କାନ
କାନ


ଆମ ସମସ୍ତଙ୍କର ହଳେ ହଳେ କାନ ଅଛି।ସମସ୍ତେ ଜାଣିଛନ୍ତି କାନର କାମ ଶୁଣିବା ।ମାତ୍ର ଶୁଣିବା କାର୍ଯ୍ୟକୁ ଛାଡି କାନର ଆହୁରି ଅନେକ ସାମଗ୍ରିକ ଉପକାରିତା ଅଛି।ଦିନେ କାନ ବାବଦରେ ନିଜର କୌତୁହଳକୁ ଉପସ୍ଥାପନା କରିବା ପାଇଁ ଆଠ ବର୍ଷର ପିଙ୍କୁ ଓ ବାର ବର୍ଷର ପିଙ୍କି ଜେଜେଙ୍କୁ ଘେରିନେଲେ।ପିଙ୍କୁ ଓ ପିଙ୍କି ମନରେ ଯାହା ବି ପ୍ରଶ୍ନ ଉଠେ ତାର ଏକମାତ୍ର ଉପଚାର ଜେଜେଙ୍କ ପାଖରେ।ଜେଜେଙ୍କ ପାଖରୁ ଦୁହେଁ କେବେ ନିରାଶ ହୋଇ ଯାଇ ନାହାଁନ୍ତି।ଗୁଗୁଲ ଯେତେ ସତ ଓ ଭରସାଯୋଗ୍ୟ ଉତ୍ତର ଦିଏ ନାହିଁ ସେତିକି ଭରସା ଯୋଗ୍ୟ ଉତ୍ତର ଜେଜେ ଦିଅନ୍ତି।ତେଣୁ ଏ ଦୁହେଁ ଜେଜେଙ୍କୁ ଗୁଗୁଲ ଜେଜେ ମଧ୍ୟ ଡାକନ୍ତି।ସନ୍ଧ୍ୟ ସମୟ,କାନ ପାଖରେ ସନ୍ତୋଷ କମ୍ପାନୀର ରେଡ଼ିଓକୁ ଡେରି ଦେଇ ପାଲାମୃତ ଆକଣ୍ଠ ପାନ କରୁଥିଲେ।
ଜେଜେଙ୍କୁ କାହିଁକି କେଜାଣି ଲାଗିଲା ଏ ଦୁଇଟା ପ୍ରଶ୍ନର ପୁଟୁଳି ଧରି ଆସିଥିବେ।ଜେଜେ ଯଥା ସମ୍ଭବ ଚେଷ୍ଟା କରନ୍ତି ।ପିଲା ଦୁଇଟାଙ୍କର ସବୁ ପ୍ରଶ୍ନର ସମାଧାନ ହେଉ।କାରଣ ଏମାନଙ୍କ ପ୍ରଶ୍ନର ସମାଧନ ନହେଲେ ଏମାନଙ୍କ ମନକୁ ଶାନ୍ତି ମିଳିବ ନାହିଁ ଓ ଜିଜ୍ଞାସା ବି କମିଯିବ। ବାପା ଓ ମା ଦୁଇ ଜଣ ଯାକ ତ ବ୍ୟାଙ୍କ କର୍ମଚାରୀ ଟଙ୍କା ଦେବା ନେବା ଓ ଗଣିବାରେ ସମୟ ଯାଏ।ଅଫିସରୁ ଫେରିବା ପରେ ମଧ୍ୟ ଦୁହେଁ କାନ୍ଧ ଓ କାନର ମଧ୍ୟ ଭାଗରେ ମୋବାଇଲ ଟାକୁ ଖଞ୍ଜି ଦେଇ ବେକ ବଙ୍କା କରି ଖାଇଲା ବେଳେ,କାମ କଲା ବେଳେ ,ଲେଖା ଲେଖି କଲାବେଳେ ,ଲ୍ୟାପଟପ୍ ଚଲାଇବା ବେଳେ ପ୍ରାୟ ମୋବାଇଲଟିରେ ବ୍ୟସ୍ତ ଥାନ୍ତି।ସେମାନେ ତ ଗ୍ରାହକଙ୍କ ସମସ୍ୟା ସମାଧାନ କରି କରି କାନ ତତାଉ ଥାନ୍ତି ,ପିଲା ଦୁଇଟାଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ସମାଧାନ କେତେବେଳେ କରିବେ।
