Pramod Kumar Jena

Others

3  

Pramod Kumar Jena

Others

କାଗଜ ଡଙ୍ଗା

କାଗଜ ଡଙ୍ଗା

3 mins
326



କ’ଣ ଗୋଟାଏ ଲେଖିବାକୁ ଇଚ୍ଛା ହେଲା l ବର୍ଷା ତୁହାକୁ ତୁହା ଲାଗି ରହିଥାଏ l ଘର ସାମ୍ନା ସରୁ ନାଳରେ ବଡ ମତୁଆଲା ଶବ୍ଦରେ ବହି ଚାଲିଛି ପାଣିର ଧାର l ମଝିରେ ମଝିରେ ବିଜୁଳିର ଚମକ l ପବନର ସୁଁ ସୁଁ ଶବ୍ଦ l କିନ୍ତୁ ପିଲାଙ୍କର ଖାତିର ନାହିଁ l ଯେବେ ବର୍ଷା ପଡିବା କ୍ଷଣକ ପାଇଁ ଥମି ଯାଉଛି, ପାଖ ଘରମାନଙ୍କରେ ଥିବା ଛୋଟ ପିଲାମାନେ କୁଦା ମାରି ବାହାରକୁ ଚାଲି ଆସୁଛନ୍ତି l କାହା ହାତରେ କାଗଜ ଡଙ୍ଗା ତ କାହା ହାତରେ ଫାଳେ କାଗଜ l ପୁଣି କିଏ କାନ୍ଦୁରା ମୁହଁରେ ଜେଜେ କିମ୍ବା ଜେଜେମାଆଙ୍କୁ କହୁଛି, ‘ମୋ ପାଇଁ କାଗଜ ଡଙ୍ଗା ବନେଇ ଦିଅ l’ ସେଇ ଟୁପୁ ଟୁପୁ ବର୍ଷାରେ ଭିଜି ନାଳରେ ଗୋଟା ପରେ ଗୋଟେ କାଗଜ ଡଙ୍ଗା ଭସାଇ ଚାଲୁଥାନ୍ତି l


ଛାତ ଉପରୁ ଝରକା ପାଖରେ ଥାଇ ମୁଁ ଏ ସବୁ ବଡ ଉତ୍ସୁକତାର ସହ ଦେଖୁଥିଲି l କାହା ଡଙ୍ଗା ଆଗକୁ ମାଡି ଚାଲିଛି ତ କାହା ଡଙ୍ଗା ଅଧା ବୁଡିଗଲାଣି l ପୁଣି କିଏ ମଙ୍ଗୁଆଳ ସାଜି ଅଧା ବୁଡା ଡଙ୍ଗାକୁ ସଜାଡିବାରେ ଲାଗିଲାଣି l କିନ୍ତୁ ଏସବୁ ଭିତରେ ଏତେ ଆନନ୍ଦ ଯେ ମଝିରେ କାହା ମାଆର କଟକଣା ଶୁଣାଗଲାଣି ତ କାହାଘରୁ ଛୋଟ ପିଲାର ଅଝଟପଣିଆର ସଜା ମିଳିଲାଣି l କିନ୍ତୁ ଘର ସାମ୍ନା ରାସ୍ତାରେ ଛୋଟ ପିଲାଙ୍କ ଗହଳିର କମ୍ ନାହିଁ l ତାଳି ମାଡ, ହଟଗୋଳରେ କଲୋନି କମ୍ପୁଥାଏ l

ଇଚ୍ଛା ହେଲା ଦି ଧାଡି କବିତା ଲେଖିବାକୁ l କାଗଜ କଲମ ଧରି ଲେଖିବାକୁ ଯାଉ ଯାଉ ହଠାତ୍ ମନଟା ଟାଣି ହୋଇଗଲା ଅତୀତ ଆଡକୁ l


ଆଜି ଭଳି ସେଦିନ ବି ଏମିତି ବର୍ଷା ହେଉଥିଲା l କିଏ ଅଧା ଓଦା ହୋଇଥାଏ ତ କିଏ ପୁରା l କିଏ ଛତା ଖୋଲା ରଖିଛି ତ କିଏ ଛତାକୁ ବନ୍ଦ କରି ଓଦା ହେଉଛି l କିଏ ପୁଣି ରେନ୍ କୋଟ୍ ଭିତରେ ଥାଇ ଏ ସବୁର ମଜା ନେଉଛି l ସେତେବେଳକୁ ମୁଁ ବାଲକୋନିରେ ବସି ବର୍ଷାର ଆନନ୍ଦ ନେଉଥିଲି l ଭିକି ଆଉ ରିନି ଘର ଭିତରକୁ ପଶି ଆସିଲେ l

ରିନିକୁ ବର୍ଷାରେ ଭିଜିବାକୁ ଆଦୌ ଭଲ ଲାଗେନି l ତା ରେନ୍ କୋଟ୍ ଭିତରୁ ବେଶ୍ ଆରାମରେ ବାହାରି ଆସିଲା ସେ l ପାଣିରେ କାଁ ଭାଁ ଡ୍ରେସ୍ ଭିଜିଯାଇଛି l କିନ୍ତୁ ଭିକି ପୁରା ନହେଲେ ବି ଅଧାରୁ ବେଶି ଭିଜିଯାଇଛି l ମୁହଁରେ ହସ l ତରବର ହୋଇ ବ୍ୟାଗଟାକୁ ଫିଙ୍ଗି ପୁଣି ଦୌଡିବାକୁ ଲାଗିଲା ପାଣିରେ ଖେଳିବାକୁ l ଭିତରୁ ତାଆ ମାଆ ପାଟି କରୁଥାଏ...

