Padmalaya Padhy

Others

4  

Padmalaya Padhy

Others

କାକରା :

କାକରା :

5 mins
158


--ହେଲୋ ଗ୍ରାଣ୍ଡ ମାଆ ! କାକରାଗୁଡିକ ଠିକ ଠାକ ପ୍ୟାକ କରି ପଠାଇବ ହେଲା ? ଆର ଥର ସେଗୁଡିକ ଖୋଲୁ ଖୋଲୁ ତଳେ ଖସି ପଡିଥିଲା l

--ହଁ ହଁ ମୁଁ ବୁଝିଗଲି ଠିକ ଠାକ ପଠାଇଦେବି l ଆଉ କହ ତୋର ଦେହ କେମିତି ଅଛି ? ଥଣ୍ଡା କାଶ ଛାଡିଲା ନା ନାହିଁ ? ମୁଁ କହିଥିବା ଚ୍ୟବନପ୍ରାସ………

--ଆରେ ଏତେ ଗୁଡ଼ାଏ ପ୍ରଶ୍ନ ? ମୁଁ ଏବେ ଡାନ୍ସ କ୍ଲାସକୁ ଯାଉଛି l ରଖିଲି l ବାଏ l ହଁ କାକରାଗୁଡିକ ଠିକରେ ଯେମିତି ପ୍ୟାକ କରିଥିବ ହେଲା ?


ଗୀତାଙ୍କ କଥା ସବୁବେଳେ ସମସ୍ତଙ୍କ ପାଖରେ ଅଧାରେ ହିଁ ରହିଯାଏ l ମନରେ ଅକୁହା କଥାଗୁଡିକ ରହି ରହି ନିଃଶେଷ ହୋଇଯାଆନ୍ତି ସିନା ବାହାର ଆଲୋକ ଦେଖି ପାରନ୍ତି ନାହିଁ l


ଏଇ ହେଉଛି ଶେଫାଳି l ତାଙ୍କ ଏକମାତ୍ର ପୁଅର ଝିଅ l ଯେତେବେଳେ କିଛି ନୂଆ ଜିନିଷ ଖାଇବାକୁ ଇଚ୍ଛା ହେବ ସେତେବେଳେ ହିଁ ଗ୍ରାଣ୍ଡ ମାଆ ମନେ ପଡିବ l ଅତନୁ ହସି ହସି କହନ୍ତି ଆଜି ଶେଫାଳିକୁ ସକାଳୁ ଗ୍ରାଣ୍ଡମା ମନେ ପଡି ବହୁତ ଜୋରରେ କାଶ ହୋଇଥିବ l ଅତନୁଙ୍କ ଥଟ୍ଟାକୁ କିନ୍ତୁ ଗୀତା ସେମିତି ହାଲକା ଭାବେ ନେଇ ପାରନ୍ତି ନାହିଁ l


ଶେଫାଳି ସିନା ଆଜି କାଲିର ପିଲା l ଆଜିକାଲି ପିଲା ସମସ୍ତେ ସେମିତି l ମତଲବ ବେଳେ ଘର ଲୋକ ନହେଲେ ସାଙ୍ଗ ଭଲ ତ ସେମାନେ ଭଲ l ହେଲେ ପୁଅ ବୋହୂଙ୍କର ତ ଅକଲ ଅଛି ନା ନାହିଁ l ଗୋଟିଏ ସହରରେ ବାପା ମାଆ ମଧ୍ୟ ରହୁଛନ୍ତି l ହେଲା ଏବେ ଅଲଗା ରହିବାକୁ ଚାହିଁଲ ରୁହ l କିନ୍ତୁ ମନ କଥା ଦି ପଦ ଶୁଣିବା ପାଇଁ ବି ସେମାନଙ୍କ ପାଖରେ ସମୟ ନାହିଁ ? ସବୁ ସ୍ୱାର୍ଥପର l


ଆହୁରି ବୋହୂର କମେଣ୍ଟ ତୀର ଭଳି ଦେହରେ ଗଳି ଯାଉଥିଲା l


--ମାଆ ତୁମେ ସେ କାକରାମାନଙ୍କରେ ଆର ଥର ଭଳି ମୁଠା ମୁଠା ଚିନି ପକାଇବ ନାହିଁ l ମୋର ଫିଗର ଖରାପ ହୋଇଯିବ l


