Subal Mohapatra

Others

5.0  

Subal Mohapatra

Others

କିଏ କହେ ତାକୁ ଛଳନା ପୁଣି

କିଏ କହେ ତାକୁ ଛଳନା ପୁଣି

10 mins
556



"ବଣ୍ଟି, ଏ ବଣ୍ଟି....ଉଠୁଛୁ ନା ନାହିଁ ? ନଅ ଟା ବାଜିଲାଣି ଏ ପିଲାର ନିଦ ଭାଙ୍ଗୁନି" କହି ଜୋରରେ ହଲେଇ ଦେଲା ମା ।


ମୁଁ ବଣ୍ଟି, ବଣ୍ଟି ମିଶ୍ର। କୁଳିନ ବ୍ରାହ୍ମଣ। ଗାଁ ରେ ଥିଲାବାଲା ଘରର ଏକମାତ୍ର ପୁତ୍ର। ପ୍ରାୟ ପଚାଶ ସରିକି ଏକର ଜମିର ମାଲିକ ମୁଁ। ଘରେ ଆଠଟି ହଳିଆ ମୂଲିଆ କାମ କରନ୍ତି। ମୁଁ ଏ ବର୍ଷ ଦଶମ ପାସ କରି କଲେଜ ଯାଇଛି। ପ୍ରେମ ମୋ ଦେଇ ହେଲାନି । କେହି ଜଣେ ବି ଭଲ ଲାଗି ନାହାନ୍ତି ଏବେ ଯାଏଁ, ଯେଉଁଠି ମୋ ସାଙ୍ଗ ମାନେ ପ୍ରାୟ ଗୋଟେ, ଯୋଡ଼େ କିମ୍ବା ତିନିଟା ଗାର୍ଲ ଫ୍ରେଣ୍ଡ କରି ବେଳେ ବେଳେ ବଜାର ବୁଲା ଓ ସିନେମା ଦେଖାରେ କଲେଜ ବଙ୍କ ମାରନ୍ତି । ସେଠି ମୁଁ ଅତ୍ୟଧିକ ଦେହ ଖରାପ ନହେଲେ ସବୁ କ୍ଲାସ କରେ। ଗୋଟେ ବି ମିସ କରେନି। ଏତିକି ପରିଚୟ ଯଥେଷ୍ଟ ବୋଧେ, ଯାହାକୁ ଅଧିକ ଦରକାର ପଚାରି ପାରିବେ। ମୁଁ ଉତ୍ତର ଦେବି ।


ଓହୋ, ମଣିଷ କି ମସ୍ତ ସ୍ବପ୍ନଟେ ଦେଖୁଥିଲା, ଏ ଘରେ ମଣିଷକୁ ସ୍ବପ୍ନବି ଦେଖିବାକୁ ଦେବେନି.... ଛେ... ନିଦୁଆ ନିଦୁଆ ଆଖିରେ ଆଖି ମଳି ମଳି ଚାରି ଆଡକୁ ଚାହିଁଲି ମୁଁ। ମା କେତେବେଳୁ ରୁମ ଭିତରୁ ବାହାରକୁ ଯାଇ ସାରିଥିଲା, ମୁଁ ଏବେ ସ୍ବପ୍ନଟି ମନେ ପକେଇଲି....


ଅଗନା ଅଗନି ବନସ୍ତ। ବନସ୍ତ ଭିତରେ ଗୋଟେ ପୋଖରୀ। ପୋଖରୀ ଭିତରେ କାଚ କେନ୍ଦୁ ପରି ପାଣି। ବଣ ର ଗଛ ସବୁ ଆକାଶ ଛୁଇଁଲା ପରି ଲାଗୁଥାନ୍ତି। ମାଟି ଉପରେ ସୂର୍ଯ୍ୟ କିରଣ ପଡି ପାରୁ ନଥାଏ। ମୋ ହେଲିକ୍ୟାପ୍ଟରରୁ ମୁଁ ଓହ୍ଲେଇ ବଣ ଭିତରେ ଚାଲିଥାଏ। ହାତରେ ଗୋଟେ ଖଣ୍ଡା, କାନ୍ଧ ରେ ଧନୁ ଓ ତୀର। ଖଣ୍ଡା ରେ ବୁଦୁ ବୁଦୁକିଆ ଗଛ କାଟି ରାସ୍ତା କରି ମୁଁ ମାଡି ଚାଲିଥାଏ ଆଗକୁ ଆଗକୁ। ରାଜ୍ୟର ସବୁଠୁ ବଡ ବ୍ୟାଙ୍କରୁ ସବୁ ଟଙ୍କା ଲୁଟି, ଡକାୟତ ମାନେ ସବୁ ଏଇ ଜଙ୍ଗଲରେ ଲୁଚିଥାନ୍ତି। ରାଜ୍ୟର ପ୍ରଧାନ ମନ୍ତ୍ରୀ (ରାଜା ରାଜୁଡା ଅମଳର ରାଜ୍ୟ) ମୋତେ ଆଦେଶ ଦେଇଥାନ୍ତି ଡକାୟତ ଗ୍ୟାଙ୍ଗକୁ ଧରିବା ପାଇଁ। ମୁଁ ଏବେ ଜଙ୍ଗଲ ଭିତରେ ଚାଲିଥାଏ ସେମାନଙ୍କ ଉଦ୍ଦେଶ୍ୟରେ। ହଠାତ ଏତେ ସୁନ୍ଦର ପୋଖରୀ ଦେଖି ଅଟକି ଗଲି। ପୋଖରୀ ରୁ ପାଣି ପିଇ ପାଖରେ ଥିବା ବରଗଛ ମୂଳରେ ଟିକେ ଶୋଇ ଯିବାକୁ ମନ ଡାକୁଥାଏ। କିନ୍ତୁ ଜୀବ ଜନ୍ତୁ ଓ ଡକାୟତଙ୍କ ଭୟରେ ନ ଶୋଇ ଆଗକୁ ଯିବାକୁ ମନସ୍କ କଲି। ତଥାପି ଆଖି ମାଡି ପଡୁଥାଏ। ନିଦ ଆସିଲେ ତ ଚଉଦ ବ୍ରହ୍ମାଣ୍ଡ ଅନ୍ଧାର ଦେଖାଯାଏ, ସେଠି ଚୋର, ସରୀସୃପ କୁଆଡୁ ଦିଶିବେ? ଦେଖୁ ଦେଖୁ ଆଖି ମାଡି ପଡିଲା।


