Minakshi Samal

Others

3  

Minakshi Samal

Others

***କାଳିଆକୁ ଚିଠି ***

***କାଳିଆକୁ ଚିଠି ***

6 mins
14


ପୁରୀ

ତା-୨୫/୦୮/୨୦୨୦

କାଳିଆରେ,

ମନକଥା ସବୁ ଏଇ ଚିଟାଉରେ ଲେଖିଦେଲି ଆଜି । କ'ଣ ପାଇଁ କେଜାଣି ଆଜି ସକାଳୁ ତୋ ପାଖକୁ ଦି ପଦ ଲେଖିବାକୁ ଭାରି ମନ ହେଲା । ସେଇଥିପାଇଁ ଏଣୁ ତେଣୁ ଲେଖିବା ଆରମ୍ଭ କରିଦେଲି । ତୋ ଆଗରେ ତ ସବୁକିଛି କହିଥାଏ । କହିଥାଏ ମାନେ ଡ୍ରଇଁରୁମରେ ଟଙ୍ଗେଇଥିବା ତୋର ଫଟୋ ଆଗରେ ତୋରି ଆଡକୁ ଅପଲକ ନେତ୍ରରେ ଚାହିଁଥାଏ ଯାହା । ତୁ ତ ଅନ୍ତର୍ଯ୍ୟାମୀ, ତତେ କିଛି କହିବାର ଆବଶ୍ୟକତା ପଡେନାହିଁରେ । 

ଦୁଃଖ ଦେଇକି ଭାରି ପରୀକ୍ଷା କରୁ ତୁ । ମୁଁ ଭଲ ଭାବେ ଜାଣିଛି ତୁ ଭାରି ନାଟୁଆ । ନାଟ ଲଗେଇକି ପରୀକ୍ଷା ନେଉ ଧୈର୍ଯ୍ୟର, ସହନଶୀଳତାର । ଦୁଃଖ ବେଳେ ତତେ ହିଁ ଡାକିଥାଏ । ଯେତେ କଷ୍ଟ ଦେ କିନ୍ତୁ ସହିବାକୁ ଶକ୍ତି ଦେ ବୋଲି ବିନତୀ କରିଥାଏ ତୋ ପାଖରେ । ଆଜିଯାଏ କେତେ ପରୀକ୍ଷା ଯେ ତୋ ପାଖରେ ଦେଇଛି ତାର ଠିକଣା ନାହିଁ । ତୋ ପରୀକ୍ଷାର ପାଠ ସବୁ କୌଣସି ବହିରେ ପଢିବାକୁ ମିଳି ନଥାଏ । ପ୍ରତିଥର ନୂଆ ସିଲାବସରୁ ପରୀକ୍ଷା କରିଥାଉ । 

ମନେପଡେରେ କାଳିଆ ସେଇ ୧୯୯୫ ମସିହାର କଥା । ତୋ ସାମନାରେ ସବୁଦିନ ଲୁହ ଝରାଉ ଥିଲି ଆଉ ଗୁହାରି କରୁଥିଲି ମୋର ଦୁଃଖ ଦୂର କରିବାକୁ । ଦୁଃଖ ଦୂର କରିବାକୁ ଯାଇ ନିଜଠାରୁ ଦୂରେଇ ଦେଇ ମତେ ସୁଦୂର ଧାନବାଦକୁ ପଠାଇ ଦେଲୁ । ପଠାଇଦେଲୁନି ଯେ ଜୀବନର ସଂଘର୍ଷମୟ ପରିସ୍ଥିତିଗୁଡିକୁ ଏକୁଟିଆ ସାମନା କରିବାର କଳା ଶିଖାଇ ଦେଲୁ । ଘର, ପରିବାର, ଜନ୍ମମାଟି ଠାରୁ ଦୂରରେ ରହି ପ୍ରଥମେ ଭାରସାମ୍ୟ ରଖି ପାରୁନଥିଲି ମୁଁ ଯେମିତି ଉଡିବା ଶିଖିବା ପୂର୍ବରୁ ଚଢେଇଟିଏ ହୁଏ । ଖଣ୍ଡି ଉଡା ଦେଉ ଦେଉ ଉନ୍ମୁକ୍ତ ଗଗନରେ ଡେଣାଝାଡି ଉଡିବା ଶିଖିଗଲି ମୁଁ । ସେତିକିବେଳେ କେତେଜଣ ମହିୟାନ/ମହିୟସୀଙ୍କ ସହିତ ମୋର ଭେଟ ହୋଇଥିଲା ଯେଉଁମାନେ ମତେ ଜୀବନ ଯୁଦ୍ଧକୁ ସାମନା କରିବାର ରଣ କୌଶଳ ଶିଖାଇ ଥିଲେ । ଏସବୁ ତୋରି ଆଶୀର୍ବାଦ ବୋଲି ଜାଣିଥିଲି । "ଯେ ପକ୍ଷୀ ଉଡେ ଯେତେ ଦୂର,ସେଜାଣେ ତାହାର ବେଭାର । " ତାପରେ ଆଉ କେବେ ପଛକୁ ଫେରି ଚାହିଁନି । ନୂଆ ନୂଆ ଅନୁଭୂତିକୁ ନେଇ ଆଗକୁ ବଢିଲା ମୋର ଜୀବନ ଯାତ୍ରା । 

