STORYMIRROR

Kulamani Sarangi

Others

3  

Kulamani Sarangi

Others

କଥା କାଦମ୍ବରୀଭାଗ ୬୫

କଥା କାଦମ୍ବରୀଭାଗ ୬୫

5 mins
219

କଥା କାଦମ୍ବରୀ

ଭାଗ ୬୫

=================================

ବିଷ ପୁଷ୍କରିଣୀର ଧର୍ମବକ

=================================

ବାରବର୍ଷ ବନବାସ ପୂର୍ଣ୍ଣ ହେବା ପୂର୍ବରୁ ଦିନେ ପାଣ୍ଡବମାନେ ବସି ଚିନ୍ତା କରୁଥିଲେ କେଉଁଠାରେ ଅଜ୍ଞାତବାସ କାଟିବେ । ଏହି ସମୟରେ,ନିକଟରେ ବସବାସ କରୁଥିବା ଜଣେ ସନ୍ନ୍ୟାସୀ ସେଠାରେ ପହଞ୍ଚି କହିଲେ..ଧର୍ମପୁତ୍ର ! ଯେଉଁ କାଠ ଦୁଇଟି ଘସି ମୁଁ ଅଗ୍ନି ଉତ୍ପନ୍ନ କରି ଯଜ୍ଞ କାର୍ଯ୍ୟ ଆଦି ଆରମ୍ଭ କରେ, ତାହା ଗୋଟିଏ ଦଉଡିରେ ବନ୍ଧା ହୋଇ ରହିଥିଲା । କୁଆଡୁ ଗୋଟିଏ ମୃଗ ଆସି ତା ସହିତ ଖେଳୁ ଖେଳୁ ତା ଶିଙ୍ଗରେ ତାହା ଦଉଡ଼ି ସହିତ ଲାଗି ରହିଲା । ମୃଗଟି ଛାନିଆ ହୋଇ ଦୂରକୁ ପଳାଉଛି, ମୁଁ ଏବେ କରେ କ'ଣ ? ସେହି ଆରନି'ଟି (ଅଗ୍ନି ଉତ୍ପନ୍ନ ଯନ୍ତ୍ର)ନଥିଲେ ମୋର ଯଜ୍ଞକାର୍ଯ୍ୟ ବାଧାପ୍ରାପ୍ତ ହେବ; ଦୟାକରି ମୋ ପାଇଁ ତାହା ସେ ମୃଗଠାରୁ ଉଦ୍ଧାର କରି ପାରିବେ କି?" 


ହଠାତ୍, ଏହି ସମୟରେ ସେ ମୃଗଟି ପାଣ୍ଡବମାନଙ୍କର ଦୃଷ୍ଟି ଗୋଚର ହେଲା । ପାଞ୍ଚ ଭାଇ ଚେଷ୍ଟା କଲେ ସେ ମୃଗକୁ ଧରିବା ପାଇଁ । କିନ୍ତୁ ବିଜୁଳି ବେଗରେ ତାହା ଅନ୍ତର୍ଦ୍ଧାନ ହୋଇଗଲା । ପାଞ୍ଚ ଭାଇ ତା ପଛରେ ଧାଇଁବାକୁ ଲାଗିଲେ । ନିଘଞ୍ଚ ଅରଣ୍ୟ ଭିତରେ ପହଞ୍ଚିଲେ ପାଣ୍ଡବ ପାଞ୍ଚଭାଇ । ଶୋଷରେ ସମସ୍ତଙ୍କ ତଣ୍ଟି ଶୁଖି ଯାଉଥାଏ । ମୃଗ କୁଆଡେ଼ ଅନ୍ତର୍ଦ୍ଧାନ ହୋଇ ଗଲାଣି । ପାଞ୍ଚଭାଇଙ୍କୁ ଲାଗିଲା ସତେ ଯେମିତି ଶୋଷରେ ପ୍ରାଣ ଚାଲିଯିବ । ଯୁଧିଷ୍ଠିର ନକୁଳଙ୍କୁ କହିଲେ.. ବତ୍ସ ! ନିକଟସ୍ଥ ବୃକ୍ଷ ଉପରେ ଚଢି ଦେଖ ଆଖପାଖରେରେ କିଛି ଜଳାଶୟ ଅଛି କି ନାହିଁ । "


