Sangeeta Barik

Others

3  

Sangeeta Barik

Others

କର୍ତ୍ତବ୍ୟ

କର୍ତ୍ତବ୍ୟ

3 mins
607



ଚତୁର୍ଥୀ ପିଣ୍ଡ ନ ଦେଇ ସାରିବା ପର୍ଯ୍ୟନ୍ତ ପୁଅ ବୋହୂ ଅନ୍ନଜଳ ଗ୍ରହଣ କରିପାରିବେ ନାହିଁ । ତାଙ୍କର ଆଉ ଦୁଇ ଘରେ ପୂଜା ଅଛି ସରିଲେ ଫେରିବେ ବୋଲି ପ୍ରଧାନ ବାବୁଙ୍କୁ ବାହାରେ କହିଦେଇ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ପୁରୋହିତେ । ବ୍ୟସ୍ତ ହୋଇ ପୁଅ ଲଲିତ୍, ଝିଅ ଲିପି ଓ ସ୍ତ୍ରୀ ମମତାଙ୍କୁ ଡାକି ପୁରୋହିତଙ୍କ କଥା କହିଥିଲେ ସମସ୍ତଙ୍କୁ ପ୍ରଧାନ ବାବୁ । 


ବୁଝିଲ ମମତା ! ମୋତେ ଚିନ୍ତା ଲାଗୁଛି ନୂଆ ବୋହୂ ପାଇଁ । ସେ ଆଦୌ ଉପାସ ରହିପାରେନା ବୋଲି ତା ବାପା ମା ମୋତେ ବହୁତ ଥର କହିଛନ୍ତି ।


ଆବଶ୍ୟକସ୍ଥଳେ ଉପାସ ରହିବା ପାଇଁ ବାଧ୍ୟ । ଝିଅରୁ ବୋହୁ ହେଲା, ତେଣୁ ସବୁ ନୀତି ନିୟମ ଅନୁଯାୟୀ ଚଳିବାକୁ ପଡିବ ।


କଥାଟି କିନ୍ତୁ ଲଲିତକୁ ହଜମ ହେଉ ନଥିଲା । ସେ ଭାବୁଥିଲା ତା ବୋଉ କଣ ସତରେ ଶାଶୁ ହୋଇଗଲା । ସେ ତ ସବୁବେଳେ ଆମମାନଙ୍କ ଉପାସ ବିରୁଦ୍ଧରେ ଥାଏ । ବିଦାୟ ସମୟର ଖୁଡି ଶାଶୁଙ୍କ କଥା ତାକୁ ଶୁଣା ଯାଉଥିଲା "ଝିଅ ଆମର ଆଦୌ ଉପାସ ରହି ପାରେନି । ତାକୁ ଭୀଷଣ ବାନ୍ତି ହୁଏ ।" ହଠାତ୍ ଲିପିର କରାଘାତରେ ସେ ଚମକି ପଡିଲା । ଲିପି ହସିଦେଇ କହିଲା


କଣ ଭାଇ ଚିନ୍ତାମଗ୍ନ ହୋଇଗଲୁ ଯେ ? ଭାଉଜଙ୍କ କଥା ଭାବୁଛୁ ? ତମ ଦୁଇ ଜଣଙ୍କର ପ୍ରେମ ବିବାହ ନୁହେଁ ସ୍ଥିରୀକୃତ ବିବାହ । ତେଣୁ ତୁମେ ଦୁହେଁ ଏବେବି ଅପରିଚିତ । କେତେଥର କହିଛି ମୋ ପାଖରୁ ନମ୍ବର ନେଇ ଭାଉଜ ସହ କଥା ହ । ହ୍ଵାଟ୍ସଆପ ରେ ଚାଟିଂ କର । ତୁ ତ ଶୁଣିଲୁନି । 


ଲିପିର ଏପରି କଥା ସହ ଲଲିତ୍ ଛୋଟରୁ ଅଭ୍ୟସ୍ତ । ଉଭୟ ଉଭୟଙ୍କୁ ଚିଡେଇବା ଓ ଗେହ୍ଲରେ ମାରପିଟ୍ ହେବା ସେମାନଙ୍କର ଜନ୍ମଗତ ଅଧିକାର । ଦୁହେଁ ଦୁହିଁଙ୍କର ଜୀବନ । କେହି କାହାରିକୁ କିଛି କଥା ଗୋପନ ରଖନ୍ତି ନାହିଁ । କିନ୍ତୁ ଏଇ କିଛିଦିନ ହେଲା ଲଲିତ୍ କିଛି କଥା ଗୋପନ ରଖିଛି ଲିପି ଠାରୁ ଯେପରିକି ତା ଅଜାଣତରେ ମିତା(ଲଲିତ୍ ର ସ୍ତ୍ରୀ) ର ନମ୍ବର ଚୋରାଇବା, ସେଭ୍ କରି ହ୍ଵାଟ୍ସଆପ ପ୍ରୋଫାଇଲ୍ ରେ ମିତାର ଫଟୋ ଦେଖିବା ପୁଣି ସେ ଫଟୋକୁ ସେଭ୍ କରି ରଖିବା ଓ ଏକାନ୍ତରେ ସେ ଫଟୋ ସହିତ ଅନେକ କିଛି କଥା ହେବା । ହଠାତ୍ ମୋବାଇଲର ରିଙ୍ଗ୍ ରେ ତାର ଧ୍ୟାନଭଙ୍ଗ ହେଲା । ସେପଟରୁ ଅମିତର କଲ୍ ଆସୁଥିଲା । କିଛି ସମୟ କଥା ହେବା ପରେ ଲଲିତ୍ ତାକୁ ଦୁଇଟି ଓ.ଆର୍.ଏସ.ପାନୀୟ ଆଣି ଅନ୍ୟ ମାନଙ୍କ ନଜର ଆଢୁଆଳରେ ଦେବା ପାଇଁ ଅନୁରୋଧ କରିଥିଲା । 