ଆଖି ଖୋଲିଲା, ରାତି କେତେ ଘଡି ହୋଇଥିବ ଜଣା ନାହିଁ। ମୁହଁ ହାତ ଧୋଇବାକୁ ପୋଖରୀ କୁ ଗଲି। ଅଳ୍ପ ଅଳ୍ପ ଜହ୍ନ ଆଲୁଅ ପଡି ପୋଖରୀ ର ପାଣି ଚିକ ମିକ କରୁଥାଏ। ବହୁତ ସୁନ୍ଦର ଦେଖାଯାଉଥାଏ ସେ ଦୃଶ୍ୟ। ପୋଖରୀ ଭିତରେ କିଛି ଦୂରରେ, ଏତେ ସୁନ୍ଦର ଝିଅଟିଏ ଗାଧୋଉଥିବ ବୋଲି ମୋର ଧାରଣା ନଥିଲା। ଆଖି ଲାଖିଗଲା ତା'ଠି... ଆଃ... କେଉଁ ଦେଶର ରାଜକନ୍ୟା ନିଶ୍ଚେ। ହେଲେ ଏତେ ରାତିରେ, ବିନା ସହଚରୀଙ୍କ ସହ କେହି କଣ ପୋଖରୀ ରେ ଗାଧୋଇବା ପାଇଁ ଆସିପାରେ ? ନା ନା....ଇଏ ମନୁଷ୍ୟ ନୁହେଁ, ନିଶ୍ଚିତ ଭାବେ କେହି ଦେବୀ ଅଥବା ପରୀ। ଗାଢ଼େଇ କି ଅନେଇଲି, ନା....ପରୀ ର ପର ଥିଲା ପରି ଲାଗୁ ନଥିଲା। ସେ ଯିଏ ବି ହେଉ, ଆଉ କିଛି ନଭାବି ତା ରୂପ ରେ ମୁଁ ମଜ୍ଜି ଗଲି। କି ସୁନ୍ଦର ଗ୍ରିବା, ସୁନ୍ଦର କେଶ ପରିପାଟି, ସୁନା ଧଡି ଥିବା ମଖମଲି ପୋଷାକ। ଅଣ୍ଟା ଠାରୁ ମୁଣ୍ଡ ଯାଏଁ ଦଶ ପନ୍ଦର ଥର ଆଖି ବୁଲେଇ ସାରିଲା ପରେ ଭାବିଲି ଯାଇ ପଚାରିବି କି? କିନ୍ତୁ ସେ ଡରି ଯିବନି ତ? କିଛି ଭାବିବନି ତ? କାଳେ କେଉଁ ଚୋର, ଡକାୟତ ଭାବି ଯଦି ଆକ୍ରମଣ କଲା? କିଛି ବିଶ୍ବାସ ନାହିଁ। ରାତି ଅଧରେ ଯିଏ ଏକା ଏକା ଏ ଜଙ୍ଗଲ ଭିତରେ ଥିବା ପୋଖରୀରେ ଗାଧୋଇ ପାରେ, ସେ ନିଶ୍ଚେ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ହୋଇଥିବ। ତଥାପି ମନଟି ଅଟକି ଗଲା ।


ଛେ....ମା କୁ ବି ଏଇ ସମୟ ରେ ଡାକିବାକୁ ଥିଲା ? ଆଉ ଟିକେ ହେଇଥିଲେ କିଛି ନହେଲେ ତା ନାଁ ଟା ତ ପଚାରି ପାରିଥାନ୍ତି, ରାଗ ଆସୁଥିଲା ମା ଉପରେ..... ।