ଉଦାସ ହୋଇ ଯାଇଥିଲେ ଗୀତା l ସକାଳୁ ସକାଳୁ ଯାହା ମୁଡ଼ ଖରାପ ହୋଇଥିଲା କାମବାଲୀ ରୁନି ଉପରେ ସବୁ ଝାଡିଦେଲେ ଯାଇ l ରୁନି ଖାଲି ଏତିକି କହିଥିଲା 


--ମା ତୁମେ ଏବେ କାକରା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅ l ଶେଫାଳି ଦିଦିଙ୍କର ଆର ସପ୍ତାହରେ ଗୋଟିଏ ପାର୍ଟି ଅଛି ବୋଲି ସେଦିନ କହିନଥିଲେ ? ସେ ତୁମ ପିଠା ତାଙ୍କ ସାଙ୍ଗମାନଙ୍କୁ ଚଖାଇବେ l ଦେଖିବ ରୁହ ଦିଦି ତାପରେ କେତେ ପ୍ରଶଂସା କରିବେ ତୁମକୁ l

--ତୋର କାମ ବଢ଼ିଯିବାରୁ ଚିନ୍ତା ପଶିଗଲା କି ତୋ ମୁଣ୍ଡରେ ? ମୋ ପ୍ରଶଂସାକୁ ତୋର ବହୁତ ଚିନ୍ତା ତ ଦେଖୁଛି l


ରୁନି ଭାବୁଛି ମାଆ ଭଲ ରୋଷେଇ କରି ପାରନ୍ତି l ହେଲେ ତାଙ୍କୁ ହୁକୁମ ଦେବାକୁ ସମସ୍ତଙ୍କୁ ଯେମିତି ଲାଇସେନ୍ସ ମିଳି ଯାଇଛି l ଯେ ଯାହା ପାରିଲା ଫୋନରେ ହ୍ୱାଟ୍ସଅପରେ ଖାଲି ମେନୁ ପଠାଇବାରେ ଲାଗିଛନ୍ତି l ସତରେ ମାଆ ଯେମିତି ଗୋଟିଏ ଇଚ୍ଛା ପୂରଣ କରୁଥିବା ଜିନ୍ l ଯେ ଯାହା ଚାହିଁବ ପାଇଯିବ l ତାଙ୍କର ବି ନିଜର ଗୋଟେ ମନ ଅଛି ସେକଥା ବୋଧେ ସମସ୍ତେ ଭୁଲି ସାରିଲେଣି l


କିନ୍ତୁ ଯାହା କୁହ ମାଆଙ୍କ କାକରାର ସ୍ୱାଦ ଅତି ନିଆରା l ତାଙ୍କ ହୃଦୟର ମମତା ଯେମିତି ପିଠାଗୁଡିକରେ ଅଜାଡି ଦେଇଥାନ୍ତି l ସେଦିନ ଗୋଟିଏ ପିଠା ଫାଟି ଯାଇଥିଲା ବୋଲି ମାଆ ଦେଇଥିଲେ ଖାଇବାକୁ l ନହେଲେ ମାଆ ସବୁ ଦେବେ ସିନା କାକରା ତାଙ୍କର ଗୋଟି ଗଣତି l ନିଜ ଘର ଲୋକଙ୍କ ଛଡା ଆଉ କାହାକୁ ଖଣ୍ଡେ ଅଧେ ବି ଦେବେ ନାହିଁ l


ହେଲେ ଘର ଲୋକ ସିନା ବୁଝିଲେ ହେବ l ବାବୁ ତାଙ୍କ କାମରେ ବ୍ୟସ୍ତ l ପୁଅ ବୋହୂଙ୍କୁ ଫୁରସତ ହିଁ ନାହିଁ l ମାଆଙ୍କ କଥା ବୁଝିବାକୁ କିଏ ଅଛି ଆଉ l ସେଥିପାଇଁ ଅନେକ ସମୟରେ ମାଆ ନିଜର ରାଗ ରୁନି ଉପରେ ସୁଝାଉଛନ୍ତି ନହେଲେ ସେ ମଣିଷ ହିସାବରେ ବହୁତ ଭଲ ସେ l