ନକୁଳ ବୃକ୍ଷ ଉପରେ ଚଢି ଚତୁର୍ଦ୍ଦିଗକୁ ଦୃଷ୍ଟି ପକାଇ ଦେଖିଲେ ଦୂରରେ ଏକ ପୁଷ୍କରିଣୀ ଦେଖାଯାଉଛି । ଆନନ୍ଦରେ ନକୁଳ କହିଲେ .. ମୁଁ କିଛି ଦୂରରେ ଏକ ପୁଷ୍କରିଣୀ ଦେଖି ପାରୁଛି । ସେଠାରେ ମୋର ତୃଷା ନିବାରଣ କରି ଆପଣମାନଙ୍କ ପାଇଁ ଜଳ‌ ନେଇଆସିବି,ଆପଣ ଏଠାରେ ଅପେକ୍ଷା କରନ୍ତୁ । "

ଯୁଧିଷ୍ଠିର କହିଲେ ..ଶୀଘ୍ର ଆସିବ ନକୁଳ । 


ନକୁଳ, ପୁଷ୍କରିଣୀ ତଟରେ ପହଞ୍ଚି ନିର୍ମଳ ସୁଶୀତଳ ଜଳ ଦେଖି ଆନନ୍ଦିତ ହୋଇଗଲେ । ଜଳ ପିଇବାକୁ ଯାଉଛନ୍ତି, ପୁଷ୍କରିଣୀ ତଟରେ ବସିଥିବା ଏକ ବକ, ମନୁଷ୍ୟ କଣ୍ଠରେ କହିଲା ..ରହିଯାଅ ମାଦ୍ରୀପୁତ୍ର, ମୁଁ ଧର୍ମବକ ଏ' ପୁଷ୍କରିଣୀର ମାଲିକ । ଏହାର ଜଳ ବିଷାକ୍ତ,ମୋ ପ୍ରଶ୍ନର ଉତ୍ତର ନଦେଇ ଜଳପାନ କଲେ ନିଶ୍ଚିତ ମୃତ୍ୟୁ ମୁଖରେ ପଡିବ । ଉତ୍ତର ସନ୍ତୋଷଜନକ ହେଲେ ତୁମର କୌଣସି କ୍ଷତି ହେବ ନାହିଁ, ତୁମେ ଆନନ୍ଦରେ ଆକଣ୍ଠ ଜଳପାନ କରି ଫେରିଯାଇ ପାରିବ । "


ନକୁଳ ଧର୍ମବକ'ର ବାରଣକୁ ହେୟଜ୍ଞାନ କରି ପୁଷ୍କରିଣୀର ଜଳପାନ କଲେ ଏବଂ ସଙ୍ଗେ ସଙ୍ଗେ ଅଜ୍ଞାନ ହୋଇ ଭୂମିରେ ପଡିଗଲେ । 