ନିଜ ବାପାଙ୍କ ଉପରେ ଭରସା ଅଛି।ଦୁହେଁ ଜାଣିଛନ୍ତି ପିଲା ଦୁଇଟାଙ୍କର ଯଦି ବୁଦ୍ଧିମତା ଆଜି ଏତେ ପ୍ରଖର ହୋଇଛି ତାର ପଛରେ କେବଳ ଓ କେବଳ ତାଙ୍କ ବାପାଙ୍କର ହାତ ଅଛି।
ଯେତେ ଯାହା ହେଲେ ସେ ଉଚ୍ଚ ବିଦ୍ୟାଳୟ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ।ବିଜ୍ଞନ, କଳା, ସଂସ୍କୃତି, ଦର୍ଶନ ସବୁଥିରେ ତାଙ୍କର ପାଣ୍ଡିତ୍ୟ।
ଦୁହିଁଙ୍କୁ ନିଜ ନିକଟ ବର୍ତ୍ତି ଆସୁଥିବାର ଦେଖି ଜେଜେ ରେଡ଼ିଓର ସାଉଣ୍ଡ ଟିକେ କମେଇ ଦେଲେ।
ଜେଜେ :- ଆରେ ପିଙ୍କୁ ପିଙ୍କି କଣ ହେଲା ? ତୁମେ ଦୁହେଁ ଏଯାଏଁ ଶୋଇ ନାହଁ ?
ପିଙ୍କୁ :- ନାଇଁ ଜେଜେ ନିଦ ଲାଗୁନାହିଁ ।
ପିଙ୍କି :-ଆମେ ଦୁଇଜଣ ଶୋଇଯିବୁ ଯେ ହେଲେ ଆମର ଦୁଇ ଚାରିଟା ପ୍ରଶ୍ନର ସମାଧାନ କରିଦିଅ ।
ଜେଜେ :- ଆରେ... ତୁମେ ଦୁଇଟା ନିଦରେ ଶୋଇବା ପୂର୍ବରୁ ମଧ୍ୟ କୌତୁହଳ ରଖିଛ। ହଉ ଭଲ ଭଲ....
ପିଙ୍କି :- ଆଛା ଜେଜେ କହିଲ ଆମେ ଯେତେବେଳେ ସ୍କୁଲରେ ଦୁଷ୍ଟାମୀ କରୁ ସେତେବେଳେ ଆମକୁ ଶିକ୍ଷକ କଣ ପାଇଁ କାନ ଧରି ଉଠ୍ ବସ୍ କରାନ୍ତି ଓ ଆମ କାନକୁ ମୋଡି ଶାସ୍ତି ଦିଅନ୍ତି
ପିଙ୍କୁ :- ମୋର ମଧ୍ୟ କାନ ବାବଦରେ ପ୍ରଶ୍ନ ଜେଜେ ।
ଜେଜେ :-ହଉ ଶୁଣା ତୋ ପ୍ରଶ୍ନ ତା ପରେ ଗୋଟିଏ ପରେ ଗୋଟିଏ ଦୁଇଜଣଙ୍କର ଉତ୍ତର ଦେବି।
ପିଙ୍କୁ :-ଆଛା ଜେଜେ କାନରେ କାହିଁକି ଗହଣା ପିନ୍ଧାଯାଏ।ଅପା କାନରେ କାହିଁକି ସୁନା ରିଙ୍ଗ ଲଗାଇଛି।ମୋ କାନରେ କାହିଁକି କଣା ହୋଇନାହିଁ ?
ଜେଜେ ପିଙ୍କୁ ପ୍ରଶ୍ନ ଶୁଣି ଠୋ ଠୋ ହୋଇ ହସିଲେ ...