ଆଉ ଦୁଇ ଦିନ ପରେ କୁମାର ପୂର୍ଣ୍ଣିମା ଦିନ ମାଆଙ୍କ ଜନ୍ମ ଦିନ ନା କଣ l ହଉ ସେଦିନ ଗୋଟେ ଜୋରଦାର ରୋଷେଇବାସ ହେବ ନିଶ୍ଚୟ l ରୁନି ଏହା ଭାବି ମନେ ମନେ ଖୁସି ହେଉଥିଲା l ଗୀତା ଭାବୁଥିଲେ ଏଥର ତାଙ୍କ ଜନ୍ମଦିନ ସେ ଅତନୁ ଓ ପିଲାମାନଙ୍କ ସହ ବାହାରେ ପାଳନ କରିବେ l ସେଦିନ ସେ ଆଉ କାହାରି ବରାଦ ମୁତାବକ ରୋଷେଇ କରି ପାରିବେ ନାହିଁ l ପୁରା ଦିନଟି ତାଙ୍କର l ସେଦିନ ତାଙ୍କରି ବରାଦ ଅନୁସାରେ ସବୁ ହେବ l ସେ କହିବେ ଓ ଅନ୍ୟମାନେ କରିବେ l


କୁମାର ପୂର୍ଣ୍ଣମୀ ଦିନ ସକାଳୁ ଉଠି ଗାଧୋଇ ପଧୋଇ ଠାକୁରଙ୍କୁ ପୂଜା କରି ବସିଛନ୍ତି ଯେ କେହି ଜଣେ ହେଲେ ଶୁଭେଚ୍ଛା ଜଣାଇ ନାହିଁ ଏପର୍ଯ୍ୟନ୍ତ l ଫେସବୁକ ହ୍ୱାଟ୍ସଅପରେ ଅଗଣିତ ଶୁଭେଚ୍ଛା ଆସିବାରେ ଲାଗିଛି କିନ୍ତୁ ପୁଅ ବୋହୂ ନାତୁଣୀ କି ଅତନୁ କାହାରି ମନେ ନାହିଁ ଆଜି ତାଙ୍କର ଜନ୍ମ ଦିନ ବୋଲି l ମନେ ନାହିଁ କଣ ମନେ ରଖିବାକୁ କେହି ଚାହିଁ ନାହାନ୍ତି l ଅତନୁ ଆଜି ପର୍ଯ୍ୟନ୍ତ କେବେ ବି ତାଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି କିମ୍ବା କେବେ ସେସବୁ କଥା ମନେ ରଖନ୍ତି ନାହିଁ l ଗତ ବର୍ଷ ଅବସର ନେଲା ପରେ ଘରେ ଅଛନ୍ତି ତେଣୁ ଏବର୍ଷ ସେଇଭଳି ହେବ ନାହିଁ ବୋଲି ଗୀତା ଭାବିଥିଲେ l


ହେଲେ ଅତନୁ ଉଠିବା କ୍ଷଣି କଫି ପିଇ ଦେଇ ଦିନରେ ଯାହା ଖାଇବା ହେବ ତାର ଲମ୍ବା ଚଉଡା ମେନୁ ଦେଇ ସାରି ବାହାରକୁ ଚାଲିଗଲେ l ଏଭଳି ଲୋକ ପୁଣି ତାଙ୍କର ଜୀବନ ସାଥି l ମିଶିକି ଚାଳିଶ ବର୍ଷ ଘର କରି ସାରିଲେଣି ଏ ଲୋକ ସହିତ l ଗୀତା ନିଜକୁ ତଉଲୁ ଥିଲେ l


ଦିନେ ମଧ୍ୟ ଅତନୁଙ୍କୁ ଏକୁଟିଆ ଘରେ ରହିବାକୁ ଦେଇ ନାହାନ୍ତି ସେ l ବାପଘରକୁ ବି ସେ ବେଶି ଯାଆନ୍ତି ନାହିଁ କାଳେ ଅତନୁ ଏକୁଟିଆ ହୋଇଯିବେ l ଅତନୁ ଆମିଷ ଖାଆନ୍ତି ନାହିଁ ବୋଲି ବିବାହ ପରେ ପରେ ଆମିଷରଙ୍କୁଣି ଗୀତା ମଧ୍ୟ ଆମିଷ ଛାଡି ଦେଇଥିଲେ l ଏପରି ସ୍ତ୍ରୀକୁ ସେମିତି ହିଁ ଦରକାର !! ନିଜ ଉପରେ ନିଜେ ଚିଡୁଥିଲେ ଗୀତା l