ମୋ ଜୀବନର ପାତ୍ର ସଂଘର୍ଷରେ ଭରା । କନ୍ଦେଇ କନ୍ଦେଇ ଅଥୟ କରିଦେବା ପରେ ହୁଏତ ତୋର ମନ ଶାନ୍ତି ହୁଏ ଆଉ ତୁ ମୋ ପଣତରେ ଅଭିପ୍ସିତାର୍ଥ ବସ୍ତୁଟି ଢାଳିଦେଉ । କିନ୍ତୁ ଏଇ ପ୍ରକ୍ରିୟାରେ ମତେ ଶୁଦ୍ଧ ସୁବର୍ଣ୍ଣ ବନେଇବାକୁ ଚେଷ୍ଟା କରିଥାଉ ଯାହା ମୋର ପରବର୍ତ୍ତୀ ସମୟରେ ହୃଦବୋଧ ହୁଏ । 

୧୯୯୫ ମସିହା ସେପ୍ଟେମ୍ବର ୨ ତାରିଖରେ କେନ୍ଦ୍ରୀୟ ବିଦ୍ୟାଳୟ, ଧାନବାଦରେ ମୁଁ ଯୋଗଦେଇ ଥାଏ । ନଭେମ୍ବର ମାସରେ ଶ୍ୱଶୁରଙ୍କ ଦେହାନ୍ତ ହେଲା । ସ୍ୱାମୀ କର୍ମ ଧରିଥିବାରୁ ଆସିବାକୁ ଅସମର୍ଥ ହେଲେ । ଗୋଟିଏ ବୋଲି ବୋହୁ ହୋଇଥିବାରୁ ମୋର ଯିବାଟା ଅନିବାର୍ଯ୍ୟ ଥିଲା । ନୂଆ କରି ଜଏନ କରିଥିବାରୁ ପ୍ରିନ୍ସିପାଲ ଡି. ପ୍ରସାଦ ଛୁଟି ମଞ୍ଜୁର କରୁନଥାନ୍ତି । ସିନିୟର ସହକର୍ମୀମାନଙ୍କ ହସ୍ତକ୍ଷେପ ଫଳରେ ଛୁଟି ମଞ୍ଜୁର ହେଲା । ବାଧ୍ୟହୋଇ ଜଣେ ସହକର୍ମୀଙ୍କୁ ଗୋମ ପର୍ଯ୍ୟନ୍ତ ଯାଇ ମତେ ଟ୍ରେନରେ ବସେଇ ଦେବାକୁ କହିଲି । ଧାନବାଦରୁ ପୁରୀ ସିଧାସଳଖ ଆସି ହେଉନଥିଲା । ଭାୟା ଗୋମ ନଚେତ ଭାୟା ହାଓଡା ହୋଇ ଯିବାକୁ ପଡୁଥିଲା । ଗୋମରୁ ଟ୍ରେନ ଛାଡିଲା । ନଭେମ୍ବର ମାସର ଶୀତ । ବଗିରେ ଥିବା ଯାତ୍ରୀମାନେ ନିଜ ନିଜର ଷ୍ଟେସନରେ ଓହ୍ଲାଇ ଯାଉଥାନ୍ତି । ଶେଷକୁ ସର୍ବମୋଟ ଚାରି ପାଞ୍ଚଜଣ ଯାତ୍ରୀ ଥାଆନ୍ତି । କୁଆଡ଼େ ଥିଲା କେଜାଣି ବର୍ଷାଟା ଝମଝମ ହୋଇ ବର୍ଷିବାକୁ ଆରମ୍ଭ ହେଲା । ଝରକା ବନ୍ଦ କଲାପରେ ମଧ୍ୟ ପାଣିର ଛିଟା ଟ୍ରେନ ଡବା ଭିତରକୁ ପଶିଯାଉଥାଏ । ଟ୍ରେନ ଯାଜପୁର ରୋଡରେ ପହଞ୍ଚିବା ବେଳକୁ ମୁଁ ଓ ଆଉଜଣେ କେବଳ ସେଇ ଡବା ଭିତରେ ଥାଉ । ଦୁର୍ଯୋଗକୁ ରେଲୱେ ଟ୍ରାକରେ ପାଣି ଜମିଯାଇ ଥିବାରୁ ଟ୍ରେନ ଆଉ ଆଗକୁ ଯାଇପାରିବନି ବୋଲି ଘୋଷଣା ହେଲା । ବେଡି ଉପରେ କୋରଡା ପରି ଲାଗିଲା । ମୋର ସହଯାତ୍ରୀଙ୍କ ସହିତ ଟ୍ରେନରୁ ଓଲ୍ହାଇ ରିକ୍ସା କରି ବସଷ୍ଟାଣ୍ଡ ଆସି ସେଠାରୁ ବସ ଧରି ଭୁବନେଶ୍ୱର  ପର୍ଯ୍ୟନ୍ତ ପହଞ୍ଚି ସେଠାରୁ ପୁଣି ଅନ୍ୟ ଏକ ବସ ଧରି ପୁରୀ ପହଞ୍ଚିଲି । ବର୍ଷା ତୋଫାନରେ କରେଣ୍ଟ ବିନା ପୁରୀ ସହର ଅନ୍ଧାର ଭିତରେ ଡୁବି କରି ରହିଥାଏ । ରାତି ସେତେବେଳକୁ ସାଢେ ଦଶଟା ପାଖାପାଖି । ଏକୁଟିଆ ବସଷ୍ଟାଣ୍ଡରୁ ଚାଲିଚାଲି ଘରେ ପହଞ୍ଚିଲି । ମୋତେ ଏଭଳି ଅବସ୍ଥାରେ ଦେଖି ସମସ୍ତେ ତାଜୁବ । ଯାହାହେଉ ପରଦିନ ସାନଭାଇ ସାଙ୍ଗରେ ଶାଶୁଘରେ ପହଞ୍ଚିଲି । 

