ଖୋସାମତିଆ
ଖୋସାମତିଆ


ଅନୁଭୁତି – ୧୩
ମୁଁ ନୂଆ ନୂଆ ଚାକିରୀରେ ଯୋଗ ଦେଇଥାଏ l ଯୋଗ ଦେବାର ଅଳ୍ପ କେତେ ଦିନ ପରେ ରାଜ୍ୟରେ ପ୍ରବଳ ବନ୍ୟା ହେଲା l ସରକାର ନିଷ୍ପତ୍ତି କଲେ କି ବନ୍ୟା କ୍ଲିଷ୍ଟ ଲୋକମାନଙ୍କ ପାଇଁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଖାଦ୍ୟ ପୁଡିଆ ଯୋଗାଇ ଦିଆଯିବ l ସେଥିପାଇଁ ଆବଶ୍ୟକୀୟ ସାମଗ୍ରୀ ସବୁ ଯଥା ଚୁଡା, ଗୁଡ, ବିସ୍କୁଟ୍, ମହମବତୀ, ଡିଆସିଲି, ଖିର ପାଉଡର ଆଦି ସଂଗ୍ରହ କରାଗଲା l ସେ ସବୁ ସାମଗ୍ରୀ ସାଧାରଣ ଭାବରେ ଗୋଟିଏ ଯାଗାରେ ଜମା କରି ତାକୁ ଜରି ମୁଣାରେ ଭର୍ତ୍ତିକରି ଜଉମୁଦ ଦେଇ ବସ୍ତା ମାନଙ୍କରେ ରଖି ଆକାଶ ମାର୍ଗରୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥାଏ l ଅନେକ କର୍ମଚାରୀ ଜରି ମୁଣା ପ୍ରସ୍ତୁତ କରିବାରେ ନିୟୋଗ ହୋଇଥାଆନ୍ତି l ମୁଁ ମଧ୍ୟ ସେମାନଙ୍କ ଭିତରେ ଜଣେ ଥିଲି l ରାତି ଦିନ କାମ ଚାଲିଥାଏ l ଆଶ୍ଚର୍ଯ୍ୟର କଥା କୌଣସି କର୍ମଚାରୀ କିଛି ଅଭିଯୋଗ ନକରି ଅହର୍ନିଶ କାମ କରୁଥାଆନ୍ତି l ସମସ୍ତଙ୍କର ଗୌଟିଏ ଲକ୍ଷ ଥିଲା l ସେମାନଙ୍କ ମନରେ ଗୋଟିଏ ଚିନ୍ତା ଥିଲା ଯେପରି ଏହି ସବୁ ସାମଗ୍ରୀ ଭର୍ତ୍ତି ଜରି ମୁଣା ସବୁ ବନ୍ୟା ପ୍ରପିଡିତ ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚି ପାରିବ l
ମୁଁ ଯେହେତୁ ନୂଆ ନୂଆ ଚାକିରୀରେ ଯୋଗ ଦେଇଥାଏ ଏସବୁ ମୋ ପାଇଁ ନୂଆ ଅଭିଜ୍ଞତା ଥାଏ l ସରକାରୀ ଚାକିରୀ କହିଲେ ଆମେ ସବୁ ବେଳେ ଭାବୁଥିଲୁ କୋଠା ଘରେ ବିଜୁଳି ପଙ୍ଖା ତଳେ ଦିନ ଦଶରୁ ପାଞ୍ଚ ପର୍ଯ୍ୟନ୍ତ ବସି ଅନ୍ୟ ସାଥୀ କର୍ମଚାରୀଙ୍କ ସହିତ ଦୁଇ ପଦ ଖୁସି ଗପ କରୁ କରୁ ଯାହା ଦୁଇଟି କାମ କରିଦେଇ ଘରକୁ ଆସିବା l କିନ୍ତୁ ଏହି କମରେ ନିୟୋଗ ହେବା ପରେ ସେ ଭ୍ରାନ୍ତ ଧାରଣା ବଦଳି ଗଲା l ବରିଷ୍ଠ ତଥା ସମସାମୟିକ କର୍ମଚାରୀ ଭାଇ ମନଙ୍କର ସେ ସମୟର ନିଷ୍ଠା ଓ ତତ୍ପରତା ଦେଖି ମୁଁ ନିଜେ ନିଜକୁ ଖୁବ୍ ଧନ୍ୟ ମନେ କରୁଥିଲି l ସବୁ ସରକାରୀ କର୍ମଚାରୀ ଭାଇ ଯଦି ନିଜ ନିଜକୁ ଜଣେ ଜଣେ ସମାଜ ସେବକ ବୋଲି ଭାବନ୍ତେ ତେବେ ଏ ଦେଶର ନେତା ସାଧାରଣ ଜନତାଙ୍କୁ ବିକାଶର ଶ୍ଲୋଗାନ ଦେଇ ଭୂଆଁ ବୁଲେଇବାର ସୁଯୋଗ ପାଇ ପାରନ୍ତେନି l
ମୁଁ କାମରେ ଯୋଗ ଦେଲା ବେଳକୁ ଦୁଇ ଦିନ ଧରି କାମ ଆରମ୍ଭ ହେଇ ସାରିଥିଲା l ମୋର ସେ ଦିନ ରାତି ଆଠଟାରୁ ତାପର ଦିନ ଭୋର ପର୍ଯ୍ୟନ୍ତ ନିୟୋଜନ ନିର୍ଦ୍ଦେଶ ରହିଥାଏ l ମୁଁ ପହଞ୍ଚିଲା ପରେ ସେହି କାମକୁ ତଦାରଖ କରୁଥିବା ଜଣେ ମଧ୍ୟ ବର୍ଗୀୟ ଅଧିକାରୀ ମୋତେ ଗୁଡ ବଣା ପାଖରେ ରହି ପ୍ରତିଟି ଜରି ମୁଣାରେ ନିର୍ଦ୍ଦିଷ୍ଟ ପରିମାଣର ଗୁଡ ରହିଲା କି ନାହିଁ ସେ ସବୁକୁ ନିଶ୍ଚିତ କରି ଦେଖିବାକୁ ନିର୍ଦ୍ଦେଶ ଦେଲେ l ଅନ୍ୟ ଯେଉଁ ମାନେ ସେ କାମରେ ନିୟୋଜିତ ଥିଲେ ତାଙ୍କ ସହିତ ମିଶି ମଁବ କାମ ଆରମ୍ଭ କଲି l ରାତି ସେତେବେଳକୁ ପ୍ରାୟ ନଅଟା ବାଜି ସାରିଥାଏ l ଆମ ଭିତରେ କଥା ପଡିଲା କିଏ କେମିତି ରାତ୍ରୀ ଭୋଜନ ପାଇଁ ଯିବେ l ମୁଁ ଘରୁ ଖାଇ କରି ଯାଇ ଥିବାରୁ ମୋର ସେ ଚିନ୍ତା ରହି ନଥିଲା l ଆମ ଭିତରୁ କେତେଜଣ ପାଖ ହୋଟେଲରେ କିଛି ଖାଇନେବାକୁ ଗଲେ ଓ ବଳକା କାମ ଜାରି ରଖିଲେ l କଥା ଥିଲା ସେମାନେ ଆସିଲେ ଏହି ବଳକା ଲୋକ ମାନେ ଖାଇବକୁ ଯିବେ l ଯାହା ହେଉଥିଲା ସମସ୍ତଙ୍କ ସହମତିରେ ହେଉଥିଲା l ରାତି ସାଢେ ନଅ ଖଣ୍ଡେ ହବ l ଯିଏ ଖାଇବାକୁ ଯାଇଥିଲେ ଜଣେ ଜଣେ ସବୁ ଫେରିବାକୁ ଲାଗିଥାଆନ୍ତି l ବଳକା ଯିଏ ଥିଲେ ତାଙ୍କ ଭିତରୁ ସେହି ପରିମାଣର ଲୋକେ ଖାଇବାକୁ ଯାଉଥିଲେ l କାମ ଖୁବ୍ ସୁରୁଖୁରୁରେ ଚାଲୁଥିଲା l ହସଖୁସି ଥଟ୍ଟା ଟାପରା ଭିତରେ କାମର ବାଧା ଜଣା ପଡୁ ନଥିଲା l ସେତେବେଳେ କାହା ମନରେ ନଥିଲା ମୁଁ ଅଧିକାରୀ, ସେ କର୍ମଚାରୀ ଇତ୍ୟାଦି l ସମସ୍ତେ ନିଷ୍ଠାର ସହିତ କାମରେ ଲାଗି ପଡିଥାଆନ୍ତି l ଏପରିକି ଆମ କାମକୁ ତଦାରଖ କରିବାକୁ ଉପସ୍ଥିତ ରହିଥିବା ଅଧିକାରୀ ମଧ୍ୟ ଆମ ସହିତ ମିଶି ନିଜେ କାମ କରୁଥିଲେ l