: ଭିକି... ଭିକି... ପାଣିରେ ଭିଜିନା l ଭିତରକୁ ଆ l ବାବା ଦେଖିଲେ ଗାଳି କରିବେ l

କିନ୍ତୁ ସେ ଅମାନିଆ ହୋଇ ବଜାରକୁ ଯିବା ବେଳକୁ ତା ମାଆ ହାତଟାକୁ ଧରି ପକାଇଲେ l

: ତୋତେ କ’ଣ ଶୁଣାଯାଉନି ? ଓଦା ସରସର ହୋଇ ପୁଣି ଯାଉଛୁ ପାଣିରେ ଖେଳିବାକୁ ?

ମାଆ ପୁଅଙ୍କ ପାଟି ଶୁଣି ମୁଁ ଚାଲିଆସିଲି ସେମାନଙ୍କ ପାଖକୁ l ମୁଣ୍ଡଟା ପୁରା ଓଦା l ବିରକ୍ତ ହୋଇ ଗୋଟେ ଟାୱେଲ୍ ଆଣି ତା ମୁଣ୍ଡଟାକୁ ପୋଛିବାକୁ ଲାଗିଲି l କିନ୍ତୁ ମୁଁ ଦେଖୁଥାଏ ତା’ ମନ ସେ ପାଣିଆଡେ l ମଝିରେ ମଝିରେ ଭିଡିମୋଡି ହେଉଥାଏ l ପଚାରିଲି, ‘ତୋ ବ୍ୟାଗ୍ କାହିଁ ?’

କିଛି ନ କହି ହାତ ଠାରି ଦେଖେଇଦେଲା l

ଆରେ ବ୍ୟାଗଟି ତ ପୁରା ଓଦା l ବ୍ୟାଗଟା ଖୋଲି ଦେଖେ ତ ନୋଟ୍ ଖାତା ଆଉ ବହି ପ୍ରାୟ ଭିଜି ଯାଉଛି l ସେଗୁଡିକ ଖୋଲି ଫ୍ୟାନ୍ ତଳେ ରଖିବାକୁ ଗଲି l କ’ଣ ଭାବିଲି କେଜାଣି, ମ୍ୟାଥ୍ ନୋଟ୍ ବୁକଟା ଆଡେଇଲି l ପଛପଟୁ ଅଧା ପେଜ୍ ନାହିଁ l ପଚାରିଲି, ‘ଏଥିରୁ ପେଜ୍ କିଏ ଫାଡିଲା ?’ 

ଭିକି କିଛି ନ କହି ବୋକା ଭଳିଆ ଚୁପ୍ ହୋଇଗଲା l

ତା’ପରେ ମୁଁ ଆଉ ଗୋଟିଏ କପି ଓଲଟେଇଲି l ସେଥିରେ ବି ସେହି ଅବସ୍ଥା l ଗୋଟିଏ ପରି ଗୋଟିଏ କପି ମୁଁ ଆଡେଇଗଲି l ଯେତେଟା କପି ମୁଁ ଦେଖୁଥାଏ, ମୋର ରାଗର ମାତ୍ରାଟା ସେତିକି ବଢି ଯାଉଥାଏ l ହୋମ୍ ୱାର୍କ୍, କ୍ଲାସ୍ ୱାର୍କ ନୋଟ୍ ବୁକ୍ କେହି ବି ବାଦ ଯାଇନାହାନ୍ତି l ଠୋ... ଠୋ... କରି ଚଟକଣି ମାରି ଚାଲିଲି ତାକୁ l

: ବଦମାସ୍ ! ପାଠ ପଢିବାକୁ ଯାଇଥିଲୁ ନା କାଗଜ ଡଙ୍ଗା ଭସେଇବାକୁ ଯାଇଥିଲୁ ?

ହଠାତ୍ ତା’ ଆଗର ଖୁସି କୁଆଡେ ଉଭେଇଗଲା l ପାଟି କରି ନ କାନ୍ଦିଲେ ବି ବିକଳ ହୋଇ ମାଡ ଭୟରେ ମୋ ଆଡେ ଚାହିଁ ରହିଲା l ମୋ ପାଟି ଶୁଣି ଆମ କବାଟ ପାଖକୁ ତା ସାଙ୍ଗମାନେ ଦୌଡି ଆସିଲେ l ଦେଖିଲି ମୋ ପୁଅର ଦୁଃଖ ସେମାନଙ୍କ ଆଖିରେ ବି ପ୍ରତିଫଳିତ ହେଉଛି l କପିଗୁଡିକ ଫିଙ୍ଗି ଅନ୍ୟ ଘରକୁ ଚାଲିଗଲି l

***  

ଏବେ ପିଲାଙ୍କର ଏ ଖୁସି ଦେଖି ନିଜକୁ ଏତେ ଦୋଷୀ ଲାଗୁଛି ଚିନ୍ତା କରି ହେଉନି l ଭାବିଲି ମୋ ପୁଅର ଖୁସି ନିକଟରେ ଏଇ କେଇ ଫାଳ କାଗଜ କ’ଣ ଦାମିକା ଥିଲା ?

ଆଉ କଲମ ଚାଲିଲାନି l ସେ କବିତା ଲେଖା ସେଇଠି ରହିଗଲା l

(କାଗଜ ଡଙ୍ଗା... ଏକ ଚପଳମତି ବାଳକର ଭୟ ମିଶ୍ରିତ ଦୃଷ୍ଟି, କିଛି ଅନୁତାପ... ଆଉ କିଛି ସ୍ମୃତି) l



Rate this content
Log in