ଧାନବାଦରେ ଥିବା ସମୟରେ ଘରକୁ ଆସିବାକୁ ଛୁଟିଦିନମାନଙ୍କୁ ଗଣିହେଉଥାଏ । ଟ୍ରେନରେ ଅନେକ ସମୟରେ ଏକଲା ଯାତ୍ରା କରିବାକୁ ପଡେ । ବଗି ଭିତରେ ସମ୍ପୂର୍ଣ୍ଣ ଏକଲା ଥିବା ମୁହୁର୍ତ୍ତଗୁଡିକ ମନେପଡିଲେ ଶିହରେଇ ଯାଉଛି ମୋର ଦେହ । କିନ୍ତୁ ସେସବୁକୁ ଯୁଝିଛି ତୋର ନାମ ନେଇ ନେଇ । ଗୋଟିଏ କଥା ତୋ ସମ୍ମୁଖରେ ବଖାଣି ମନକୁ ହାଲୁକା କରିଦେଉଛି ଟିକେ । ସେଦିନ ମୁଁ ଏକଲା ଥାଏ । ଗୋମ ଷ୍ଟେସନରେ ରାତି ବାରଟାରେ ପୁରୁଷୋତ୍ତମ ଏକ୍ସପ୍ରେସ ଆସେ । ସମୟ କାଟିବା ବଡ କଷ୍ଟକର ହୋଇପଡେ । ଓ୍ବେଟିଂ ରୁମରେ ବସିବସି ହଠାତ୍ ଆଖି ଲାଗିଯାଇଥାଏ । ଟ୍ରେନଟି ସେଦିନ ଏକ ନମ୍ବର ପ୍ଲାଟଫର୍ମରେ ନ ଆସି ଦୁଇନମ୍ବର ପ୍ଲାଟଫର୍ମରେ ଆସିଥାଏ ଯାହା ମୋର ଅଗୋଚର ଥିଲା । ହଠାତ୍ ନିଦ ଭାଙ୍ଗିଲା ବେଳକୁ ରତି ୧୨ଟା ୧୦ମିନିଟ । ଛାତି ଧଡପଡ ହେଉଥାଏ । ସାମନା ପ୍ଲାଟଫର୍ମ ଖାଲି । କ'ଣ ମନହେଲା ଓ୍ବେଟିଂରୁମର ପଛପଟେ ଥିବା ପ୍ଲାଟଫର୍ମ ଯାଇ ଦେଖିଲି । ଟ୍ରେନଟିଏ ଲାଗିଥାଏ । ଜଣେ ଦୁଇଜଣ ଯାତ୍ରୀଙ୍କ ଠାରୁ ପଚାରି ବୁଝିଲି ଯେ ସେଇଟା ହିଁ ପୁରୁଷୋତ୍ତମ ଏକ୍ସପ୍ରେସ । ତାପରେ ଦୌଡିଲି ଓ୍ବେଟିଂରୁମରେ ରଖାଯାଇଥିବା ଲଗେଜ ଧରି ମୋର ସଂରକ୍ଷିତ ସିଟ ପାଖରେ ପହଞ୍ଚିବାକୁ । ଏଇମିତି ମତେ ରକ୍ଷା କରିଥିଲୁ ସେଦିନ । 

