STORYMIRROR

Padmalaya Padhy

Others

4  

Padmalaya Padhy

Others

କ୍ୟା ଖୁବ ଲଗତି ହୋ

କ୍ୟା ଖୁବ ଲଗତି ହୋ

5 mins
288

ପୁରବୀର ଜିମ ରେ ଯୋଗଦାନ ସନ୍ଦୀପ ର ମୁଣ୍ଡବଥା ବଢ଼ାଇବାରେ ଲାଗିଛି l ନୂଆ ଶାଢ଼ୀ କିଣିଲା ପରେ ଗୁଡେଇ ତୁଡେଇ କେମିତି ଦିଶୁଛି ବୋଲି ସ୍ୱାମୀ କୁ ପ୍ରଶ୍ନ ପଚାରୁଥିବା ପୁରବୀ ଏବେ ଜିମ ରୁ ଫେରିଲା ପରେ ଚେହେରା କେମିତି ଦିଶୁଛି ବୋଲି ନୂଆ ପ୍ରଶ୍ନଟି ଯୋଡ଼ିଛି l ସନ୍ଦୀପ ଭାବୁଥିଲା ମଣିଷ ଗୋଟେ ବାହା ହେଲା ଯେ ଚବିଶ ଘଣ୍ଟା ପରୀକ୍ଷା ଦେଲା ପରି ଲାଗୁଛି l ସବୁବେଳେ ପ୍ରଶ୍ନ ଏବଂ ଉତ୍ତର ଦେବାକୁ ପ୍ରସ୍ତୁତ ରହିବ ନଦେଇ ପାରିଲେ କିମ୍ବା ବିଳମ୍ବ କରିଦେଲେ ମୁହଁ ଫୁଲା ସହିତ ଆଖିରୁ ଝର ଝର ଗଙ୍ଗା ଯମୁନା ବୋହି ଆସି ଦୁଇ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବନ୍ୟା ସୃଷ୍ଟି କରିବ l

ସେଦିନ ଗୋଟେ ସାଙ୍ଗକୁ କହୁ କହୁ କହିଲା l

–ଭାଇ ତୁ ଯାହା କହ ଛୁଆ ପିଲା ର ମା ହେବାକୁ ବସିଲାଣି ଅଥଚ ମୋ ସ୍ତ୍ରୀ ର ପିଲାଳିଆମୀ ଗଲାନାହିଁ l

–ଆରେ ଭାଇ ବାପା ହେବା ପାଇଁ ଆଗରୁ କଂଗ୍ରାଚୁଲେସନ !

–ତୋତେ ମଜା ଲାଗୁଛି ନାହିଁ ? ମୋ କହିବାର ମତଲବ ପୁରବୀ ଛୋଟ ଛୁଆ ନୁହେଁ l ଆମେ ଘରେ ଏତେ ଶୀଘ୍ର ତୃତୀୟ ବ୍ୟକ୍ତି ର ଉପସ୍ଥିତି ଚାହିଁଲୁ ନାହିଁ ନହେଲେ ତ ଏତେବେଳକୁ ଆମେ ପିତାମାତା ର ଭୂମିକା ନିଭାଇ

ଥାନ୍ତୁ l ଏମିତି ବୟସ ରେ ଏ ପ୍ରକାର ଚପଳାମି କଅଣ ଶୋଭା ପାଏ କି ?

