Bauribandhu Lenka

Others

3.7  

Bauribandhu Lenka

Others

କାଳି ବୋହୂ

କାଳି ବୋହୂ

2 mins
96


ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧି ଭୁବନେଶ୍ୱର ଫେରିବାକୁ ବାହାରିଛି ତ ଗୋଲି ଆସି ପହଞ୍ଚିଗଲା । ସେ ମୋର ହିସାବରେ ନାତୁଣୀ ହେବ । ମୁଁ ପିନ୍ଧାପିନ୍ଧି କରି ବାହାରୁଥିବାର ଦେଖି ପଚାରିଲା , " ଜେଜେ କୁଆଡେ ବାହାରିଛ କି ? " 

— ଭୁବନେଶ୍ୱର ଯିବାକୁ ବାହାରିଛି ବୋଲି କହିଲି ।

ମୋ କଥା ଶୁଣି ସେ କି ଆଉ ସମ୍ଭଳା ପଡେ । ଆରମ୍ଭ କରିଦେଲା ତାର କହିବା । 

— " ଭଲ କଥା ଜେଜେ , ବାହାଘରକୁ ଆସିଲ ଯେ ଲକ୍ ଡାଉନ୍ ଚାଲିଛି ବୋଲି ନୂଆବୋହୂ ପରି ଗୋଟେ ଘରେ ବସି ରହିଲ । ଆମ ଘରେ ଗହଳି ହୋଇଛି ବୋଲି ଯିବାକୁ ଆଭଏଡ୍ କଲ । ଖାଲି କିଏ କଣ ପଛରେ କହିବେ ବୋଲି ମଝିରେ ମଝିରେ ମାକ୍ସ ପିନ୍ଧି ଗୋଟାଏ ଘେରା ବୁଲି ପଳେଇ ଆସୁଥିଲ । ଏବେ ଭୂବନେଶ୍ୱର ଫେରିବାକୁ ବାହାରିଲଣି । ନାତୁଣୀ ବୋହୂକୁ ଦେଖିଛ ନା ନାହିଁ ?"

— " ଆରେ ତୁ ତ ଭଲ ଭାଷଣ ଦେଇ ଜାଣିଲୁଣି । ମୁଁ ଖାଇ ସାରିଛି । ବାହାଘର ତ ସରିଲା , ଭୋଜି ବି ସରିଲା । ଆଉ କଣ କାମ ରହିଲା ଯେ ରହିବାକୁ ପଡିବ । ବୋହୂକୁ ତ ମୁଁ ବେଦୀ ଉପରେ ଦେଖି ସାରିଛି ଆଉ କଣ ଅଧିକଟା ଦେଖିବି । ବୋହୂ ତ ଦେଖିବାକୁ ଭଲ । ମତେ ତ ସୁନ୍ଦର ଲାଗିଲା । "

— ସାଙ୍ଗେ ସାଙ୍ଗେ ଗୋଲି କହି ପକେଇଲା—" ଫେସ୍ କଟ୍ ଭଲ ଲାଗୁଛି ହେଲେ ବର୍ଣ୍ଣ ତ କଳା । "

— "ନାଇମ ମୁଁ କଣ ନ ଦେଖିଲା ପରି କଳା ବୋଲି କହୁଛୁ । ହଁ ସାବନା ବନ ହେବ । କଳା କହିବା ଠିକ୍ ହେବନାହିଁ । କଳା ହେଲେ ବି କଣ ବେଦ ଅଶୁଦ୍ଧ ହୋଇଗଲା । କଳା ଝିଅ ମାନେ କଣ ତାହେଲେ ବାହା ହେବେ ନାହିଁ । ତମ ସ୍ତ୍ରୀ ଜାତିଙ୍କର ସବୁବେଳେ ଡବଲ୍ ଷ୍ଟାଣ୍ଡାର୍ଡ କଥା । ବୋହୂ ଖୋଜିଲା ବେଳକୁ ଗୋରୀ ବୋହୂ ଖୋଜିବ । ନିଜ ଝିଅ ପଛେ କାଳି ହୋଇଥାଉ, ଗୋରା ଜ୍ୱାଇଁ ଖୋଜିବ । ଝିଅ ବାହା କଲାବେଳେ ଯୌତୁକ ବିରୁଦ୍ଧରେ କେତେକଣ କହିବ ହେଲେ ନିଜ ପୁଅ ବାହା ହେଲା ବେଳକୁ ସବୁ ଜିନିଷ ଦରକାର । ତମେମାନେ ଯଦି ଏ ସବୁ ବିରୋଧ କରନ୍ତ ବହୁତ କିଛି ସୁଧୁରି ଯାଆନ୍ତା । କଳା କଳା ବୋଲି କହୁଛ ଏଣେ ଜଗନ୍ନାଥ, କୃଷ୍ଣ ଓ ରାମଙ୍କୁ ପୁଣି ସୁନ୍ଦର ବୋଲି କହୁଛ ? କାଳୀଦେବୀଙ୍କୁ ବି ପୂଜା କରୁଛ । "

— "ସଂସାରରେ ତ ଏ ସବୁ ଚାଲିଛି ଜେଜେ , ମୁଁ ଚାହିଁଲେ କଣ ସାରା ସମାଜଟାକୁ ବଦଳେଇ ଦେଇ ପାରିବି" ବୋଲି କହିଲା ଗୋଲି ।

— "ଆରେ ମୁଁ କହୁନି ଯେ ତୁ ସବୁ ବଦେଳେଇ ଦେ ବୋଲି । ତୁ ହୁଏତ ଅନ୍ୟମାନଙ୍କର ମାନସିକତାକୁ ବଦଳେଇ ପାରିବୁ ନାହିଁ, କିନ୍ତୁ ତୋ ନିଜର ମାନସିକତାକୁ ତ ବଦଳେଇ ପାରିବୁ । ଯଦି ଏପରି ହୁଅନ୍ତା, ସମୟ କ୍ରମେ ନାରୀମାନେ ଯେଉଁ ପୁରୁଷ ପ୍ରାଧାନ୍ୟ ସମାଜ ବୋଲି ଆଜି କହୁଛନ୍ତି ତାହା ଆଉ କହିବାକୁ ସୁଯୋଗ ପାଆନ୍ତେ ନାହିଁ ।"

— "ତମକୁ କଣ କଥାରେ ପାରିହବ ଜେଜେ । ହଉ ବାହାରିଲଣି ତ ଯିବାକୁ ମୁଁ ଆଉ ଅଟକେଇବିନି । ଆମ ଘରଆଡେ ଟିକେ ପଶି ପଳେଇ ଆସିବ । ତମ କାଳିବୋହୂ ତମକୁ ମୁଣ୍ଡିଆ ମାରିବ ଆଉ ତମର ବି ବୋହୂଦେଖା ହୋଇଯିବ ।"

*******



Rate this content
Log in