ସନ୍ତାନର ଜନନୀ ହେବାର ସୌଭାଗ୍ୟ ବିବାହର ଷଷ୍ଠ ବର୍ଷରେ ମିଳିଲା । ସେତେବେଳକୁ ବନ୍ଧ୍ୟା ଦୋଷର ଅଠା ମୋ ମୁଣ୍ଡରେ ବୋଳା ସରିଥାଏ । କୋରି ହୋଇଯାଉଥାଏ ହୃଦୟ । ପୁରୁଷ ପୁରୁଷ ଧରି ମୋ ପରିବାରରେ ବନ୍ଧ୍ୟାଦୋଷ କୌଣସି ନାରୀ ପାଖରେ ଥିବାର ମୁଁ ଦେଖିନି କି ଶୁଣିନି । ମୁଁ ଏତେବଡ ଲାଞ୍ଛନା କେମିତି ସହିଥାନ୍ତି ଯେ । ଧରିନେଲି ଯେ ଏଇଟା ପୁଣି ତୋର ପରୀକ୍ଷା । ମୋ ଧୈର୍ଯ୍ୟର ପରୀକ୍ଷା । ମୋର ତୋ ଉପରେ ବିଶ୍ବାସର ପରୀକ୍ଷା । ତୁ ଯାହାର ସାହା ସେ ତ ଭବସାଗରକୁ ଏଇଭାବେ ହିଁ ପାର କରିଯାଏ । 

୨୦୦୫ ମସିହା ଡିସେମ୍ବର ଏକୋଇଶି ତାରିଖ । ମୁଁ ଥାଏ କେନ୍ଦ୍ରୀୟ ବିଦ୍ୟାଳୟ,ନଂ୨,ସଲ୍ଟଲେକ୍ରେ । ଝିଅକୁ ସାଙ୍ଗରେ ନେଇ ଘରକୁ ଫେରୁଥିବା ସମୟରେ କେଷ୍ଟୋପୁର ଖେୟା(ନାଳ ଉପରେ ତିଆରି ହୋଇଥିବା ବାଉଁଶର ବ୍ରିଜ ଯାହା ସଲ୍ଟଲେକ ସହିତ କେଷ୍ଟୋପୁରକୁ ସଂଯୋଗ କରୁଥିଲା)ଉପରେ ଝୁଣ୍ଟିଯାଇ ସିଧା ନାଳ ଭିତରକୁ ଖସିପଡିଲି ଯେଉଁଥିରେ ଅକାତକାତ ପାଣିଥିଲା । ଦି ହାତ ଆଗରେ ଥିଲା ମୋର ସାତ ବର୍ଷର ଝିଅ । ଘରେ ଅପେକ୍ଷାରେ ଥିଲେ ବୃଦ୍ଧା ଶାଶୁ ଓ ତିନି ବର୍ଷର ଶିଶୁ ପୁତ୍ର । ନାଳରେ ପଡିଲା ବେଳକୁ ମୁଁ ଝିଅର ମାମା,ମାମା ଡାକ ସହିତ ତାର ଉଚ୍ଚ ସ୍ବରରେ କାନ୍ଦଣା ଶୁଣି ପାରୁଥାଏ । ଲୋକମାନେ ଦଉଡି ଆସି ବାଉଁଶ ବନ୍ଧ ଉପରୁ ବଡ ବଡ ବାଉଁଶ ପକାଇ ମୋତେ ବାଉଁଶଟିକୁ ଧରିବାକୁ କହିଲେ ଆଉ ଧୀରେ ଧୀରେ ତାହାର ସାହାରାରେ ମୁଁ କୂଳକୁ ଆସିଥିଲି । ଏଇମିତି ମତେ ବଞ୍ଚାଇଲୁ ତୁ । କଥାରେ କହନ୍ତି ନା ରଖେ ହରି ମାରେ କିଏ । ତୁ ପ୍ରମାଣ କରିଦେଲୁ । 