ପଅର ଦିନ ରାତିରେ ଦେଖିଥିବା ସ୍ବପ୍ନ ଟି ପୁଣି ଥରେ ଦେଖିବା ପାଇଁ କାଲି ଶୀଘ୍ର ଶୋଇଗଲି, କିନ୍ତୁ ନା ଆଜି କାଇଁ ସେ ଦେଖା ଗଲାନି। ଛାଡ଼... ଏବେ ସେ ସ୍ବପ୍ନ ଟି ପାଇଁ ପୁଣି ଅପେକ୍ଷା କରିବାକୁ ଲାଗିଲି....।


ବଣ୍ଟି...ଏ ବଣ୍ଟି , ପାଠ ପଢ଼ିବାର ଆଉ ନାହିଁ କି? ସବୁଦିନ କଣ ସକାଳୁ ଡେରି ରେ ଉଠୁଛୁ। ସେଇତ ନିଆଁଲଗା ମୋବାଇଲ...ଖାଇଲା ସବୁ ଛୁଆଙ୍କୁ। ସବୁ ଶେଜରେ ପଡି ସେ ଫାଳିକିଆ ମେସିନ କୁ ଖାଲି ଖେଞ୍ଚିଲେ। ରାତିରେ ଜଲଦି ଶୋଇଲେ ସିନା ସକାଳୁ ଉଠି ପାଠ ପଢନ୍ତୁ....ଏ ମୋବାଇଲ କିଏ ତିଆରି କଲା କେଜାଣି... ଇତ୍ୟାଦି ଇତ୍ୟାଦି....ମା, ମୋବାଇଲ ଆଉ ମୋବାଇଲ ତିଆରି କରିବା ଲୋକର ର ଚଉଦ ପୁରୁଷ ଉଝାଳୁ ଥାଏ, ମୁଁ କିନ୍ତୁ ରାତିରେ ଦେଖିଥିବା ସ୍ବପ୍ନକୁ ମନେ ପକେଇବାକୁ ଲାଗିଲି....।


ଦୁଇଦିନ ପରେ ପୁଣି ସେ ଦେଖାଗଲା ସ୍ବପ୍ନରେ, ଠିକ ଯେଉଁଠୁ ଛାଡିଥିଲି ସେଇଠୁ.... ମୁଁ ତାକୁ ଏକ ଲୟରେ ଚାହିଁଥାଏ। ସେ ପୋଖରୀ ଭିତରେ ଗାଧୋଉ ଥାଏ। ମୁଁ ତାକୁ ପଚାରିବି ପଚାରିବି ହେଉଥିଲି, କିନ୍ତୁ କଣ? କଣ ପଚାରିବି? ତୋ ନାଁ କଣ? ତୋ ଘର କେଉଁଠି? ତୁ ମଣିଷ ନା ଅପ୍ସରୀ? କଣ ପଚାରିବି ଭାବି ପାରୁ ନଥାଏ। ମୁହଁ ତଳକୁ କରି ଚିନ୍ତା କଲା ବେଳକୁ ହଠାତ ପାଖରୁ କାହାର ପାଟି ଶବ୍ଦ ଶୁଣି ତା ଆଡକୁ ଅନେଇଲି। ରୂପରେ ମୁଗ୍ଧ ହୋଇ ମୋର ବେହୋସ ହେବା ଅବସ୍ଥା। ସେ କହି ଚାଲିଥାଏ, " ଅବନ୍ତି ଦେଶ ର ରାଜକୁମାର, ଏତେ ରାତିରେ ଏ ନିର୍ଜନ ଅରଣ୍ୟ ରେ କଣ କରୁଛନ୍ତି?


ଆଃ...କି ସୁନ୍ଦର କଣ୍ଠସ୍ୱର, ସତେ ଅବା କେହି ଜଣେ ବଇଁଶୀ ବଜେଇବାର ଶବ୍ଦ। ଏତେ ପାଖରେ ତାକୁ ଦେଖି ଚମକି ପଡିଲି। ହସି ହସି ଗଡ଼ିଗଲା ସେ। କହିଲା, "ମୁଁ ଭୂତ ନୁହେଁ ମ, ମୁଁ ଏ ପାଞ୍ଚାଳ ଦେଶର ରାଜକୁମାରୀ। ହଠାତ ରାତିରେ ନିଦ ନ ହେବାରୁ ରାଜ୍ୟ ଭିତରେ ବୁଲୁ ବୁଲୁ ଏ ଜଙ୍ଗଲ ଆଡେ ଚାଲି ଆସିଲି। କେଜାଣି କେହିଜଣେ ହାତଠାରି ଡାକିଲା, କିନ୍ତୁ ଯେତେ ଭିତରକୁ ଭିତରକୁ ପଶିଲି ସେହି ଶବ୍ଦ କାହିଁକି ଘୁଞ୍ଚି ଘୁଞ୍ଚି ଗଲା। ଆସୁ ଆସୁ ହାଲିଆ ହୋଇ ଯାଇଥିଲି। ଏଠାରେ ଏ ପୋଖରୀ ଦେଖି ଟିକେ ଗାଧୋଇ ପଡିବାକୁ ଇଚ୍ଛା ହେଲା।


ଆପଣ ମୋତେ କେମିତି ଚିନ୍ହିଲେ? ଛାତି ଧଡ଼ ଧଡ଼ କମି ନଥିଲେ ବିଗୋଟେ ନିଶ୍ୱାସ ରେ ପଚାରିଦେଲି ମୁଁ।