କାମ ଖୁବ୍ ଜୋରସୋରରେ ଚାଲିଥାଏ l କେତେବେଳେ ଯେ ରାତି ଅଧ ହେଇ ସାରିଥାଏ ଆମେ ଜାଣିନୁ l ଆମ ଦଳରେ ତଦାରଖକାରୀ ଅଧିକାରୀଙ୍କୁ ଛାଡି ଆମେ ସାତ ଜଣ ଥିଲୁ l ଆମେ କଥା ହେଲୁ କାମ ଚାଲୁ ରଖି ଆମ ଭିତରୁ ଦୁଇଜଣ ଲେଖାଏଁ ଅଧ ଅଧ ଘଣ୍ଟା ବିଶ୍ରାମ କରିବୁ l ସେହି ଅନୁସାରେ ଆମ ଭିତରେ ଯିଏ ବୟସ୍କ ଲୋକ ଥିଲେ ତାଙ୍କୁ ଅନୁରୋଧ କରଗଲା ଟିକିଏ ବିଶ୍ରାମ ନେଇଯିବା ପାଇଁ l ତାଙ୍କ କାମକୁ ଆମେ ବାଣ୍ଟିନେଲୁ ଏବଂ କାମ ଚାଲୁ ରଖିଲୁ l ଏହି ସମୟରେ ଜଣେ ବରିଷ୍ଠ ଅଧିକାରୀ ଝଡ ଭଳି ପଶି ଆସିଲେ କାର୍ଯ୍ୟସ୍ଥଳୀକୁ l ପଶୁ ପଶୁ ତାଙ୍କ ଆଖିରେ ପଡିଲା ଯେ ଦୁଇ ଜଣ କାନ୍ଥକୁ ଆଉଜି ବସି ଶୋଇ ଯାଇଛନ୍ତି l ସେଥିରେ ଅଧିକାରୀ ଜଣକ ପ୍ରଚଣ୍ଡ ରାଗି ଗଲେ l ଖୁବ୍ କଡା ଭାଷାରେ ସମସ୍ତଙ୍କୁ ଗାଳି ଦେଲେ ଏବଂ ଶୋଇଥିବା ବ୍ୟକ୍ତି ଦୁଇ ଜଣଙ୍କ ନମରେ କର୍ଯ୍ୟରେ ଅବହେଳା ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବାକୁ ଧମକ ଦେଲେ l ଯେଉଁ କର୍ମଚାରୀ ମାନେ ସେହି ଅଧିକାରୀଙ୍କୁ ଜାଣିଥିଲେ ସେମାନେ ସମସ୍ତେ ଏକଯୁଟ ହେଲେ l ଅଧିକାରୀଙ୍କର ଏତାଦୃଶ ବ୍ୟବହାରକୁ ନେଇ ସମସ୍ତେ ସାମୁହିକ ଅସନ୍ତୋଷ ପ୍ରକାଶ କରି କାମ ବନ୍ଦ କରିଦେବାକୁ ଚିନ୍ତା କଲେ l
ଉପରୋକ୍ତ ଅଧିକାରୀ ଜଣଙ୍କ ଆସନ୍ନ ବିପଦକୁ ଶୁଙ୍ଘି ନେଲାପରେ ତାଙ୍କ ପାଇଁ ଉଦ୍ଦିଷ୍ଟ କୋଠରି ଭିତରକୁ ପଶିଗଲେ l ଜଣେ କେହି ତାଙ୍କର ପରିଚାରକ ଖବର ଦେଲେ ବୁଢା ଶୋଇ ଗଲାଣି l ବୋଧ ହୁଏ ମାଲ ଟିକିଏ ପକେଇ ଦେଇଥିଲା l ସେଥିପାଇଁ ଉଦଣ୍ଡ ନୃତ୍ୟ କରୁଥିଲା l ହଲ୍ ଭିତରେ ଚାପା ହାସ୍ୟରୋଳ ସୃଷ୍ଟି ହେଲା