Satyabati Swain

Others

5.0  

Satyabati Swain

Others

କଇଁଥା ହାତକୁ ଦରସିଝା ଜୀବନ

କଇଁଥା ହାତକୁ ଦରସିଝା ଜୀବନ

3 mins
499



ଅନେକ ଦିନ ପରେ କାରଖାନାରୁ ଦୁଇ ଦିନ ଛୁଟି ନେଇ ଥିଲା ବିଜୁ । ରାନୀ ତା ସ୍ତ୍ରୀ କୁ ଟିକେ ବାହାରକୁ ନେଇ ବୁଲେଇବ,ପାର୍କରେ ବସିବ, ଝାଲ ମୁଢି ଖାଇବ, ଗୁପ ଚୁପ୍ ଖାଇ ତା ପାଣି ପିଇବା ମଜ୍ଜା ନେବ ବିଜୁ। ରାନୀ କୁ କହିଛି ସେ ବି ଛୁଟି ନେବ ତା ମାଲିକାଣୀଙ୍କୁ କହି। ରାନୀ ଏବେ ମା ହେବାକୁ ଯାଉଛି।ପାଞ୍ଚ ମାସ ଚାଲିଛି ତାର ।   


          ଘରେ ବାପା ବୋଉ ଓ ଭଉଣୀ ଟିଏ। ବାପା ବୋଉଙ୍କୁ ଡାଇବେଟିସ୍ ଓ ହାଇ ବ୍ଲଡ଼ପ୍ରେସର୍। ଭଉଣୀଟି ପଢୁଛି। ସହର ତଳ ବସ୍ତିରେ ଗୋଟିଏ ଇନ୍ଦିରା ଆବାସ ଘର ତାର। ଆଉ ବଖରାଏ ମିଶେଇ,ବାରଣ୍ଡା ଟିଏ ବାହାର କରିଛି ବିଜୁ। ପିଲାଟି ବେଳୁ ଖଟୁଛି। ପଇସାର ଘୋର ଅଭାବ। ସେଥିପାଇଁ ସବୁଦିନ ଡବଲ୍ ଡିୟୁଟି କରେ ସେ।ଯେଉଁ ସାଙ୍ଗ ଛୁଟିରେ ରହିବାକୁ ଚାହାନ୍ତି ତାଙ୍କ କାମ କରି ବି ପଇସା ରୋଜଗାର କରେ ସେ। ଘରର ଯାବତିୟ ଖର୍ଚ୍ଚ ଅପେକ୍ଷା ବାପା ବୋଉଙ୍କ ଔଷଧ ଖର୍ଚ୍ଚ ମେରୁଦଣ୍ଡ ଦୋହଲାଇ ଦିଏ ବିଜୁର। ସେଇଥିପାଇଁ ଜୁଆଡୁ ଯେମିତି ରାତି ଦିନ ଖଟି ରୋଜଗାର କରେ। ସେଥିରେ ବଢିଲା ଭଉଣୀଟି ଓ ତା' ପାଠ ପଢା। ବାହାଘର ଚିନ୍ତା ବି ଘାରେ ତାକୁ।

        ବିଜୁ ଭାବେ ଦିନ ଚବିଶି ଘଣ୍ଟା ନ ହୋଇ ଅଠଚାଳିଶି ଘଣ୍ଟା ହୋଇଥିଲେ ସେ ଆହୁରି ଗୋଟେ ଡିୟୁଟି କରି ପାରନ୍ତା। ଦୂର ହୋଇ ଯାଆନ୍ତା ତାଙ୍କ ଅଭାବ।ବର୍ଷେ ହେଲା ରାନୀକୁ ବାହା ହେଲାଣି ସେ।ରାନୀଟି ଭାରି ଭଲ ଝିଅ। ବିଜୁ ଦୁଃଖ ବୁଝେ। ଅନ୍ୟ ସ୍ତ୍ରୀ ଙ୍କ ପରି କେବେ କିଛି ବରାଦ କରେନି। ବରଂ ନିଜେ ଅନ୍ୟ ଘରେ ବାସନ ମଜା ଓ ରୋଷେଇ କାମ କରି ତାକୁ ସାହାଯ୍ୟ କରେ, ଆର୍ଥିକ ସମସ୍ୟା ଲାଘବ କରେ।

