Bauribandhu Lenka

Others

3  

Bauribandhu Lenka

Others

କାହିଁକି ଡରିବୁ କରୋନାକୁ

କାହିଁକି ଡରିବୁ କରୋନାକୁ

2 mins
37



ହେଲୋ ଜେଜେ ! ମୁଁ ସଂଜୟ କହୁଛି । ଅଜୟର ବାହାଘର ହଠାତ ସ୍ଥିର ହୋଇଗଲା । ଆସନ୍ତା ୧୩ ତାରିଖରେ ହେବ । ମାତ୍ର ଚାରିଟି ଦିନ ହାତରେ ଅଛି । ତମେ ତ ଜାଣିଛ ବାପା, ବୋଉ ଆଗ ପଛ ହୋଇ ଚାଲିଗଲେ । ମୁଁ ପିଲା ଲୋକ । ଏ ସବୁ ବିଷୟରେ ମୋର କିଛି ଅଭିଜ୍ଞତା ନାହିଁ । ତମେ ମାଆକୁ ଧରି ନିଶ୍ଚୟ ୧୨ ତାରାଖରେ ପହଞ୍ଚିବ ।"


ସବୁ ଶୁଣି ସାରିବା ପରେ ," ହଉ ବ୍ୟସ୍ତ ହବୁନି ଆମେ ଯାଇ ପହଞ୍ଚିବୁ " କହି ଫୋନ୍ ରଖିଲି ।


କରୋନା ଲାଗି ଚାରିଆଡେ ଲକ୍ ଡାଉନ୍ । ଏବେ ଯିବାଆସିବା ପାଇଁ ଆଗପରି କଟକଣା ନାହିଁ । ହଁ ସାମାଜିକ ଦୂରତା ମାନିବା, ମାକ୍ସ୍ ଓ ସାନିଟାଇଜର ଇତ୍ୟାଦି ବ୍ୟବହାର କରିବାକୁ ସରକାରଙ୍କ ତରଫରୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି । ବରିଷ୍ଠ ନାଗରିକ ଓ ପିଲାମାନଙ୍କ ପାଇଁ ଏହି ରୋଗ ବେଶୀ ଆକ୍ରମକ ବୋଲି କୁହାଯାଊଛି । ଦୁର୍ଭାଗ୍ୟକୁ ମୁଁ ଓ ମୋର ଧର୍ମପତ୍ନୀ ଏଇ ଶ୍ରେଣୀର ଅନ୍ତର୍ଭୁକ୍ତ । ମନରେ ସବୁବେଳେ ଭୟ ରହିଛି । ପିଲାମାନେ ଓଡିଶା ବାହାରେ ତାଙ୍କ କର୍ମସ୍ଥଳୀ ମାନଙ୍କରେ ରହୁଛନ୍ତି । ହଠାତ୍ କିଛି ଘଟିଲେ ସାହା ଭରସା କେହି ନାହାନ୍ତି ।


ଆମେ ମଧ୍ୟ ପିଲାମାନଙ୍କର ଚିନ୍ତାର କାରଣ ହୋଇ ପଡିଛୁ । ଦିନର ବିଭିନ୍ନ ସମୟରେ ଫୋନ୍ ଓ ଭିଡିଓ କଲ୍ କରୁଛନ୍ତି । ବାହାରକୁ ନ ଯିବା ,ବାହାର ଜିନିଷ ନଖାଇବା ଓ ବାହାର ଲୋକଙ୍କ ସହ ନ ମିଶିବା ପାଇଁ ତାଗିଦ୍ । କାଳେ ସବୁଦିନେ ଏକ ନିର୍ଦ୍ଦିଷ୍ଟ ସମୟରେ ଫୋନ୍ କଲେ ବାପା ସେହି ଟାଇମିଙ୍ଗ୍ କୁ ଘରେ ଆସି ରହିଥିବେ ଭାବି ଭିନ୍ନ ଭିନ୍ନ ସମୟରେ ଭିଡିଓ କଲ୍ କରି ଚେକ୍ କରୁଛନ୍ତି । ଆମ ପାଖରେ ରହୁ ନଥିବାରୁ ସେମାନଙ୍କର ଚିନ୍ତିତ ହେବାଟା ସ୍ୱାଭାବିକ । କିନ୍ତୁ ଆମପାଇଁ ଗୃହବନ୍ଦୀ ଜୀବନଟା ଦୂର୍ବିସହ ହେଲାଣି । ଯାହା କଷ୍ଟ ହେଉ ପଛେ ନିଜକୁ ନିୟନ୍ତ୍ରଣ କରି ରଖିବାକୁ ପଡୁଛି ।


ପତ୍ନୀ ପଚାରିଲେ , " ବାହାଘରକୁ ଯିବା କଥା କଣ ପୁଣି ସ୍ଥିର କଲ ? ପିଲାମାନେ କିପରି ଜଗିକରି ରହିଛନ୍ତି ଦେଖୁଛ ଟି ?"


ଆରେ ସେ ମୋ ବଡଭାଇଙ୍କ ନାତି । ବଡଭାଇଙ୍କ ନାତି ଆଉ ମୋ ନାତି ଭିତରେ ଫରକ ବା କଣ ? ନିଜର ରକ୍ତର । କିଛି ବି ବାହାନା ନେଇ ହେବନାହିଁ । ଆମେ ନଗଲେ ବାହାଘର କଣ ଅଟକି ଯିବ ? ଆଦୌ ନୁହେଁ , ହେଲେ ସବୁଦିନ ପାଇଁ କଥା ରହିଯିବ । ଅନ୍ୟ ଯେଉଁମାନେ ବାହାଘର ରେ ଯୋଗଦେବେ ସେମାନଙ୍କର କଣ ଜୀବନ ପ୍ରତି ଲୋଭ ନାହିଁ ? 


ସ୍ଥିରକଲୁ ପିଲାଙ୍କୁ ନ ଜଣାଇ ଗାଆଁକୁ ଯିବା ଆଉ ସେଠି ପହଞ୍ଚି ସାରିଲା ପରେ ପିଲାମାନେ ଜାଣିଲେ କଣ ଲେଉଟି ଆସିବାକୁ କହିବେ ? ତାହା ହିଁ ହେଲା । ପିଲାମାନେ ଜାଣି ନିଜ ନିଜର ବିରକ୍ତି ପ୍ରକାଶ କଲେ । ସେମାନଙ୍କର ଦୃଷ୍ଟିଭଙ୍ଗୀ ଅଲଗା । ଯୌଥ ପରିବାର ଓ ସାଇଭାଇ ସହ ମିଶି ଚଳିବାର ଅନୁଭବ କିଛି ବି ନାହିଁ । ତେଣୁ ସେମାନେ କଣ ବୁଝିବେ ଭାଇ ବନ୍ଧୁ କୁଟୁମ୍ବଙ୍କ ସଂପର୍କର ଗୁରୁତ୍ୱ ? 


ଜୀବନର ଶେଷ ପର୍ଯ୍ୟାୟରେ ପାଦ ଦେଇ ସାରିଛୁ । ସଂସାରର ଚିରନ୍ତନ ସତ୍ୟ ମୃତ୍ୟୁ, ସମସ୍ତଙ୍କ ଜୀବନରେ ଦିନେ ନା ଦିନେ ଆସିବ । ଏକଥା ଜାଣି ମଧ୍ୟ , କରୋନାକୁ ଡରି ରକ୍ତର ସଂପର୍କକୁ ଛିନ୍ନ କରିବାଟା କଣ ଠିକ୍ ହୋଇଥାନ୍ତା ?

   



Rate this content
Log in