ବି. ନିରୁପମା

Children Stories Inspirational

4.2  

ବି. ନିରୁପମା

Children Stories Inspirational

କଳିକାର ମହକ

କଳିକାର ମହକ

3 mins
239



ସୋମବାର ଦିନ ସକାଳୁ ଗାଧୋଇ ପାଧୋଇ ପାଖ ଶିବ ମନ୍ଦିରକୁ ଯାଉଥାଏ କଳିକା । ଚାଙ୍ଗୁଡ଼ିରେ ମାଆ ସଜାଡ଼ି ଦେଇଥା'ନ୍ତି ପୂଜାସାମଗ୍ରୀ । ନଡ଼ିଆ,କଦଳୀ, କ୍ଷୀର,ଗୁଡ଼, ପେଡ଼ା, ମିଠେଇ, ଫଳ, ଫୁଲ ଆଉ ଧୂପବତୀ । ଦାନବାକ୍ସରେ ଦେବାପାଇଁ ସେ ଦକ୍ଷିଣା ମଧ୍ୟ ନେଇଥାଏ । 

   ଏ ବର୍ଷ ପରୀକ୍ଷାଟା ଭଲରେ ଭଲରେ ହୋଇଯାଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲା କଳିକା । ଅବଶ୍ୟ ପରୀକ୍ଷାରେ କେବଳ ଭଲ କରିବାକୁ ଠାକୁରଙ୍କୁ ଗୁହାରି କରି ସେ ତୁନି ହୋଇ ରହିଯାଇନଥିଲା । ସେଥିପାଇଁ ବର୍ଷସାରା ମନଲଗାଇ ଲେଖାପଢ଼ା ବି କରିଥିଲା।ଏବେ ସେ ତା' ପରିଶ୍ରମର ଫଳ ପାଇଛି।ଶ୍ରେଣୀରେ ପ୍ରଥମ ସ୍ଥାନ ବଜାୟ ରଖିବା ସହ ବିଦ୍ୟାଳୟର ବାର୍ଷିକୋତ୍ସଵରେ ହାସଲ କରିଛି ଗୁଡ଼ାଏ ପୁରସ୍କାର । ଏଣୁ ସେଇ ଖୁସିରେ ଠାକୁରଙ୍କ ପାଖରେ ଭୋଗ ଲଗାଇ ସେ ତା'ର କୃତଜ୍ଞତା ଜଣାଇବାକୁ ଚାହୁଁଛି।

  କିଛି ବାଟ ଗଲାପରେ କଳିକା ଦେଖିଲା, ଥୁରୁଥୁରୁ ବୁଢ଼ୀଟିଏ ବାଡ଼ିଧରି ଆଗକୁ ଚାଲିଛି । ବୟସ ଭାରରେ ନଇଁ ଯାଇଛି ତା'ର ଅଣ୍ଟା । ହାଡୁଆ ଦେହର ପଞ୍ଜରା ସବୁ ଗଣି ହୋଇଯାଉଛି । କିଛି ଦୂର ଗଲାପରେ ସେ ଆଣ୍ଠେଇ ପଡ଼ୁଛି।ମଝିରେ ମଝିରେ କାଶି କାଶି ନୟାନ୍ତ ହୋଇ ଯାଉଛି । ଆଖିରୁ ବୋହି ପଡୁଥିବା ଲୁହ ଆଉ ଲେଞ୍ଜରାକୁ ସେ ବାରମ୍ବାର ପୋଛିପକାଉଛି ତା' ଲୁଗାକାନିରେ । 

ଗାଡ଼ି ମଟର ଭିଡ଼ଦେଖି ସେ ହଡ଼ବଡେଇ ଗଲାଣି।ରାସ୍ତା ପାରି ହେବାକୁ ଅପେକ୍ଷା କରିଛି ବୋଧହୁଏ ।

   ବୁଢ଼ୀର ଅବସ୍ଥା ଦେଖି କଳିକା ମନରେ ଦୟା ହେଲା । ସେ ଡାକ ପକେଇଲା,” ବୁଢ଼ୀମା',ବୁଢ଼ୀମା'..."

