Subhalaxmi Nayak

Children Stories Comedy

4  

Subhalaxmi Nayak

Children Stories Comedy

କୋଶଳା ଶାଗ

କୋଶଳା ଶାଗ

3 mins
292


ଦାସ ବାବୁଙ୍କ ଝିଅ ସାରାର ପନିପରିବା ଖାଇବାକୁ ନେଇ ବହୁତ ନଖରା।ସବୁଜ ପରିବା ଖାଇବାକୁ ସବୁବେଳେ ଅମଙ୍ଗ।ନା ଶାଗ ଭଜା ଖାଇବ ନା ଡାଲମା.... ସବୁବେଳେ ତାକୁ ଖାଲି ନାଲି ନାଲି ରଙ୍ଗର ରାଗ ରାଗୁଆ ତରକାରୀ ପସନ୍ଦ।ଯେଉଁ ଦିନ ଘରେ ପୂଜା ଦିନ ଥିବ, ବିନା ପିଆଜ ରସୁଣ ଅରୁଆ ଭାତ, ଡାଲମା, ଶାଗ ଭଜା ରୋଷେଇ ହୋଇଥିବ ସେଦିନ ମାଆ ନାକେଦମ୍ ହୋଇ ଯାଆନ୍ତି ସାରାକୁ ଖୁଆଇବାକୁ।ଭାତ ଥାଳି ଧରି ପଛରେ ଗୋଡ଼େଇ ଗୋଡ଼େଇ ଘଣ୍ଟାଟେ ଲାଗିବ ଖାଇବା ସାରିବାକୁ।

