କାନ୍ଦନା କହୁଛି
କାନ୍ଦନା କହୁଛି
କାନ୍ଦନା କହୁଛି
ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ମୁଁ ଦୁର୍ଗାପୂଜାରେ ଗାଁ କୁ ଯାଇଥାଏ । ଗାଁ କହିଲେ ଶାଶୂ ଘର ଗାଁ । ଘର ପୂଜା । ଦେବୀ ହୁଅନ୍ତି । ଖୁବ ଜାକ ଯମକରେ ପୂଜା ହୁଏ । ସାମନା ପଡିଆରେ ମେଳା ବସେ ତିନି ଦିନ ଧରି । ସମ୍ନାରାସ୍ତା କୋଳାହଳ ପୂର୍ଣ୍ଣ ଲାଗେ । ଘରେ ଘରେ ବନ୍ଧୁ ବାନ୍ଧବ ଭରି ଯାଆନ୍ତି । ମାଇକରୁ ଚଣ୍ଡୀପାଠର ଶବ୍ଦ ଭାସି ଆସେ । ମୋଟା ମୋଟୀ ଉପେରେ ପୂଜା ଚାରିଦିନ । ହୋ ହଲ୍ଲା ହୋଇ ଚଇ ରୁହେ ସେ ଗାଁ ହେଉ କି ସହର । ମୋ ଘରେ ଯଦି ବା ଲୋକ ଗହଳି ନ ଥିଲା ସମସ୍ତେ ଘରକୁ ଆସିବାରୁ ଘରଟା ପୁରି ଉଠୁଥିଲା । ସେ ସମୟରେ ଦିନରେ ଭାତ ହୁଏ ନାହିଁ । ପୂଜା ଭୋଗ ରୁଟି ପୁରୀ ଯିଏ ଯାହା ଖାଆନ୍ତି । ବଡ ଜା ଦୁଇ ଜଣ ସ୍ତ୍ରୀ ଲୋକ ନେଇ ଆସିଥାନ୍ତି ଘର କାମ ପାଇଁ । ଯିଏ ସବୁଠୁ ଲମ୍ବା ମୁଁ ତାକୁ ବଡ ବୋଉ ଆଉ ଆରକୁ ସାନ ବୋଉ ଡାକେ । ବଡ଼ବୋଉ ପଖାଳ ଖାଏ ଖରାବେଳେ । ସେ କହିବ ମୋତେ ରୁଟି ରୁଚେ ନି । ସେଦିନ ଥାଏ ମହାନବମୀ ଆମଘରୁ ନଡ଼ିଆ ଲଡୁ ଭୋଗ ଲାଗିଲା ସମସ୍ତେ ବ୍ୟସ୍ତ ଥିଲୁ ଖାଇବାକୁ ଚାରିଟା ବାଜିଲାଣି । ବଡ଼ ବଉ ଦାଣ୍ଡ ପିଣ୍ଡା ରେ ବସିଥିଲା । ମୁଁ ତା ପାଖକୁ ଯାଇ କହିଲି ବୋଉ ଖାଇ ବୁ ଚାଲ, କିଛି କହିଲାନି । ପୁଣି ଡାକିଲି ବୋଉ ଚାଲୁନୁ ତୋ ପଖାଳ ବଢା ହୋଇଛି,ଜମା ଶୁଣିଲାଣି । ଶାଢ଼ୀ କାନି ଧରି ଆଖି ପୋଛିଲା । ରାସ୍ତାକୁ ଅନେଇ ଭାବୁଛି ଆଉ କାନ୍ଦୁଛି । ଭାରି ପରିଷ୍କାର ବୁଢ଼ୀ ଆଉ ଯୋଉ କାମ ଦେଲେ କରିଦେବ । ମୁଁ ତାକୁ ଭାରି ଭଲପାଏ । ବଡ଼ ବୋଉ ତୁ କାନ୍ଦୁଛୁ । କାହିଁକି ? କିଛି ନ କହି ଆଖି ପୋଛିଲା । ବଡ଼ ବୋଉ ସତକହ ତୁ କାହିଁକି କାନ୍ଦୁଛୁ । ତୋତେ ଭୋକ ଲାଗିଗଲାଣି ବୋଧେ । ଉଠ ଖାଇବୁ । ସେ ଆଉ ଟିକେ ଜୋର କରି କାନିରେ ମୁହଁ ପୋଛିଲା । ବଡବୋଉ ତୁ ଜାଣିଛୁ ଘରେ ଦେବୀ ପୂଜା ପାଉଛନ୍ତି । ଆଜି ଭଳି ଦିନରେ ତୁ ଦାଣ୍ଡ ଦୁଆରେ ବସି କାନ୍ଦୁଛୁ । ସେ ମୋ କଥା କିଛି ଶୁଣୁ ନ ଥାଏ । ତା ହାତକୁ ଟିକେ ହଲେଇଦେଇ କହିଲି ବଉ କାନ୍ଦନା କହୁଛି । ସତ କହ କହିଁକି କାନ୍ଦୁଛୁ । ନ ହେଲେ ମୁଁ ତ ସାଥିରେ ବସି କାନ୍ଦିବି । କେତେବେଳ କରେ କହିଲା ଘର କଥା ମନେ ପଡୁଛି । ମୋ ଝିଅ ଘରକୁ ଆସିଥିବ ଶାଶୁ ଘରୁ । କହିଲି କେତେ ଦୂର ରେ ଝିଅ ରୁହେ ନା ଦୁଇ ଘଣ୍ଟା ରାସ୍ତା । ସବୁ ଶୁଣି ଭାବିଲି ହାଁ ସତ କଥା । ତ ଝିଅ ପୁଣି ତା ମା କୁ ଖୋଜୁଥିବ । ମୁଁ କହିଲି ବୋଉ ଶୁଣ ମୁଁ ଦୁଇ ଝିଅଙ୍କୁ ଛାଡି ଆସିଛି । ଏହି ସମୟରେ ସେମାନଙ୍କ ପରୀକ୍ଷା ଥାଏ । ମୋର ଦୁଇଦିନ ର ବାଟ । ତୋତେ ଦେଖି ମୋର ଛୁଆଙ୍କ କଥା ମନେ ପଡୁଛି । ଚାଲ ସାଙ୍ଗ ହୋଇ କାନ୍ଦିବା । ମୁଁ ତାକୁ ପ୍ରଥମ କରି ଦେଖିଲି । କିଛି ସମ୍ପର୍କ ନ ଥାଇ ମଧ୍ୟ କେତେସମାନ ଆମ ଚିନ୍ତାଧାରା । ଦୁଇ ବୁନ୍ଦା ଲୁହ ତା ସହ ଗଡେଇଲି । ସବୁ ବୁଝିଲା ବୋଉ । କହିଲି ଦୁଇ ବୋଉ ଲୁଗାପଟା ପିନ୍ଧି ବହାରିପଡ । ମେଳା ବୁଲିଯିବା । ସାନବୋଉ ଆସି କହିଲା ଏତେ କହୁଁଛନ୍ତି ଜା ଶାଢୀ ପିନ୍ଧିବୁ ଯିବା । ଏଥର ବଡ଼ବୋଉ ଉଠିଲା ଖୁସି ମନରେ ନାଲି ଜରି ଲଗା ଶାଢୀ ବାହାର କଲା । ହାଁ ସେଇଟା ପିନ୍ଧ । ସବୁ ସଜ ହୋଇ ପିଣ୍ଡା କୁ ଆସିବାରୁ ସେଲ୍ଫି ଗୋଟେ ନିଆ ଗଲା । ଚାଲିଲୁ ମେଳା ବୁଲି । ନୂଆ ଚୁଡି ଟିକିଲି ସିନ୍ଦୁର ପାନୀ ଆ ସବୁ କିଣାହେଲା । ବରା ପିଆଜି ସବୁ ନେଇ ଘରକୁ ଆସିଲେ । ମୋବାଇଲ ରେ ମୋ ବୋଉ ର ମିଶକଲ ଥିଲା । ଘରକୁ ଆସି କଲ କରିବାରୁ ପଚାରିଲା ନୂଆ ଶାଢ଼ୀ ପିନ୍ଧିଛୁ । ମିଛ କହିବାକୁ ପଡିଲା ହାଁ । ମୋ ପରିସ୍ଥିତି ରେ କିଛି ନୂଆ ସମ୍ପର୍କ ଯୋଡ଼ା ହୋଇ ସାରିଥିଲା । ସେଠି ଟିକେ ମିଛ ଚଳିବ । ଏ ନୂଆ ସମ୍ପର୍କ ନିଆରା ଥିଲା ।
ମୈତ୍ରେୟୀ କମିଳା
ନାଭି ମୁମ୍ବାଇ