ନକୁଳ ନଫେରିବାରୁ ଯୁଧିଷ୍ଠିର ସହଦେବଙ୍କୁ ନକୁଳଙ୍କ ଅନୁସନ୍ଧାନ ପାଇଁ ପଠାଇଲେ । ସହଦେବ ସେଠାରେ ପହଞ୍ଚି ନକୁଳଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଲେ । କିନ୍ତୁ ପ୍ରବଳ ତୃଷାରେ ତାଙ୍କର ପ୍ରାଣ ଚାଲିଗଲା ପରି ଲାଗୁଥିଲା । ପୁଷ୍କରିଣୀରୁ ଜଳପାନ କରିବାକୁ ଚେଷ୍ଟା କରନ୍ତେ ବକ ସେହି ଚେତାବନୀ ଦେଲା ଯାହା ସେ ନକୁଳଙ୍କୁ ଦେଇଥିଲା । ସହଦେବ ଭୃକ୍ଷେପ ନକରି ପୁଷ୍କରିଣୀର ଜଳପାନ କଲେ ଏବଂ ନକୁଳଙ୍କ ଦଶା ଭୋଗ କଲେ । ପରେ ପରେ ଅର୍ଜୁନ ଏବଂ ଭୀମ, ଧର୍ମବକ'ର ଚେତାବନୀକୁ ହେୟଜ୍ଞାନ କରି ଜଳପାନ କରିବାକୁ ଚେଷ୍ଟା କରି ଅଚେତ ହୋଇ ପୁଷ୍କରିଣୀ କୂଳରେ ପଡିରରହିଲେ । 


ଚାରିଭାଇ ନଫେରିବାରୁ ଯୁଧିଷ୍ଠିର ନିଜେ ଆସି ପୁଷ୍କରିଣୀ କୂଳରେ ପହଞ୍ଚି ଭାଇମାନଙ୍କର ଏଭଳି ଅବସ୍ଥା ଦେଖି ଗଭୀର ଦୁଃଖରେ ମ୍ରିୟମାଣ ହୋଇ,ଭାଗ୍ୟକୁ ନିନ୍ଦା କରି ଭାବିଲେ..ହେ ବିଧାତା ! ଏଇ କଣ ଆମ ଭାଇମାନଙ୍କର ଶେଷ ପରିଣତି ! ବାରବର୍ଷ, ବିନା ବିପଦରେ ବନବାସ ପରେ ଯେତେବେଳେ ମୋ ଭାଇମାନେ ଉତ୍କଣ୍ଠା ସହିତ ଅପେକ୍ଷା କରିଥିଲେ ଗୋଟିଏ ବର୍ଷ ଅଜ୍ଞାତ ବାସ ଶେଷକରି ରାଜ୍ୟକୁ ଫେରିଯିବେ, ସେତେବେଳେ କିଏ ସେମାନଙ୍କୁ ମୃତ୍ୟୁମୁଖରେ ପକାଇଲା !


ପୁଷ୍କରିଣୀ କୂଳରେ ବସିଥିବା ବକ କହିଲା ..ଧର୍ମପୁତ୍ର ! ମୁଁ ତୁମ ଭାଇମାନଙ୍କ ମୃତ୍ୟୁ ପାଇଁ ଦାୟୀ । ସେମାନେ ମୋ' ପ୍ରଶ୍ନର ଉତ୍ତର ନଦେଇ ଜଳପାନ କରିବାକୁ ଚେଷ୍ଟା କରୁଥିଲେ,ତେଣୁ ମୃତ୍ୟୁ ମୁଖରେ ପଡ଼ିଲେ । ତୁମେ ମଧ୍ୟ ସେପରି ହେୟଜ୍ଞାନ କରି ଜଳପାନ କରିବାକୁ ଚେଷ୍ଟା କଲେ ଭାଇମାନଙ୍କ ଅବସ୍ଥା ଭୋଗ କରିବ । "ଯୁଧିଷ୍ଠିର ହୃଦୟଙ୍ଗମ କଲେ ଯେ ଏହା ଏକ ଯକ୍ଷର କାମ । 


ଯୁଧିଷ୍ଠିର କହିଲେ ..ହେ ବକ ବେଶଧାରୀ ଯକ୍ଷ ! କଣ ତୁମର ପ୍ରଶ୍ନ ?