–ସ୍ତ୍ରୀ ର ମନସ୍ତତ୍ତ୍ଵ ବୁଝିବା ଅତି ସହଜ କିନ୍ତୁ କଷ୍ଟ l ସହଜ ଏଇଥି ପାଇଁ ଯେ ସେ ତୋର ସ୍ତ୍ରୀ ଏବଂ ତାହା ସହିତ ତୁ ରହୁଛୁ ତେଣୁ ତା ମନକଥା ଜାଣିବା ସହଜ l ପୁଣି କଷ୍ଟ କାହିଁକି ନା ସ୍ତ୍ରୀ ଲୋକଙ୍କ ର ମନସ୍ତତ୍ତ୍ୱ ପରସ୍ପର ଠାରୁ ଭିନ୍ନ l ତେଣୁ ତୋ ସ୍ତ୍ରୀ କୁ ବୁଝିବା ପାଇଁ ତୋତେ ହିଁ ଗବେଷଣା କରିବାକୁ ହେବ l ମୁଁ ଏ ବିଷୟରେ କୌଣସି ବୁଦ୍ଧି ବତାଇ ପାରିବି ନାହିଁ l

ସନ୍ଦୀପ ର ମୁଣ୍ଡ ଟାଇଁ ଟାଇଁ ବିନ୍ଧୁଥିଲା l କମ୍ପାନୀ ଚାକିରୀରେ ନିଶ୍ୱାସ ନେବାକୁ ଫୁରୁସତ ନାହିଁ କହିଲା କଣ ନା ପୁରବୀ କୁ ନେଇ ଗବେଷଣା କରିବ ମାଇଁ ଫୁଟ ! ଏ ମାଇକିନା ଟା ବି କମ ହନ୍ତସନ୍ତ କରୁଛି କି l ସ୍ୱାମୀ ର ଏଟିଏମ ନେଇ ଶାଢ଼ୀ କିଣିବ ପିନ୍ଧିଲା ପରେ ଯାବତୀୟ ଛୋପରା l ମୁଁ କେମିତି ଦିଶୁଛି କୁହ l ମୋତେ ରେଡ କଲର ମାନୁଛି ନା ୟେଲୋ l ଏମିତି ମାମୁଲି ଚେହେରା ର ଝିଅ କୁ ଚବିଶ ଘଣ୍ଟା କେତେ ପ୍ରଶଂସା କରି ଟେକୁଥିବ l ଖାଲି ଭଲ ଦିଶୁଛି କହିଲେ ଚଳିବ ନାହିଁ ବର୍ଣ୍ଣନା କରିବାକୁ ହେବ ପୁଣି l

ସନ୍ଦୀପ ଗୁଡ଼ାଏ କହି ବୁଲିବା ଲୋକ ନୁହଁ l ଆରେ ନିଜ ଲୋକ ଆମେ ଘର ଲୋକ l ପରସ୍ପର ପ୍ରତି ପ୍ରଗାଢ଼ ସ୍ନେହ ଏବଂ ଅନୁରକ୍ତି ରହିଛି l ଏଥିରୁ ଗୁଡ଼ାଏ ଟେକା ଟେକି କରି କହିଦେଲେ କଣ ସୌନ୍ଦର୍ଯ୍ୟ ଟା ବଢ଼ି ଯିବ ? ସକାଳ ହେଲେ ଖାଲି ସେଇ ଚିନ୍ତା l ତା ଫଟୋ କୁ ଲାଇକ କଲ ମୋତେ କଲନାହିଁ l ତାକୁ କମେଣ୍ଟ ଦେଲ ମୋ ପାଇଁ ଲେଖିଲ ନାହିଁ l ଆରେ ସିଏ ଯିଏ ତୁ କଣ ସିଏ ? ସେ ଜଣେ ସାଙ୍ଗ ବାହାର ଲୋକ ତୁ ପରା ମୋ ସ୍ତ୍ରୀ ? ଗୁଡ଼ାଏ ଭାଷା ବାହାରେ ଯେ କହିଲେ ଅନର୍ଥ ହେବ ବୋଲି ବହୁ କଷ୍ଟ ରେ ମୁହଁ ସଂଯତ କରି ରହେ ସେ l