  ଗାଡ଼ି ମଟର ଶବ୍ଦ ଯୋଗୁଁ ବୁଢ଼ୀଟିର କାନକୁ ଠିକରେ ଶୁଣାଗଲା ନାହିଁ ବୋଧହୁଏ । ଏଣୁ କଳିକା ତରତରରେ ଯାଇ ତା' ପାଖରେ ପହଞ୍ଚି ହାତଧରି ରାସ୍ତାରୁ ଆଡ଼େଇ ନେଲା । ବୁଢ଼ୀକୁ ଚାହିଁ ପଚାରିଲା,” ବୁଢ଼ୀମା', ତୁମେ ଏମିତି ଏକୁଟିଆ କୁଆଡ଼େ ଯାଉଛ ?ତୁମର କ'ଣ ହୋଇଛି ? ତୁମଘର ଲୋକଙ୍କ ସହିତ ଆସିଲନି ?"

  ବୁଢ଼ୀ ତା'ର କୋଟରଗତ ଚକ୍ଷୁରେ କଳିକାକୁ ଟିକେ ନିରେଖି ଚାହିଁଲା।ତା' ପରେ ଖୁଁ, ଖୁଁ କାଶି ଉତ୍ତର ଦେଲା,” ମାଆ ଲୋ,ମୁଁ ହତଭାଗିନୀ ନିଆଶ୍ରୀଟିଏ । ମୋର କେହି ନାହାନ୍ତି । ଗୁଡ଼ାଏଦିନ ହେଲାଣି,ଏ ନିଆଁଲଗା ଜରଟା ଧରିଚି ଯେ,ଜମାରୁ ଛାଡ଼ୁନି । ଆ'ରି ଦାଉରେ ଦେହ ହାତରେ ମୋର ବଳ ପାଉନି । ତିନିଦିନ ବିତିଲାଣି ପେଟକୁ ମୁଠାଏ ଅନ୍ନ ଯାଇନି । ଆତ୍ମା ଡାକୁନି କାହା ଆଗରେ ହାତ ପାତିବାକୁ । ବାସନ ଦୁଇଖଣ୍ଡ ଥିଲା ଯେ, ତାକୁ ନେଇ ବଜାରକୁ ଯାଉଛି । ବିକ୍ରି କରି ବଇଦ ପାଖରୁ ଓଷଦ ଆଣିବି ।” 

   ବୁଢ଼ୀଟିର କଥାଶୁଣି କଳିକା ମନରେ ଦୟା ହେଲା । କ'ଣ ଟିକେ ଚିନ୍ତାକରି, ତା' ହାତକୁ ଧରି କହିଲା,” ବୁଢ଼ୀମା',ମୁଁ ତୁମ ଦୁଃଖ ବୁଝିପାରୁଛି। ମନାକରନା- ନିଅ,ମୋ ପାଖରେ ଥିବା ଏଇ ଫଳ ଆଉ ପେଡ଼ା ସବୁକୁ ଖାଅ । ଏବେ ମୁଁ ଗୋଟିଏ ଅଟୋରିକ୍ସା ଡାକୁଛି । ମୋ ବାପା ଜଣେ ଡାକ୍ତର । ଏଇ ପାଖରେ ତାଙ୍କ କ୍ଲିନିକ । ତାଙ୍କରି ପାଖରେ ମୁଁ ତୁମ ଦେହ ଦେଖେଇ ଦେବି।"

   ଏଥର କଳିକା ମନ୍ଦିର ଯିବା କଥା ପାସୋରି, ପୂଜାପାଇଁ ନେଉଥିବା କ୍ଷୀର, ଫଳ ଆଉ ପେଡ଼ା ସବୁକୁ ଆଦରରେ ବୁଢ଼ୀଟିକୁ ଖୁଆଇଲା । ତା'ପରେ ଅଟୋରିକ୍ସାରେ ବସେଇ ନେଇଗଲା ତା' ବାପାଙ୍କ ପାଖକୁ । 

   ବାପା-ଝିଅ ପାଖରୁ ସବୁକଥା ଶୁଣି, ଭଲଭାବରେ ବୁଢ଼ୀଟିର ଦେହ ପରୀକ୍ଷା କଲେ । ତା'ପରେ ଆବଶ୍ୟକ ଔଷଧ ସହ କିଛି ଟଙ୍କା ଦେଇ କହିଲେ, ” ମାଉସୀ, ମନାକରନି, ଏ ସବୁ ପାଖରେ ରଖ,କାମରେ ଆସିବ ।” 