ଲିପିକୁ ଡାକି ଲଲିତ୍ ଗୋଟିଏ ପାନୀୟ ପିଇବାକୁ ଦେଇଥିଲା ଓ ଅନ୍ୟଟି ଅତ୍ୟନ୍ତ ସତର୍କତାର ସହିତ ତା ଭାଉଜକୁ ପିଏଇବାକୁ କହିଥିଲା । ତା ବଦଳରେ ଲିପିର ବହୁତ ଦାବି ସେ ପୂରଣ କରିବ ବୋଲି କଥା ମଧ୍ୟ ଦେଇଥିଲା । ଆଉ ଲଲିତର ନାମ ମିତା ନିକଟରେ ଉନ୍ମୋଚନ କରିବାକୁ ମନା କରିଥିଲା ।


ସନ୍ଧ୍ୟା ସମୟରେ ପ୍ରଧାନ ବାବୁ ଓ ମମତା ବୋହୂ ପାଖରେ ବସି ଲଲିତ୍ ଓ ଲିପିକୁ ଡାକିଥିଲେ । ଲଲିତ୍ ଆସିବା କ୍ଷଣି ମମତା ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ଆନନ୍ଦରେ କହିଥିଲେ "ତୁ ବୁଦ୍ଧି ଲଗାଇ ବୋହୂକୁ ଓ.ଆର୍.ଏସ୍.ପିଆଇ ଥିବାରୁ ଆମେ ବହୁତ ଖୁସି ।ଯାହାହେଉ ତୁ ଏକ ସ୍ଵାମୀର କର୍ତ୍ତବ୍ୟ କରିଛୁ । ତୋତେ ଏକ ଆଜ୍ଞାଧିନ ଓ ନମ୍ର ପୁଅ ରୂପରେ ଆମେ ଜାଣିଥିଲୁ । ଏବେ ତୁ ଏକ ଭଲ ସ୍ଵାମୀ ହୋଇପାରିବୁ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ ହୋଇଗଲା । ବାପା ମଧ୍ୟ ମୁଣ୍ଡ ଆଉଁସେଇ କହିଥିଲେ ଆମେ ତୋ ପାଇଁ ଗର୍ବିତ । ତୁମ ଦୁହିଁଙ୍କ ଜୀବନ ମଙ୍ଗଳମୟ ହେଉ । ମିତା କେବଳ ଅପଲକ ନୟନରେ ସମସ୍ତଙ୍କୁ ଅନେଇ ଭାବୁଥିଲା କେଉଁ ଜନ୍ମରେ କି ପୂଣ୍ୟ କରିଥିଲା ତାକୁ ଏମିତି ପିତାମାତା, ଲିପି ଭଳି ଭଉଣୀ ମିଳିଛନ୍ତି ।ଆଉ ସ୍ଵାମୀ ଲଲିତ୍ ତ... । ଅମାନିଆ ଆନନ୍ଦାଶ୍ରୁ ଗଡି ପଡୁଥିଲା ଠିକ୍ ତାର ଗଣ୍ଡଦେଶ ଦେଇ, ଆଉ ଅତି ଆନନ୍ଦରେ କୋଳେଇ ନେଉଥିଲେ ତାକୁ ତାର ନୂଆ ପିତାମାତା ।


ନିଜର ଘର ପରିବାର ଓ ପିଲାଦିନକୁ ଛାଡି ସବୁଦିନ ପାଇଁ ଚାଲି ଆସିଥିବା ବୋହୂକୁ ଯଦି ଶାଶୂଘର ଲୋକେ ବୁଝିପାରି ଆପଣେଇ ନିଅନ୍ତେ, ତେବେ ଅନେକ ସମସ୍ୟାର ସମାଧାନ ହୋଇଯାଆନ୍ତା । ବୋହୂଟି ସ୍ନେହ ଶ୍ରଦ୍ଧାରେ ବୁଡିଯାଇ କେବଳ ସ୍ନେହ ଶ୍ରଦ୍ଧା ବାଣ୍ଟି ଚାଲନ୍ତା ।


Rate this content
Log in