ଦୁଇହଜାର ଅଠର ମହିହା ମାର୍ଚ୍ଚ ମାସ ୨୭ ତାରିଖ । ଦଶମ ବୋର୍ଡ ପରୀକ୍ଷା ଖାତା ଦେଖିବାକୁ ଯାଇଥାଏ ଭାରତୀୟ ବିଦ୍ୟାଭବନ । ରାତି ସାଢେ ସାତଟା ହୋଇ ସାରିଥାଏ । ଅଟୋରେ କରୁଣାମୟୀ ଆସିବା ପରେ,ସେଠାରୁ ପୁଣି ଗୋଟେ ଅଟୋରେ ଦୁଇଶ ଛ ବସ ଷ୍ଟପ ଆସିଲି । ପାଞ୍ଚମିନିଟ ଚାଲିଲା ପରେ ପାରିହେଲି ଦୁଇଶ ଛ' ଫୁଟବ୍ରିଜ(ବାଉଁଶ ବ୍ରିଜ ଭଙ୍ଗାଯାଇ ସିମେଣ୍ଟ ବ୍ରିଜ ହୋଇସାରିଥିଲା) । ରାତି ଆଠଟା ପାଖାପାଖି । ଚାଲିବାକୁ ବଳ ନଥାଏ । ରିକ୍ସାଟିଏ ଧରିଲି । ଘର ପାଖରେ ପହଞ୍ଚିବା ବେଳକୁ ଦେଖେ ପାଇପ ଲାଇନ ବିଛା ଯିବା ପାଇଁ ରାସ୍ତା ଖୋଳା ଯାଇଛି । ସେଇ ମାଟି ଉପରେ ରିକ୍ସାଟି ଭାରସାମ୍ୟ ରଖିନପାରି ଓଲଟି ଯାଇଥିଲା ଓ ତା ସହିତ ମୁଁ । ପଛପଟ ମୁଣ୍ଡଟି ରାସ୍ତା ଉପରେ ଢୋ'କରି ମାଡ ହେଲା । ଭାବୁଥିଲି ଏଥର ଆଉ ବଞ୍ଚିବିନି । ସେଇ ସମୟରେ ତୋତେ ଆକୁଳ ଚିତ୍ତରେ ଡାକୁଥିଲି ମୋ ଦୁଇଟି ପିଲାଙ୍କୁ ନିଆଶ୍ରୀ ନକରିବାକୁ । ସେମିତି ପଡିଥାଏ । କେଉଁଠୁ ପିଲାଟିଏ ଆସି ମୋ ହାତକୁ ଭିଡି ଉଠାଇଲା । କାଦୁଅ ସରସର ହୋଇ ଘରକୁ ଗଲି । ମୋର ଏ ଅବସ୍ଥା ଦେଖି ମୋ ପିଲାଦୁଇଟି କାକୁସ୍ଥ ହୋଇ ଦେଖୁଥାନ୍ତି । ପୁଅ ଦୌଡିଯାଇ ଫ୍ରିଜ୍ ରୁ ବରଫ ଆଣି ମୁଣ୍ଡରେ ଘସି ଦଉଥାଏ ଆଉ ଝିଅ ଓଦାକପଡାରେ କାଦୁଅ ପୋଛୁଥାଏ । ସ୍ୱାମୀ ଥାଆନ୍ତି ଭଦ୍ରକରେ । ମୁଁ କିନ୍ତୁ ଭିତରେ ଭିତରେ ଭୟରେ ଥରୁଥାଏ । ଏତେ ଜୋରରେ ମୁଣ୍ଡଟା ମାଡ ହୋଇଥିଲା ଯଦି ବାନ୍ତି ହୋଇଯାଏ ମୁଁ ଏତେ ରାତିରେ ପିଲା ଦୁଇଟିଙ୍କୁ ଛାଡି କେମିତି ଡାକ୍ତର ପାଖକୁ ଯିବି ଏଇଆ ଭାବି ଭାବି ମୋ ରାତି ପାହିଲା । ବାନ୍ତି ହେଲାନାହିଁ । ତା ପରଦିନ ମୁଁ ସବୁକିଛି ତୋ ଉପରେ ଛାଡିଦେଲି । 

