ଜ୍ୟାମିତି ଖାତା
ଜ୍ୟାମିତି ଖାତା
ଯନ୍ତ୍ର ପାଠ ପଢି ପଢି ବାଇଶି ବର୍ଷିଆ ଝିଅ ଦିବ୍ୟା ମୋର ଯନ୍ତ୍ର ପାଲଟି ଗଲାଣି।
ମୋ ଭିତରେ ଯେଉଁ ଭାବ ଆବେଗ ଓ ଅନୁରାଗ ପ୍ରବଣ ଭର୍ତ୍ତୀ ଥିଲା ତାହା ଆଜି ମୋ ଝିଅ ଭିତରେ ଟିକେ ବି ନାହିଁ ।
ମୋର ପ୍ରମୋସନ୍ ହୋଇଛି ସେକ୍ରେଟେରିଏଟ୍। ମିଷ୍ଟର ଆଗରୁ କାର୍ଯ୍ୟରତ ଆସିଷ୍ଟାଣ୍ଡ ସେକ୍ରେଟାରୀ ଭାବେ ସେଠି। ଆମେ ମୟୁରଭଞ୍ଜରୁ ଭୁବନେଶ୍ୱର ସିପ୍ଟ କରୁଛୁ ତାଙ୍କ ପାଖକୁ। ଯାବତୀୟ ଦରକାରୀ ଜିନିଷ ପ୍ୟାକିଂ ହେଉଛି। ଝିଅ ଦିବ୍ୟା ସବୁ ତଦାରଖ କରି ପ୍ୟାକିଂ କରୁଛି । ଅଯଥା ଏଣୁ ତେଣୁ ଜିନିଷ ଘରେ ଭର୍ତ୍ତି ହୋଇଛି ବୋଲି ଚିଡୁଛି।
ଘର ସାରା ଯେଉଁଠି ଦେଖିବ ବହି ଖାତା ଗଦା। ଜୀବନ କାଳ ମଧ୍ୟରେ ଏଇ ଗୁଡିଏ ବହି ହିଁ କମେଇଁଛି ଯାହା।
ପଢିବା ମୋର ଏକ ବଡ଼ ସଉକ।
ମାମା ! ଆଟାଜି ଭିତରେ ଏଗୁଡ଼ାକ କଣ ଭର୍ତ୍ତୀ କରି ରଖିଛ କହି ପୁଳେ ଖାତା ବହି ଫିଙ୍ଗି ଦେଲା ଦିବ୍ୟା।
ଦେଖି ଦେଖି କି ଖାତା ବହି କହି ମୁଁ ସେଗୁଡିକ ଗୋଟାଇ ଆଣିଲି।
ମାମା ! ଅଳିଆ ବୋଲି ମୁଁ ଫିଙ୍ଗୁଛି , ତୁମେ ପୁଣି ତାକୁ ସାଇତିବ ନେଲଣି। କବାଟି ବାଲାର ଆଜି ଡାଲା ଭର୍ତ୍ତୀ ହୋଇଯିବ ଆମ ଘର ବହି ଖାତାରେ । କେଉଁ ଅସିଆ କାଳର ମସିଆ ଜିନିଷ ହୀରା ମୋତି ପରି ସାଇତି ରଖିଛ ?
