STORYMIRROR

Lipi Sahoo

Others

3  

Lipi Sahoo

Others

କଲିକତି ନଟେଇ

କଲିକତି ନଟେଇ

2 mins
613

କଟକିଆ ମାନଙ୍କର ପାଗଳାମୀ ଟିକେ ଅଗଲା ପ୍ରକାର ।ଆରେ ନା, ଆପଣ ମାନେ ଯାହା ଭାବୁଛନ୍ତି ତାହା ନୁହେଁ। ସେମାନଙ୍କ ଅହେତୁକି ପରମ୍ପରା ପ୍ରୀତି ଜୀବନଶୈଳୀକୁ ବେଶ୍ ପ୍ରବାଭିତ କରିଥାଏ। କରିବା ବି ସ୍ୱଭାବିକ। ହଜାରେ ବର୍ଷର ପୁରୁଣା ସହର,ରୂପାର ସହର, ଭାଇଚାରାର ସହର ପରି ଉପମାରାଜି ।ତା ସହିତ ଆମ ଦହିବରା,ଆମ ବାଲିଯାତ୍ରା,ଆମ ଖୋକାଭାଇ ପରି ଆତ୍ମୀୟତା ନିଆଁ ରେ ଘିଅ ପରି କାମ କରେ। 

            ଖାଣ୍ଟି କଟକିଆ ଡଙ୍କବାବୁ ୟେ ପ୍ରଗଳଭତାରୁ ବାଦ ପଡିଥାନ୍ତେ ବା କିପରି ?? ବୟସ ଅର୍ଦ୍ଧଶତକରୁ ଉର୍ଦ୍ଧ୍ଵ।ବେଉସା ରାଜନୀତି। ଯୋବ୍ରା ନିବାସୀ। ତାଙ୍କ ବାପାଙ୍କ ଜେଜେବାପା ଅମଳରୁ ସେମାନେ କଟକ ବାସିନ୍ଦା। ତେଣୁ ତାଙ୍କ ରକ୍ତ,

ଶିରାପ୍ରଶିରା,ଧମନୀରେ କଟକର ପାଣି ପବନ ପ୍ରବାହିତ। 

            ତାଙ୍କର ଯଦି କୌଣସି ଜିନିଷ ପ୍ରତି ସବୁଠୁ ବେଶୀ ଦୁର୍ବଳତା ଥାଏ,ତେବେ ସେଇଟା ହେଲା ତାଙ୍କ କଲିକତି ନଟେଇ। ଦୀର୍ଘ ୩୫ ବର୍ଷର ସଂପର୍କ। ହାଇସ୍କୁଲ ରେ ପଢିଲା ବେଳେ ଜେଜେବାପା ଆଣି ତାଙ୍କୁ ଦେଇଥିଲେ। ଆଉ କଟକରେ ମକରସଂକ୍ରାନ୍ତି ଓ ଗୁଡିଉଡାର ମେଣ୍ଢାବାଳ ଜଡାତେଲ ଭଳି ଘନିଷ୍ଠ ସଂପର୍କ। ଏଇ ୩୫ ବର୍ଷ ଭିତରେ ଏମିତି ଗୋଟେ ବି ମକରସଂକ୍ରାନ୍ତି ଯାଇନାହିଁ ଯେଉଁଥିରେ କି ସେ ଗୁଡ଼ି ଉଡ଼େଇ ନାହାଁନ୍ତି। ମୁକ୍ତ ଆକାଶରେ ପବନର ତାଳେ ତାଳେ ପହଁରି ବୁଲୁଥିବା ରଙ୍ଗବେରଙ୍ଗ ଗୁଡ଼ି ଗୁଡ଼ିକର ମୋହ ରେ ଯିଏ ପଡ଼ିଛି ସେ ଜାଣିଛି। କେତେ ରକମର ଗୁଡ଼ି ପଟ୍ଟାଦାର , ଠିକିରୀ, ଚିଡ଼ିଆ .... ତା ସହ କାନିଖାଇବା,ଗୋଥ, ପେଚ ଆଦି କେତେ ଶବ୍ଦାବଳୀର ଆଭରଣରେ ମଣ୍ଡିତ ଏହି ଗୁଡ଼ି ଉଡା।ଏଟା ଗୋଟେ ନିଶା ଆକାଶକୁ ଛୁଇଁବାର, କାଳ୍ପନିକ ଆଧିପତ୍ୟ ବିସ୍ତାର ର....।

ରଙ୍ଗବତୀ ସହ ପ୍ରେମ ଆଉ ବିବାହ ଏଇ ଗୁଡ଼ି ଯୋଗୁଁ। ଗୁଡ଼ି ଦୋକାନରେ ପ୍ରଥମ ଦେଖା ସାକ୍ଷାତ ହେଇଥିଲା।ଭାଇ ସାଙ୍ଗେ ଗୁଡ଼ି କିଣିବାକୁ ଆସିଥିଲେ। ପୁଅର ଜନ୍ମ ବି ସେଇ  ମକରସଂକ୍ରାନ୍ତି ରେ, ଗୁଡ଼ି ଉଡ଼େଇବା ବେଳେ । ଜେଜେମା ଆସି କହିଲା "ପୁଅର ବାପ ହେଲୁ ଏଠି ବସି ଗୁଡ଼ି ଉଡଉଥା...."। କେତେଯେ ସ୍ମୃତି ଜଡ଼ିତ....ନମ୍ବରି ସୂତାରେ ନିଜେ ମାଞ୍ଜା ମାରନ୍ତି। ସାଙ୍ଗସାଥୀ ପ୍ରୀୟାପ୍ରୀତି ସବୁ କିଛି ଏଇ କଲିକତି ନଟେଇରେ ଗୁଡା ହେଇଥିବା ସୂତା ପରି ତାଙ୍କ ସ୍ମୃତିରେ ଗୁଡେ଼ଇ ହେଇ ଅଛନ୍ତି।