ଯକ୍ଷ ଯୁଧିଷ୍ଠିରଙ୍କୁ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିଥିଲେ । ସେଗୁଡ଼ିକ ଥିଲା ଧର୍ମ, ଜୀବନଦର୍ଶନ ଏବଂ ସାଂସାରିକ ଜୀବନ ଯାପନ ସମ୍ବନ୍ଧୀୟ । 

ଯକ୍ଷ ପ୍ରଶ୍ନକଲେ.. ପୃଥିବୀ ଠାରୁ ବଡ କିଏ ?

ଯୁଧିଷ୍ଠିର କହିଲେ..ମାଆ ପୃଥିବୀ ଠାରୁ ବଡ । 

ଯକ୍ଷ...ସ୍ୱର୍ଗଠାରୁ ଉଚ୍ଚ କିଏ ?

ଯୁଧିଷ୍ଠିର...ପିତା ସ୍ୱର୍ଗଠାରୁ ଉଚ୍ଚ । 

ଯକ୍ଷ...ପବନ ଠାରୁ ଅଧିକ କାହାର ଗତି ?

ଯୁଧିଷ୍ଠିର...ମନର ଗତି ପବନଠାରୁ ବେଗବାନ । 

ଯକ୍ଷ...ତୃଣ ସଂଖ୍ୟା ଠାରୁ ଅଧିକ କାହାର ସଂଖ୍ୟା ?

ଯୁଧିଷ୍ଠିର.. ମସ୍ତିଷ୍କର ଚିନ୍ତା

ଯକ୍ଷ...ଧର୍ମ କେଉଁ ଠାରେ ବାସକରେ ?

ଯୁଧିଷ୍ଠିର.. ଯେଉଁ ଠାରେ ସ୍ୱାଧୀନତା ଥାଏ । 

ଯକ୍ଷ.. ପରିବ୍ରାଜକର ସାଥି କିଏ?

ଯୁଧିଷ୍ଠିର.. ଜ୍ଞାନ । 

ଯକ୍ଷ...ଘରେ ମନୁଷ୍ୟର ବଡ଼ ସାଥୀ କିଏ ?

ଯୁଧିଷ୍ଠିର ... ପତ୍ନୀ

ଯକ୍ଷ.... ମୃତ୍ୟୁ ପରେ ମନୁଷ୍ୟ ସହିତ କିଏ ଯାଏ?

ଯୁଧିଷ୍ଠିର ...ଧର୍ମ । 

ଯକ୍ଷ.... ସବୁଠାରୁ ବିରାଟ ପାତ୍ର କଣ?

ଯୁଧିଷ୍ଠିର... ପୃଥିବୀ; ଏହି ବିରାଟ ପାତ୍ର ତା' ଗର୍ଭରେ ସବୁ କିଛି ଧରି ରଖିଛି । 

ଯକ୍ଷ...ସୁଖ କଣ?

ଯୁଧିଷ୍ଠିର.. ଉତ୍ତମ କର୍ମର ପରିଣାମ ହିଁ ସୁଖ । 

ଯକ୍ଷ...କଣ ତ୍ୟାଗ କଲେ ମନୁଷ୍ୟ ସମସ୍ତଙ୍କ ଦ୍ୱାରା ଆଦରଣୀୟ ହେବ ?

ଯୁଧିଷ୍ଠିର ...ଗର୍ବ । 

ଯକ୍ଷ....କଣ ହରାଇଲେ ଦୁଃଖ ନ'ମିଳି ଆନନ୍ଦ ମିଳେ ?

ଯୁଧିଷ୍ଠିର ... କ୍ରୋଧ;ଏହା ସବୁ ଦୁଃଖର କାରଣ । 

ଯକ୍ଷ...କଣ ତ୍ୟାଗ କଲେ ମନୁଷ୍ୟ ଧନୀ ହୁଏ?