ଅଳ୍ପ ହସି ସେ କହିଲା, କିଛି ଦିନ ପୂର୍ବରୁ ମୁଁ ସଖୀ ମାନଙ୍କ ପାଖରୁ ଆପଣଙ୍କ ତୈଳଚିତ୍ର ଦେଖିଥିଲି। ଭଲ ବହୁତ ଭଲ। ତେବେ ଆପଣ ଏଠି ଯେଉଁ ଚୋର ମାନଙ୍କୁ ଧରିବାକୁ ଆସିଛନ୍ତି, ସେମାନେ ଏବେ ଏଠାରୁ ମାତ୍ର ଦୁଇ କିଲୋମିଟର ଦୂରତା ରେ ଆଣିଥିବା ଟଙ୍କା ସୁନା ଭାଗ କରୁଛନ୍ତି। "ଓଃ ଧନ୍ୟବାଦ ଏ ସୂଚନା ପାଇଁ"ବୋଲି କହି ମୁଁ ସେ କହିଥିବା ଦିଗରେ ଘୋଡା ଛୁଟେଇଲି। ଚୋରଙ୍କୁ ଧରି ରାଜ୍ୟକୁ ଆଣି ରାଜାଙ୍କ ଜିମା ଦେବାପରେ ଅହରହ ମୁଁ କିଛି ଯନ୍ତ୍ରଣା ରେ ଛଟପଟ ହେବାକୁ ଲାଗିଲି। ମୋ ମୁଣ୍ଡରେ ବହୁତ ଗୁଡିଏ ପ୍ରଶ୍ନ ଉଙ୍କି ମାରିବାକୁ ଲାଗିଲେ। ସେ କେମିତି ଜାଣିଲା ଦୁଇ କିଲୋମିଟର ଦୂରରେ ଚୋର ମାନେ ଟଙ୍କା ସୁନା ଭାଗ କରୁଛନ୍ତି ବୋଲି? ଯଦି ଜାଣିଥିଲା ତେବେ ସେମାନଙ୍କୁ କାବୁ କଲାନାହିଁ କାହିଁକି? ସେମାନେ କଣ ଏକୁଟିଆ ଝିଅଟିଏ କୁ ରାତି ଅଧରେ ଦେଖିଲା ପରେ ସେମିତି ଛାଡିଦେଲେ? ଇଏ ନିଜେ ସେମାନଙ୍କ ଦ୍ବାରା ଚୋରି କରେଇ ନଥିଲା ତ? ଏମିତି ହଜାରେ ପ୍ରଶ୍ନ କିନ୍ତୁ ଉତ୍ତର ପାଇ ପାରୁ ନଥିଲି।


କଣ ଇଏ? କାହିଁକି ଏମିତି ଘଟୁଛି? କାହିଁକି ରାତିରେ ଶୋଇ ପାରୁନି ମୁଁ? ବଡ ବିଚଳିତ ଲାଗୁଛି। ତେବେ କଣ ମୁଁ ? ପ୍ରେମ ରେ ଅଛି ? କେଜାଣି? ନା ରହସ୍ୟ ଉନ୍ମୋଚନ କରିବାର ଜିଜ୍ଞାସା ମୋ ମନରେ ଉଙ୍କି ମାରୁଛି? ମୁଁ କିଛି ବି ଜାଣି ପାରୁ ନଥିଲି।ବିଚଳିତ ହୋଇ, ଟେନସନ ରେ ମୋ ଦେହରୁ ଝାଳ ବାହାରି ଯାଉଥାଏ। ଠିକ ଏତିକି ବେଳେ ମା କୁ ଡାକିବାର ଥିଲା...ଛେ....ପୁଣି ସେ ସ୍ବପ୍ନ କୁ ଅପେକ୍ଷା କରିବାକୁ ପଡିବ। ଜଣା ନାହିଁ ପୁଣି ମୁଁ ସେ ସ୍ବପ୍ନ ଆଉଥରେ ଦେଖି ପାରିବି କି ନାହିଁ। ମୁଁ ଦିନ ରାତି ବସି ସେ ସ୍ବପ୍ନ ବିଷୟରେ ଭାବିବାକୁ ଲାଗିଲି। ସତରେ ପାଠ ପଢା ପୁରା ଚୁଲିକୁ ଯାଇ ସାରିଥିଲା। ନା କଲେଜ, ନା ଟିଉସନ, ନା ସକାଳ, ନା ସନ୍ଧ୍ୟା, ଏ ସ୍ବପ୍ନ ମୋତେ ଏତେ ଆବୋରି ବସିଥିଲା ଯେ ତା ବ୍ୟତୀତ ଆଉ କିଛି ବିଷୟରେ ମୁଁ ଚିନ୍ତା ବି କରିପାରୁ ନଥିଲି।