           

           ହେଲେ ଆଜି କେମିତି କେଜାଣି ଆଲମିରାରୁ ଜିନିଷ କାଢୁ କାଢୁ ନଟେଇଟି ଗଳି ପଡ଼ିଲା...ଆଉ ତା ଗୋଟେ ପଟ ବେଣ୍ଟ ଭାଙ୍ଗି ଗଲା। ଯା... ସେତେବେଳରୁ ତାଙ୍କ ଅକଲ ଗୁଡୁମ୍। ସାରା ଘରକୁ ମୁଣ୍ଡରେ ଉଠେଇ ସାରିଲେଣି। ରଙ୍ଗବତୀ କହୁକହୁ କହିଦେଲେ "ଭାଙ୍ଗିଲା ଯଦି ଭାଙ୍ଗିଲା ଆଉ ଗୋଟେ କିଣି ଆଣିବ"। ଫିଡିକି ଉଠି ଡଙ୍କବାବୁ କହିଲେ "ତମର ଯେତିକି ର ମୁଣ୍ଡ ସେମିତି କଥା କହିବ। ତମେ କାହୁଁ ବୁଝିବ ତା ମୂଲ୍ୟ"।  "ହେ଼ଁ...କ'ଣ କହିଲ କ'ଣ କହିଲ ,ଯେତିକି ର ମୁଣ୍ଡ....ସେଟା ସୁନାଟା ନା ହୀରାଟା ତା ମୂଲ୍ୟ ବୁଝିବି"?? ଉଷୁନାହାଣ୍ଡି ପରି ମୁହଁ ଟା କୁ କରି ଡଙ୍କବାବୁ ବାହାରିଗଲେ ସୁକୁଟା ବଢେଇ ପାଖକୁ। ରାସ୍ତା ସାରା ମନେ ପଡୁଥାଏ ଖୋକାଭାଇ ଗୀତ "କଲିକତି ନେଟେଇ ମୋର ,ନମ୍ବରି ସୂତାରେ ମାଞା....ଉଡି ଉଡି ଉଡି ଯା ମୋ...... ଗୁଡ଼ି...."।

           ସୁକୁଟା ଏପଟ ସେପଟ କରି ନଟେଇକୁ ପରୀକ୍ଷା କଲା..ଓଠ ଓଲଟେଇ କହିଲା ଏଥିରେ ଆଉ ଦମ୍ ନାହିଁ, ନୂଆ ବେଣ୍ଟ ଲଗେଇଲେ ପୁରା ଭାଙ୍ଗିଯିବ । କହିବ ଯଦି ଅଠା ମାରି ଯୋଡିଦେବି ହେଲେ ଆଉ ମଜବୁତ୍ ହେବନି"। ଡଙ୍କବାବୁ ଙ୍କ ଆଖିରେ ଲୁହ ଜକେଇ ଆସିଲା। ମନେ ମନେ କହିଲେ ହଇରେ ସୁକୁଟା, ତୁ ମୋ ନଟେଇ କଥା କହୁଚୁ ନା, ଆମର ବିଗତ ଦିନର ପରମ୍ପରା ଗୁଡିକ ବିଷୟରେ କହୁଚୁ.... ସେ ଗୁଡାକ ବି ସେମିତି ଆଧୁନିକତାର ଚାକଚକ୍ୟ ଭିତରେ ଜୋରଜବରଦସ୍ତ ଆଠାଦିଆ ବେଣ୍ଟ ଭଳି ଯୋଡ଼ା ହେଇ ରହିଛି... କେତେବେଳେ କେଉଁଠି ଖସିପଡ଼ି ପୂରା ହଜି ବି ଯାଇପାରେ। ଏଇଟା କ'ଣ ସତରେ ମୋର ସେଇ କଟକ ସହର ନା କଙ୍କାଳସାର ହୋଇ ପଡିଥିବା ଏକ ଭଗ୍ନ ଉପତ୍ୟକା???

           ଆଉ ମନ ମାନିଲାନି ଯାଇ ମହାନଦୀ କୂଳରେ ଘଡ଼ିଏ ବସିଲେ.... ବାସ୍ତବିକ୍ ଆଜି ମୁଁ ପ୍ରୌଢ଼ ହେଇ ଯାଇଛି.... ଏ ନଟେଇ ମୋତେ ଆଜି ପର୍ଯ୍ୟନ୍ତ ସବୁଜ କରି ରଖିଥିଲା। ତା'ର ଶୂନ୍ୟସ୍ଥାନକୁ ଏବେ ପୂରଣ କରିବ କିଏ....???

            



Rate this content
Log in