 ଥତମତ ହୋଇ ବୁଢ଼ୀଟି ସେତକ ଧରିଲା । 

  ଏଥର ପାଖରେ ଛିଡ଼ା ହୋଇଥିବା ଝିଅର ଗାଲକୁ ଟିକେ ଚିମୁଟି ଦେଇ, ଡାକ୍ତରବାବୁ ହସିହସି କହିଲେ, "ତୁ ଆଗରୁ ଆଉ ଟିକେ ସାନ ଥିଲାବେଳେ ମୋତେ କେତେଥର ପଚାରିଛୁ,"ବାପା,କଳିକା କହିଲେ କ'ଣ ?" ମୁଁ ମଧ୍ୟ ଉତ୍ତରରେ କହିଛି, 'ଫୁଲକଢ଼ି' । ଆଜି ବି ତୁ କଢ଼ଟିଏ, କାଲି ଫୁଲଭଳି ଫୁଟିବୁ । ତୋ ମହକରେ ଆଖପାଖ ଦେଶ-ଦୁନିଆ ମହକାଇ ଦେବୁ ।” 

 ” ବାବା, ମୁଁ ପୁଣି ଫୁଲ ଭଳି ମହକିବି କେମିତି ?" ତୁ ପଚାରୁ । 

   ଆଜି ମୁଁ ସେ ପ୍ରଶ୍ନର ଉତ୍ତର ପୁଣିଥରେ ଦେଉଛି,” ଠିକ ଏମିତି । ଅସୁବିଧା ଏବଂ ଦୁଃଖ-କଷ୍ଟରେ ପଡ଼ିଥିବା ଲୋକଙ୍କୁ ଆଉ ଜୀବଜନ୍ତୁମାନଙ୍କୁ ଆମଦ୍ୱାରା ସମ୍ଭବ ହେଉଥିବା ସାହାଯ୍ୟ ଓ ସହଯୋଗ କରି । ମନ୍ଦିର ଯାଇ-ଭୋଗ ଲଗାଇ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଈଶ୍ୱର ଯେତିକି ସନ୍ତୁଷ୍ଟ ହୁଅନ୍ତି, ଏମିତି ଅନ୍ୟର ଉପକାର କଲେ ତା'ଠାରୁ ଅଧିକ ତୋଷ ହୁଅନ୍ତି ।” 

 ” ହଁ ବାବା,ମୁଁ ଜାଣିଛି ପରା,ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, ସେଥିପାଇଁ ତ ପୂଜାଲାଗି ନେଉଥିବା ଭୋଗ ସାମଗ୍ରୀକୁ ଏଇ ଭୋକିଲା ବୁଢ଼ୀମା'ଙ୍କୁ ଖୁଆଇ ଦେଲି ।” କଳିକା ଉତ୍ତର ଦେଲା।

  ବୁଢ଼ୀଟି-ଜଳଜଳ କରି ଚାହିଁ ଶୁଣୁଥାଏ ବାପ-ଝିଅଙ୍କର କଥାକୁ।ପୂରା ନ ହେଲେ ବି ସେ ଠଉରେଇ ଅଧାଅଧି ବୁଝୁଥାଏ । 

  ଏଥର କଳିକା ବାପାଙ୍କ ପାଖରୁ ଆଉ କିଛି ଟଙ୍କା ନେଇ ସେ ବୁଢ଼ୀମା' ଲାଗି -ଫଳ,ମୂଳ ଓ ବିସ୍କୁଟ ପାଉଁରୁଟି

କିଣିଦେଲା । ତା'ପରେ ଘରକୁ ଫେରିବା ପାଇଁ ଗୋଟିଏ ଅଟୋରିକ୍ସା ଡାକି ତାକୁ ବସେଇ ଦେଲା । 

  ବୁଢ଼ୀଟି ଗାଡ଼ିରୁ ଟିକିଏ ଝୁଙ୍କିପଡ଼ି-କଳିକାର ମୁଣ୍ଡକୁ ଆଉଁଶି ଦେଇ କହିଲା, ” ମାଆ ଲୋ,ତୋତେ କଇଲାଣ କରୁଚି, ତୁ ସବୁବେଳେ ସୁଖରେ ରହ,ତୋ ଚଲାବାଟରେ ଫୁଲପଡ଼ୁ । ତୁ ପାଠ ଶାଠ ପଢ଼ି ବଡ଼ମଣିଷ ହଅ; ଆଉ ମୋଅରି ଭଳି ଦୁଃଖୀ ଲୋକର, ଦୁଃଖକଷ୍ଟ ଦୂରକରି ସୁନାମ ଅରଜ ।” 

   ଫିକକରି ଟିକେ ହସିଦେଇ, ଏଥର ହାତ ହଲାଇ ବୁଢ଼ୀମା'କୁ ବିଦାୟ ଜଣେଇଲା କଳିକା । 



Rate this content
Log in