TASNEEM SULTANA

Children Stories

4.5  

TASNEEM SULTANA

Children Stories

କାଉ ଓ ଗୁଣ୍ଡୁଚି ମୂଷା

କାଉ ଓ ଗୁଣ୍ଡୁଚି ମୂଷା

2 mins
420



ଥରେ କାଉଟିଏ ମନ ଦୁଃଖରେ ବସିଥାଏ । ଗୁଣ୍ଡୁଚି ମୂଷାଟିର ନଜର ତା ଉପରେ ପଡିଲା । କାଉଟି ତା ମନ ହାଲୁକା କରିବାକୁ ତା ମନ କଥା ତାକୁ ପଚାରି ବସିଲା ।କହିଲା- ଭାଈ ଦୁନିଆ ଯାକର ଅଳିଆ ଆବର୍ଜନା ମୁଁ ଖାଇ ପିଇ ସଫା କରିଦିଏ । ହେଲେ କିଛି ଲୋକେ ମୋତେ ଦେଖିଲେ ଦୁର୍ ଦୁର୍ ଛି ଛି କରନ୍ତି ।ଏଥିପାଇଁ ମୋ ମନ ଭାରି ଦୁଃଖ ।ତୁ ଏହାର କିଛି ସମାଧାନ ମୋତେ ବତେଇ ଦେ । ଗୁଣ୍ଡୁଚି ମୂଷାଟି କହିଲା ମୁଁ ତୋତେ ଏଇ ପଥରଟି ଦେଉଛି । ଏହାକୁ ନେଇ ତୁ ଚାରି ଜଣଙ୍କ ପାଖକୁ ଯିବୁ ।ସେମାନଙ୍କ ଠାରୁ ଏହାର ମୂଲ୍ୟ ପଚାରି ବୁଝିବୁ ।ହେଲେ କାହାକୁ ବିକ୍ରି ନକରି ସାତ ଦିନ ପରେ ମୋତେ ଏହାକୁ ଫେରେଇ ଦେବୁ । ତୋ ସମସ୍ୟାର ସମାଧାନର ବାଟ ତୁ ନିଜେ ପାଇ ଯିବୁ । କାଉ ଏଥର ଖୁସି ହୋଇ ଏହି ପଥରଟିକୁ ନେଇ ବିଲୁଆ ପାଖକୁ ଗଲା । ବିଲୁଆ ଏହାକୁ ନିରେଖି ଦେଖି କହିଲା । ଏହାର ମୂଲ୍ୟ ପଚାଶ ଟଙ୍କା ହେବ । ତୁ ମୋତେ ଏଇଟି ଦେଇଦେ । କାଉ ହଉ ଦେଖିବା କହି ଏଇ ପଥରଟିକୁ ନେଇ କୋକିଶିଆଳି ପାଖକୁ ଗଲା । ସେ ଏହି ପଥରଟିକୁ ଭଲ ଭାବରେ ଦେଖି କହିଲା -ଏହାର ଔଷଧୀୟ ଗୁଣ ରହିଛି ।ତୁ ସେସବୁ ବୁଝି ପାରିବୁ ନାହିଁ ।ଦେଖ୍ ତୁ ମୋଠୁ ପାଞ୍ଚ ଶତ ଟଙ୍କା ନେଇ ଏଇଟିକୁ ମୋତେ ଦେଇ ଦେ । କୋକି ମୁହଁରୁ ଏହାର ଏତେ ମୂଲ୍ୟ ଶୁଣି କାଉ ଆଶ୍ଚର୍ଯ୍ୟ ହୋଇଗଲା । ହଉ ଦେଖିବା କହି ସେ ସେଇ ପଥରଟିକୁ ନେଇ କାଠହଣା ଚଢେଇକୁ ଦେଖାଇଲା । କାଠହଣା ଏହାକୁ ପରୀକ୍ଷା କରି ମନେ ମନେ କହିଲା - ଆରେ ଏଇ ଏହାର ଭାଗ୍ୟ ଜୋର ଧରିଛି ।