ଏ ଭିତରେ ଗୁଡ଼େ ଦିନ ବିତି ସାରିଥାଏ। ସେ ସ୍ବପ୍ନ ଆଉ ମୋତେ ଆସୁ ନଥାଏ। ମୁଁ ବି ଦୈନଦୀନ ଜୀବନରେ ପଡି ତାକୁ ଭୁଲିବାକୁ ବସିଥାଏ, ହଠାତ ଦିନେ ରାତିରେ ମୁଁ ପୁଣି ସେଇ ସ୍ବପ୍ନ ଦେଖିଲି। ଯେଉଁଠି ଛାଡିଥିଲି ଠିକ ସେଇ ଜାଗାରୁ। ଏଥର ମୁଁ ପୁଣି ସେଇ ଜଙ୍ଗଲକୁ ଆସି ସେ ଝିଅଟିକୁ ଅପେକ୍ଷା କଲି, ଦିନ ପରେ ଦିନ ବିତି ଚାଲିଥାଏ, ରହସ୍ୟ ଉନ୍ମୋଚନ ନହେବା ଯାଏଁ ମୁଁ ରାଜ୍ୟ କୁ ଫେରିବିନି ବୋଲି ନିଷ୍ପତ୍ତି ନେଇଥାଏ। ଏ ଭିତରେ ଦିନ ପରେ ମାସ ବିତି ତିନିମାସ ବିତି ସାରିଥାଏ। ମୋ ମୁହଁରେ ନିଶ, ଦାଢ଼ି ଭର୍ତି ହୋଇ ସାରିଥାନ୍ତି। ସେଇ ପୋଖରୀ କୂଳରେ ମୁଁ କୁଡ଼ିଆ ଟିଏ କରି ମାଛ, ଫଳମୂଳ ସହ ଜଙ୍ଗଲରୁ ଜନ୍ତୁ ଶିକାର କରି ପେଟ ଭର୍ତି କରି ଅପେକ୍ଷା କରିଥାଏ ସେ ଝିଅକୁ। ହଠାତ ଦିନେ ରାତି ଅଧରେ ପୁଣି ପାଣି ର ଚଭ ଚଭ ଶୁଭିଲା। ମୋ କୁଡ଼ିଆରୁ ବାହାରି ବାହାରକୁ ଆସି ଦେଖେ ତ ସେଇ ଝିଅଟି। ଏଥର ମୁଁ ଝାମ୍ପି ପଡିଲି, ହାତ ଧରି ତାକୁ ବାହା ହେବା ପାଇଁ ନିବେଦନ କଲି। ହୋ ହୋ ହସରେ ବନ ଭୂମି ଯେମିତି ପ୍ରକମ୍ପିତ ହୋଇ ଉଠିଲା। ଡର ଟିକେ ଟିକେ ଲାଗୁଥିଲେ ବି ତାକୁହିଁ ବାହା ହେବି ବୋଲି ନିଷ୍ପତ୍ତି ନେଇଛି ଓ ତା ପାଇଁ ଦୀର୍ଘ ତିନିମାସ ଧରି ଏଇଠି ଅପେକ୍ଷା କରିଛିବୋଲି ସୁଚେଇ ଦେଲି। ଆଉ ଥରେ ପୁଣି ହୋ ହୋ ହୋଇ ହସି ଉଠିଲା ସେ । କହିଲା," ଦୀର୍ଘ ଅଠର ଶହ ବର୍ଷ ଆଗରେ ତିନିମାସ କଣ ବହୁତ ବେଶୀ ?" । ମୁଁ କିଛି ବୁଝି ନପାରି ଆଖି ପଲକ ନ ପକେଇ ତା ଆଡ଼କୁ ଚାହିଁ ରହିଲି। ଅଳ୍ପ ଟିକେ ମୁଚୁକୁନ୍ଦ ମାରି କହି ଚାଲିଲା ସେ," ଅଠର ଶହ ବର୍ଷ ପୂର୍ବେ, କାଞ୍ଚନ ଦେଶର ରାଜା ଜୟ ବର୍ମା ମୋ ବାପାଙ୍କୁ ଯୁଦ୍ଧ ରେ ପରାସ୍ତ କରି ମୋତେ ନେଇ ଆସିଲେ। ତାଙ୍କ ପାଖରେ ମୋତେ ମିଶେଇ ତିନିଶହ ରାଣୀ ଥାଆନ୍ତି। ଆମେ ସବୁ ହାରେମ ରେ ରହୁଥାଉ, ତୁମେ ସେ ରାଜ୍ୟ ର ମନ୍ତ୍ରୀ ପୁତ୍ର ଆମ ଖାଇବା, ପିଇବା, ଭଲ ମନ୍ଦ ସବୁ ବୁଝିଥିଲ। ଆଉ ଆସ୍ତେ ଆସ୍ତେ ଆମ ଦୁଇ ଜଣଙ୍କ ଭିତରେ ପ୍ରେମ ହେଇଗଲା। ତୁମେ ତୁମ ହାତରୁ ନାଲି ରକ୍ଷା ସୂତ୍ର ଖୋଲି ମୋ ଆଗରେ ପ୍ରତିଜ୍ଞା କରିଥିଲ ଯେ ମୋତେ ବାହା ହେବ ବୋଲି। ସେ ଦିନୁ ମୁଁ ତୁମକୁ ଅପେକ୍ଷା କରିଛି। କୌଣସି ଏକ ଯୁଦ୍ଧ ରେ ତୁମେ ବିରଗତି ପ୍ରାପ୍ତ ହେଲ ଓ ମୁଁ ତୁମକୁ ନପାଇ ଏ ଖବର ଶୁଣି ହାରେମ ଭିତରେ ଆତ୍ମହତ୍ୟା କଲି। ଏତେ ବର୍ଷ ପରେ ମୋ ଆତ୍ମହତ୍ୟା ର ପାପ ମୋଚନ ହେବାରୁ ମୁଁ ତୁମକୁ ଦୃଶ୍ୟ ହେଉଛି, ହେଲେ ମୁଁ ଏକ ଅଶରିରୀ। ମୋ ପୁନର୍ଜନ୍ମ ମୁଁ ନିର୍ଧାରଣ କରି ସାରିଛି, ତୁମେ ବି ଶୀଘ୍ର ଆସିବ, ମୁଁ ତୁମକୁ ଅପେକ୍ଷା କରିବି। ଆମେ ବାହାହେଲେ ଯାଇ ଆମ ପ୍ରତିଜ୍ଞା ପୂର୍ଣ୍ଣ ହେବ। ଯଦି ମୁଁ ଆଗ ଜନ୍ମ ନିଏ ଓ ତୁମେ ପଛରେ ଆସ ତେବେ ତୁମେ, ତୁମ ପ୍ରତିଜ୍ଞା ଭାଙ୍ଗି ପାରିବ। ହେଲେ ମୋତେ ଖୋଜି ମୋଠାରୁ ରକ୍ଷା ସୂତ୍ର ଟି ଫେରେଇ ନେଲେ ହିଁ ମୁଁ ଏଥିରୁ ମୁକ୍ତ ହେବି।