ଥରେ କ'ଣ ହୋଇଛି ନା, ସେଦିନ ସଂକ୍ରାନ୍ତି ହୋଇଥାଏ।ମାଆ କହିଲେ ଯେ ଘରେ କିଛି ପରିବା ନାହିଁ, ହାଟରୁ ଯାଇ ନେଇ ଆସିଲେ ସଂକ୍ରାନ୍ତି ଦିନ ତ ଅରୁଆ ରୋଷେଇ ହେବ।ସାରା ଜିଦି କଲା ସେ ବି ଯିବ ବାପାଙ୍କ ସାଙ୍ଗରେ ପରିବା ଆଣିବାକୁ। ତେଣୁ ଦାସ ବାବୁ ସାରାକୁ ଧରି ବାହାରିଲେ ହାଟକୁ। ହାଟରେ ପହଞ୍ଚି ଦରଦାମ ମୂଲଚାଲ କରି ପରିବା କିଣିବା ଆରମ୍ଭ କଲେ। ସଦ୍ୟ ତୋଳା ପନିପରିବା ଆଣି ଚାଷୀ ଭାଇ ହାଟରେ ବିକିବା ଆରମ୍ଭ କରିଥାଏ। ସାରା ଖାଲି ସବୁ ପରିବାକୁ ଟମଟମ ହୋଇ ଦେଖୁଥାଏ। ଏତେ ସୁନ୍ଦର ରଙ୍ଗ ବେରଙ୍ଗର ପରିବା ସବୁ, ତରକାରୀ ହୋଇ ସାରିବା ପରେ ଏମିତି ଗୋଟିଏ ରଙ୍ଗର କିଆଁ ହୋଇଯାଏ ମନେ ମନେ ଭାବିଲା। ସେଇଥିପାଇଁ ମୋର ଖାଇବାକୁ ଇଚ୍ଛା ହୁଏନି।ଗୋଟିଏ ଦୋକାନ ପାଖରେ ଯାଇ ବାପା ଅଟକିଲେ। ମାଆଙ୍କର ପସନ୍ଦର ଶାଗ କିଣିବାକୁ।କୋଶଳା ଶାଗ।ଅରୁଆ ଡାଲମାକୁ କୋଶଳା ଶାଗ ଭଜା ବେଶ୍ ସୁଆଦିଆ ଲାଗିବ, ତା ସାଙ୍ଗକୁ ଲୁଣରେ କଞ୍ଚାଲଙ୍କାଟିଏ ମକଚି ଦେଇ ଲେମ୍ବୁ ଚୁପୁଡ଼ି ଦିଅ....ଓଃ ଭାତ ଥାଳିଏ ଉଦରସ୍ଥ ହୋଇଯାଏ।ଶାଗ ପାଞ୍ଚ ବିଡ଼ା କିଣା ସରିଲା।ଭାରି ଖୁସିରେ ସାରା ଘରକୁ ଫେରିଲା।ପରିବା ମୁଣିଟିକୁ ମାଆଙ୍କ ହାତକୁ ବଢ଼େଇ ଦେଇ ବାପା ତାଙ୍କ କାମରେ ଲାଗିଗଲେ।ସାରା ମାଆଙ୍କ ପାଖରେ ଛିଡ଼ା ହୋଇ ଦେଖୁଥାଏ ପରିବା ସବୁ କଟା ହେଉଛି କେମିତି।ମାଆ ସବୁ ସରଞ୍ଜାମ ସଜଡ଼ା ସଜଡ଼ି କରି ରୋଷେଇ ବସାଇଲେ।ଶାଗ ଭାଜିବାକୁ କଡ଼େଇ ବସାଇ ଦେଇ ଶାଗ ପକାଇ ଭାଜି ଦେଇ ରଖିଲେ। ସାରା ତ ସେମିତି ବି ଶାଗ ଖାଏନି, ତେଣୁ ନାକ ଟେକୁଥିଲା ଶାଗ ଭଜାକୁ ଅନାଇ ଅନାଇ।ମାଆ କିଛି ସମୟ ପାଇଁ ବାହାରକୁ ଗଲେ ଜେଜେମାଆଙ୍କ ଡ଼ାକ ଶୁଣି....ତାରି ଭିତରେ ସାରା ଗୋଟାଏ ସୁନ୍ଦର କାମ କରି ଦେଇଛି।ଶାଗ ଭଜାର ରଙ୍ଗ କାହିଁକି ସବୁଜ ରହିବ ନାଲି ହେବନି....ନାଲି ହେଲେ ସେ ମଧ୍ୟ ଶାଗ ଖାଇବ, ଏତିକି କହି ଲଙ୍କାଗୁଣ୍ଡ ଡବାଟାକୁ ଆଣି ଟିକିଏ ଟିକିଏ ପକାଇ ଗୋଳାଇ ଚାଲିଲା। ଯେମିତି ଶାଗ ଭଜା ନାଲି ଦିଶିବ। କିନ୍ତୁ ଗୋଳାଇ ଗୋଳାଇ ଲଙ୍କାଗୁଣ୍ଡ ଡବା ସରିଗଲା ପଛକେ, ଶାଗ ଭଜା ନାଲି ହେଲା ନାହିଁ।ମାଆ ପଳେଇ ଆସିଲେ ଯେ, ଆଉ ମଧ୍ୟ ଗୋଳାଇ ହେଲାନି।ହେଉ ଛାଡ଼ ଆଉ କେବେ ଶାଗ ଭଜା ନାଲି କରି ଦେବି ଭାବି ଚୁପଚାପ୍ ଥୋଇ ଦେଇ ପଳାଇଗଲା ରୋଷେଇ ଘରୁ।ମାଆ କିନ୍ତୁ ଜାଣି ନାହାଁନ୍ତି ଝିଅ ଏତେ କାମ କରି ଦେଇଛି।ଖାଇବା ବଢ଼ା ବଢ଼ି କରି ଗୁରୁଜନଙ୍କ ପାଇଁ ଚଟ ପକାଇ ଦେଲେ ମାଆ। ସମସ୍ତେ ଖୁସିରେ ଖାଇ ବସିଲେ। ଜେଜେ, ଜେଜେମା, ବାପା ଯେମିତି ଶାଗ ଭଜା ପାଟିରେ ଦେଇଛନ୍ତି, ପାଟି ତ ଖାଲି ହୁ ହୁ ହୋଇ ଜଳିଲା ପରି ଲାଗିଲା।କେହି କଥା କହି ପାରୁ ନାହାଁନ୍ତି। ଏପଟେ ସାରା ଡରିକି ଛାନିଆ।ଆଜି ପିଠି ନାଲି ହେଲା ମୋର ଚିଲି ପନିର୍ ଭଳିଆ, ବୋଲି ଭାବି କାନ୍ଦିବାକୁ ଲାଗିଲା।ମାଆ ପଚାରନ୍ତେ, ସବୁ ସତ ମାନିଗଲା।ଶାଗ ଭଜା ନାଲି ହେବ ବୋଲି ଆଉ ନାଲି ହେଲେ ସିଏ ଖାଇବ ବୋଲି ଲଙ୍କାଗୁଣ୍ଡ ଡବା ସରିଗଲା ପଛକେ ଭଜା ନାଲି ହେଲା ନାହିଁ।କଇଁ କଇଁ ହୋଇ କାନ୍ଦୁଥାଏ। ଇଆଡ଼େ ମାଆ ସମସ୍ତଙ୍କୁ ଆଣି ଗୁଡ଼ ଗୋଲା ଦେଲେ ଆଗ ଖାଇବାକୁ ଆଉ ପାଣି ଦେଲେ। ପ୍ରକୃତିସ୍ଥ ହେଇ ସମସ୍ତେ ହସିବାକୁ ଲାଗିଲେ।ସାରା କିଛି ବୁଝି ପାରୁ ନ ଥାଏ। ମାଡ଼ ଦେବା ବଦଳରେ ସମସ୍ତେ ହସୁଛନ୍ତି କାହିଁକି।ମାଆ ତାକୁ ବୁଝାଇ ଦେଲେ, ସବୁ ପରିବାର ସ୍ୱତନ୍ତ୍ର ସ୍ୱାଦ ଥାଏ ଓ ସମସ୍ତଙ୍କର ରାନ୍ଧଣା ଶୈଳୀ ମଧ୍ୟ ଅଲଗା ପ୍ରକାର।ସାରା ମୁଣ୍ଡ ଟୁଙ୍ଗାରି ହଁ ମାରି ହସି ଦେଲା।ଏଥର ବୁଝିଲି ବୋଲି କହି ମାଆଙ୍କୁ କୁଣ୍ଢେଇ ଧରିଲା।


Rate this content
Log in