ଜେଜେ:- ହେଲା ହେଲା ...ତୋ ପ୍ରଶ୍ନର ମଧ୍ୟ ଉତ୍ତର ଦେବି ପ୍ରଥମେ ପିଙ୍କି ପ୍ରଶ୍ନର ଉତ୍ତର କହୁଛି।
ତେବେ ଶୁଣ ପିଲାମାନେ ....
ପ୍ରଥମେ ଜାଣି ରଖ ,ଭାଗବାନ ମଣିଷ ଶରୀରକୁ ଗୋଟିଏ ଯନ୍ତ୍ରଭଳି ଗଢିଛନ୍ତି।ତୁମେ ଦେଖୁଛ ମୁଁ ଏ ଯେଉଁ ରେଡ଼ିଓ ଶୁଣୁଥିଲି ତାହା ମଧ୍ୟରେ କେତେ ଟ୍ରାନଜିଷ୍ଟର ,କେତେ ତାର ଆହୁରି କେତେକଣ ଲାଗିଛି।ତାହା ପୁଣି ଚାଲୁ ହେବାପାଇଁ ବିଦ୍ୟୁତ କିମ୍ବା ବ୍ୟାଟେରୀ ଦରକାର।ସେ କଥା ଛାଡ ଯଦି ରେଡ଼ିଓର ଅନେକ ତାର ମଧ୍ୟରୁ ଗୋଟିଏ ଛିଣ୍ଡିଗଲା ,ତାହେଲେ ରେଡ଼ିଓ ବାଜିବ କି ??
(ଦୁହେଁ ମୁଣ୍ଡ ହଲାଇଲେ ନାହିଁ )
ସେମିତି ଆମ ଶରୀରରେ ମଧ୍ୟ ଅନେକ ତାର ଅଛି ଯାହାକୁ ଆମେ ସ୍ନାୟୁ ବିଭାଗ କହୁଛେ।ରେଡ଼ିଓରେ ଯେମିତି ସବୁ ତାର ଟ୍ରାନ୍ସମିଟର ରେ ଲାଗିଛି ।ସେମିତି ଆମର ସବୁ ସ୍ନାୟୁ ଯାଇ ଆମ ମସ୍ତିଷ୍କରେ ଲାଗିଛି।ହାତ ,ଗୋଡ଼,ଆଖି, ଚମଡା, ଆଦି ସବୁ ଅଙ୍ଗର ତାର ଯାଇ ମସ୍ତିଷ୍କରେ ଲାଗିଛି।ସେହି ମସ୍ତିଷ୍କ ହିଁ ସବୁ ନିୟନ୍ତ୍ରଣ କରୁଛି।
ଏବେ ସିଧା ରିଙ୍କି ପ୍ରଶ୍ନର ଉତ୍ତର ଦେଉଛି।ଆଛା ପିଙ୍କି ଆଉ ଥରେ ପ୍ରଶ୍ନଟି କହ ।
ପିଙ୍କି :- ଆମେ ଯେତେବେଳେ ସ୍କୁଲରେ ଦୁଷ୍ଟାମୀ କରୁ ସେତେବେଳେ ଆମକୁ ଶିକ୍ଷକ କଣ ପାଇଁ କାନ ଧରି ଉଠ୍ ବସ୍ କରାନ୍ତି ଓ ଆମ କାନକୁ ମୋଡି ଶାସ୍ତି ଦିଅନ୍ତି।
ଜେଜେ :- ଏହି ଶାସ୍ତି ଦେବାର ପ୍ରଣାଳୀଟି ତଥା ଆହୁରି ଏମିତି ଅନେକ ଶାସ୍ତି ଦେବା ପ୍ରଣାଳୀ ଆମ ସଭ୍ୟତା ଓ ସଂସ୍କୃତିରେ ଅନେକ ଆଗରୁ ଅଛି।ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି।