ଏ ଏ ଏ ବଣ୍ଟି, ଉଠୁଛୁ ନା ଦେଖିବୁ ଏଇଲେ ? ବାଡ଼ି ଖଣ୍ଡେ ଧରିକି ଗଲେ ପିଠିରୁ ଚୋପା ଛଡେଇ ଦେବି। ବୁଝିଲୁ ? ପାଠ ଶାଠ ସବୁ ଚୁଲିକି ଗଲାଣି ୟେ ଆସି ଦିନ ନଅଟା ଯାଏଁ ଶୋଇବ... ଉଠୁଛୁ ନା ଦେଖିବୁ ?


ଉହୁଁ.....ୟେ ବି.....ପୁରା ସ୍ବପ୍ନ ଟା କୀର୍କିରା କରିଦେଲା। ଏବେ କଉଠି ପାଇବି ତାକୁ ? ମା ବି.... ଛେ......


ଗୋଟେ ଗୋଟେ ମୁହୂର୍ତ୍ତ ମୋତେ ଗୋଟେ ଗୋଟେ ବର୍ଷ ପରି ଲାଗୁଥାଏ। ପ୍ରେମରେ ଏତେ ଶକ୍ତି ଥାଏ ଏହା ମୋ ଚିନ୍ତା ବାହାରେ ଥିଲା। ଜଣେ କଣ ଅଠର ଶହ ବର୍ଷ ଧରି ଜଣଙ୍କୁ ଅପେକ୍ଷା କରିପାରେ? ହେଲେ ଏହା ତ ଏକ ସ୍ବପ୍ନ ମାତ୍ର। ସତରେ କଣ ପ୍ରେମ ଏତେ ସୁନ୍ଦର? ଏତେ ଶାଶ୍ୱତ? ଏତେ ଚିରନ୍ତନ? କେଜାଣି ? ମୋ ସାଙ୍ଗମାନେ ତ ମାସକୁ ଦୁଇଟା ଗାର୍ଲ ଫ୍ରେଣ୍ଡ ଚେଞ୍ଜ କରନ୍ତି...ହି ହି...କିନ୍ତୁ ମୁଁ  ? ମୋତେ କାହିଁକି ଆଜି ଯାଏଁ କେହିବି ପସନ୍ଦ କଲେ ନାହିଁ ? ତେବେ ଏ ସ୍ବପ୍ନ କଣ ସତ ? ମୁଁ କଣ ସତରେ ଅବନ୍ତି ଦେଶ ର ରାଜକୁମାର ଥିଲି ? ଆଉ ଏବେ ଏ ଗରିବ କୁଡ଼ିଆ ରେ ଜନ୍ମ ନେଇଛି ? ସେ କଣ ସତରେ ମୋ ପାଇଁ ଜନ୍ମ ନେଇଥିବ? ସେ କଣ ସତରେ ଏତେ ସୁନ୍ଦର ଥିବ? ସତରେ ସେ କଣ ମୋ ପାଇଁ ଅପେକ୍ଷା କରିଥିବ ? ଆଃ....ଏତେ ସବୁ ପ୍ରଶ୍ନ ର ଉତ୍ତର ଦେବ କିଏ ? ପୁଣି ଏକ ସ୍ବପ୍ନ ? ନା ଏ କାହାଣୀ ଅଧୁରା ରହିବ ଏହି ଜାଗାରେ ?