ଆଜିକା ଛୁଆ ଦିବ୍ୟା । ଖଡ଼ଗପୁରେ ଇଂଜିନିୟରିଂ କରୁଛି। ପୁରୁଣା ଜିନିଷ, ଓ ବୟସ୍କ ବାପା ମା ଏବେକାର ଛୁଆଙ୍କ ବୋଝ ।
ନାଇଁ ମ ମୁଁ ଦେଖୁଛି କାଳେ କିଛି ଦରକାରୀ କାଗଜ ପତ୍ର ହୋଇଥିବ ନା ।
ମୁଁ ଦେଖି ସାରିଛି । ବିଜୟ କାକାଙ୍କୁ କୁହ କବାଡି ବାଲାଙ୍କୁ ଡାକି ଏ ବହି ଖାତା ଦେଇ ଦିଅନ୍ତୁ । ବାଁ ପଟେ ଯେଉଁଗୁଡ଼ିକ ଅଛି ସେତିକି କେବଳ ନେବା।
ପାହାଡ଼ ପରି ଡାଇନିଂ ହଲ୍ ରେ ଗଦା କରିଛି ଝିଅ ପୁରୁଣା ଖାତା ବହି ଓ ଲୁଗାପଟା । ଆଟାଜି ବି ଫିଙ୍ଗି ଦେଇଛି । ସବୁ ଜିନିଷ ଟିକେ ଟିକେ ଖେଳେଇଲି । ପ୍ରତିଟି ଜିନିଷରେ ଗୋଟେ ସ୍ମୃତିର ସଜଳ ସକାଳ ଲେଖା।
ସବୁ ଅଦରକାରୀ ଫିଙ୍ଗା ଜିନିଷ ଭିତରେ ଗୋଟେ ଖାତା ଉପରେ ଆଖି ପଡ଼ିଲା । ପୁରା ମାଟିଆ ହୋଇ ଗଲାଣି । ତା ମଲାଟ ଉପରେ ଠାଏ ଠାଏ ଗୋଲ ଗୋଲ ଦାଗ। ଖାତା ଉପର ଓ ଭିତର ଲେଖା ଅକ୍ଷର ଜିଲାପି ପରି ଫୁଲି ଉଠିଛନ୍ତି ଘେସେରା ହୋଇ ।
ହାତ ଟିକେ ବୁଲେଇ ଆଣିଲି ସେ ଖାତା ଉପରେ।
ଲାଗିଲା ହୃଦୟ ଉପରେ ହାତଟି ବୁଲେଇ ଆଣିଲି କି ? ବେଜାଏ ହଲ୍ ଚଲ୍ ହେଲା ବାଁ ପଟ ଛାତି । କଣ ଗଳି ଯାଉଛି ତା ଭିତରେ ଏତେ ଯନ୍ତ୍ରଣା ଦେଇ !!
ଅରୁଣିମା..ଏ ଅରୁଣିମା !
କିଏ ଡାକୁଛ ? ବିନ୍ଦୁ ଦିଦି ! ବିନ୍ଦୁ ଦିଦି ତ କିଡ଼ିନ୍ ଫେଲିଅର୍ ହୋଇ କେବେଠୁ ମଲେଣି।
ଅରୁଣିମା ... ଅରୁଣିମା ...
କିଏ ତୁମେ ଧ୍ରୁବ ସାର୍ ? ଆପଣଙ୍କ ଆଖିକୁ ଦିଶୁ ନାହିଁ କି କାନକୁ ଶୁଭୁନାହିଁ। ଭାଇ କହୁଥିଲେ ଗୋଟିଏ ଜାଗାରେ ମାଟି ଗଦା ପରି ବସୁଛ କୁଆଡେ ।
ଅରୁ ନା ଫରୁ ।
କିଏ ନୀଳାମ୍ବର !
ତୁମେ ତ ବିଦେଶ ପ୍ରେମରେ ବଇଆ ହୋଇ ଆମେରିକା ରେ । ତୁମର କଣ କିଛି ମନେ ଥିବ ?
କିଏ କିଏ ତାହେଲେ ଡାକୁଛ ? ମୁଁ କାନେଇଲି । ହଁ ଶୁଭୁଛି ତ କେହି ଅରୁଣିମା ,ଅରୁ ଅରୁ ଡାକୁଛି । କିଏ ତୁମେ ଡାକୁଛ ? ମୋତେ ଫେରେଇ ଦେଉଛ ମୋ ଏଗାର ବାର ବର୍ଷ ବୟସ !
ହଁ ତ ବାର ବର୍ଷ । ସପ୍ତମ ଶ୍ରେଣୀ । ଜ୍ୟାମିତି ଖାତା । ଏଇଟା ସେଇ ଜ୍ୟାମିତି ଖାତା । ଜଗତସିଂହପୁର ଜିଲ୍ଲାର ବଡ଼ ନାଁ କରା ସ୍କୁଲ । ପୁଣ୍ୟଶ୍ଳୋକ ୟୁଜି ଏମ୍ ଇ। ପାଖା ପାଖି ପାଞ୍ଚ ଶହ ଛଅ ଶହ ପିଲା। ସପ୍ତମରେ ଛଅଟି ସେକ୍ସନ । ତିରିଶି ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ । ମୋର ସେକ୍ସନ ଏ । ନମ୍ବର ଅନୁସାରେ ଶତକଡା ଅଶୀରୁ ଉର୍ଦ୍ଧ ନମ୍ବର ରଖିଥିବା ପିଲାଙ୍କ ସେକ୍ସନ ଏ । ନମ୍ବର ଅନୁସାରେ ମୋ ରୋଲ ନମ୍ବର ଦୁଇ ।
ଦୁଇ !! ବାପା ମୁଁ କାଇଁ ଏକ ହୋଇ ପାରୁନି ?