ଯୁଧିଷ୍ଠିର....ଲୋଭ;ଏହା ତ୍ୟାଗ କଲେ ଆତ୍ମସନ୍ତୋଷ ଧନରେ ମନୁଷ୍ୟ ଧନୀ ହୁଏ । 

ଯକ୍ଷ .... ପ୍ରକୃତ ବ୍ରାହ୍ମଣ କିଏ;ଜନ୍ମ ନାଁ କର୍ମ ନାଁ ଜ୍ଞାନ କିଏ ମନୁଷ୍ୟକୁ ବ୍ରାହ୍ମଣତ୍ୱ ଦିଏ ?

ଯୁଧିଷ୍ଠିର...ଜନ୍ମ ବା ଜ୍ଞାନ ମନୁଷ୍ୟକୁ ବ୍ରାହ୍ମଣତ୍ୱ ଦିଏ ନାହିଁ;ଚରିତ୍ର ଦିଏ । ଚାରି ବେଦରେ ଜ୍ଞାନ ଥିଲେ ମଧ୍ୟ, ଯଦି ଜଣେ ବ୍ୟକ୍ତିର ଚରିତ୍ର ଖରାପ ତାହେଲେ ସେ ମନୁଷ୍ୟ ପଦବାଚ୍ୟ ମଧ୍ୟ ନୁହେଁ । ଥିଲେ ଥାଉ ପଛେ ଗୁଣ ହଜାର/ଚରିତ୍ର ନଥିଲେ ସବୁ ଅସାର । 

ଯକ୍ଷ... ମନୁଷ୍ୟର ସବୁଠାରୁ ବଡ଼ ସମ୍ପଦ କ'ଣ?

ଯୁଧିଷ୍ଠିର .. ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ଶ୍ରେଷ୍ଠ ସମ୍ପଦ । 

ଯକ୍ଷ... ମନୁଷ୍ୟର ଶ୍ରେଷ୍ଠ ଜ୍ଞାନ କଣ?

ଯୁଧିଷ୍ଠିର..ଭଗବତ୍ ଜ୍ଞାନ ହିଁ ମନୁଷ୍ୟର ଶ୍ରେଷ୍ଠ ଜ୍ଞାନ । 

ଯକ୍ଷ...ଅଜ୍ଞାନତା କଣ?

ଯୁଧିଷ୍ଠିର...ନିଜ ଧର୍ମ ବିଷୟରେ ଯେ ଜାଣେ ନାହିଁ, ତାଠାରୁ ବଡ଼ ଅଜ୍ଞାନ କେହି ନାହାନ୍ତି । 

ଯକ୍ଷ... ସଂସାରରେ ସବୁଠାରୁ ଆଶ୍ଚର୍ଯ୍ୟ କଥା କଣ?

ଯୁଧିଷ୍ଠିର...ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ;ଏହା ଜାଣି ମଧ୍ୟ ମନୁଷ୍ୟ ଅମର ହେବାକୁ ଇଚ୍ଛା ପୋଷଣ କରେ... ଏହାହିଁ ସଂସାରରେ ସବୁଠାରୁ ଆଶ୍ଚର୍ଯ୍ୟ କଥା । 

 

ଏହିପରି ଅନେକ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ପାଇବା ପରେ ଯକ୍ଷ କହିଲେ..ଧର୍ମପୁତ୍ର ! ମୁଁ ତୁମ ଉତ୍ତରରେ ସନ୍ତୁଷ୍ଟ । ଏଠାରେ ତୁମର ମୃତ ଭାଇମାନଙ୍କ ମଧ୍ୟରୁ ତୁମର ଗୋଟିଏ ଭାଇକୁ ମୁଁ ଜୀବନ୍ୟାସ ଦେଇ ପାରିବି,କୁହ କାହାକୁ ତୁମେ ଜୀବିତ ହେବାପାଇଁ ଚାହୁଁଛ ?"