ସକାଳୁ ସକାଳୁ ମୁଣ୍ଡ ଗୋଳମାଳ ହୋଇ ଗଲାଣି, ଆହୁରି ଦିନ ପଡିଛି....ମୋତେ କଣ କରିବା ଦରକାର ଏବେ? ଆଉ ଥରେ ଶୋଇ ପଡିବି କି ? ହେଲେ ମା କଣ ଶୋଇବାକୁ ଦେବ ? ନା....


ଦିନ ପରେ ଦିନ ବିତି ଚାଲିଥାଏ, ଅମୀମାଂସିତ ପ୍ରଶ୍ନ ର ଉତ୍ତର ମିଳୁ ନଥାଏ। ପାଠ ପଢା ସତରେ ଚୁଲି କୁ ଯାଇ ସାରିଥାଏ। କଲେଜ, ଟିଉସନ ରୁ ଘରକୁ କଂପ୍ଲେନ ଆସିବା ଆରମ୍ଭ ହୋଇ ସାରିଥାଏ କିନ୍ତୁ ମୁଁ  ? ନା ବଦଳି ପାରୁଥାଏ ନା ସ୍ବପ୍ନ କୁ ଭୁଲି ପାରୁଥାଏ ।


ଏ ଭିତରେ ପ୍ରାୟ ଛଅ ମାସ ବିତି ସାରିଥାଏ। ମୁଁ ସ୍ବପ୍ନ କୁ ଭୁଲିବାକୁ ବସିଥାଏ। ପ୍ରଥମ ବର୍ଷ ର ପରୀକ୍ଷା ସରି ସାରିଥାଏ, ଏ ଖରା ଛୁଟି ରେ ଗରମ ରୁ ରକ୍ଷା ପାଇବା ପାଇଁ ଛାତ ଉପରେ ଶୋଉଥାଏ....ହଠାତ ଦିନେ ପୁଣି ଦେଖିଲି ସେ ସ୍ବପ୍ନ.... ଏଥର କିନ୍ତୁ ଚେହେରା ପରିସ୍କାର ଦେଖା ଯାଉଥାଏ। ମୁଁ ତାକୁ କେଉଁଠି ଦେଖିଲା ପରି ମନେ ହେଉଥାଏ। ପୂର୍ବଥର ଯେତେ ଥର ବି ଦେଖିଛି କିଛି ଝାପ୍ସା ଝାପ୍ସା ଭାବେ ଦେଖା ଯାଏ, ଏଥର କିନ୍ତୁ ପୁରା ପରିସ୍କାର ।


 ଆରେ...ହେ....ୟେ ତ ତିନିଦିନ ପୂର୍ବରୁ ଆମ କଲୋନୀ କୁ ନୂଆ କରି ଆସିଥିବା ମହାନ୍ତି ଅଙ୍କଲ ଙ୍କ ଝିଅ। ଯିଏ ଏ ବର୍ଷ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ପରୀକ୍ଷା ଦେଇଛି। ହେଲେ ସେ ତ ମୋଠୁ ବଡ଼ , ତେବେ କଣ ତାକୁ ପ୍ରେମ କରି ବିବାହ କରିବି? ନା ରକ୍ଷା ସୂତ୍ର ମାଗି ଆଣି ପ୍ରତିଜ୍ଞା ଭାଙ୍ଗିବି? ସେ କଣ ମୋ ଭଳି ସମାନ ସ୍ବପ୍ନ ଦେଖୁଥିବ? ସେ କଣ ଜାଣିଥିବ ଯେ ମୁଁ ହେଲି ତା'ର ଅଠର ଶହ ବର୍ଷ ପୂର୍ବର ପ୍ରେମିକ? ସତରେ ସେ କଣ ମୋତେ ରକ୍ଷା ସୂତ୍ର ଫେରେଇ ଦେବ? ନା ଜିଦ ଧରି ବସିବ ବାହା ହୋଇ ପ୍ରତିଜ୍ଞା ରକ୍ଷା କରିବା ପାଇଁ? ମାତ୍ର ବର୍ଷେ ସାନ ବଡ଼ ରେ କଣ ବିବାହ ନିଷେଧ ?


ହେଲେ ଏତେ ସବୁ ଦ୍ବନ୍ଦ ଭିତରେ ସେ କହିବାକୁ ଆରମ୍ଭ କଲା,"ଦେଖ, ମୋ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ନୁହେଁ ତ କେବେ ନୁହେଁ। ଏବେ ନିଷ୍ପତ୍ତି ତୁମର। ତୁମେ ମୋତେ ଗ୍ରହଣ କରିପାର ବା ପ୍ରତିଜ୍ଞା ଫେରେଇ ନେଇ ପାର। ଯାହାବି ତୁମ ଇଛା। ଏତେ ବର୍ଷ ର ପ୍ରତୀକ୍ଷା ପରେ ନିଶ୍ଚିତ ଭାବେ ତୁମ ଇଛା କୁ ବି ସମାନ ଭାବେ ସମ୍ମାନ ଦେବା ମୋ କର୍ତବ୍ୟ। ତୁମ ସବୁ ପ୍ରଶ୍ନ ର ଉତ୍ତର କାଲି ସକାଳୁ ତୁମକୁ ମିଳିଯିବ। କିନ୍ତୁ ଏବେ ତୁମକୁ ନିଷ୍ପତ୍ତି ନେବାକୁ ପଡିବ। ତୁମେ ମୋତେ ଗ୍ରହଣ କରିବାକୁ ଚାହଁ ନା ପ୍ରତିଜ୍ଞା ଫେରେଇ ନେବାକୁ ଚାହଁ? ଯାହା ବି ତୁମ ଇଛା..... ମୋତେ ଗ୍ରହଣ କରିବ ତ ?