  ଯେଉଁ ସ୍ତ୍ରୀ ତା ସ୍ୱାମୀକୁ ଦି ପଇସାର ମୂଲ୍ୟ ଦେଉନଥିବ ତା ସ୍ୱାମୀ ଅନବରତ ତା ଆଗ ପଛ ଚାରି ଆଡେ ଦୌଡୁଥିବ ଏବଂ ତାର କୌଣସି କଥା ତଳେ ପଡ଼ିବାକୁ ଦେଉନଥିବ l ଅଥଚ ଯେ ସ୍ୱାମୀର ପ୍ରତ୍ୟେକ ନିଃଶ୍ୱାସ ପ୍ରଶ୍ୱାସକୁ ବି ନିଜ ଭିତରେ ଅନୁଭବ କରି ପାରୁଥିବ ତା ସ୍ୱାମୀ ତା ପ୍ରତି ନିରାସକ୍ତ l ହାୟରେ କପାଳ !


ସେଦିନ ପ୍ରଥମେ ଆସିଲା ରୁନି ll ରୁନି ଆସୁ ଆସୁ ଗଲା ଫଟାଇ ଚିତ୍କାର କରି ଉଠିଲା

-- ହାପି ବାର୍ଥ ଡେ ମାଆ ! ଭଗବାନ ତୁମକୁ ଶହେ ବର୍ଷ ଆୟୁଷ ଦିଅନ୍ତୁ l ରୁନିର ପାଟି ଶୁଣି ଗୀତା ଭାବନା ରାଜ୍ୟରୁ ଅବତରଣ କଲେ l

-- ଆରେ ତୋର ମନେ ଥିଲା କି ? ବୁଢ଼ୀମାନଙ୍କ ଭଳିଆ ଆଶୀର୍ବାଦ ବି ଦେଇଦେଉଛୁ ? ଗୀତା ଆଶ୍ଚର୍ଯ୍ୟ ହେଲେ l

--ହଁ ମାଆ ତୁମେ ଗତ ବର୍ଷ କୁମାର ପୂର୍ଣ୍ଣମୀରେ ସେ ଯୋଉ ଶୁଆ ରଙ୍ଗର ସାଗୁଆ ଶାଢୀଟା ପିନ୍ଧିଥିଲ ନା ସେଥିରେ ମିଠାର ସିରା ପଡି ଚି଼ହ୍ନ ହେଇ ଯାଇଥିଲା l ମୁଁ ହିଁ ତ ସଫା କରିଥିଲି ନା ତାକୁ l


ଗୀତାଙ୍କର ମନେ ପଡିଲା l ଗୀତାଙ୍କ ଠାରୁ ରୁନି ତାଙ୍କ ଜନ୍ମ ଦିନ ପାଇଁ ବେଶି ଉତ୍ସାହିତ l ଅଥଚ ସେ କେବେ ରୁନିର ପସନ୍ଦ ପଚାରିଛନ୍ତି ନା କିଛି କରି ତାକୁ ଖୁଆଇଛନ୍ତି ? ବରଂ ପୁଅ ବୋହୂ ଅତନୁ ଓ ନାତୁଣୀର ବରାଦ ସହିତ ସାଇ ପଡିଶାର ଚାହିଦା ମଧ୍ୟ ପୂରଣ କରିଛନ୍ତି l ଆଉ ଶେଷରେ ଯାହା ବଳେ ରୁନି ତାକୁ ହିଁ ନିଏ l ତାକୁ କେବେ ପଚାରି ନାହାନ୍ତି ସେ କଣ ଖାଇବାକୁ ଭଲ ପାଏ l ହେଲେ ବି ତାଙ୍କ ଜନ୍ମ ଦିନରେ ରୁନି ଆଜି ଖୁସିରେ ଡେଉଁଛି l ଯେଉଁମାନଙ୍କ ମନ ରଖି ଆଜି ପର୍ଯ୍ୟନ୍ତ ସେ ପରଷି ଆସିଲେ ସେମାନେ କଣ ଗୋଟିଏ ମୁହୂର୍ତ୍ତ ପାଇଁ ତାଙ୍କୁ ମନେ ରଖିଲେ କି ? 