ନହେଲେ ଏ ରତ୍ନଟି କେଉଁଠୁ ପାଇଥାନ୍ତା ? ଦେଖ ଭାଈ ତୁ ପଚାଶ ହଜାର ନେଇ ଏଇଟିକୁ ମୋତେ ଦେଇ ଦେ । କାଠହଣା ମୁହଁରୁ ପଥରର ମୂଲ୍ୟ ଶୁଣି କାଉଟିର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ହଉ ଦେଖିବା କହି ଏହାକୁ ନେଇ ପାରା ପାଖକୁ ଗଲା ।ଏଇ ପାରାଟି ରାଜପ୍ରସାଦର ମଉଡମଣି ଥିଲା । ଏଇ ରତ୍ନଟିକୁ ନେଇ ରାଜାଙ୍କୁ ତାଙ୍କ ଜନ୍ମଦିନରେ ଉପହାର ଦେବା ପାଇଁ ପାରା ମନେ ମନେ ଯୋଜନା କଲା । ତେଣୁ ସେ କାଉଟିକୁ କହିଲା-ତୁ କ'ଣ ମାଗୁଛୁ ମାଗ୍ । ମୋତେ ଏଇଟି ଦେଇ ଦେ । ପାରା ମୁହଁରୁ ଏପରି କଥା ଶୁଣି କାଉଟି ଲୋଭ ବଢିଗଲା।ଏଥର ତା'ର ସମସ୍ତ ଦୁଃଖ ଦୂର ହୋଇଯିବ । ସେ ବହୁତ ଧନରତ୍ନର ମାଲିକ ହୋଇ ଯିବ । କିନ୍ତୁ ଗୁଣ୍ଡୁଚି ମୂଷାର କଥା ତାକୁ ମନେ ପଡିଗଲା । ତେଣୁ ସେ ସେଇ ପଥରକୁ ନବିକି ଗୁଣ୍ଡୁଚି ମୂଷା ପାଖକୁ ଆସି ପହଞ୍ଚଲା । କାଉଟି ଗୁଣ୍ଡୁଚି ମୂଷାଠାରୁ ସେଇ ପଥରର ଭିନ୍ନ ଭିନ୍ନ ମୂଲ୍ୟ ଜାଣିବାର ରହସ୍ୟ ପଚାରିଲା ।ଗୁଣ୍ଡୁଚି ମୂଷାଟି ହସି ହସି ଉତ୍ତର ଦେଲା । ଭାଈ-ତୁ ଜାଣିଛୁ 'ଗୁଣ ଚିହ୍ନେ ଗୁଣିଆ ଓ ସୁନା ଚିହ୍ନେ ବଣିଆ ।ଯିଏ ଯେମିତି ସିଏ ତା'ର ପାରିବା ପଣିଆ ଅନୁଯାଇ ପଥରର ମୂଲ୍ୟ କଷିଲା । ସେମିତି ତୋର ମୂଲ୍ୟ ତୋତେ ହିଁ ଜଣା ।ଏଇ ରାଇଜର ଅନେକ ଲେଖକ ଓ କବି କାଉ ଜାତିର ପ୍ରସଂସାରେ ହଜାର ହଜାର ଗଳ୍ପ ଓ କବିତା ଲେଖି ରାଜାଙ୍କ ଠାରୁ ଅନେକ ସମ୍ମାନ ପାଇଛନ୍ତି । ତୁ ନିଜକୁ ଜାଣି ଏ ସମାଜର ଉପକାର କରି ଚାଲ ।ଅନ୍ୟର ପ୍ରସଂଶାରେ ଖୁସି କି ସମାଲୋଚନାରେ ଦୁଃଖ ନକରି ତୋର କର୍ମ କରି ଚାଲ । ଦେଖିବୁ ତୋର ଦୁନିଆ କେତେ ସୁନ୍ଦର ହୋଇଯିବ ।ଏ ପୃଥିବୀ ହସି ଉଠିବ ।




Rate this content
Log in