     ଏବେ ସେ ମା ହେବାକୁ ଯାଉଛି।ନୂଆ ସଭ୍ୟ ଜଣେ ଆସିବ ତାଙ୍କ ଘରକୁ। ଆହୁରି ପଇସା ଦରକାର। ରାନୀ ବି ନିଜ ପିଲା ଛାଡି ବାସନ ମାଜିବାକୁ ବା ରୋଷେଇ କରିବାକୁ ଯାଇ ପାରିବ ନାହିଁ କିଛି ଦିନ। ଭାରି ଅସୁବିଧା ହେବ ଚଳିବାକୁ। ଏଣୁ ଟିକେ ବି ସମୟ ଫୁଲା ଫାଙ୍କାରେ ଦେବାକୁ ଦେଉନି ସେ। କିଛି ନା କିଛି କାମ ଓ ରୋଜଗାର ତାର ମୁଖ୍ୟ ଲକ୍ଷ୍ୟ। ଏଇ ଚକ୍କରରେ ରାନୀ ପ୍ରତି ଘୋର ଅନ୍ୟାୟ କରୁଛି ସେ।

       ଏଣୁ ଛୁଟି ନେଇଛି ଦୁଇଦିନ ଭଉଣୀର ଦଶମ ପରୀକ୍ଷା କଥା ସ୍କୁଲ ଯାଇ ବୁଝିବ। ବାପା ବୋଉଙ୍କ ଚେକ୍ଅପ୍ ସହ ରାନୀ କୁ ବି ଡାକ୍ତର ଦେଖେଇବ। ସେଇ ବାହାନାରେ ତାକୁ ଟିକେ ପିକ୍ଚର ଦେଖେଇବ,ପାର୍କରେ ଗୋଟିଏ ଗଛ ମୂଳେ ଘଡ଼ିଏ ବସିବେ ଓ ଆସୁଥିବା ନୂଆ ଅତିଥି କଥା ହେବେ। ଶ୍ରମିକ ସ୍ତ୍ରୀ ହେଲେ ବି ତାର ତ ଗୋଟିଏ ମନ ଥିବ??

          ଝଙ୍କା ଆମ୍ବ ଗଛ ତଳେ ପାର୍କର ଶେଷ ମୁଣ୍ଡରେ ବସିଛନ୍ତି ବିଜୁ ଓ ରାନୀ। ବିଜୁଟିକେ ରସିକିଆ କରି ରାନୀ ଗାଲରେ ଚୁମାଟିଏ ଦେଇ କୋଳକୁ ଭିଡି ଆଣିଲା। ବିଜୁ ଛାତିରେ ରାନୀ ମୁହଁ। ରାନୀ ପିଠିରେ ଦୁଇ ପାପୁଲି ଛନ୍ଦି ବିଜୁ ମତୁଆଲା ହୋଇ ଉଠିଲା। ଘଡଘଡି ମାରିଲା ପରି ରାନୀ ଚମକି ପଡି ବିଜୁ ହାତ ଦିଟାକୁ ଧରି ପକାଇଲା। କ'ଣ ଯେ ଅଛି ଏ ହାତରେ ପିଠି ଚିରି ହୋଇ ଗଲାପରି ଲାଗୁଛି?

       ଇସ୍! ତୁମ ହାତ ଏତେ ରୁକ୍ଷ ଜାଦୁରା ଯାଦୁରା!! ଖଟି ଖଟି ଏ ହାତ ଦିଟା କଣ କଲଣି!! ଅଭାବ ରାକ୍ଷସ ରାନୀ ଓ ବିଜୁ କୁ ଘଡ଼ିଏ ନିରୋଳା ସମୟ ଦେଇନି ପରସ୍ପର ଦେହ ମୁଣ୍ଡ ଦେଖିବାକୁ,ଯତ୍ନ ନେବାକୁ। କେବେ ବିଜୁ ଥିଲେ ରାନୀ ଯାଇଥିବ କାମକୁ ତ କେବେ ରାନୀ ଆସିଲେ ବିଜୁ ଥିବ କାରଖାନାରେ। ଆହା ବିଜୁ ତୁମ ହାତ!!!