ହେଲେ ରୁନିର ପସନ୍ଦ କଣ ହୋଇଥିବ କେମିତି ଜାଣିବେ ସେ ? ସେ କଣ ସବୁ ଖୋଲି କହିବ ? ମନେ ପଡୁଛି ରୁନି ଥରେ ଶେଫାଳିକୁ କହିବାର ଶୁଣିଛନ୍ତି ଯେ ତାର ସବୁଠୁ ପ୍ରିୟ ହେଲା ମାଆଙ୍କ ହାତ ତିଆରି କାକରା ପିଠା l କହିଲେ


--ରୁନି ତୁ ଟିକେ ଏଠି ଆସି ବସ l ଆଜି ମୁଁ ତୋ ପାଇଁ ନିଜ ହାତରେ କାକରା ଛାଣିବି ଓ ତୁ ଖାଇକି ଯିବୁ l

--ମା ଶେଫାଳି ଦିଦି…

--ବେଶି ବକ ବକ ହବୁ ନାହିଁ l ତୋତେ ଯେତିକି କୁହାଗଲା ସେତିକି ଶୁଣ l ତୁ ସେ ଘରେ ବସି ଟି.ଭି. ଦେଖୁଥା l ମୁଁ ଛାଣି ସାରିଲେ ତୋତେ ଖାଇବାକୁ ଡାକିବି l

--ମା ମୁଁ ତୁମ ପାଖରେ ସବୁ ଯୋଗାଡ଼ି ଦେଇ ଆସିବି ଚାଲ l

--ଆଜି ତୁ ଖାଲି ବସିବୁ l ତୋର କାମ କିଛି ନାହିଁ l ଆଉ ହଁ ! ସନ୍ଧ୍ୟା ବେଳେ ଭଲ ଡ୍ରେସ ପିନ୍ଧିକି ଆସିଥିବୁ l ବାହାରକୁ ଡିନର କରିବାକୁ ଯିବା l ଖାଲି ତୁ ଆଉ ମୁଁ ଆଉ କେହି ନାହିଁ l


ରୁନି ଆଶ୍ଚର୍ଯ୍ୟ ହେଉଥିଲା l ଯେଉଁ ମାଆ ଆଜି ପର୍ଯ୍ୟନ୍ତ କେବେ ବି ବାବୁଙ୍କୁ ଛାଡି କୁଆଡେ ଯାଇନାହାନ୍ତି ସେ ପୁଣି ଆଜି ଯିବେ ରୁନି ସାଙ୍ଗରେ ? କେଜାଣି ବଡ଼ ଲୋକଙ୍କର ବଡ଼ ବଡ଼ କଥା ବୁଝିବା ରୁନିର ସାଧ୍ୟ ବାହାରେ l ରୁନି କେବେ ବଡ଼ ହୋଟେଲ ଭିତରକୁ ଯାଇନାହିଁ ଖାଇବା ତ ଦୂରର କଥା l


  ଆଜି ସକାଳେ ମାଆଙ୍କର ହାତ ତିଆରି କାକରା ଓ ରାତିରେ ବାହାରେ ଖାନା ମିଳିବ l ଆଜି ଦିନଟା ଅତି ଶୁଭଙ୍କରି ମନେ ହେଉଥିଲା ରୁନିକୁ l କିନ୍ତୁ ଡ୍ରେସ କଣ ପିନ୍ଧିବ ସେ ? ସେ ଯୋଉ ନାଲିଆ ଫୁଲ ପକା ଡ୍ରେସରେ ଝାଲର ଲାଗିଛି ଯୋଉଟା ସାହୁ ଘର ମାଆ ଦେଇଥିଲେ ଆଜି ସେ ସେଇଟା ହିଁ ପିନ୍ଧିବ l ରୋଷେଇ ଘରୁ ଆସୁଥିବା କାକରାର ବାସ୍ନାରେ ରୁନି ଗୋଟିଏ ସ୍ୱପ୍ନ ରାଜ୍ୟରେ ବିଚରଣ କରୁଥିଲା l



Rate this content
Log in