ସେଦିନର ଘଟଣା ପରେ ସନ୍ଦୀପ କୁ ଚରମ ନିଷ୍ପତ୍ତି ଶୁଣାଇ ଦେଇଥିଲା ପୁରବୀ l କହିଲା ସନ୍ଦୀପ ତାକୁ ଜାଣିଶୁଣି ବାରମ୍ବାର ଅଣଦେଖା କରୁଛି ବୋଲି l ତେଣୁ ସେ ମୁହଁ ଖୋଲିବ ନାହିଁ କି କଥାବାର୍ତ୍ତା ମଧ୍ୟ କରିବ ନାହିଁ l ନା କୌଣସି ଅଭିଯୋଗ ନା କୌଣସି ପ୍ରକାର ବୁଝାମଣା l ଗୋଟିଏ ଘରେ ଦୁଇ ଜଣ ଅଜଣା ଲୋକ ଭଳି ରହିବେ l ଇଏ କି ପ୍ରକାର କଥା ? କଣ ହେଇଥିଲା ନା ପୁରବୀ ସେଦିନ ତାର ନୂଆ ପିଓର ସିଲ୍କ ଶାଢୀରେ ଫଟୋଟିଏ ଛାଡିଥିଲା l ଛାଡ଼ିବା ପରେ ସନ୍ଦୀପ କୁ ନିଶ୍ଚୟ ଦେଖାଇବ l ସନ୍ଦୀପ ଖାଲି ଫଟୋ ଟି ଦେଖୁ ଦେଖୁ ସ୍ନେହ ରେ ଏତିକି ମାତ୍ର କହି ଦେଇଥିଲା ଯେ

–ମାସ ପୁରିଗଲେ ଗୋଟିଏ କାମବାଲୀ ରଖିଦେବା l ଦେଖିଲଣି ଚେହେରା କଣ ହେଲାଣି ତୁମର ? ରୋଗୀଣା ଦିଶୁଛ ତୁମେ l ସେଇଠୁ ସରିଗଲା କଥା l ପୃଥିବୀ ଏକବାରେ ପ୍ରଳୟ ଅବସ୍ଥା କୁ ଆସିଗଲା l କଣ ନା ମୋତେ ଅସୁନ୍ଦରି ବୋଲି କହିଲ l ରୋଗୀଣା କଣ ଅସୁନ୍ଦରି କଣ ସବୁ ଗୋଟେ କଥା ପୁଣି l ସନ୍ଦୀପ ବି ଭାବିଲା ଠିକ କଥା ତ l ଖା, ଭୁଞ୍ଜ ଏବଂ ଗିଳ ନ୍ୟାୟରେ ରୋଗୀଣା ନକହି ଦୁର୍ବଳିଆ ବୋଲି କୁହା ଯାଇ ପାରିଥାନ୍ତା l କିନ୍ତୁ ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀ ଭିତରେ ଏତେ ଜଗିରଖି କିଏ କହେ ଭଲା ?

ସେଇଠୁ ପୁରବୀ ଫାଶୀ ଦଣ୍ଡାଦେଶ ଶୁଣାଇ ଦେଲା l ଆମ ଭିତରେ ଆଉ ପୂର୍ବ ଭଳି ସମ୍ପର୍କ ରହି ପାରିବ ନାହିଁ l କାରଣ ମାନସିକ ସ୍ତର ରେ ଆମେ ଦୁହେଁ ପରସ୍ପର ଠାରୁ ବହୁତ ଦୂରରେ l ତେଣୁ ଦୁନିଆ ଆଖିରେ ସିନା ସ୍ୱାମୀ ସ୍ତ୍ରୀ କିନ୍ତୁ ଘର ଭିତରେ ମୁଁ ତୁମ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରୁଛି l ସନ୍ଦୀପ ର ପାଟିରୁ କଥା ବାହାରୁ ନଥିଲା l ଏଇଟା ଗୋଟେ କଥା ଏଥିରେ ପୁଣି l ହେଲେ ଚୁପ ରହିଲା ସେ l ଘର ଭିତରେ ଅଖଣ୍ଡ ନୀରବତା l ପୁରବୀ ପୂର୍ବ ଭଳି ସବୁ କାମ କରି ଚାଲିଛି l ମାତ୍ର ସପ୍ତାହେ ହେଲାଣି କଥାବାର୍ତ୍ତା ନାହିଁ କି ଆଉ ଫେସବୁକ ରେ ଫଟୋ ଅପଲୋଡ଼ ବି କରୁନାହିଁ l

