧ୍ୟ ହାତରୁ ଗଲା। ଏବେ ବୀଣା ପ୍ରତି ମୋର ତିଳେ ବି ପ୍ରେମ ନାହିଁ। ନୂତନ କରି କଲେଜକୁ ଆସିଛି ରୂପବତୀଟିଏ, ନାଁ ତାର ଲାବଣ୍ୟା। ଏବେ ମୁଁ ତାରି ପ୍ରେମରେ ପାଗଳ। ତା ବୋଲି ପଢ଼ାପଢ଼ିରେ ମୋର ହେଳା ନାହିଁ। ପ୍ରଥମେ ବିନାୟକଙ୍କୁ ମାଗିଲି ଶ୍ରେଣୀରେ ପ୍ରଥମ ହେବା ପାଇଁ। ଦ୍ୱିତୀୟରେ ଲାବଣ୍ୟାକୁ ନିଜର କରିବା ପାଇଁ।

ପରୀକ୍ଷା ଫଳ ବାହାରିଲା। ବ୍ରିଜେଶ୍ କୁ ଚିତ୍ ପଟାଙ୍ଗ କରି ମୁଁ ଶ୍ରେଣୀରେ ପ୍ରଥମ ହେଇଛି। ଆଉ ସେଇ ଖୁସିରେ ଘରେ ଛୋଟ ଏକ ପାର୍ଟିର ଆୟୋଜନ କଲି। ବିନାୟକ ମୋର ପ୍ରଥମ ଡାକଟି ଶୁଣିଛନ୍ତି। ଦ୍ୱିତୀୟଟି ମଧ୍ୟ ନିଶ୍ଚୟ ଶୁଣିଥିବେ। ଭାରି ଖୁସି ଥିଲି ମୁଁ। ପାର୍ଟିରେ ମୋର ହିତାକାଂକ୍ଷୀ ବନ୍ଧୁ ସମସ୍ତଙ୍କୁ ନିମନ୍ତ୍ରଣ କଲି। ଲାବଣ୍ୟାକୁ ମଧ୍ୟ। ଆଜି ତାକୁ ଯେମିତି ହେଲେ ନିଭୃତରେ ମୋ ମନ କଥା ଜଣେଇବି। ବ୍ରିଜେଶ୍ କୁ ଡାକିଲି ଚିଡ଼େଇବା ଉଦ୍ଦେଶ୍ୟରେ। ସନ୍ଧ୍ୟା ଠିକ୍ ଛଅଟାରୁ ପାର୍ଟି ଆରମ୍ଭ ହେଇଗଲା। ଜଣ ଜଣ କରି ବନ୍ଧୁବାନ୍ଧବୀମାନେ ଆସିବା ଆରମ୍ଭ କଲେଣି। କିନ୍ତୁ, ଏ କଣ? ବ୍ରିଜେଶ୍ ଆଉ ଲାବଣ୍ୟା ଏକତ୍ର, ହାତ ଛନ୍ଦା ଛନ୍ଦି ହୋଇ? ମୋର ସବୁ ଉତ୍ସାହ ପାଣିରେ ମିଳେଇଗଲା। ବ୍ରିଜେଶ୍ ଆଖିରେ ବିଦ୍ରୁପ ଫୁଟାଇ ସତେ କି କହୁଥିଲା, ତୁ ମୋର ଶ୍ରେଣୀରେ ପ୍ରଥମ ସ୍ଥାନ ଛଡ଼ାଇ ନେଲୁ, ମୁଁ ତୋଠୁ ତୋର ଗାର୍ଲ୍ ଫ୍ରେଣ୍ଡ୍ ଛଡ଼ାଇ ନେଲି। ଖୁବ୍ ଅଭିମାନ ହେଲା ବିନାୟକଙ୍କ ଉପରେ।

ସକାଳୁ ସକାଳୁ ମନ୍ଦିରରେ ପହଞ୍ଚି ଅସମ୍ଭାଳ ହୋଇ ବହେ ଗାଳି କଲି ବିନାୟକଙ୍କୁ।

- ପ୍ରଭୁ, ମୋ ପ୍ରାର୍ଥନାରେ କ’ଣ ଅଭାବ ରହିଗଲା, ମୋ ମନୋକାମନା ପୂର୍ଣ୍ଣ କଲ ନାହିଁ। ସେ ବ୍ରିଜେଶ୍ କଣ ତୁମ ଭକ୍ତ ଠାରୁ ଅଧିକ ପ୍ରଭୁ?

- ବତ୍ସ, ଲଲାଟେନ୍ଦୁ! କାହାର ଗୁରୁଗମ୍ଭୀର ସ୍ୱରରେ ମୁଁ ଚାରିଆଡ଼କୁ ଚାହିଁଲି।

- ମୁଁ କହୁଛି ବତ୍ସ, ତୁମର ପ୍ରଭୁ ବିନାୟକ। ଏବେ ମୁଁ ସିଧା ଚାହିଁଲି ମୂର୍ତ୍ତୀ ଆଡ଼କୁ।

- ପ୍ରଭୁ, ସତେ ତୁମେ କହୁଛ! ଅହୋ ଭାଗ୍ୟ ମୋର! ତେବେ ମୋତେ ନିରାଶ କାହିଁକି କଲ ପ୍ରଭୁ? ତୁମେ ଚାହିଁଲେ କେଉଁ କଥା ଅସମ୍ଭବ। ସେ ଲାବଣ୍ୟାର ପ୍ରେମ ବ୍ରିଜେଶ୍ କୁ ପ୍ରାପ୍ତି କରେଇବା କେତେ ଦୂର ସମୀଚିନ ପ୍ରଭୁ?

- ବତ୍ସ, ମନେପକାଅ। ତୁମେ ମୋତେ କେତୋଟି ନଡ଼ିଆ ଯାଚିଥିଲ?

- ଗୋଟିଏ ପ୍ରଭୁ।

- ଦୁଇଟି କାମ ସକାଶେ ମାତ୍ର ଗୋଟିଏ ନଡ଼ିଆ?

- ପ୍ରଭୁ!

- ବ୍ରିଜେଶ୍ ମୋ ଠାରୁ କେବଳ ଗୋଟିଏ ଯାଚଞା କରିଥିଲା, ଲାବଣ୍ୟା। ଆଉ ପ୍ରତି ବଦଳରେ ଭୋଗ ଦେଇଛି ସାତୋଟି ନଡ଼ିଆ। ଏବେ ତୁମେ କୁହ, ମୁଁ ଭଲା କାହା କଥା ଶୁଣିଥାନ୍ତି।

- ପ୍ରଭୁ, ଏ ତ ପୁରାପୁରି ଲାଞ୍ଚ ହେଇଗଲା। ଯାହାର ପାଉଣା ଅଧିକା ତାରି କାମ ହେବ।

- ଏକଥା ତ ତୁମେ ମଣିଷମାନେ ହିଁ ମୋତେ ଶିଖାଇଛ ନା। ଏବେ ଭୋଗ।


*** ଜୟ ବିନାୟକ ***

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in