ନିପଟ ଚାଷୀ ବୃନ୍ଦାବନ ସ୍ବାଇଁ ମୋ ବାପା କହିଲେ, ପାଠ ପଢା ଏକ ତପସ୍ୟା । ତପସ୍ୟାର ମୂଳାଧାର ହେଉଛି ମନର ଏକାଗ୍ରତା । କେଉଁଠି ଟିକେ ତୋ ସାଧନାରେ କମ୍ ରହି ଯାଉଛି ।
କମ୍ ରହି ଯାଉଛି ! ତପସ୍ୟାରେ ! ସାଧନାରେ ! କେଉଁଠି ?ପାଗଳ ପରି ଖୋଜି ହେଲି ।
ନୀଳାମ୍ବର ଉପରେ ସବୁ ରାଗ ଯାଇ ପଡିଲା । ତୁ ମାଙ୍କଡ଼ ପାହି ଜଗିଛୁ ଛାଡୁନୁ ମୋତେ ଏକ ହେବା ପାଇଁ ? କେମିତି ସାଧନା କରୁଛୁ ତୁ ?
ନୀଳା ! ତୁ ସବୁବେଳେ କ୍ଳାସରେ ଫାଷ୍ଟ କେମିତି ହେଉଛୁ ?
ମନ୍ତ୍ର ଜାଣିଛି ।
ମୋତେ ଟିକେ ଶିଖେଇ ଦେବୁ ?
କାଇଁକି ବା ତୁ ଏକା ସିଆଣା ।
ନୀଳା ମୁଁ ତୋ ସାଙ୍ଗ ଟି ,କହିବୁ ନାହିଁ ମନ୍ତ୍ର ?
ମୁଁ ଟିକେ ମୁହଁ ଶୁଖେଇ ଦେଲି ।
ଏ ..ଏ.. ଅରୁ ମୁହଁ ଶୁଖାନା ଆଉ। ତୋ ଶୁଖିଲା ମୁହଁ ମୋତେ ଭଲ ଲାଗେନି ।
କାହିଁକି ?
ତୁ ମୋ ବେଷ୍ଟ ଫ୍ରେଣ୍ଡ୍ ନା ସେଥିପାଇଁ ।
ସତରେ ! ତୁ ଆର ଗାଁ ସମ୍ଭ୍ରାନ୍ତ ମହାନ୍ତି ସାହିର ଦୀନବନ୍ଧୁ ମହାନ୍ତିଙ୍କ ପୁଅ ହୋଇ ମୋ ପରି ଗୋଟେ ଗରିବ ଚାଷୀ ଝିଅ ସଂଗେ ସାଙ୍ଗ ହେବୁ ?
ହେବୁ କଣ ହୋଇ ସାରିଛି ନା। ତୁ ଯେଉଁ ଦିନ ଷଷ୍ଠରେ ନାଁ ଲେଖାଇଲୁ ଆମ ଏଇ ସ୍କୁଲରେ ସେଇ ଦିନୁ । ଶୁଣ୍ ମୁଁ ଦୁଇ ହୋଇଯିବି କ୍ଳାସ ରେ ତୁ ଏକ ; କିନ୍ତୁ ଗୋଟେ ସର୍ତ୍ତରେ।
ସର୍ତ୍ତ !