ସନ୍ଦୀପ ବି ଧୀରେ ଧୀରେ ଅନୁଭବ କରୁଛି ଯେ ଯେଉଁଦିନ ପୁରବୀ ନୂଆ ଶାଢ଼ୀଟିଏ ପିନ୍ଧି ଫଟୋ ଛାଡିଥିଲା ସେଇଦିନ ହିଁ ତାକୁ ଏମିତି କହିବାଟା ଠିକ ହେଲାନି l ପରେ କହିଥିଲେ ବି ଚଳିଥାନ୍ତା l ସିଏ ବି କଣ କହିଦେଲା କି ଏମିତି ? ପତଳା ଦିଶୁଥିଲା ତ କହିଦେଲା ଯେ ରୋଗୀଣାଙ୍କ ପରି ଦିଶୁଛ l ଆସନ୍ତା ମାସ ରୁ କାମବାଲୀଟିଏ ରଖିବାକୁ ବି କହିଥିଲା l ହେଲେ ସବୁ କଥା କୁଆଡେ ଉଭେଇ ଯାଇ ପୁରବୀ ଖାଲି ସେଇ ରୋଗୀଣା ଶବ୍ଦଟିକୁ ହିଁ ମନେ ରଖିଲା l

ରବିବାର ଥିଲା ପୁରବୀ ର ବିଶ୍ରାମ ର ଦିନ l ଉଠିବା ଖାଇବା ଶୋଇବା ସବୁ ଧୀରେ ଧୀରେ ହୁଏ କାହିଁକି ନା ସେଦିନ ସନ୍ଦୀପ ର ଛୁଟି l ପୁରବୀ ଯାହା ଯାହା ନୂଆ ଡ୍ରେସ ଶାଢ଼ୀ ନୂଆ ଡିଜାଇନ ର ଗହଣା ଆଣିଥିବ ରବିବାର ହେଲେ ଯାଇ କାଢି ନେଇ ପିନ୍ଧିବ ଖାସ ସନ୍ଦୀପ ଆଖିରେ ପଡିବା ପାଇଁ l ହେଲେ ଏଇ ରବିବାର ଟି ଗୋଟିଏ ବ୍ୟତିକ୍ରମ ଥିଲା l ସପ୍ତାହେ ହେଲାଣି କଥାବାର୍ତ୍ତା ବନ୍ଦ l ସନ୍ଦୀପ ନା ପୁରବୀ କିଏ ଏକଜିଦିଆ ବୁଝି ହେଉନି l ପୁରବୀ କୁ ହଜାରେ ଲୋକ ଙ୍କ ପ୍ରଶଂସା ମିଳିଲେ ବି ସେଇ ସନ୍ଦୀପ ଠାରୁ ହିଁ ପଦେ ପ୍ରଶଂସା ଶୁଣିବାକୁ ଅପେକ୍ଷା କରିଥିବ ଏବଂ ସନ୍ଦୀପ ବି ଦି ପଦ କଥା କହିବାକୁ ପଛଘୁଞ୍ଚା ଦେଇ ପ୍ରତି ଥର ଅନର୍ଥ କୁ ଡାକି ଆଣୁଥିବ l ଉଭୟେ ନିଜ ନିଜ ଜିଦ ରେ ଅଟଳ l