ଶାସ୍ତି ଦେବା ସମୟରେ ଦୁଇ କାନକୁ ମୋଡିବା ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଭଲ ହୁଏ ଓ ଆମର ଧ୍ୟାନ ପାଠ ପଢାପ୍ରତି ବଢିଯାଏ।
ଆମେ ମଧ୍ୟ ସ୍କୁଲରେ ପଡ଼ିଲା ବେଳେ ଦଣ୍ଡ ସ୍ୱରୂପ ଆମକୁ କାନ ଧରି ଗୋଟିଏ ଗୋଡ଼ରେ ଠିଆ ହେବାପାଇଁ ଗୁରୁଜୀ କହୁଥିଲେ।ଗୋଟିଏ ଗୋଡ଼ରେ ଠିଆ ହୋଇ କାନ୍ଦି ଧକେଇ ଧକେଇ ପଣଖିଆ ଗାଉଥିଲୁ ।ଭୁଲିଯାଇଥିବା ପଣଖିଆ କାନ ମୋଡା ଭୟରେ ମନେ ପଡିଯାଉଥିଲା।
ପିଙ୍କି :-ଓଃ ଏବେ ବୁଝିଲି ସେଥିପାଇଁ କାନ ମୋଡା ଦୁଇଥର ଖାଇଲା ପରେ ମୁଁ ଠିକ ଉତ୍ତର କାହିଁକି ଦେଇଥିଲି।
ଜେଜେ :-କାଳ କ୍ରମେ .....ଭୁଲ୍ କଲେ କାନ ଧରି ଭୁଲ ମାଗିବା ଏକ ଅଭ୍ୟାସ ହୋଇଗଲା।ଏବେ ଯିଏ ଭୁଲ କରୁଛି ନିଜକୁ ନିଜେ ଶାସ୍ତି ଦେବା ସ୍ୱରୂପ ଦୁଇ କାନ ଧରି ଭୁଲ୍ ସ୍ୱୀକାର କରି ନେଉଛି।ଏହା ଏକ ଭଲ ଅଭ୍ୟାସ ମଧ୍ୟ।ଏହାଦ୍ୱାରା ଆମ ଭିତରେ ପରିବର୍ତ୍ତନ ହୁଏ।ଧ୍ୟାନରେ ରହେ ଭୁଲକୁ ନଦୋହରେଇବା ପାଇଁ।
ପିଙ୍କି :-ହଁ ହଁ ....ବୁଝିଗଲି।ମୋ ଜେଜେ ପରି ହେବ !!!
ଜେଜେ :-ପିଙ୍କୁ ତୁ ବୁଝିଲୁ।
ପିଙ୍କୁ :-ହଁ ଜେଜେ ବୁଝିଲି।।କିନ୍ତୁ ମୋ ପ୍ରଶ୍ନ ତ ଅଲଗା ଥିଲା ନା ।
ଜେଜେ:- ହା ହା ହା ....ତୁ ବହୁତ ଚାଲାକ୍।ହଉ ଶୁଣୁ।ତୋ ପ୍ରଶ୍ନ ଥିଲା କାନରେ କାହିଁକି ଗହଣା ପିନ୍ଧାଯାଏ ।ପିଙ୍କି କାହିଁକି ସୁନା ରିଙ୍ଗ ପିନ୍ଧିଛି ।ତୁ କାନରେ କାହିଁକି କଣା କରାଯାଇ ନାହିଁ ....
ହା ହା ହା
ଦେଖ ବାପା... ଗହଣା ହେଉଛି ନାରୀ ମାନଙ୍କୁ ସୁନ୍ଦର ଭାବେ ଗଢି ତୋଳେ।ଏହା ତାଙ୍କ ଶାରୀରିକ ଗଠନକୁ ଆହୁରି ସଯାଏ।ତୁ ତ ପ୍ୟାଣ୍ଟ ସାର୍ଟ ପିନ୍ଧୁଛୁ ।ତୁ ତୋର ଅପା ଭଳି ଫ୍ରକ ପିନ୍ଧୁଛୁ କି ?