ହଁ ମୋତେ ଚିତ୍ର ଓ କବିତା ଲେଖା ଶିଖେଇ ଦେବୁ । ଅରୁ ଚିତ୍ରକୁ ଯୋଖି ଏତେ ସୁନ୍ଦର କବିତା ପୁଣି କବିତାକୁ ଖାପ ଖୁଆଇ କେମିତି ଚିତ୍ର ଆଙ୍କୁ ସେ ଟିପ୍ସ ମୋତେ ଦେବୁ।
ଠିକ୍ ଅଛି। କିନ୍ତୁ ଗୋଟେ କଥା ; ସାଙ୍ଗ ହୋଇ ଆମେ ସଉଦା କରିବା ଏଇଟା କଣ ଭଲ ହେବ ? ମୋର ଫାଷ୍ଟ ହେବା ଦରକାର ନାହିଁ ତୋତେ କିନ୍ତୁ କବିତା ଲେଖା ଓ ଚିତ୍ର କରିବା ଶିଖେଇ ଦେବି।
ନୀଳା ମୋଠାରୁ ଦୁଇ ବର୍ଷ ବଡ଼। ଭଲ ପଢିବ ବୋଲି ଦୀନା ଦାଦା ଦୁଇ ବର୍ଷ ନିଳା କୁ ଘରୋଇ ଟିୟୁସନ୍ କଲା ପରେ ପ୍ରଥମ ଶ୍ରେଣୀରେ ନାଁ ଲେଖାଇ ଥିଲେ। ଆମ ଗାଁ ମହନନ୍ଦପୁର। ଏଠି ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଅଛି। ଏଠୁ ପାସ୍ କରି ଆମେ ମହାନ୍ତି ସାହି ସ୍କୁଲରେ ପଢିବାକୁ ଯାଉ । ସେଠାରେ ପ୍ରଥମରୁ ସପ୍ତମ ଯାଏ ଥିଲା। ଏବେ ହାଇସ୍କୁଲ ଯୋଡି ହୋଇ ନୋଡାଲ ସ୍କୁଲ ହୋଇ ଅଛି।
ସଉଦା କଥାଟା ଶୁଣି ନୀଳା କହିଲା ଠିକ୍ କହିଲୁ ବନ୍ଧୁତାରେ ଦେଣ ନେଣ ଠିକ୍ ନୁହେଁ । ମୁଁ ବିନା ସର୍ତ୍ତରେ ମନ୍ତ୍ର ଦେବି ।
ନା ମୋର ମନ୍ତ୍ର ଦରକାର ନାହିଁ ମୁଁ ପରିଶ୍ରମ କରି ତୋତେ ହଟେଇ ଦେବି ।
ତୁ ପାରିବୁ ମୁଁ ଜାଣେ । ପ୍ରକୃତ କଥା ମୁଁ ପ୍ରତି ବିଷୟରେ ଟିୟୁସନ୍ ହେଉଛି। ତୁ ମନକୁ ପଢ଼ୁଛୁ । ଏମିତି ଦେଖିବାକୁ ଗଲେ ତୁ ମୋଠାରୁ ବେଶୀ ବୁଦ୍ଧିଆ । ପରୀକ୍ଷା ପରେ ସାର୍ ଯେତେବେଳେ ଖାତା ଦିଅନ୍ତି ପରସ୍ପର ମଧ୍ୟରେ ଅଦଳ ବଦଳ କରି ଦେଖିବାକୁ କିଏ କେମିତି କରିଛି ; ତୋ ଖାତାରେ ମୁଁ ଦେଖିଛି ତୁ ମୋଠାରୁ ସବୁଥିରେ ବହୁତ ଭଲ କରୁ । ମାତ୍ର ଗଣିତରେ ଜ୍ୟାମିତିରୁ ଯେଉଁ ପ୍ରଶ୍ନ ଆସେ ଭଲ କରୁ ନାହିଁ। ଅଙ୍କନ କି ପ୍ରମାଣ ଠିକ୍ ରେ ତୋତେ ଆସେ ନାହିଁ ।
ହଁ ଜ୍ୟାମିତି ଅଙ୍କନ କି ଉପପାଦ୍ୟ ଠିକ୍ ରେ ବୁଝି ପାରେ ନାହିଁ । ବୁଝେଇ ଦେବାକୁ କେହି ନାହିଁ ବି।
ବୁଝିଲୁ ଅରୁ ମନ୍ତ୍ର ଫନ୍ତ୍ର କିଛି ନାହିଁ। ତୋର ଏଇ ଦୁର୍ବଳତା ମୋ ଆଖିରେ ପଡିଛି। ଜ୍ୟାମିତି ପ୍ରତି ତୁ ଟିକେ ଅଧିକ ସମୟ ଦେଲେ ମୋ ସହ ସମାନ ହୋଇଯିବୁ।
ହଁ ଯେ ମୋତେ କିଏ ବୁଝେଇବ ? ରବି ସାର୍ କଣ ବୁଝାନ୍ତି ମୁଁ ଧରି ପାରେ ନାହିଁ।
ମୁଁ ବୁଝେଇ ଦେବି। ଟିଫିନ୍ ଖାଇ ସାରିବା ପରେ ମୁଁ ବୁଝେଇ ଦେବି।
ସତରେ !!