       ହସି ଉଠିଲା ବିଜୁ। ଡରିଲୁକି ରାନୀ!!ଏ ପରା ଶ୍ରମିକର ହାତ। ଲୁହା ଠୁ ବି ଟାଣ। କଇଁଥା ଲାଗୁଛି ବୋଲି ମନ ଦୁଃଖ କରୁଛୁ!! ଆଲୋ ମୋ ଘରଣୀ !ସବୁ ମେହେନତି ମଣିଷଙ୍କ ହାତ ଏମିତି ସିଝା ସିଝା,କଇଁଥା ବାଇଗଣ ପରି। ନିଜ ଲହୁକୁ ପାଣି କରି ଝାଳ ବୁହାଇ ସେ ଦେଶପାଇଁ,ସବୁ ମଣିଷଙ୍କ ଅୟସ ପାଇଁ ଖାଦ୍ୟ,ବସ୍ତ୍ର,

ଗୃହ,ରାସ୍ତା,ପୋଲ,ବନ୍ଧ ବାଡ଼ ଓ ଅନ୍ୟାନ୍ୟ ଜିନିଷ ତିଆରି କରେ। ଦେଶର ବିକାଶ ହୁଏ,ଲୋକେ ସୁଖରେ

ରୁହନ୍ତି। ହେଲେ ଜାଣିଛୁ ଶ୍ରମିକର ଜୀବନ ଦେହ,ମନ ସବୁ ଦରସିଝା,କଇଁଥା ଟାଆଁସିଆ ହୋଇ ଯାଏ।

     ଶ୍ରମିକ ଶ୍ରେଣୀ ସବୁବେଳେ ଖଟେ ସବୁ ଗଢ଼େ,କିନ୍ତୁ ତା ପେଟ ପୁରେନି,ଦେହ ଲୁଚେନି ସବୁବେଳେ ନିଅଣ୍ଟିଆ ଅଭାବୀ ଜୀବନ। ତୁ ନିଜ ହାତ ଦେଖୁନୁ ବାସନ ମାଜି ଲୁଗା କାଚି, ରୋଷେଇ କରି କରି ଅହର୍ନିଶି କେମିତି ନରମ ହଜେଇ ସାରିଲାଣି।

     ରାନୀ ତା ମରଦ ବିଜୁର ହାତକୁ ଚୁମି ଚାଲୁଥିଲା। ଲୁହ କିନ୍ତୁ ଗଡୁଥିଲା ଛାତି ମଝିକୁ। ବିଜୁ ରାନୀ ର ଆକୁଳ ମୁହଁ ସହ ଗୋଟା ଯାକ ଦେହକୁ ନିଜ ଦେହରେ ଜାବୁଡି ଧରି କହୁଥିଲା ଜାଣିଲୁ ରାନୀ ଏଇମିତି ସମଗ୍ର ଶ୍ରମିକ ଶ୍ରେଣୀର ଭାଗ୍ୟ,କଇଁଥା ହାତକୁ ଦରସିଝା ଜୀବନ।

ଏଇତକ ରେ ଆମର ଆନନ୍ଦ ଲୋ ରାନୀ।

       ଚାଲ ଦି ଟା ଗୁପ ଚୁପ୍ ଖାଇ ଖଟା ପାଣି ପିଆ ମଜ୍ଜା ନେବା କହି ବୀର ଦର୍ପରେ ରାଜାଙ୍କ ପରି ବିଜୁ ତା ସ୍ତ୍ରୀ ରାନୀ ହାତ ଧରି ଯାଉଥିଲା ଗୁପ୍ ଚୁପ୍ ଗାଡି ପାଖକୁ।



Rate this content
Log in