ଅଳ୍ପ ଚିନ୍ତା କରି ଯୁଧିଷ୍ଠିର କହିଲେ ... ନକୁଳଙ୍କୁ ଜୀବନ୍ୟାସ ଦିଅନ୍ତୁ ଯକ୍ଷ ମହାଭାଗ । 

ଯକ୍ଷ କହିଲେ.. ଯୁଧିଷ୍ଠିର ! ମୁଁ ତ ଶୁଣିଛି ଭୀମ ତୁମର ଅତି ପ୍ରିୟ । ବିଶ୍ଵର ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନଙ୍କୁ ମଧ୍ୟ ତୁମେ ମାଗି ପାରିଥାନ୍ତ,ନକୁଳ କାହିଁକି ?"

ଯୁଧିଷ୍ଠିର କହିଲେ ...ଯକ୍ଷ ମହାଶୟ ! ମୁଁ ଧର୍ମ ଓ ବିବେକ ଦ୍ୱାରା ପରିଚାଳିତ । ମୋ ପିତାଙ୍କର ଦୁଇ ପତ୍ନୀ ଥିଲେ, କୁନ୍ତୀ ଓ ମାଦ୍ରୀ । ମୁଁ କୁନ୍ତୀପୁତ୍ର ଯୁଧିଷ୍ଠିର ଜୀବିତ ରହିଛି । ମାଦ୍ରୀଙ୍କର ମଧ୍ୟ ଗୋଟିଏ ପୁତ୍ର ଜୀବିତ ରହିବା ଉଚିତ । ସ୍ୱାର୍ଥପରବଶ ହୋଇ ମୁଁ ନିଜ ମାତାଙ୍କ ଗର୍ଭରୁ ଜନ୍ମିତ ଭାଇର ଜୀବନ ମାଗିଲେ, ଜ୍ୟେଷ୍ଠ ପୁତ୍ର ଭାବରେ ପରିବାର-ଧର୍ମ ପାଳନ ନ'କରିବା ଯୋଗୁଁ ମୁଁ ନିନ୍ଦିତ ହେବି । ମୃତ୍ୟୁ ପରେ ଉପରକୁ ଯାଇ ମାତା ମାଦ୍ରୀଙ୍କୁ ମୁଁ କିପରି ମୁହଁ ଦେଖାଇବି?"


ଯୁଧିଷ୍ଠିରଙ୍କ ନିରପେକ୍ଷତା ଦେଖି ଯକ୍ଷ ଅତ୍ୟନ୍ତ ପ୍ରୀତ ହେଲେ । ସଙ୍ଗେ ସଙ୍ଗେ ଯୁଧିଷ୍ଠିରଙ୍କ ଚାରିଭାଇ ଜୀବନ୍ୟାସ ପାଇଲେ । ବାସ୍ତବରେ ଯକ୍ଷ ଅନ୍ୟ କେହି ନଥିଲେ;ଥିଲେ ସ୍ୱୟଂ ଧର୍ମରାଜ ଯମରାଜ । ନିଜ ରୂପରେ ପ୍ରକଟ ହୋଇ ଯୁଧିଷ୍ଠିରଙ୍କୁ କୋଳାଗ୍ରତ କରି ଯମରାଜ ପାଣ୍ଡବ ମାନଙ୍କୁ ଆଶୀର୍ବାଦ ଦେଲେ ଏବଂ କହିଲେ ..ପୁତ୍ର ! ତୁମର ଦୁଃଖର ଦିନ ବିତିବାକୁ ଆଉ ଅଳ୍ପଦିନ ବାକି ଅଛି । ଅଜ୍ଞାତ ବାସ ମଧ୍ୟ ବିନା ସମସ୍ୟାରେ କଟିଯିବ;ତୁମ ଶତ୍ରୁମାନେ କେହି ତୁମର ସନ୍ଧାନ ପାଇବେ ନାହିଁ । ମୋର ଆଶୀର୍ବାଦ ତୁମ ସହିତ ସର୍ବଦା ରହିଥିବ । "



Rate this content
Log in