ସାର୍ଟ କଲର୍ ଟେକି ନୀଳାମ୍ବର କହିଲା ଦୀନବନ୍ଧୁ ମହାନ୍ତିଙ୍କ ପୁଅଟି ମୁଁ । ଯାହା କହିବି କରିକି ଦେଖେଇବି।
ହେ ଫୁଟାଣିଆ ପରି କଣ ହେଉଛୁ ? ଭଲ ପଢିବା ପିଲା ନମ୍ର, ବିନାୟୀ ଓ ଧୀର ହୁଅନ୍ତି ମୋ ବାପା କହିଛନ୍ତି।
ଅରୁ ତୁମେ ଘରେ ଧନ ସମ୍ପଦର ଅଭାବ କିନ୍ତୁ ସ୍ନେହ ମମତା ଓ ସଂସ୍କାରରେ ପୁରା ଭାବ । ତୋ ବାପା ପାଠ ନ ଜାଣିଲେ ବି ତୁ ପଢିବା ବେଳେ ତୋ ପାଖେ ବସନ୍ତି କିନ୍ତୁ ମୋ ବାପା ପାଠୁଆ ହେଲେ ବି ଦିନେ କେଉଁଦିନ ମୋ ପଢିବା ପାଖେ ବସିବାକୁ ତାଙ୍କୁ ସମୟ ନାହିଁ। ଯାହା ପ୍ରତି ମୋର ଖୁବ୍ ଲୋଭ।
ନୀଳା ରେ ଆମ ଗରିବ ଗୁରୁବାଙ୍କ ମନଟା ସବୁବେଳେ ଧନୀ। ମାଟି ଉପରେ ଠିଆ ହୋଇ ଆକାଶେ ଉଡାଣ ଭରିବା ସ୍ୱପ୍ନ ଆମ ଘର ହିଁ ଆମକୁ ଦେଇଥାଏ।
ଯାହା ଆମ ଘରେ ଶୁନ। ହେଉ ଛାଡ଼ କାଲି ଠାରୁ ମୁଁ ତୋ ଟିୟୁସନ୍ ସାର୍।
ହେଲା ଟିୟୁସନ୍ ସାର୍ ପ୍ରଣାମ । କିନ୍ତୁ ଟିୟୁସନ୍ ଫିସ୍ ତ ଦେଇ ପାରିବି ନାହିଁ ?
ମୋ ବେଣୀ ଟାଣି ନୀଳା କହିଲା ,ତୋ ସହ ଯେତିକି ସମୟ ରହିବି ସେଇ ଖୁସି ମୋର ପାଉଣା ହେବ।
ମୋ ସହ ରହିଲେ ତୋତେ ଖୁସି ଲାଗେ ?
ବହୁତୁ ।
କାହିଁକି ?
କେତେ ଚେଣ୍ଟେଇ ହୋଇ ପଚାରୁଛୁ ବା । ଭଲ ଲାଗେ ତ କାହିଁକି କଣ ମୁଁ ଜାଣିଛି ?