ପିଙ୍କୁ :-ମୁଁ କାହିଁକି ଫ୍ରକ ପିନ୍ଧିବି ମୋତେ ଲାଜ ଲାଗିବ ନାହିଁ ?? ସାଙ୍ଗ ମାନେ ମୋତେ ମଇଚିଆ କହି ଚିଡାଇବେ।
ଜେଜେ :-ପିଙ୍କୁ, କାନରେ ଗହଣା ପୁରୁଷ ଓ ନାରୀ ଉଭୟ ପିନ୍ଧନ୍ତି।ସେଇଟା ପୁରୁଣା ସମୟରେ ଥିଲା ।ପୁଅ ମାନଙ୍କର ବେଶ ଭୁଷା ମଧ୍ୟ ସେମିତି ଥିଲା ସେଥିପାଇଁ ସେମାନେ କାନରେ ଯେତେବେଳେ ଅଳଙ୍କାର ପିନ୍ଧୁଥିଲେ ସୁନ୍ଦର ଦିଶୁଥିଲେ।
ପିଙ୍କୁ :-ହଁ ଜେଜେ ଏବେ ଟିଭିରେ ଯେଉଁ ରାମାୟଣ ଓ ମହାଭାରତ ସିରିଏଲ ଦେଉଥିଲା ସେଥିରେ ତ ପୁଅ ମାନେ କାନରେ ଗହଣା ପିନ୍ଧୁଥିଲେ।ତୁମେ ଠିକ କହୁଛ ଜେଜେ ତାଙ୍କ ପୋଷାକ ତ ଅଲଗା ପ୍ରକାର ଥିଲା ନା ..ଲମ୍ବା ଲମ୍ବା କେଶ ମଧ୍ୟ ଥିଲା।ସେମାନେ ସେଥିପାଇଁ ବହୁତ ସୁନ୍ଦର ଦେଖାଯାଉଥିଲେ।
ପିଙ୍କୁ -ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବୁ କାନ,ନାକ,ବେକ ଓ ଗୋଡରେ ସୁନା ,ରୁପା, ପିତ୍ତଳ ଆଦି ଧାତବ ଗହଣା ପିନ୍ଧିଲେ ଆମର ଅନେକ ଶାରିରୀକ,ମାନସିକ ଓ ସାମାଜିକ ଉପକାର ହୋଇଥାଏ।ଯାହା ଆୟୁର୍ବେଦର ମଧ୍ୟ ପୁସ୍ତକରେ ଲେଖା ଯାଇଛି ।ତୁ ବଡ଼ ହେଲେ ସେ ବହି ପଢିଲେ ବୁଝି ପାରିବୁ।ଏବେ ବୁଝାଇଲେ ବୁଝି ପାରିବୁ ନାହିଁ।
ପିଙ୍କୁ :- ମୁଁ ସେ ବହି ବଡ଼ ହେଲେ ନିଶ୍ଚୟ ପଢିବି ଜେଜେ। ଜେଜେ ତାହାଲେ କାନ ଦୁଇଟା ଆମର ବହୁତ ଉପକାରୀ ନା !!
ଜେଜେ :-ହଁ ରେ ପିଙ୍କୁ।ଥରେ ଚିନ୍ତାକର ତୁମେ ଦୁଇଜଣ,ଯଦି ଆମର କାନ ନଥାନ୍ତା ତେବେ କଣ ଅସୁବିଧା ହୋଇଥାନ୍ତା ?
(ପିଙ୍କୁ ଓ ପିଙ୍କି ଏକା ସାଙ୍ଗରେ )
-ଆମେ ଚଷମା ପିନ୍ଧି ପାରି ନଥାନ୍ତେ।
-କାନରେ ଇୟର କଡ୍ ପୁରେଇ ଗୀତ ଶୁଣି ପାରି ନଥାନ୍ତେ।
-ମାସ୍କ ପିନ୍ଧି ପାରି ନଥାନ୍ତେ।
ଜେଜେ :- ହା ହା ହା ହା ....ଦୁଇଜଣ ଯାକ ବଡ଼ ଦୁଷ୍ଟ ତୁମେ ହେଲଣି।
ପିଙ୍କି ଓ ପିଙ୍କୁ ନିଜ ନଜ କାନକୁ ଧରି ସାରିଥିଲେ ...।