ସେପଟେ ମା ର ଛାଟ, ଏପଟେ ସମ୍ପର୍କ ର ଦ୍ବାହି। ସେପଟେ ଅନ୍ୟ ଜାତି ପାଇଁ ସମାଜ ର ନାଲି ଆଖି ତ ଏପଟେ ଅଠର ଶହ ବର୍ଷର ପ୍ରତୀକ୍ଷା, ସେପଟେ ବାପାଙ୍କ ସମ୍ପତ୍ତି ରୁ ତେଯ୍ୟ ପୁତ୍ର ହେବାର ଭୟ ତ ଏପଟେ ପ୍ରେମ ର ବନ୍ଧନ..... ନା, ଆଉ ଭାବି ପାରିବିନି ।


 କେବଳ "ନା" ବ୍ୟତୀତ ବାକି ସବୁ ପାଟି ଭିତରେ ଜିଭ ଅଗରେ ରହିଗଲେ "ଠାଏ" କରି ଶବ୍ଦ ଟିଏ ହେବାରୁ। କିଛି ବୁଝିବା ପୂର୍ବରୁ ହାତ ଚାଲି ଯାଇଥିଲା "ପଛ" ଆଉଁସିବାକୁ। ମା ର ଛାଟ ଯେ ପଛରେ ବାଜି ସାରିଥିଲା ଏକଥା ବୁଝିବାକୁ ଆଉ ବାକି ନଥିଲା। କିନ୍ତୁ ସ୍ବପ୍ନ ଆଜି ପୁଣି ଅଧା ରହିଗଲା।


ମା ର ପାଟି," ଶହେ ଥର ଡାକି ସାରିଲିଣି, ଏବେ ଯାଏଁ ତୋ ନିଦ ଭାଙ୍ଗୁନି ? ପଧାନ ଘର ଗାଈ ପଶି ସବୁ ଗଛ ଖାଇ ସାରିଲେଣି। ଯା ଆଗ ଘଉଡେଇ ଦେଇ ଆ..."


ମୁଁ ଆଖି ମଳି ମଳି ଗାଈ ଘଉଡେଇବାକୁ ଯିବାବେଳେ, ମହାନ୍ତି ବାବୁଙ୍କ ଝିଅ ସାମ୍ନା ପଟୁ ଆସୁଥିବାର ଦେଖି ଅଟକି ଗଲି.....ହାତରୁ ତା ର ନାଲି ସୁତା (ଆଗରୁ ହାତରେ ଭିଡା ଯାଇଥିବା ରକ୍ଷା ସୂତ୍ର) ଟିଏ ଖସି ପଡୁଥିବାର ଦେଖି ସେ ଆଡକୁ ଦୌଡ଼ିଲି.....କିନ୍ତୁ ସବୁ ପ୍ରଶ୍ନ ର ଉତ୍ତର ଫେରେଇ ସୁତା ଖଣ୍ଡିକ ମାଟିରେ ପଡି ସାରିଥିଲା ମହାନ୍ତି ବାବୁଙ୍କ ଝିଅର ଅଗୋଚର ରେ.....ମୁଁ ପହଞ୍ଚିବା ପୂର୍ବରୁ ସେ ଆମ ଗଳି ର ବାଙ୍କ ବୁଲି ସାରିଥିଲା।


ହଠାତ ମୋର ମନେ ପଡି ଯାଉଥିଲା ତା'ର ଶେଷ ପ୍ରଶ୍ନ.... ମୋତେ ଗ୍ରହଣ କରିବ ତ ? ଆଉ ତା ସହ ମୋ ଉତ୍ତର...."ନା", ଯାହା କି ମା ଛାଟ ପାଇଁ ଅଧା ରହି ଯାଇଥିଲା ।


ଏତେ ସୁନ୍ଦର ଝିଅଟିଏ ହାତ ଛଡା ହୋଇ ଯାଇ ଥିବାରୁ ମନ ଦୁଃଖ ତ ହେଉଥିଲା ଜୋର....ତେବେ ଏ ସମୟ ରେ ମା'ର ମାଡ଼ ରୁ ବଞ୍ଚିବା ପାଇଁ ମନଦୁଃଖ ଠୁ ଅଧିକ ପଧାନ ଘର ଗାଈ ଘଉଡେଇବା ମୋ ପାଇଁ ଜରୁରୀ ଥିଲା ।


ତେବେ ଏ ଘଟଣାଟି କଣ ସତ ଥିଲା? ନା ଖାଲି ଏକ ସ୍ବପ୍ନ ? ମୁଁ ଆଜି ବି ଦ୍ଵନ୍ଦ ରେ..କିଏ କହେ ତା କୁ ଛଳନା ପୁଣି, କିଏ କହେ ତାକୁ ପ୍ରେମ ।



Rate this content
Log in