କେତେ ଘଟଣା ଘଟିଛି । ସବୁତ ତୁ ଜାଣୁ । କରି କରାଉ ଥାଉ ତୁହି । ତୋବିନୁ ଅନ୍ୟ ଗତି ନାହିଁ । 

୨୦୧୯ ମସିହା ରଥଯାତ୍ରା ଦିନ ଟିଭିରେ ତୋର ରଥ ଟଣା ଦେଖୁଥିଲି । ରଥଯାତ୍ରା ଦିନ ତ ମୋ ଆଖିରୁ ଲୁହ ଶୁଖେନି । ପୁରୀରେ ତୋ ରଥ ଟଣା ସରିଲେ ମୁଁ ଦୌଡେ ସେଣ୍ଟ୍ରାଲ ପାର୍କ ସାମନାକୁ ରଥ ଟାଣିବାକୁ । ସେଠାରୁ ଫେରି କରୁଣାମୟୀରେ ପୁଣି ଏକ ରଥ ଟାଣିବାକୁ ଅପେକ୍ଷା କରେ । ନ'ଦିନ ଭିତରୁ ସମୟ ବାହାର କରି ସ୍ବଭୂମି ଯାଏ ତୋର ଅବଢା ଅନ୍ନ ଖାଇବାକୁ । ସେଥରକ ତୋ ସାମନାରେ ମୋ ଅଭିମାନ ଭରା ଅଭିଯୋଗ ଥିଲା,"କେତେଦିନ ଆଉ ତୋ ଠାରୁ ଏମିତି ଦୂରରେ ରଖିବୁ କାଳିଆ?" ଦଶଦିନ ଯାଇଛି କି ନାହିଁ ଟ୍ରାନ୍ସଫର୍ ପାଇଁ ଫର୍ମ ଆସିଲା । ଅନଲାଇନ ଫର୍ମ ଭରିବାର ଛ'ଦିନ ଭିତରେ ଟ୍ରାନ୍ସଫର୍ ଅର୍ଡର ଆସିଗଲା । ଅଗଷ୍ଟ ଷୋହଳରେ ମୁଁ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଯୋଗ ଦେଲି । ତୁ ତ ମୋତେ ତୋ ପାଖକୁ ମୋ ମନ ରଖିବାକୁ ଟାଣି ଆଣିଲୁ,ମୋର କିନ୍ତୁ ଆଖି ଖୋଲି ଦେଲୁରେ । ମୋହ ମାୟା ବନ୍ଧନର କଳାପଟି ମୋ ଆଖିରୁ ଅପସରି ଗଲା । ଏବେ ମୁଁ ବୁଝୁଛି ମୋ ପାଇଁ ତୋ ଦ୍ବାରା ତିଆରି ହୋଇଥିବା ସବୁ କାର୍ଯ୍ୟନିର୍ଘଣ୍ଟ । ଆଖି ସାମନାରେ ସବୁକିଛି ସ୍ପଷ୍ଟ ହୋଇଯାଉଛି କାଳିଆ । ପୁରୀରେ ଥାଇ ମଧ୍ୟ ରଥ ଉପରେ ତୋର ଦର୍ଶନ ପାଇ ପାରିଲିନି ଏଇ କୋଭିଡ-୧୯ ର କଟକଣା ପାଇଁ । 

ଏଥର ମୁଁ ତୋତେ ଆଉ ଅଭିଯୋଗ କରିବିନି । ତୋର ଯାହା ଇଛା ତୁ କର । ତୁ ତ ଲୀଳାମୟ ମୁଁ ଛାର ମଣିଷ,ନିମିତ୍ତ ମାତ୍ର । 

ତୋ ଫଟୋଚିତ୍ରକୁ ଚାହିଁ ତତେ ମୁଁ ଅନୁଭବିଛି । ତୋ ଉପରେ ମୋର ସବୁ ମାନ ଅଭିମାନ,ଅଭିଯୋଗ ଶେଷ ହୋଇ ସାରିଛି । ମୋ ଜୀବନର ଡୋରି ତୋରି ହାତରେ ସମର୍ପଣ କରି ରହିଲି । 

ଇତି ତୋର ଏକ ଅକିଞ୍ଚନ ଭକ୍ତ



Rate this content
Log in