ତାପର ଠାରୁ ରିସେସ୍ ରେ ନୀଳା ମୋତେ ଜ୍ୟାମିତି ପଢେଇଲା। ଏଇ ସେଇ ମୋଟା ଖାତା ଯେଉଁଥିରେ ନୀଳା ମୋ ନାଁ ଶାଗୁଆ କାଳିରେ ବଡ଼ ବଡ଼ ଅକ୍ଷରରେ ଲେଖିଥିଲା ଅରୁଣିତା ସ୍ବାଇଁ । ଏତ ବଡ଼ ପୁଣି ସୁନ୍ଦର ଖାତା କିଣିବା ସାମର୍ଥ୍ୟ ଆମର ନଥିଲା। ଦୀର୍ଘ ବତିଶ ବର୍ଷ ତଳେ ଏ ଖାତା ମୂଲ୍ୟ ପଚିଶି ଟଙ୍କା ଥିଲା ।
ଏ ଖାତାଟି ମୋ ପାଇଁ କେଉଁ ହୀରା ମୋତି ଠାରୁ ଜମାରୁ କମ୍ ନଥିଲା । କୁଆଁରୀ ବରତ ଉଜେଇଁ ବୋହୁ ହେଲା ପରେ ବି ମୁଁ ଏ ଜ୍ୟାମିତି ଖାତାଟି ମୋ ପାଖରୁ ଦୂର କରି ନାହିଁ ।
ଏ ଖାତା ମୋତେ ମୋ କୋମଳ କୈଶୋରର କଅଁଳ ବେଳ ମନେ ପକାଇ ଦିଏ। ଏଇ ଖାତା ଛୁଇଁଲେ ମୁଁ ନୀଳା କୁ ଅନୁଭବ କରେ । ଗୋଟିଏ ପଟେ ତା ତ୍ରିଭୁଜ ଚତୁର୍ଭୁଜ ଅଙ୍କନ ସହ ବୁଝାଇବା ଓ ଆର ପଟେ ମୁଁ କଣ ବୁଝିଲି ଲେଖିବା ସବୁ ସାଇତା । ନିଳାମ୍ବର ଯୋଗୁ ମୁଁ ଜ୍ୟାମିତିକୁ ଭଲ ପାଇଲି ଯିଏ ଦିନେ ମୋତେ ଡରାଉ ଥିଲା। ବୋର୍ଡ ପରୀକ୍ଷାରେ ମୁଁ ଓ ନୀଳାମ୍ବର ସମାନ ନମ୍ବର ରଖି ଓ ପ୍ଲସ ରେଜେଲଟ୍ କରିଥିଲୁ।
ସପ୍ତମ ପରେ ନୀଳା ରେଭେନ୍ସା କଲଜିଏଟ ସ୍କୁଲରେ ପଢିବାକୁ ଗଲା । ମୁଁ ପଢ଼ିଲି ଗାଁ ସ୍କୁଲରେ। କାଁ ଭାଁ ନୀଳା ସହ ଦେଖା ହୋଇଛି । ଯେତେବେଳେ ଦେଖା ହୋଇଛି ସେ ମନ୍ତ୍ର ନେବୁ କହି ଚିଡ଼େଇଛି ।
ନୀଳାମ୍ବର ମହାନ୍ତି ଏବେ ଆମେରିକାରେ ଯାଇ ଗୋଟେ ବଡ଼ ଡାକ୍ତର ଏବଂ ମୁଁ ଜଣେ ଓ ଏ ଏସ୍ ଅଫିସର୍ ।
ସମୟ ଦୌଡ଼ିଛି ଖର ତରେ ତା ସହ ମୁଁ । ସବୁ ଭୁଲି ଯାଇଛି କିନ୍ତୁ ଏଇ " ଜ୍ୟାମିତି ଖାତା" ଟିକୁ ଭୁଲି ପାରି ନାହିଁ। ମୋ ଏ ଯୁଗର ଯୁବା ଝିଅ କେମିତି ବୁଝିବ ନିସର୍ଗ ଭଲ ପାଇବା ଅତରରେ ଏ ଜ୍ୟାମିତି ଖାତା ଟି ମୋ ଜୀବନକୁ କେମିତି ମହାକାଏ !!
ଝାଡ଼ି ଝୁଡ଼ି ସପ୍ତମ ଶ୍ରେଣୀ "ଜ୍ୟାମିତି ଖାତା" ଟିକୁ ନେଇ ସାଇତି ଦେଲି ମୋ ଟ୍ରାନ୍ସଫର ଅର୍ଡର ପାଖେ।
ଦିବ୍ୟା ହସି ହସି କହିଲା, ତୁମକୁ ଆଉ ପାରି ହେବନି
ମା । କଣ ଏମିତି ଅଛି କି ଏ ଜ୍ୟାମିତି ଖାତାରେ ?
ମେଞ୍ଚେ ଅନୁଭବ।
ମୋ କଥା ଶୁଣି ଦିବ୍ୟା କହିଲା ହ୍ଵାଟ୍ ??