ଏବଂ କିଛି ସମୟର ବ୍ୟବଧାନ ପରେ ପୁଣି କାମ ପୂର୍ବବତ୍ ଚାଲୁ ରହିଲା l ଏହି ସମୟରେ ମହାମାନ୍ୟ ରାଜ୍ୟପାଳଙ୍କ ଗାଡି ଥାଟ୍ଟ ପଟୁଆର ସହିତ କାର୍ଯ୍ୟସ୍ଥଳ ପରିସରକୁ ପ୍ରବେଶ କଲା l ଉପସ୍ଥିତ ଅଧିକାରୀ ମାନେ ରାଜ୍ୟପାଳଙ୍କୁ ସ୍ବାଗତ କଲେ l ଅବଶ୍ୟ ସେହି ସମୟରେ କୌଣସି ପ୍ରୋଟକଲ ବ୍ୟବସ୍ଥାକୁ ଅନୁସରଣ କରାଯାଇ ପାରିଲା ନାହିଁ l ରାଜ୍ୟପାଳ ମହୋଦୟ ଯଥାସାଧ୍ୟ ଚେଷ୍ଟାକରି କାର୍ଯ୍ୟ ସୁଚାରୁ ରୂପେ ତୁଲାଇବକୁ କର୍ମଚାରୀ ଭାଇମାନଙ୍କୁ ଅନୁରୋଧ କରୁଥାଆନ୍ତି l
କେହି ଜଣେ ବିବାଦୀୟ ଅଧିକାରୀଙ୍କୁ ଖବର କରିଦେଲା ହଲରେ ମାନ୍ୟବର ରାଜ୍ୟପାଳ ମହୋଦୟଙ୍କର ଉପସ୍ଥିତି ସଂପର୍କରେ l ସେ ହଠାତ୍ ଉଠିପଡି ଆସି ଆମ ପାଖରେ ଥିବା ଗୁଡ ବଣା ଭିତରେ ହାତଟାକୁ ପୁରେଇଦେଲେ l ଭୁଲି ଗଲେ ନିଜ ଫୁଲ୍ସାର୍ଟର ହାତଟାକୁ କହୁଣି ଯାଏଁ ଅନ୍ତତଃ ଟେକି ଦେବାକୁ l ସେହି ଅବସ୍ଥାରେ ସେ ପହଞ୍ଚିଗଲେ ମହାମହୀମ ରାଜ୍ୟପାଳଙ୍କ ପାଖରେ l ତାଙ୍କୁ ମାନ୍ୟ ପ୍ରଦର୍ଶନ ଆଳରେ ନିଜ ପାରିବା ପଣିଆକୁ ବଖାଣି ଚାଲିଲେ l ସେତବେଳକୁ କେହି ଜଣେ ଏହି ଅଧିକାରୀଙ୍କ ବିଷୟରେ ମନନୀୟ ରାଜ୍ୟପାଳଙ୍କୁ ଅବଗତ କରି ସାରିଥିଲେ l ପରବର୍ତ୍ତି ସମୟରେ ତାଙ୍କୁ ଏପରି ଅବସ୍ଥାରେ ଦେଖି ମାନନୀୟ ରାଜ୍ୟପାଳ ବିରକ୍ତି ପ୍ରକାଶ କଲେ l ହଲ ଭିତରେ ସମସ୍ତେ ଉକ୍ତ ଅଧିକାରୀଙ୍କ ଆଚରଣ ଦେଖି ଯେତିକି ବ୍ୟଥିତ ହେଇଥିଲେ ବର୍ତ୍ତମାନ ତାଙ୍କୁ ମାନନୀୟ ରାଜ୍ୟପାଳଙ୍କ ଭର୍ତ୍ସନାପରେ ସେତିକି କୁରୁଳୁ ଥିଲେ l କାମ କିନ୍ତୁ ଚାଲୁ ରହିଥାଏ l କିଛି ସମୟ ପରେ ଦେଖାଗଲା ମୁଖ୍ୟ ଶାସନ ସଚିବ ହଲରେ ଉପସ୍ଥିତ ହେଲେ ଏବଂ ଉକ୍ତ ବରିଷ୍ଠ ଅଧିକାରୀଙ୍କୁ ଭାରମୁକ୍ତ କଲେ l ବିଚରା ଅଧିକାରୀ ଜଣକ ଖୁବ୍ ଅସହାୟ ଅବସ୍ଥାରେ ହାତରୁ ବୋହି ପଡୁଥିବା ଗୁଡ ଛାଟି ଛାଟି ପରିସର ବାହାରକୁ ଯାଇ ଅଟୋ ଖୋଜିଥିଲେ l
( ସମାପ୍ତ )