ରବିବାର ଗୁଡିକରେ ପୁରବୀ ର ଆଳସ୍ୟ ଭଙ୍ଗୀ ରେ ପାଦ ଘୋଷାରି ଚାଲିବା ନିଦୁଆ ଆଖି ତଥା ଇତସ୍ତତଃ କାର୍ଯ୍ୟ ଦେଖିଲେ ତାକୁ ଅଧିକା ଭଲ ପାଇବାକୁ ମନ ହୁଏ ସନ୍ଦୀପ ର l ସେଦିନ ବି ସେମିତି l ସନ୍ଦୀପ ର ଅଫିସ ଯିବାକୁ ନାହିଁ ତେଣୁ ପୁରବୀ ମଧ୍ୟ ତରତର ହେଉନାହିଁ l ଧୀରସ୍ଥିର ପୁରବୀ କୁ ଦେଖିଲେ ଦେଖିବାକୁ ହିଁ ମନ ହେଉଛି l ହେଲେ ପୁରବୀ ମନରେ ପୂର୍ବ ର ସେଇ ସରାଗ ନାହିଁ l ଆଖି ଦୁଇଟି ଲୁହ ନ ବାହାରିଲେ ବି ଓଦାଳିଆ ସାଙ୍ଗକୁ ଭିଜା ମନ l

ସନ୍ଦୀପର ମନ ହେଲା ଦେଖିବା ଆଜି ଗୀତ ଗାଇ ସ୍ତ୍ରୀ କୁ ମନେଇବା l ଭାଗ୍ୟ ଭଲ ଥିଲେ ହୁଏତ l ଏଇଆ ଭାବି ଗୁଣୁ ଗୁଣୁ ହୋଇ ଦୋହରାଇଲା l କ୍ୟା ଖୁବ ଲଗତି ହୋ ବଡି ସୁନ୍ଦର l ତା ପର ଧାଡି ଟା କଣ ଅଛି ନା ତା ପରେ ଅଛି ବଢ଼ିଆ ଲାଇନ ଟା ଜୀବନ କା ଜୀବନ କା ଆଉ ମନେ ପଡୁନି ଯା !

–ଜୀବନ କା ହର ସପନା ଅବ ସଚ୍ଚା ଲଗତା ହେ !

ଶେଷ ଧାଡି ଟା ଶୁଣି ଚମକି ଉଠିଲା ସନ୍ଦୀପ l ଶେଷ ଧାଡି ର ଶୂନ୍ୟ ସ୍ଥାନ ପୁରବୀ ପୂରଣ କରି ଦେଇଛି l ଆଉ ସେଦିନ ପୁରବୀ ପାଖରେ ପିନ୍ଧିବାକୁ ନୂଆ ଜିନିଷ କିଛି ନଥିଲେ ବି ସନ୍ଦୀପ କୁ ପାଇଥିଲା ଗୋଟେ ନୂଆ

ରୂପରେ ନୂଆ ସନ୍ଦୀପ l

ଆଉ ସନ୍ଦୀପ ? ଏଡିକି ଛୋଟିଆ କଥାରେ ସମସ୍ୟାର ସମାଧାନ ହୋଇଗଲା ଅଥଚ ଆଜିଯାଏଁ ସେ ସେହି ସବୁ ନକରି ଜୀବନର ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡିକୁ ହାତ ପାଆନ୍ତାରେ ପାଇ ମଧ୍ୟ ହରାଇ ଦେଉଥିଲା କେବଳ ନିଜର ଜିଦ ପାଇଁ l କହିବନି ମାନେ କହିବନି ଏଭଳି ଜିଦ ବେଳେ ବେଳେ ମଣିଷର ଦୃଷ୍ଟିଶକ୍ତି କୁ ବି ଲୋପ କରିଦିଏ ଯଦ୍ଦ୍ୱାରା ଅତି ନିକଟରେ ଥିବା ସୁଖ ଗୁଡିକ ବି ଅଣଦେଖା ହୋଇ ରହିଯାଏ l


Rate this content
Log in